ମୋଦୀଙ୍କ ବିରୁଦ୍ଧରେ ବିରୋଧୀ ଦଳଙ୍କ ମଧ୍ୟରେ ଏକତାର ପ୍ରଶ୍ନ


-ଡ. ସମନ୍ୱୟ ନନ୍ଦ-
୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଲଗାତାର ଦୁଇ ଥର ଭାରତର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳ ମାନଙ୍କ ପକ୍ଷରୁ ପ୍ରବଳ ଚେଷ୍ଟା କରା ଯାଉଛି । ବିରୋଧୀ ଦଳ ମାନେ ଭଲ ଭାବେ ହୃଦୟଙ୍ଗମ କରୁଛନ୍ତି ଯେ ମୋଦୀଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ହଟାଇବାକୁ ହେଲେ ସେମାନଙ୍କୁ ଏକଜୁଟ ହେବାକୁ ପଡିବ । ନ ହେଲେ ମୋଦୀଙ୍କୁ ହଟାଇବା ତାଙ୍କ ପାଇଁ ସେତେ ସହଜ ହେବ ନାହିଁ । ସବୁ ରାଜନୈତିକ ଦଳ ଏଥିରେ ଏକମତ । ହେଲେ ବିରୋଧୀ ମାନଙ୍କ ମଧ୍ୟରେ ଏକତା ସ୍ଥାପିତ ହେଲେ ତାର ନେତୃତ୍ୱ କିଏ ନେବ ତାକୁ ନେଇ ବିବାଦ ରହିଥିବା କାରଣରୁ ବିରୋଧୀ ମାନଙ୍କ ମଧ୍ୟରେ ସ୍ପଷ୍ଟ ଏକତା ବର୍ତମାନ ସୁଦ୍ଧା ଦେଖିବାକୁ ମିଳୁ ନାହିଁ ।
ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ବିରୋଧୀ ଦଳ ମାନେ ଏକାଠି ହୋଇ ନିର୍ବାଚନ ଲଢିବାକୁ ଚେଷ୍ଟା କରୁ ନାହାନ୍ତି । ଯଦି ଆମେ ଭାରତର ରାଜନୈତିକ ଇତିହାସ ଉପରେ ଦୃଷ୍ଟି ପକାଇବା ତେବେ ପୂର୍ବରୁ ମଧ୍ୟ ଏଭଳି ହୋଇ ସାରିଛି । ବିରୋଧୀ ଦଳ ମାନେ ଏକଜୁଟ ହୋଇ ନିର୍ବାଚନ ଲଢିଛନ୍ତି । ଥରେ ବିରୋଧୀ ଦଳ ମାନଙ୍କ ମଧ୍ୟରେ ଏକତା ସତ୍ୱେ କ୍ଷମତାସୀନ ଦଳକୁ ସେମାନେ ପରାଜିତ କରି ପାରି ନାହାନ୍ତି । ହେଲେ ଦୁଇ ଥର ଏପରି ଉଦାହରଣ ରହିଛି ଯେତେବେଳେ ବିରୋଧୀ ଦଳ ମାନେ ଏକଜୁଟ ହୋଇ କ୍ଷମତାସୀନ ଦଳକୁ କ୍ଷମତାରୁ ବାହାର କରି ପାରିଛନ୍ତି । ତେଣୁ ଇତିହାସରେ ଉଭୟ ପ୍ରକାରର ଉଦାହରଣ ରହିଛି ।
ପ୍ରଥମ ଥର ପାଇଁ ୧୯୭୧ ମସିହାରେ ବିରୋଧୀ ମାନେ ନିଜ ମଧ୍ୟରେ ଏକତା ଦେଖାଇଥିଲେ । କଂଗ୍ରେସ ଦଳର ବିଭାଜନ ହୋଇ ସାରିଥିଲା । ଇନ୍ଦିରା ଗାନ୍ଧୀ ସେତେବେଳେ ବ୍ୟାଙ୍କର ରଷ୍ଟ୍ରୀୟକରଣ କରି ସାରିଥିଲେ । ସେତେବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ମଧ୍ୟବର୍ତୀକାଳୀନ ନିର୍ବାଚନ କରାଇବାକୁ ନିଷ୍ପତି ନେଇଥିଲେ । ସେତେବେଳେ ବିରୋଧୀ ଦଳ ମାନେ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରିଥିଲେ । ତେବେ ସେତେବେଳେ ବିରୋଧୀ ଦଳ ମାନଙ୍କୁ ଏଥିରେ ସଫଳତା ମିଳି ନ ଥିଲା ଓ ଇନ୍ଦିରା ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦକୁ ଫେରିଥିଲେ ।
ଏହା ପରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇବା ପରେ ଏଭଳି ପ୍ରୟାସ ଦ୍ୱିତୀୟ ଥର ପାଇଁ ହୋଇଥିଲା । ସେତେବେଳେ ବିଭିନ୍ନ ବିରୋଧୀ ଦଳର ନେତା ମାନେ ପ୍ରବଳ ନିର୍ଯ୍ୟାତନାର ଶୀକାର ହୋଇଥିଲେ । ସମସ୍ତଙ୍କୁ ଅକଥନୀୟ ଅତ୍ୟାଚାରର ଶୀକାର ହେବାକୁ ପଡିଥିଲା । ତେଣୁ ବିରୋଧୀ ମାନଙ୍କ ମଧ୍ୟରେ ବୈଚାରିକ ସମାନତା ନ ଥିବା ସତ୍ୱେ ସେମାନେ ଇନ୍ଦିରା ଗାନ୍ଧୀଙ୍କୁ ହଟାଇବାକୁ ଏକାଠି ହୋଇଥିଲେ । ସେତେବେଳେ ବିରୋଧୀ ଦଳ ଗୁଡିକ ନିକଟରେ ଅଧିକ ବିକଳ୍ପ ମଧ୍ୟ ନ ଥିଲା । ସବୁ ଦଳ ମାନଙ୍କର ବିଲୟ ହୋଇ ଗୋଟିଏ ଦଳ ଜନତା ପାର୍ଟି ଗଠନ ହେଲା । ମୋରାରଜୀ ଦେଶାଇ ଏହି ସରକାରର ମୁଖ୍ୟ ହେଲେ । ତେବେ ଏହି ସରକାର ମଧ୍ୟ ଦୁଇ – ଅଢେଇ ବର୍ଷ ଚାଲି ପାରି ନ ଥିଲା । ଏହି ସରକାରର ପତନ ଘଟିଥିଲା ।
ବିିରୋଧୀ ଦଳ ମାନଙ୍କ ମଧ୍ୟରେ ଏକତାର ତୃତୀୟ ଉଦାହରଣ ୧୯୮୯ ମସିହାରେ ଦେଖିବାକୁ ମିଳିଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କର ଲୋକପ୍ରିୟତା ହରାଇବାରେ ଲାଗିଥିଲା । ସେ ବୋଫୋର୍ସ ଦୁର୍ନୀତିକୁ ନେଇ ବିବାଦକୁ ଆସି ସାରିଥିଲେ । ବିଶ୍ୱନାଥ ପ୍ରତାପ ସିଂହ ରାଜୀବ ଗାନ୍ଧୀଙ୍କ ସରକାରରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ମଧ୍ୟ ବୋଫୋର୍ସ ଦୁର୍ନୀତିରେ ଅଲୋକପ୍ରିୟ ହୋଇ ସାରିଥିବା ରାଜୀବ ଗାନ୍ଧୀଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ମାନେ ଏକଜୁଟ ହୋଇଥିଲେ । ସେତେବେଳେ ବିରୋଧୀ ମାନେ ରାଷ୍ଟ୍ରୀୟ ମୋର୍ଚା ଗଠନ କରିଥିଲେ । ସେତେବେଳେ ଜନତା ଦଳ, କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆସନ ବୁଝାମଣା ହୋଇଥିଲା । ରାଷ୍ଟ୍ରୀୟ ମୋର୍ଚା ସେତେବେଳେ କଂଗ୍ରେସକୁ ପରାଜିତ କରିଥିଲା ଓ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ସେତେବେଳେ ମଧ୍ୟ ଏହି ସରକାର ବେଶୀ ସମୟ ପାଇଁ ଚାଲି ପାରି ନ ଥିଲା ଓ ୧୧ ମାସରେ ଭିପି ସିଂହ ସରକାରର ପତନ ଘଟିଥିଲା । ଏହି ତିନୋଟି ଯାକ ଉଦାହରଣରେ ବିରୋଧୀ ଦଳ ମାନଙ୍କ ମଧ୍ୟରେ ଏକତାର ଆଧାର ଅଣ କଂଗ୍ରେସବାଦ ଥିଲା ।
