ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ

ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ
ଭୁବନେଶ୍ୱର,୨୯/୫ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଶିକ୍ଷା ‘ଓ’ ଅନୁସନ୍ଧାନ(ସୋଆ) ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଆସି ଯୋଗ ଦେଇଛନ୍ତି । ସେମାନଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର, ଢୋଲ ବଜାଇ ଆଡ଼ମ୍ବରରେ ସ୍ବାଗତ କରାଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବକୁ ସମୀକ୍ଷା, ବିଚାରବିମର୍ଶ ଏବଂ ପାରିତ କରାଯିବ। ଏଥିସହ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ଭବିଷ୍ୟତ ଲାଗି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।
ଏବିଭିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ ରଘୁରଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ. ବୀରେନ୍ଦ୍ର ସିଂହ ସୋଲଙ୍କା ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶୀଷ ଚୌହାନ ପ୍ରଦୀପ ପ୍ରଜ୍ଜଳନ ସହ ଏହି ତିନି ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ
କରିଥିଲେ। ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଡ. ସୋଲଙ୍କୀ କହିଥିଲେ, ଏବିଭିପିର ମତ ହେଉଛି ଭାଷା ଅଧ୍ୟୟନ ସହିତ ବୋର୍ଡ ପରୀକ୍ଷାକୁ ମଧ୍ୟ ତ୍ରିଭାଷା ବ୍ୟବସ୍ଥା ଅନୁରୂପ କରାଯିବା ଉଚିତ୍। ଫଳରେ ଏହି ନୀତି ଆହୁରି ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହୋଇପାରିବ।
ସେହିପରି ସଂଘର୍ଷ ଓ ଆନ୍ଦୋଳନ ସହିତ ସେବା ଓ ସମର୍ପଣ ଏବିଭିପିର ମୂଳ ପରିଚୟ ବୋଲି ଶ୍ରୀ ତିୱାରୀ ମତବ୍ୟକ୍ତ କରିଥିଲେ। ବୈଠକରେ ସଂଗଠନାତ୍ମକ ପ୍ରସ୍ତାବ ଏବଂ ବିଷୟବସ୍ତୁର କାର୍ଯକାରୀ ସହ ଆସନ୍ତା ବର୍ଷ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ । ବିଭିନ୍ନ ରାଜ୍ୟରେ ଚାଲିଥିବା ବିଶେଷ ଅଭିଯାନ ଓ ନୂତନ ପ୍ରୟାସର ବିଶ୍ଳେଷଣ ମାଧମରେ ସଂଗଠନର ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ। ଏଥିସହ ଶିକ୍ଷା, ବିଶ୍ୱ ପରିସ୍ଥିତି, ମହିଳା ସୁରକ୍ଷା, ସହରୀ ନକ୍ସଲବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସ୍ତାବମାନ ମଧ୍ୟ ପାରିତ ହେବ।

Leave a Reply

Your email address will not be published. Required fields are marked *