–ଡ. ସମନ୍ୱୟ ନନ୍ଦ–
ଗତ ସପ୍ତାହର ଲେଖାରେ ଆମେ ପରବେଜ ମୁଶାରଫଙ୍କର ଜୀବନ ଓ ପାକିସ୍ତାନରେ ଶିୟା ଓ ବଲୋଚ ମାନଙ୍କ ପ୍ରତି ସେ କରିଥିବା ବର୍ବର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ଲେଖାରେ ସେ କାରଗିଲ ଯୁଦ୍ଧରେ ସେ କିଭଳି ଭାବେ ମାଷ୍ଟର ମାଇଣ୍ଡ ଥିଲେ , ହେଲେ ପରାଜୟ ପରେ କିପରି ଏହାକୁ ନିଜେ ସ୍ୱୀକାର ନ କରି ଆଉ କାହା ମୁଣ୍ଡରେ ଅଠା ବୋଳିଥିଲେ ସେ ବିଷୟରେ ଆଲୋଚନା କରିବା ।
କାରଗିଲ ଉପରେ କବଜା କରିବା ପାଇଁ କାହିଁକି ମୁଶାରଫ ଯୋଜନା କରିଥଲେ? ଏହାର ଭୂ- ରଣନୈତିକ ଗୁରୁତ୍ୱ କଣ ରହିଛି । ଭୂ- ରଣନୈତିକ ଦୃଷ୍ଟିରେ କାଶ୍ମୀର ଉପତ୍ୟକା, ଲଦାଖ ଓ ସିଆଚିନ ଗ୍ଲାସିୟର ଉପରେ ଭାରତୀୟ ସୈନ୍ୟ ସ୍ଥିତିର ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଯଦି ପାକିସ୍ତାନ କାରଗିଲ ଉପରେ ଅଧିକାର କରି ନିଅନ୍ତା ତେବେ କାଶ୍ମୀର ଉପତ୍ୟକାରୁ ଲଦାଖ ଯାଏ ଯାଇଥିବା ରାଜପଥ ନଷ୍ଟ ହୋଇ ଯାଆନ୍ତା ଓ ଲଦାଖ ଓ ସିଆଚିନ ସହ ଭାରତର ଯୋଗାଯୋଗ ବିଛିନ୍ନ ହୋଇ ଯାଆନ୍ତା ।
୧୯୯୯ ମସିହା କାରଗିଲରେ ଯୁଦ୍ଧ ହୋଇଥିଲା । । ପାକିସ୍ତାନ କାରଗିଲ କ୍ଷେତ୍ରରେ ଆକ୍ରମଣ ପାଇଁ ଅପରେସନ ବଦ୍ର ଆରମ୍ଭ କରିଥିଲା । କାରଗିଲରେ ଅନୁପ୍ରବେଶ କରିବା ପୂର୍ବରୁ କିଛି ରଣନୈତିକ ଓ ରାଜନୈତିକ ଆକଳନ ଆଧାରରେ କରିଥିଲା । ସେତେବେଳେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ତାର ଚରମ ସୀମାରେ ଥିଲା । ଭାରତୀୟ ସେନା ଓ ପୋଲିସ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଲଢେଇ କରିବାରେ ବ୍ୟସ୍ତ ଥିଲେ । ଏଭଳି ପରିସ୍ଥିତିରେ କାରଗିଲ ଭଳି ଏକ ଅପ୍ରତ୍ୟାଶିତ ଅଂଚଳରେ ହଠାତ ପାକିସ୍ତାନୀ ସେନାର ଅନୁୁପ୍ରବେଶ ଦ୍ୱାରା ଯେଉଁ ଭଳି ସ୍ଥିତି ଉତ୍ପନ୍ନ ହେବ ତାର ମୁକାବିଲା କରିବା ଭାରତୀୟ ସେନା ପାଇଁ ଅତ୍ୟନ୍ତ କଷ୍ଟକର ହେବ ବୋଲି ପାକିସ୍ତାନ ଓ ଏହି କାରଗିଲ ଯୁଦ୍ଧର ମାଷ୍ଟରମାଇଣ୍ଡ ପରବେଜ ମୁଶାରଫଙ୍କର ଆକଳନ ଥିଲା । ସେତେବେଳର ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଓ ସରକାର ମାର୍ଚ –ଏପ୍ରିଲ ମାସରେ ଗୋଟିଏ ଭୋଟରେ ଆସ୍ଥା ଭୋଟରେ ପରାଜିତ ହୋଇଥିଲେ । ତେଣୁ ପାକିସ୍ତାନକୁ ଲାଗୁଥିଲା ଯେ ବର୍ତମାନର ବାଜପେୟୀ ସରକାର କେବଳ କାମଚଳା ସରକାର । ତେଣୁ ଏହି ସରକାର ଦୃଢ ନିଷ୍ପତି ନେଇ ପାରିବ ନାହିଁ ଓ ଦେଶରେ ନିର୍ବାଚନକୁ କରାଇବା ଉପରେ ସରକାରଙ୍କ ଧ୍ୟାନ ରହିବ । ଏହା ପାକିସ୍ତାନ ପାଇଁ ଏକ ସୁନେଲି ସୁଯୋଗ ବୋଲି ପାକିସ୍ତାନ ଆକଳନ କରିଥିଲା ।
ପାକିସ୍ତାନ ଅନୁମାନ କରିଥିଲା ଯେ ଯଦି ଏଭଳି ପରିସ୍ଥିତିରେ କାରଗିଲ ଅଂଚଳରେ ପାକିସ୍ତାନୀ ସେନା ଥରେ ହିମାଳୟର ପର୍ବତ ଶୃଙ୍ଖଳାରେ ଉଚ୍ଚତାରେ ବ୍ୟୁହ ରଚନା କରି ନିିଏ ତେବେ ଭାରତୀୟ ସେନା ସେମାନଙ୍କୁ କୌଣସି ପରିସ୍ଥିତିରେ ମୁକାବିଲା କରିବା ବା ପଛକୁ ହଟାଇବାରେ ସକ୍ଷମ ହୋଇ ପାରିବ ନାହିଁ ।
ସେତେବେଳେ ଭାରତର ଗଣମାଧ୍ୟମରେ ଏଭଳି ରିପୋର୍ଟ ବାରମ୍ବାର ପ୍ରଚାରିତ ଓ ପ୍ରସାରିତ ହେଉଥଲା ଯେ ଭାରତୀୟ ସେନାରେ ଅଧିକାରୀ ମାନଙ୍କର ଅଭାବ ରହିଛି । ୧୯୯୧ ପର ଠାରୁ ଭାରତୀୟ ସେନାର ମନୋବଳ ହ୍ରାସ ପାଇଛି । ଭାରତୀୟ ଗଣମାଧ୍ୟମ ରିପୋର୍ଟ ଆଧାରରେ ପାକିସ୍ତାନୀ ସେନା ତାର ଏହି ଆକଳନ ଆଧାରରେ କାରଗିଲ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।
ପରବେଜ ମୁଶାରଫ ସମେତ ପାକିସ୍ତାନର ବରିଷ୍ଠ ସେନା ଅଧିକାରୀ ମାନଙ୍କର ଆକଳନ ଥିଲା ଯେ ଭାରତୀୟ ସେନା ଜାମ୍ମୁ କାଶ୍ମୀର ସମେତ ଦେଶର ବିଭିନ୍ନ ଅଂଚଳରେ ବିଦ୍ରୋହୀ ମାନଙ୍କ ସହ ଲଢେଇରେ ଦୀର୍ଘ ସମୟ ଧରି ନିଯୁକ୍ତ ହୋଇଥିବା କାରଣରୁ ସେମାନେ ଉତ୍ସାହବିହୀନ ହୋଇ ସାରିଛନ୍ତି । କାରଗିଲ ଯୁଦ୍ଧ ସମାପ୍ତ ହେବା ପରେ ଏହି ମାମଲାର ଜାଂଚ କରିବାକୁ କେ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରା ଯାଇଥିଲା । ଏହି କମିଟି ତାର ରିପୋର୍ଟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଲେଫ୍ଟିନାଂଟ ଜେନେରାଲ ଜାଭେଦ ନାସିରଙ୍କ ୧୯୯୯ ମସିହାର ପୂର୍ବାନୁମାନକୁ ଉଦ୍ଧୃତ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ଭାରତୀୟ ସେନା ପାକିସ୍ତାନ ବିରୁଦ୍ଧରେ କୌଣସି ପ୍ରକାର ସୁବ୍ୟସ୍ଥିତ କାର୍ଯ୍ୟାନୁଷ୍ଠାନ କରିବାରେ ଅକ୍ଷମ ।