ସେତେବେଳର ବିରୋଧୀ ଦଳ ମାନଙ୍କରେ ଥିବା ନେତା ମାନଙ୍କ କଥା ଉପରେ ବିଚାର କରିବା । ସେତେବେଳେ ବିରୋଧୀ ନେତା ମାନଙ୍କ ମଧ୍ୟରେ ମୋରାରଜୀ ଭାଇ ଦେସାଇ, ଅଟଳ ବିହାରୀ ବାଜପେୟୀ, ନାନାଜୀ ଦେଶମୁଖ, ଜର୍ଜ ଫର୍ଣାଣ୍ଡେଜ, ଚୌଧୁରୀ ଚରଣ ସିଂହ, କର୍ପୁରୀ ଠାକୁର, ମଧୁ ଲିମୟେ, ମଧୁ ଦଣ୍ଡବତେ ଆଦି ନେତା ମାନେ ଥିଲେ । ସେତେବେଳର ବିରୋଧୀ ଦଳର ନେତା ମାନଙ୍କର ଓ ବର୍ତମାନରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ହୁଂକାର ଦେଉଥିବା ବିରୋଧୀ ଦଳ ନେତା ମାନଙ୍କ ମଧ୍ୟରେ କଣ ମୌଳିକ ପ୍ରଭେଦ ରହିଛି । ମୂଳ ପ୍ରଭେଦ ହେଲା ପୂର୍ବର ବିରୋଧୀ ନେତା ମାନଙ୍କର ବିଶ୍ୱସନୀୟତା ଥିଲା ହେଲେ ବର୍ତମାନର ବିରୋଧୀ ନେତା ମାନଙ୍କ ନିକଟରେ ବିଶ୍ୱସନୀୟତାର ସଂକଟ ରହିଛି ।
ପୂର୍ବ ସମୟର ଏହି ନେତା ମାନେ ଯାହାଙ୍କ ନାମର ଉଲ୍ଲେଖ କରା ଯାଇଛି ସେମାନଙ୍କ ବିରୁଦ୍ଧରେ କେବେ ହେଲେ ଦୁର୍ନୀତିର ଅଭିଯୋଗ କେବେ ନ ଥିଲା । ଲାଲକୃଷ୍ଣ ଆଡବାଣୀ ତ ଏହି ମାମଲାରେ ଉଦାହରଣ ସୃଷ୍ଟି କରିଥିଲେ ଯେତେବେଳେ ତାଙ୍କର ନାମ ହବାଲା ମାମଲାର ଜଣେ ଅଭିଯୁକ୍ତଙ୍କ ଡାଏରୀରେ ବାହାରିଲା ସେତେବେଳେ ସେ ନିଜ ଆଡୁ ଅପ୍ରତ୍ୟାଶିତ ଭାବେ ଘୋଷଣା କରି ଦେଲେ ଯେ, ଯେପର୍ଯ୍ୟନ୍ତ ସେ ଦୋଷମୁକ୍ତ ହୋଇ ନାହାନ୍ତି ସେ ଯାଏ ସେ ନିର୍ବାଚନ ଲଢିବେ ନାହିଁ । ଯେଉଁ ବିରୋଧୀ ଦଳ ମାନଙ୍କର ନାମ ଉପରେ ଉଲ୍ଲେଖ ରହିଛି ସେମାନଙ୍କ ବିରୁଦ୍ଧରେ ଦୁର୍ନୀତିର ସାମାନ୍ୟତମ ଅଭିଯୋଗ ନ ଥିଲା । ସେମାନେ ସମସ୍ତେ ସାଧାରଣ ପରିବାରରୁ ଆସିଥିଲେ । କେହି ଦେଶର ସୁନାମଧନ୍ୟ ରାଜନୈତିକ ପରିବାରରୁ ଆସି ନ ଥିଲେ । ସେମାନେ ନିଜର ସଂଘର୍ଷ ପରିଶ୍ରମ କରି ଭାରତୀୟ ରାଜନୀତିରେ ସେମାନଙ୍କର ସ୍ଥାନ ହାସଲ କରିଥିଲେ ।
କିନ୍ତୁ ବର୍ତମାନର ବିରୋଧୀ ଦଳ ମାନଙ୍କର ନେତା ମାନଙ୍କ ବିଷୟରେ ଆଲୋଚନା କରିବା ବେଳେ ଏହାର ଠିକ ଓଲଟା ଚିତ୍ର ଦେଖିବାକୁ ମିଳେ । ପ୍ରଥମେ କଂଗ୍ରେସ କଥା ଆଲୋଚନା କରିବା । ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି । ଦୁର୍ନୀତିକୁ ମୂଳତ୍ପାଟନ କରିବାକୁ ଲକ୍ଷ୍ୟ ରଖି ରାଜନୀତିରେ ପାଦ ଥାପିଥିବା ଅରବିନ୍ଦ କେଜରିବାଲଙ୍କ ପାର୍ଟି ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତିର ଛିଟା ସବୁଠାରୁ ଅଧିକ ପଡି ସାରିଛି । କେଜରିବାଲଙ୍କ ଅତ୍ୟନ୍ତ ଘନିଷ୍ଠ ଓ ତାଙ୍କର ମନ୍ତ୍ରୀ ଭାବେ କାମ କରିଥିବା ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ମାମଲାରେ ଗତ ୧୧ ମାସ ଧରି ଜେଲରେ ଅଛନ୍ତି । ଅନ୍ୟ ଜଣେ ସହଯୋଗୀ ମନୀଷ ସିସୋଦିଆ ମଧ୍ୟ ଜେଲରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ସବୁଠାରୁ ଅଧିକ ରଣହୁଂକାର ଦେଉଥିବା ମମତା ବାନାର୍ଜୀଙ୍କ ସ୍ଥିତି ଆହୁରି ଖରାପ ରହିଛି । ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀ , ସାଂସଦ ଓ ଅନ୍ୟ ମାନେ ଗିରଫ ହୋଇ ସାରିଛନ୍ତି । ତାଙ୍କ ପାର୍ଟିର ନେତା ମାନଙ୍କ ଦୁର୍ନୀତି ବିରୁଦ୍ଧରେ ଜାଂଚ କୋଲକାତା ହାଇକୋର୍ଟର ନିର୍ଦେଶ ପରେ ହେଉଛି ।କେବଳ ସେତିକି ନୁହେଁ ତାଙ୍କ ପରିବାରର ଲୋକ ମାନଙ୍କ ଉପରେ ମଧ୍ୟ ଦୁର୍ନୀତିର ଅଭିଯୋଗ ଆସି ସାରିଲାଣି । ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ଓ ଇଡି ପଚରା ଉଚୁରା କରି ସାରିଛି । ସେହିପରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅଙ୍କୁ ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜାଂଚର ଘେରା ମଧ୍ୟକୁ ଆସି ସାରିଛନ୍ତି । ଜାମ୍ମୁ କାଶ୍ମୀରର ନ୍ୟାସନାଲ କନଫ୍ରେନ୍ସର ମୁଖ୍ୟ ଫାରୁକ ଅବଦୁଲା ଓ ପିଡିପିର ନେତ୍ରୀ ମେହବୁବା ମୁଫତି ଓ ତାଙ୍କର ସହଯୋଗୀ ମାନେ ରୋଶନୀ ଆକ୍ଟ ମାମଲାରେ ଜାଂଚର ପରିସରରେ ଆସି ସାରିଛନ୍ତି ।
ପୂର୍ବ ସମୟର ବିରୋଧୀ ଦଳର ନେତା ଓ ବର୍ତମାନ ସମୟର ବିରୋଧୀ ଦଳ ମାନଙ୍କର ନେତାମାନଙ୍କ ମଧ୍ୟରେ ଏହା ହିଁ ମୌଳିକ ପ୍ରଭେଦ । ମୋଦୀଙ୍କ ବିରୁଦ୍ଧରେ ଯେଉଁ ବିରୋଧୀ ମାନେ ଅଛନ୍ତି ସେମାନଙ୍କର ଭାବମୂର୍ତି ସେପରି ନାହିଁ ଯେଭଳି ପୂର୍ବବର୍ତୀ ସମୟରେ ବିରୋଧୀ ଦଳ ମାନଙ୍କର ଥିଲା । ତେଣୁ ଆଗାମୀ ଦିନରେ ଯଦି ବିରୋଧୀ ଦଳ ମାନେ ମୋଦୀଙ୍କ ବିରୁଦ୍ଧରେ ଏକଜୁଟ ହୁଅନ୍ତି ତେବେ ଏହାର କମନ୍ ଆଧାର ‘ସେମାନଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଅଭିଯୋଗ’ ହେବ । ତାଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଅଭିଯୋଗ ସେମାନଙ୍କୁ ମୋଦୀଙ୍କ ବିରୁଦ୍ଧରେ ଏକଜୁଟ କରିବ ଓ ଏହା ସେମାନଙ୍କୁ ଯୋଡିବ ।

Leave a Reply

Your email address will not be published. Required fields are marked *