ସ୍ୱପ୍ନ ଏକ ସ୍ୱଦେଶୀ ଅଭିଯାନର !
ଆମ ଦେଶ ପରାଧୀନ ହେବା ପୂର୍ବରୁ ଅନେକଥରଏହା ଚକ୍ରବର୍ତୀ ସମ୍ରାଟମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଏମାନଙ୍କ ଭିତରେ ଚନ୍ଦ୍ରଗୁପ୍ତ, ଅଶୋକ, ଖାରବେଳ, ହର୍ଷବର୍ଦ୍ଧନ ଓ ବିକ୍ରମାଦିତ୍ୟ ଅନ୍ୟତମ । ସେମାନଙ୍କ ସମୟରେ ଯେଉଁ କିଛି ବିଦେଶୀ ପରିବ୍ରାଜକ ଭାରତ ଭ୍ରମଣରେ ଆସିଥିଲେ, ସେମାନଙ୍କ ବିବରଣୀରୁ ଜଣାପଡେ ଯେ, ଭାରତ ଏକ ସୁନାର ଦେଶ ଥିଲା । କାରଣ ଏଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପଦାର୍ଥଗୁଡିକ ଏତେ ଉଚ୍ଚମାନର ଥିଲା ଯେ ତାହା ବିଦେଶକୁ ରପ୍ତାନୀ ହେଉଥିଲା । ଉଦାହରଣ ହେଉଛି, ନାଳନ୍ଦା ବିଶ୍ୱବିଦ୍ୟାଳୟର ଟାଣରେ ଯେଉଁ ଓସାରିଆ ଇଟା ପଡିଛି ଏବଂ ତା’ର କାନ୍ଥ ଯେଉଁ ଛୋଟ ଇଟାରେ ତିଆରି ହୋଇଛି, ତାହା ଏବେର ଇଟାଠାରୁ ସମ୍ପୂର୍ଣ୍ଣ ଅଲଗା । ଯେଉଁଥିପାଇଁ ଦୁଇ ହଜାର ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ପାଣି ପବନରେ କ୍ଷୟ ନ ହୋଇ ଅତୁଟ ରହିଛି । ସେହିଭଳି ଦିଲ୍ଲୀର ଲୌହସ୍ତମ୍ଭ ଦେହଜାର ବର୍ଷ ପରେ ମଧ୍ୟ କଳଙ୍କି ନଲାଗି ପୂର୍ବପରି ଅମ୍ପୂର୍ଣ୍ଣ ରହିଛି । ଏହି ଜ୍ଞାନକୌଶଳ ପଢ଼ିବା ପାଇଁ ବିଦେଶୀ ଛାତ୍ରମାନେ ଆସି ଆମର ତକ୍ଷଶୀଳା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । କିନ୍ତୁ ପ୍ରାୟ ୧୩ ଶହ ବର୍ଷତଳେ ଆରମ୍ଭରୁ ବିଦେଶୀମାନେ ଆସି ଆମ ଦେଶକୁ ପରାସ୍ତ କରି ଶାସନ କରିବା ଆରମ୍ଭ କଲେ । ଏବଂ ପ୍ରାୟ ୩୦୦ ବର୍ଷ ତଳେ ଇଂରେଜମାନେ ଭାରତ ଆକ୍ରମଣ କରି ଆମ ଦେଶକୁ ଧୀରେ ଧୀରେ ପରାଧୀନ କଲେ । ଏହି ଉଭୟ ବିଦେଶୀମାନଙ୍କ ଶାସନରେ ସ୍ୱଦେଶୀ ବିଚାର ଧୀରେଧୀରେ ସମାଧୁ ନେଲା । ସ୍ୱଦେଶୀ ଶିକ୍ଷାନୁଷ୍ଠାନଗୁଡିକ ଧ୍ୱଂସ ହେବା ସହ ସ୍ୱଦେଶୀ ଜ୍ଞାନକୌଶଳ ବିଲୁପ୍ତ ହେଲା ବା ଚୋରି ହୋଇ ବିଦେଶ ଚାଲିଗଲା ।
ଆମ ଭାଷାରେ ଆରବିକ ଭାଷା ଏବଂ ଇଂରେଜୀ ଭାଷା ଯୋଡି କହିବାରେ ଆମେ ଗୌରବ ଅନୁଭବ କଲୁ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପଦାର୍ଥ ବ୍ୟବାହାର କରିବାରେ ଆନନ୍ଦ ପାଇଲୁ ବା ରାଜନୈତିକ ବାଧ୍ୟବାଧକତା କାରଣରୁ ତାହାକୁ ଗ୍ରହଣ କରିନେଲୁ । ଆମର ଯୁବକମାନେ ଶିକ୍ଷିତ ହେବା ପାଇଁ ଓଲଟା କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପଢ଼ିବାକୁ ଗଲେ। ଗାନ୍ଧିଜୀ ଦେଶର ଉପରୋକ୍ତ ଅବସ୍ଥା ଦେଖି ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କଲେ । ଉଦ୍ଦେଶ୍ୟ ସ୍ୱଦେଶୀ ବିଚାର ପୂର୍ନବାର ଫେରି ଆସୁ । ଗାଁ ଗାଁରେ କଂଗ୍ରେସ କର୍ମୀମାନେ ବୁଲି ଚରଖାରେ ସୂତା ବୁଣି ଦେଶୀ ଲୁଗା ତିଆରି କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ । ଏଥିରେ ଆଉ ଗୋଟିଏ ଲାଭ ମଧ୍ୟ ହେଲା । ଯେତିକି ଲୋକ ଚରଖା ବୁଲାଇଲେ, ସେତିକି ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ତିଆରି ହେଲେ । ସେହି ସମୟରେ ଆମେରିକାର ବିଶିଷ୍ଟ ସାମ୍ବାଦିକ ଲୁଇସ୍ ପିଣ୍ଟର ଭାରତ ଭ୍ରମଣରେ ଆସି ଗାନ୍ଧିଜୀଙ୍କୁ ଭେଟିଥିଲେ । ସେ ଜାଣିବାକୁ ପାଇଲେ ଯେ, ଗାନ୍ଧିଜୀଙ୍କ ସାବରମତି ଆଶ୍ରମର ଖର୍ଚ୍ଚ ଶିଳ୍ପପତି ବିର୍ଲା ସମ୍ପୂର୍ଣ୍ଣ ଭାବେ ତୁଲାଉଛନ୍ତି । ସେହି ସମୟରେ ବିଲାଙ୍କର ଅନେକଗୁଡିଏ ଚଟକଳ ଥିଲା । ସେଥିରୁ ତିଆରି ଲୁଗା ବହୁତ ସୂକ୍ଷ୍ମ ଥିଲା ।
ସେ ଭଲଭାବରେ ବୁଝିଥିଲେ ଯେ, ଗାନ୍ଧିଳୀଙ୍କ ସୁଦେଶୀ ଆନ୍ଦୋଳନ ଦ୍ୱାରା ପ୍ରସ୍ତୁତ ଖଦଡ ଲୁଗା ତାଙ୍କ କାରଖାନା ତିଆରି ଲୁଗାର ପ୍ରତିଦ୍ୱନ୍ଦୀ ନୁହେଁ ବରଂ” ଏହା ବ୍ରିଟିଶ ସାମ୍ରାଜ୍ୟବାଦୀ ଅର୍ଥନୀତିର ପ୍ରତିଦ୍ୱନ୍ଦୀ । ସେଥିପାଇଁ ବିର୍ଲା ଗାନ୍ଧିଜୀଙ୍କ ସାବରମତି ଆଶ୍ରମର ସମସ୍ତ ଖର୍ଚ୍ଚ ବହନ କରୁଥିଲେ । ଏପରିକି ଗାନ୍ଧିଜୀ ଆଶ୍ରମର ଟିକିନିଖ୍ ଖର୍ଚ୍ଚର ହିସାବ ବିଲାଙ୍କୁ ଦେଉଥିଲେ । ସେ ତାହାକୁ ନ ପଢ଼ି ଗାନ୍ଧିଜୀଙ୍କ ସାମ୍ନାରେ ବିରିଦିଅନ୍ତି । ଏହି ପରି ଭାବେ ବିଲା ଗାନ୍ଧୀଳୀଙ୍କ ସ୍ୱଦେଶୀ। ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ କରୁଥିଲେ । ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନ ସମୟରେ ଆଉ ଗୋଟିଏ ଘଟଣା ମଧ୍ୟ ଘଟିଥିଲା । ଜବାହାରଲାଲ ନେହେରୁଙ୍କ ପତ୍ନୀ ଓ ଶାସ୍ତ୍ରୀଜୀଙ୍କ ପନ୍ଥୀ ଉଭୟେ ଗୋଟିଏ ବିଦେଶୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଆଗରେ ସତ୍ୟାଗ୍ରହ କରୁଥିଲେ । ଦେକାନୀଟି ସେମାନଙ୍କୁ କହିଲା ଯେ, ଉଭୟଙ୍କ ହାତରେ ପିନ୍ଧିଥିବା କାଚ ବିଦେଶରେ ତିଆରି ହୋଇଛି । ସେମାନେ ଯଦି କାଚକୁ ତାଙ୍କ ହାତରୁ ବାହାର କରିଦେବେ, ତେବେ ସେ ନିଜ ଦୋକାନରୁ ବିଦେଶୀ ବସ୍ତୁ ବାହାର କରିଦେବ । ଉଭୟ ନେତ୍ରୀ ସଙ୍ଗେ ସଙ୍ଗେ ସେମାନଙ୍କ ହାତରୁ କାଚ ବାହାର କରିଦେଲେ । ତଥାପି ଦୋକନାଟି ତା’ ଦୋକାନରୁ ବିଦେଶୀବସ୍ତୁ ବାହାର କଲା ନାହିଁ । ଉପସ୍ଥିତ ଲୋକମାନେ ଉତ୍ୟକ୍ତ ହୋଇ ସେହି ଦୋକାନୀର ସମସ୍ତ ବିଦେଶୀ ବସ୍ତୁଗୁଡିକୁ ଏକାଠି କରି ପୋଡି ଦେଲେ ।
