ବର୍ଷବ୍ୟାପି ଚାଲିବ ସ୍କ୍ରିନ୍ ଟାଇମ୍ ଟୁ ଆକ୍ଟିଭିଟି ଟାଇମ୍

ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଉଦ୍‌ଯାପିତ
ବର୍ଷବ୍ୟାପି ଚାଲିବ ସ୍କ୍ରିନ୍ ଟାଇମ୍ ଟୁ ଆକ୍ଟିଭିଟି ଟାଇମ୍
ଭୁବନେଶ୍ୱର, ୩୧/୫ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକରିଣୀ ପରିଷଦ ବୈଠକ ଉଦ୍‌ଯାପିତ ହୋଇଛି। ବୈଠକରେ ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ବୀରେନ୍ଦ୍ର ସିଂହ ସୋଲଙ୍କି କହିଲେ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବ ଗୁଡ଼ିକ ବିକଶିତ, ସୁରକ୍ଷିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆମର ବ୍ୟାପକ ଦୃଷ୍ଟିକୋଣର ପ୍ରତିଫଳନ। ଭାରତକୁ ବୈଶ୍ବକ ନବସୃଜନ ଓ ଜ୍ଞାନ ଭିଭିକ ଅର୍ଥନୀତିର ନେତୃତ୍ବକାରୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ଯୁବଶକ୍ତି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ଜଗତ ମଧ୍ୟରେ ସଶକ୍ତ ସମନ୍ଵୟ ଆବଶ୍ୟକ। ଶିଳ୍ପାନୁଷ୍ଠାନମାନେ ଗବେଷଣା, ବିକାଶରେ ନିବେଶ ବୃଦ୍ଧି କରନ୍ତୁ। ଯୁବ ଶକ୍ତି ଓ ବିଶ୍ବବିଦ୍ୟାଳୟ ସହ ଦୀର୍ଘକାଳୀନ ସହଭାଗିତା ସ୍ଥାପନ କରନ୍ତୁ । ଦେଶର ଯୁବଶକ୍ତି ନିଜ ପ୍ରତିଭା, ନବସୃଜନ କ୍ଷମତା ଓ ରାଷ୍ଟ୍ରୀୟ ଚେତନା ବଳରେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବେ।
ଏହି ବୈଠକରେ ବୈଠକରେ ‘ଶିକ୍ଷା ସଂସ୍କାରକୁ ଫଳପ୍ରଦ କରିବା ପାଇଁ ଭୂମିସ୍ତରରେ ପ୍ରଭାବୀ କାର୍ଯ୍ୟାନ୍ଵୟନ ଆବଶ୍ୟକ’, ‘ସଶସ୍ତ୍ର ମାଓବାଦର ଅବସାନକାଳରେ ସହରୀ ମାଓବାଦ ଏକ ଗମ୍ଭୀର ସମସ୍ୟା’, ‘ସଂଗଠିତ ଅପରାଧୀ ଓ ଜିହାଦୀ ମାନସିକତା ଦ୍ବାରା ମହିଳାଙ୍କ ଶୋଷଣ ଓ ଧର୍ମାନ୍ତରଣ ଉପରେ ଲଗାମ’ ଏବଂ ‘ବୈଶ୍ୱିକ ଅନିଶ୍ଚିତତାର ସମୟରେ ସଂଯମ ଓ ସଜାଗତାର ସାମୂହିକ ରାଷ୍ଟ୍ରୀୟ ସଂକଳ୍ପ ସମୟର ଆବଶ୍ୟକତା’ ବିଷୟର ଚାରୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି।
ବୈଠକରେ ରାଷ୍ଟ୍ରୀୟ ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ଯୁବ ଶକ୍ତିର ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ- ଆର୍ଥିକ ବିଷୟ, ସମସାମୟିକ ସମସ୍ୟା ଉପରେ ବ୍ୟାପକ ଆଲୋଚନା ହୋଇଛି। ଏଥିସହ ଅଖିଳ ଭାରତୀୟ ଚିନ୍ତନ ବୈଠକ ଓ ସାଂଗଠନିକ ଚିନ୍ତନ ବୈଠକର ନିଷ୍ପତ୍ତିର ସମୀକ୍ଷା ହୋଇଛି। ଅଭିଯାନାତ୍ମକ, କାର୍ଯ୍ୟକ୍ରମାତ୍ମକ ଓ ସାଂଗଠନିକ କାର୍ଯ୍ୟର ମୂଲ୍ୟାଙ୍କନ ତଥା ଆଗାମୀ ବର୍ଷର ବିସ୍ତୃତ କାର୍ଯ୍ୟଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏସ୍‌ଇଆଇଏଲ୍‌ର ଗୌରବମୟ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତରେ ଏସ୍‌ଇଆଇଏଲ୍‌ @୬୦ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ସ୍କ୍ରିନ୍ ଟାଇମ୍ ଟୁ ଆକ୍ଟିଭିଟି ଟାଇମ୍, ବନ୍ଦେ ମାତରମ୍ବର ୧୫୦ ବର୍ଷ ପୂର୍ତ୍ତି, ଜରୁରୀକାଳୀନ ବିରୋଧର ୫୦ ବର୍ଷ ପୂର୍ତ୍ତି, ଶ୍ରୀ ଗୁରୁ ତେଗବାହାଦୁରଙ୍କ ବଳିଦାନ ଦିବସର ୩୫୦ ବର୍ଷ ଓ ସନ୍ଥ ରବିଦାସଜୀଙ୍କ ୬୫୦ତମ ପ୍ରକଟ ଉତ୍ସବ ଭଳି ବିଭିନ୍ନ କାର୍ଯ୍ୟକ୍ରମ ବର୍ଷବ୍ୟାପୀ ଚାଲିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *