Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଭାଜନ ବିଭୀଷିକା ସ୍ମୃତି ଦିବସ (2) - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଭାଜନ ବିଭୀଷିକା ସ୍ମୃତି ଦିବସ (2)


ଡ. ସମନ୍ୱୟ ନନ୍ଦ
୧୯୪୭ ମସିହା ଅଗଷ୍ଟ ମାସ ୧୪- ୧୫ ତାରିଖ । ସବୁ ଆଡେ ଉତ୍ସବର ବାତାବରଣ । ଭାରତ ସ୍ୱାଧୀନତା ପାଇଥିବାରୁ କଂଗ୍ରେସ ହାଇକମାଣ୍ଡ ଏକ ନିର୍ଦେଶ ଜାରି କରିଥିଲେ । ଏହି ନିର୍ଦେଶରେ ସାମୂହିକ ଭାବେ ଅଲଗା ଅଲଗା ସ୍ଥାନରେ ଉତ୍ସବ ପାଳନ କରାଯିବା କଥା କହିବା ସହ ଦୀପାବଳୀକୁ ଫିକା କରି ଦେଉଥିବା ଭଳି ଆଲୋକ ସଜ୍ଜା କରାଯିବାକୁ କୁହା ଯାଇଥିଲା । ବିଶେଷ ଭାବେ ଦେଶର ରାଜଧାନୀ ଦିଲ୍ଲୀରେ ଏହାର ବିଶେଷ ଆୟୋଜନ ହେଉଥିଲା । ଦିଲ୍ଲୀକୁ ଏଭଳି ଭାବେ ସଜାଯାଇଥିଲା ଯେ ଯେପରି କି ଇନ୍ଦ୍ରଙ୍କ ନଗରୀ ମଧ୍ୟ ଏହା ସାମନାରେ ଫିକା ପଡି ଯିବ । ଲୋକମାନେ ଖୁସିରେ ନାଚୁଥାନ୍ତି ।ସମବେତ ଜନତା ଲାଲକିଲା ଆଡକୁ ଅଗ୍ରସର ହେଉଥିଲେ । ଏଭଳି ଭାବେ ଜନପ୍ରବାହ ହେଉଥିଲା ଯେ ଯେପରି ନଦୀରେ ବଢି ଆସିଛି । ସବୁ ଆଡେ ବାଣର ଶବ୍ଦ ଶୁଭୁଥିଲା । ଜବାହରଲାଲ ନେହରୁ ଓ ମାଉଂଟବ୍ୟାଟେନ ମଧ୍ୟ ଲାଲ କିଲା ଆଡକୁ ଅଗ୍ରସର ହେଉଥିଲେ । ନେତାମାନେ ହାତ ହଲାଇ ଜନସାଧାରଣଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିଲେ । ରକ୍ତର ଗୋଟିଏ ବିନ୍ଦୁ ନ ବହି, ବିନା ଖଡ୍‌ଗ ଓ ବିନା ଢାଲରେ ବିଦେଶୀମାନଙ୍କୁ କ୍ଷମତାଚ୍ୟୁତ କରି ସ୍ୱାଧୀନତା ମିଳିଥିବା ଭାବ ପ୍ରକଟ କରୁଥିବା ଗୀତ ମଧ୍ୟ ବାଜୁଥିଲା । ସବୁ ଆଡେ ପୁଷ୍ପବର୍ଷା ହେଉ ଥିବା ଦେଖିବାକୁ ମିଳୁ ଥିଲ।।
ଠିକ୍ ସେତିକିବେଳେ ଅନ୍ୟ ଏକ ଦୃଶ୍ୟ ମଧ୍ୟ ପ୍ରତୀୟମାନ ହେଉଥିଲା । ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଓ ବୀଭତ୍ସ ଥିଲା । ଭାରତ ମାତାର ଶରୀରକୁ ଦୁଇ ଖଣ୍ଡରେ ଖଣ୍ଡିତ କରି ଦିଆଯାଇଥିଲା । ଭାରତର ମାଟି ଉପରେ ଭାରତ ବିରୋଧରେ ଘୃଣା ଓ ଶତ୍ରୁତାରେ ପରିପୂର୍ଣ ପାକିସ୍ତାନ ନାମରେ ଏକ କୃତ୍ରିମ ଦେଶ ଜନ୍ମଗ୍ରହଣ କରି ସାରିଥିଲା । ଏହି ବିଭାଜନର ବିଭୀଷିକାକୁ ଲକ୍ଷ ଲକ୍ଷ ଲୋକ ଭୋଗୁଥିଲେ । ଦିଲ୍ଲୀରେ ଉତ୍ସବ ପାଳନ ହେଉଥିବା ବେଳେ ଲାହୋର, ମୁଲତାନ, ଲାୟଲପୁର, ସିଆଲକୋଟ, କରାଚୀରୁ ଲକ୍ଷ ଲକ୍ଷ ଲୋକ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିଲେ । ହେଲେ ସେମାନେ ଲାଲକିଲା ଆଡକୁ ଅଗ୍ରସର ହେଉଥିବା ଲୋକଙ୍କ ପରି ଖୁସି ନାଚ କରି ଆସୁ ନ ଥିଲେ । ସେମାନଙ୍କ ଉପରେ ପ୍ରତି କ୍ଷଣରେ ମୃତ୍ୟୁର ଭୟ ଥିଲା । ପୂର୍ବପୁରୁଷମାନଙ୍କର ଭିଟାମାଟି, ନିଜର ଜନ୍ମ ମାଟି, ଧନ ସମ୍ପତ୍ତି, ଘର ବାଡି ସବୁ କିଛି ଛାଡି ଜୀବନ ବଂଚାଇବାକୁ ଦିଲ୍ଲୀ ଆଡକୁ ବଢୁଥିଲେ । ସେମାନେ ନିଜର କଠିନ ପରିଶ୍ରମରେ ତିଆରି କରିଥିବା ଘର ଓ ଅନ୍ୟ ସବୁ କିଛି ଛାଡି ଆସୁଥିଲେ । ଏହି ଅଭାଗା ମାନଙ୍କ ନିକଟରେ ସେ ବିଷୟରେ ମନେ ପକାଇବାକୁ ମଧ୍ୟ ସମୟ ନ ଥିଲା । ସେଠାରୁ ଆସୁଥିବା ଗର୍ଭବତୀ ମହିଳାମାନେ ଜଙ୍ଗଲ ମଧ୍ୟରେ ପ୍ରସବ କରିବାକୁ ବାଧ୍ୟ ହେଉଥିଲେ । ସେଠାରେ କିଛି ସମୟ ଅଟକି ନବଜାତ ଶିଶୁର ଯତ୍ନ କରିବାକୁ ମଧ୍ୟ ସମୟ ନ ଥିଲା । ମୃତ୍ୟୁ ସେମାନଙ୍କର ଖୁବ ଦ୍ରୁତ ଗତିରେ ପିଛା କରୁଥିଲା। ସେମାନଙ୍କ ଜୀବନ ଆଦୌ ସୁରକ୍ଷିତ ନ ଥିଲା । ରାସ୍ତାରେ ଅତର୍କିତ ଆକ୍ରମଣ ହେଉଥିଲା । ସେମାନେ ନିଜର ସାଥୀ ପରିବାରର ଲୋକମାନଙ୍କର ଶବକୁ ଦେଖି ଦେଖି ଆସୁଥିଲେ । ଖାଦ୍ୟ, ପାନୀୟ କିଛି ମିଳୁ ନ ଥିଲା । ଯନ୍ତ୍ରଣାରେ ଶିଶୁମାନଙ୍କର ଚିତ୍କାର ଶୁଣିବାକୁ ମିଳୁଥିଲା ।
ପାକିସ୍ତାନରେ ଥିବା ସହରର ବିଭିନ୍ନ ଅଂଚଳ ଧୁ ଧୁ ହୋଇ ଜଳୁଥିଲା । ଏହି ନିଆଁ ଆକାଶ ଛୁଉଁଥିଲା । ଜଳୁଥିବା ଘରଗୁଡିକରେ ଫସି ରହିଥିବା ନର- ନାରୀ ଓ ପିଲା ମାନଙ୍କର ଆର୍ତଚିତ୍କାର ନିଆଁର ଆକାଶଛୁଆଁ ଉଚ୍ଚତାକୁ ମଧ୍ୟ ପାରି କରି ଯାଉଥିଲା । ଯେଉଁଆଡେ ଦେଖିବେ କୁଢ କୁଢ ଶବ । ଅନେକ ଶବର ମୁଣ୍ଡକୁ ଶରୀର ଠାରୁ ଅଲଗା କରା ଯାଇ ପଡିଥିବା ଦେଖିବାକୁ ମିଳିଥିଲା । ସେନା ମଧ୍ୟ ସେଠାରେ ପହଂଚି ନିର୍ଦୋଷ ଲୋକଙ୍କ ଉପରେ ଗୁଳି ଚଳାଉଥିଲା । ମାନବିକତା ତ୍ରାହି ତ୍ରାହି ଡାକୁ ଥିଲା । ରାକ୍ଷସତ୍ୱ କ୍ରୁର ଅଟ୍ଟହାସ୍ୟ କରୁଥିଲା । ନିଲ୍ଲଜତା ମଧ୍ୟ ଲଜ୍ଜା ଅନୁଭବ କରୁଥିଲା । ପଶୁତା ମାନବିକତା ମୁହଁରେ ଛେପ ପକାଉଥିଲା ।
ନର ପିଶାଚମାନେ ମହିଳା ମାନଙ୍କୁ ଦୁଷ୍କର୍ମ କରୁଥିଲେ । ସେମାନଙ୍କୁ ଲୁଣ୍ଠନର ମାଲ ଭଳି ନିଲାମ କରାଯାଉଥିଲା । ସଧବାମାନେ ବିଧବା ହେଉଥିଲେ । ପିଲାମାନେ ଅନାଥ ହୋଇ ଯାଉଥିଲେ । ରେଳଗାଡିରେ ଯିବା ମଧ୍ୟ ଆଦୌ ସୁରକ୍ଷିତ ନ ଥିଲା । ବିଭିନ୍ନ ସ୍ଥାନରେ ଆଖପାଖର ଲୋକ ଓ ଜେହାଦୀମାନେ ସମୂହରେ ଆସି ଟ୍ରେନକୁ ଅଟକାଇ ମାରକାଟ୍ ଆରମ୍ଭ କରି ଦେଉଥିଲେ । ଟ୍ରେନ ଯେତେବେଳେ ଭାରତରେ ତାର ଗନ୍ତବ୍ୟ ଷ୍ଟେସନରେ ପହଂଚୁଥିଲା ସେତେବେଳେ ସେଠାରେ ଯାତ୍ରୀଙ୍କ ସ୍ଥାନରେ ସେମାନଙ୍କର ରକ୍ତ ଭିଜା ଶବ ପହଂଚୁଥିଲା । ଏହି ଶବ ଗୁଡିକୁ ପଠାଇ ଟ୍ରେନର ଶେଷ ଡବାରେ ଉର୍ଦୁରେ ‘ସ୍ୱାଧୀନ ଭାରତ ପାଇଁ ପାକିସ୍ତାନ ପକ୍ଷରୁ ଉପହାର’ ବୋଲି ଲେଖି ଦିଆ ଯାଉଥିଲା । ଏହି ବୀଭତ୍ସ ଦୃଶ୍ୟ ମଧ୍ୟରେ ଅନେକ ସ୍ଥାନରେ ଶୌର୍ଯ୍ୟ ଓ ବଳିଦାନର କାହାଣୀ ମଧ୍ୟ ଦେଖିବାକୁ ମିଳୁଥିଲା । ଦେଶ- ଧର୍ମ ପାଇଁ ପ୍ରାଣବଳୀ ଦେବା ଲୋକ ମଧ୍ୟ କମ୍ ନ ଥିଲେ । ସବୁ କିଛି ହରାଇ ଭାରତ ଆଡକୁ ଆସୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ମଧ୍ୟ ଅନେକ କାମ କରାଯାଉଥିଲା ।
ପ୍ରଥମ ଚିତ୍ରଟି ଅତ୍ୟନ୍ତ ପ୍ରସନ୍ନତା ଓ ଉତ୍ସାହ ଉଦ୍ଦୀପନାର ହୋଇଥିବା ବେଳେ ଦ୍ୱିତୀୟ ଦୃଶ୍ୟଟି ଅତ୍ୟନ୍ତ ବୀଭତ୍ସ ଓ ମାନବିକତାକୁ ଲଜ୍ଜିତ କଲା ଭଳି ଥିଲା ।
ସେତେବେଳେ କଂଗ୍ରେସର ତତ୍କାଳୀନ ନେତୃତ୍ୱ ଯିଏ କ୍ଷମତା ହାସଲ ପାଇଁ ଦେଶ ବିଭାଜନକୁ ସ୍ୱୀକାର କରି ନେଇଥିଲା ସେମାନେ ମଧ୍ୟ ସ୍ଥିତିକୁ ଦେଖି କଣ କରାଯିବ ତାହା ଜାଣି ପାରୁ ନଥିଲେ ।
୧୪ ଓ ୧୫ ତାରିଖ ଦିନର ମଧ୍ୟରାତ୍ରୀରେ ସଂସଦର କେନ୍ଦ୍ରୀୟ ସଭାଗୃହରେ ନେହେରୁ ଅତ୍ୟନ୍ତ ଆଳଙ୍କାରିକ ଭାଷାରେ ଜାତି ନାମରେ ବାର୍ତା ଦେଇଥିଲେ । ସେ କହିଥିଲେ ଯେ – “ବର୍ଷ ବର୍ଷ ପୂର୍ବରୁ ଆମେ ନିୟତିକୁ ପାଇବାର ଯେଉଁ ସଂକଳ୍ପ କରିଥିଲେ ସେହି ନିୟତି ସହିତ ଆମର ମିଳନ ହୋଇ ସାରିଛି । ଏହାକୁ ଆମେ ପାଇ ସାରିଛୁ । ଠିକ ମଧ୍ୟ ରାତ୍ରୀରେ ଯେତେବେଳେ ସାରା ବିଶ୍ୱ ଶୋଇଥିବା ସେତେବେଳେ ଭାରତ ଜୀବନ ଓ ମୁକ୍ତିକୁ ନେଇ ଉଠିବ ।…. ”
ତାଙ୍କର ଏହି ଭାଷଣ ଶୁଣୁଥିବା ଜନସାଧାରଣ ନେହେରୁଙ୍କର ଏହି ଆଳଙ୍କାରିକ ଭାଷଣକୁ ଭଲ ଭାବେ ବୁଝି ପାରୁ ନଥିଲେ । ସେମାନଙ୍କ ମନରେ ପ୍ରଶ୍ନ ଆସୁଥିଲା ଯେ ନେହରୁ କେଉଁ ନିୟତିକୁ ପ୍ରାପ୍ତ କରିଥିବା କଥା କହୁଥିଲେ । କଣ ଭାରତର ବିଶେଷ ଭାବେ କଂଗ୍ରେସର ନେତାମାନେ ଯେଉଁ ନିୟତିକୁ ପାଇବା କଥା କହୁଥିଲେ ସେଥିରେ ଭାରତମାତାକୁ ଖଣ୍ଡ ଖଣ୍ଡ କରି ବିଭାଜନ କରିବାର ସଂକଳ୍ପ ମଧ୍ୟ ଥିଲା ? କ’ଣ ଏଭଳି ଲହୁ ଲୁହାଣ ଖଣ୍ଡିତ ଭାରତ ପାଇଁ ସେମାନେ ସ୍ୱପ୍ନ ଦେଖିଥିଲେ ।
ଗତ 2021ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଏହି ଦିବସ ପାଳନ ହେବା ଦ୍ୱାରା ବିଭୀଷିକାକୁ ମନେ ପକାଇବା ସହ ଏଥିରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଏହାର ପୁନରାବୃତିକୁ କିଭଳି ରୋକି ହେବ ସେ ନେଇ କାମ କରି ହେବ ।
ଭାରତର ବିଭାଜନରେ ଯାହା ଘଟିଥିଲା ତାର ଉଦାହରଣ ବିଶ୍ୱର ଇତିହାସରେ କେଉଁଠି ମିଳେ ନାହିଁ । ଏହି ବିଷୟରେ କାମ କରୁଥିବା ଲୋକମାନଙ୍କ କହିବା ଅନୁସାରେ ଭାରତ ବିଭାଜନ କାରଣରୁ ଅତି କମରେ ୨ କୋଟି ଲୋକ ପ୍ରଭାବିତ ହୋଇଥିଲେ ଓ ସେମାନଙ୍କୁ ଘର ଦ୍ୱାର ଛାଡିବାକୁ ପଡିଥିଲା । ଅତି କମରେ ୧୦ ଲକ୍ଷ ଲୋକଙ୍କର ଭାରତ ବିଭାଜନ କାରଣରୁ ହତ୍ୟା କରା ଯାଇଥିଲା । ତେଣୁ ପ୍ରଧାନମନ୍ତ୍ରୀ ବିଭାଜନ ବିଭୀଷିକା ଦିବସ ପାଳନ କରିବାକୁ ଘୋଷଣା କରି ଏକ ଉଚିତ ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି କହିବାକୁ ପଡିବ ।
ବିଭାଜନର ବିଭୀଷିକାର ସ୍ମୃତିରୁ ଆମକୁ ଶିକ୍ଷା ନେବାକୁ ହେବ । ଭାରତ ବିଭାଜନ ପାଇଁ ଯେଉଁ କାରକ ଗୁଡିକ ଦାୟୀ ତା ଉପରେ ବିଚାର କରିବା ସହ ସେ ଭଳି ସ୍ଥିତି ପୁଣି ଥରେ କିଭଳି ନ ଆସିବ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।

Leave a Reply