ଗାନ୍ଧିଜୀଙ୍କ ପ୍ରସ୍ତୁତ ମୌଳିକ ଶିକ୍ଷା ପଦ୍ଧତି ବା ବେସିକ ଏଜୁକେସନ୍ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶୀ କାରିଗରି କୌଶଳ ଶିକ୍ଷା ବି ଆଯାଉଥିଲା। ଏହାଦ୍ୱାରା ଯୁବକମାନେ ଆତ୍ମନିର୍ଭରଶୀଳ ହେବା ସହିତ ବିଦେଶୀ ବସ୍ତୁ ବର୍ଜନ କରି ନିଜର ଅଯଥା ବ୍ୟୟଭାରକୁ ରୋକି ପାରୁଥିଲେ । ଦେଶ ସ୍ୱାଧୀନ ହେବା ପରେ ସରକାର ୧୯୫୬ ମସିହାରେ ଯେଉଁ ନୂତନ ଶିଳ୍ପ ନୀତି ଅନୁସରଣ କଲେ,
ତାହା ଦ୍ୱାରା ଦେଶରେ ଅନେକ ବୃହତ୍ ଶିଳ୍ପ ଗଢ଼ି ଉଠିଲା, କିନ୍ତୁ ଦେଶରୁ କ୍ଷୁଦ୍ର ଶିଳ୍ପ ଓ କୂଟୀର ଶିଳ୍ପ ଧୀରେ ଧୀରେ ଲୋପ ପାଇବାକୁ ବସିଲା । ଏହି ବୃହତ୍ ଶିଳ୍ପ ଗୁଡିକର କୁପରିଚାଳନା ଯୋଗୁଁ ଦେଶ ବହୁତ କ୍ଷତି ସହିଲା । ସେମାନେ ଦେଶର ଚାହିଦା ମେଣ୍ଟାଇ ପାରିଲେ ନାହିଁ । ତେଣୁ ବିଦେଶରୁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ କରାଗଲା । କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପର ଅଧୋଗତି ଯୋଗୁଁ ରପ୍ତାନି ବାଧାପ୍ରାପ୍ତ ହେଲା । ଯାହାଫଳରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେଲା ଓ ବେକାରୀ ବଢିଲା ଏବଂ ଗାନ୍ଧିଜୀଙ୍କ ସ୍ୱପ୍ନ ସାକାର ହୋଇ ପାରିଲା ନାହିଁ । ପରବର୍ତ୍ତୀ ସମୟରେ ଗ୍ଲୋବାଲାଇଜେସନ୍ ନାମରେ ଏହି ପ୍ରକ୍ରିୟା ଆହୁରି ବଢ଼ିଚାଲିଲା । ଏହିଭଳି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କିଛି କର୍ମୀମାନେ ଦେଶରେ ସ୍ୱଦେଶୀ ବିଚାରର ପୂନଃ ଜାଗରଣ ପାଇଁ ପ୍ରୟାସ କଲେ । ସେଥିପାଇଁ ଏହାକୁ ସୁଦେଶୀ ଆନ୍ଦୋଳନ ପରିବର୍ତ୍ତେ ସ୍ୱଦେଶୀ ଜାଗରଣ ବୋଲି କୁହାଗଲା ଏବଂ ଏମାନଙ୍କ ସହିତ କିଛି ଦେଶପ୍ରେମୀ ନାଗରିକ ମିଶି ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ଏକ ମଞ୍ଚ ତିଆରି କଲେ, ଯାହାକୁ ସ୍ୱଦେଶୀ ଜାଗରଣ ମଞ୍ଚ କୁହାଗଲା । ଉତ୍ପାଦିତ ବସ୍ତୁମାନଙ୍କ ଭିତରେ କେଉଁଗୁଡିକ ଦେଶୀ ଓ କେଉଁଗୁଡିକ ବିଦେଶୀ ତାହା ଚିହ୍ନଟ କରି ଲୋକମାନଙ୍କୁ ବୁଝାଇବାର ଦାୟିତ୍ୱ ଏହି ମଞ୍ଚ ମଧ୍ୟ ନେଲା । ଏହି କାର୍ଯ୍ୟ ବଢ଼ିବା କାରଣରୁ ଲୋକମାନଙ୍କ ଭିତରେ ସ୍ୱଦେଶୀ ଚେତନା ବଢ଼ିବା ସଙ୍ଗେ ସଙ୍ଗେ ସ୍ୱଦେଶୀ ଜିନିଷର ଚାହିଦା ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ଲୋକମାନଙ୍କ ଭିତରେ ଏହି ଚେଚନା ବଢି ବଢି ଚାଲିଲେ, ଏହି ସ୍ୱଦେଶୀ ଜାଗରଣ ଏକ ସୁଦେଶୀ ଅଭିଯାନରେ ପରିଣତ ହେବ ଏବଂ ଆମ ଦେଶର ଲୋକମାନେ ଲାଭ କ୍ଷତିର ହିସାବ ନ କରି ସ୍ୱଦେଶୀ ଜିନିଷ କିଣିବେ ।