ମୋବାଇଲ୍‌ ଉତ୍ପାଦନରେ ଭାରତ ଦ୍ବିତୀୟ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବଢ଼ାଇବାରେ ସରକାରଙ୍କ ଗୁରୁତ୍ବର ଚମତ୍କାର ଫଳ ସାମ୍ନାକୁ ଆସିଛି। କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ମୋବାଇଲ୍‌ ଉତ୍ପାଦନକାରୀ ଭାବେ ଉଭା ହୋଇଛି। ୨୦୧୪ ପରେ ଦେଶରେ ଫୋନ୍ ଉତ୍ପାଦନରେ ଏକ ବଡ଼ ବିପ୍ଳବ ଆସିଥିଲା। କାରଖାନା ସଂଖ୍ୟାଠାରୁ ଆରମ୍ଭ କରି ତିଆରି ହେଉଥିବା ମୋବାଇଲ୍‌ ଓ ରପ୍ତାନି ପର୍ଯ୍ୟନ୍ତ ଅନେକ କିଛି ବଦଳିଯାଇଛି। 

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୧୪-୧୫ରେ ବିକ୍ରି ହେଉଥିବା ଫୋନ୍‌ଗୁଡ଼ିକ ମଧ୍ୟରୁ ମାତ୍ର ୨୬ ପ୍ରତିଶତ ଫୋନ୍ ଦେଶରେ ତିଆରି ହେଉଥିଲା। ଯେତିକି ଫୋନ୍ ଉତ୍ପାଦନ କରାଯାଉଥିଲ‌ା ତାହାର ମୂଲ୍ୟ ମାତ୍ର ୧୮,୯୦୦ କୋଟି ଟଙ୍କା ଥିଲା। ‌ସେତେବେଳେ ମାତ୍ର ଦୁଇଟି କାରଖାନା ଥିଲା। ୨୦୨୪ରେ କାରଖାନା ସଂଖ୍ୟା ୩୦୦ରୁ ଅଧିକ ହୋଇଥିବା ବେଳେ ଉତ୍ପାଦନ ପରିମାଣ ୪,୨୨,୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ବିକ୍ରି ହେଉଥିବା ୯୯.୨ ପ୍ରତିଶତ ଫୋନ୍ ଦେଶରେ ତିଆରି ହେଉଛି। ଫୋନ୍ ରପ୍ତାନି ପରିମାଣ ୧,୨୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪ରେ ରପ୍ତାନି ନଗଣ୍ୟ ସ୍ତରରେ ଥିଲା ବୋଲି ସେ ସୂଚନା ଦେଇଛନ୍ତି। 

ମୋବାଇଲ୍‌ ଉତ୍ପାଦନ ବଢ଼ିବାରୁ ଦେଶରେ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଦେଶରେ ମୋବାଇଲ୍‌ ଚାର୍ଜର, ବ୍ୟାଟେରି ପ୍ୟାକ୍, ୟୁଏସ୍‌ବି କେବୁଲ୍‌, ଲିଥିୟମ୍ ଆୟନ୍ ସେଲ୍‌, ସ୍ପିକର୍, ମାଇକ୍ରୋଫୋନ୍, ଡିସ୍‌ପ୍ଲେ ଆସେମ୍ବଲି ଓ କ୍ୟାମେରା ମଡ୍ୟୁଲ୍‌ ଉତ୍ପାଦନ ସମ୍ଭବ ହୋଇପାରିଛି। ଦେଶରେ ବର୍ଷକୁ ପ୍ରାୟ ୩୩ କୋଟି ମୋବାଇଲ୍‌ ଫୋନ୍ ତିଆରି ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାର ଆରମ୍ଭ କରିଥିବା ସେମିକଣ୍ଡକ୍ଟର ମିସନ୍ ଅଧୀନରେ ବହୁ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ତିଆରି କରିବା ଲାଗି ମାଇକ୍ରନ୍, ଟାଟା ଇଲେକ୍ଟ୍ରୋନିକ୍ସ, ସିଜି ପାୱାର ଓ କେନିସ୍ ଭଳି କମ୍ପାନି ଆଗ୍ରହ ଦେଖାଇଥିବା ସେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *