ଦୋଳ ଉତ୍ସବ ଓ ଦ୍ୱାରୀ ଭୋଗ

-ସନ୍ତୋଷ ଦାଶ-

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାରା ରାଜ୍ୟ ରେ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ ।ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା,କୃଷ୍ଣ ଓ ହରି, ହର ଙ୍କ ନିକଟରେ ଏହି ଦିନ ଅବିର (ଫଗୁ) ଲାଗି କରାଯାଇଥାଏ । ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ହରି ହର ଙ୍କ ଚଳନ୍ତି ପ୍ରତିମା ଛୋଟ ଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗାଁ ଗାଁ କୁ ନିଆଯାଇଥାଏ ।ଠାକୁରଙ୍କ ଉଦେ୍ଦଶ୍ୟରେ ପ୍ରତ୍ୟେକ ଙ୍କ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ ଓ ଭଗବାନ ସବୁବେଳେ ଭକ୍ତଙ୍କର ।ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦେ୍ଦଶ୍ୟ ।ଦୋଳଉତ୍ସବ ପାଳନ ବେଳେ ଠାକୁର ମାନେ ତାଙ୍କ ସିଂହାସନ ଉପରୁ ଓହ୍ଲାଇ ଆସନ୍ତି ରାଜଦାଣ୍ଡ , ଗାଁ ଦାଣ୍ଡ କୁ । ଭକ୍ତର ଦ୍ୱାର ନିକଟକୁ । ସେମାନଙ୍କ ନିକଟକୁ ଯାଇ ଭକ୍ତି, ନୈବେଦ୍ୟ ଗ୍ରହଣ କରନ୍ତି । ନିଜ ଦ୍ୱାର ମୁହଁ ରେ ଠାକୁର ମାନଙ୍କୁ ପାଇ ଭକ୍ତ ମାନେ ଖୁସି ହୁଅନ୍ତି । ଠାକୁର ମାନଙ୍କୁ ଲିଆ, ଉଖୁଡା, ଖଇ, ସାକର, ଚଣା ଭୋଗ ଲାଗି କରିବା ସହିତ ଫଗୁ, ଆମ୍ବ କଷି ଲାଗି କରିଥାନ୍ତି । ପୁରୀ ଶ୍ରୀ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପ୍ରାଚୀ ଉପତ୍ୟକା ର ବିଭିନ୍ନ ମନ୍ଦିରରେ ଦୋଳଯାତ୍ରା ମହା ସମାରୋହରେ ପାଳିତ ହୁଏ । କେତେକ ଅଞ୍ଚଳରେ ଫଗୁ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଓ ଆଉ କେତେକ ସ୍ଥାନ ରେ ଦୋଳ ପୂର୍ଣ୍ଣିମା ଠାରୁ ପାଞ୍ଚଦିନ (ପଞ୍ଚୁ ଦୋଳ) ଓ ଦଶ ଦିନ ( ଦଶ ଦୋଳ) ଉତ୍ସବ ପାଳିତ ହୋଇଥାଏ ।

Leave a Reply

Your email address will not be published. Required fields are marked *