ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିଷେନ୍ଗଙ୍ଗା ଓ ରାଟେଲ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ନୂଆଦିଲ୍ଲୀ ଓ ଇସ୍ଲାମାବାଦ ମଧ୍ୟରେ ଉପୁଜିଥିବା ମତଭେଦକୁ ଦୁଇଟି ପୃଥକ୍ ପ୍ରକ୍ରିୟାରେ ସମାଧାନ କରିବା ନିମନ୍ତେ ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା ଲାଗି ବିଶ୍ୱବ୍ୟାଙ୍କ୍ ନେଇଥିବା ନିଷ୍ପତ୍ତି ଉପରେ ଗୁରୁବାର ଦିନ ଭାରତ ସନେ୍ଦହ ବ୍ୟକ୍ତ କରିଛି ।ଉଲ୍ଲେଖଯୋଗ୍ୟ, ଏହି ବିବାଦ ସମାଧାନ ନିମନ୍ତେ ଇସ୍ଲାମାବାଦ ରାଜି ନ ହେବାରୁ ସୀମାପାରି ନଦୀ ପରିଚଳାନା ନିମନ୍ତେ ୬୨ ବର୍ଷ ତଳେ ସ୍ୱାକ୍ଷରିତ ‘ଇଣ୍ଡସ୍ ୱାଟର ଟ୍ରିଟି’କୁ (ସିନ୍ଧୁ ଜଳ ଚୁକ୍ତି) ସୀମକ୍ଷା କରି ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଗତ ସପ୍ତାହରେ ଭାରତ ପାକିସ୍ତାନକୁ ନୋଟିସ୍ ଜାରି କରିଥିଲା । ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍ଚି କହିଛନ୍ତି, ବିଶ୍ୱବ୍ୟାଙ୍କ୍ ଏହି ଚୁକ୍ତିକୁ ବ୍ୟାଖ୍ୟା କରିବା ଅବସ୍ଥାରେ ଅଛି ବୋଲି ମୋର ମନେହୁଏ ନାହିଁ । ଏହା ହେଉଛି ଆମ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ସମୟରେ ଏହି ଚୁକ୍ତିକୁ ବିଶ୍ଳେଷଣ କରାଯାଇ କାର୍ଯ୍ୟ କରାଯାଇ ପାରିବ ବୋଲି ସେଥିରେ ବ୍ୟବସ୍ଥା ରହିଛି ବୋଲି ଆମେ ଜାଣୁ । ସୂଚନାଯୋଗ୍ୟ, ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା ଲାଗି ବିଶ୍ୱବ୍ୟାଙ୍କ୍ ଘୋଷଣା କରିବା କିଛି ମାସ ପରେ ଉପରୋକ୍ତ ଚୁକ୍ତିକୁ ସଂଶୋଧନ କରିବା ଲାଗି ପାକିସ୍ତାନକୁ ନୋଟିସ୍ ପଠାଇ ଭାରତ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ବିଶେଷକରି ମଧ୍ୟସ୍ଥତା ନ୍ୟାୟାଳୟ ନିଯୁକ୍ତି ପ୍ରସଙ୍ଗରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି । ଏ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବାଗ୍?ଚି ସାମ୍ବାଦିକମାନଙ୍କୁ କହିଛନ୍ତି, ୧୯୬୦ ମସିହାର ‘ଇଣ୍ଡସ୍ ୱାଟର୍ସ ଟ୍ରିଟି’ରେ ପରିବର୍ତ୍ତନ ନିମନ୍ତେ ଜାନୁଆରି ୨୫ ତାରିଖ ଦିନ ଭାରତର ‘ଇଣ୍ଡସ୍? ୱାଟର କମିସନର’ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ଉକ୍ତ ଚୁକ୍ତିର କ’ଣ କ’ଣ ଉଲ୍ଲଂଘନ ହେଉଛି ସେ ବିଷୟରେ ସରକାରୀସ୍ତରରେ ବୁଝାମଣା କରିବା ଲାଗି ପାକିସ୍ତାନକୁ ସୁଯୋଗ ଦେବା ହେଉଛି ଏହି ନୋଟିସର ଉଦେ୍ଦଶ୍ୟ । ଏଥିପାଇଁ ପାକିସ୍ତାନକୁ ୯୦ ଦିନ ସମୟ ଦିଆଯାଇଛି । କିନ୍ତୁ, ଏ ପର୍ଯ୍ୟନ୍ତ ପାକିସ୍ତାନ କି, ବିଶ୍ୱବ୍ୟାଙ୍କ୍ ଏହା ଉପରେ କୌଣସି ଟିପ୍ପଣୀ ଦେଇଥିବା ମୁଁ ଜାଣିନାହିଁ ।