ତକ୍ରାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କ ମଧ୍ୟରେ ଲାହୋରରେ କଥାବାର୍ତାକୁ ନେଇ ପରବେଜ ମୁଶାରଫ ଆଦୌ ଖୁସି ନ ଥିଲୋ । କିଛି ପାକିସ୍ତାନୀ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେତେବେଳେ ଏହି ଉଭୟ ନେତା ମାନଙ୍କ ମଧ୍ୟରେ ବୈଠକ ଜାରୀ ରହିଥିଲା, ସେତେବେଳେ ମୁଶାରଫ ନିୟନ୍ତ୍ରଣ ରେଖା ନିକଟରେ କାରଗିଲରେ ଭାରତ ଉପରେ ଆକ୍ରମଣ କରିବାର ଯୋଜନାକୁ ଚୂଡାନ୍ତ ରୂପ ଦେବାରେ ଲାଗିଥିଲେ । କାରଗିଲ ଯୁଦ୍ଧର ପ୍ରମୁଖ ଯୋଜନାକାରୀ ମୁଶରଫ ହିଁ ଥିଲେ । କାରଗିଲ ଯୁଦ୍ଧରେ ପାକିସ୍ତାନର ବିଜୟ ନିଶ୍ଚିତ ହେବ ବୋଲି ସେ ମନେ କରୁଥିଲେ ।
ପରବେଜ ମୁଶାରଫଙ୍କ ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ଓ ଘୋଷଣା ମାନ ଆଧାରରେ କାଶ୍ମୀର ସମ୍ପର୍କରେ ତାଙ୍କ ମନରେ ଦୃଷ୍ଟିକୋଣ କଣ ଥିଲା ତାକୁ ନେଇ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟପିକାଲ ଷ୍ଟଡିଜ ପକ୍ଷରୁ ଏକ ଅଧ୍ୟୟନ ରିପୋର୍ଟ ଆସିଥିଲା । ଏହି ରିପୋର୍ଟରେ ମୁଶାରଫଙ୍କ ଦୃଷ୍ଟିକୋଣର ସାରାଂଶ ସମ୍ପର୍କରେ ଉଲ୍ଲେଖ କରା ଯାଇଥିଲା । ମୁଶାରଫଙ୍କ ମନରେ ଥିଲା ଯେ ଭାରତୀୟ ଜନତା ପାର୍ଟି କେବଳ କାଗଜ ବାଘ ପାର୍ଟି । ଏହି ପାର୍ଟିର ନେତା ମାନେ କେବଳ ଗର୍ଜନ୍ତି, ହେଲେ ବର୍ଷନ୍ତି ନାହିଁ । ମୁଶାରଫଙ୍କ ମନରେ ଥିଲା ଯେ ପାକିସ୍ତାନ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇ ସାରିଥିବାରୁ ଯଦି ଥରେ କାରଗିଲ ଉପରେ ପାକିସ୍ତାନର ଅଧିକାର ହୋଇ ଯିବ ତେବେ ଭାରତ ଆଉ ବିରୋଧ କରି କାରଗିଲକୁ ଫେରାଇ ନେଇ ପାରିବ ନାହିଁ । ପରମାଣୁ ଶକ୍ତି ହୋଇଥିବା କାରଣରୁ ଏହାର ସମ୍ଭାବିତ ବ୍ୟବହାରରେ ଭୟଭୀତ ହୋଇ ପାଶ୍ଚାତ୍ୟ ଦେଶ ମାନେ ହସ୍ତକ୍ଷେପ କରିବେ ଓ ଏହା ଦ୍ବାରା କାଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତୀକୀକରଣ ହେବ । କାରଗିଲ ଉପରେ ବିଜୟ ଲାଭ କରିବା ପରେ ଉକ୍ତ ଅଂଚଳ ଗୁଡିକ ଉପରେ ଅଧିକାର ରଖିବାକୁ ଅନୁମତି ମିଳିବା ପରେ ହିଁ ପାକିସ୍ତାନ ଯୁଦ୍ଧ ବିରତିକୁ ସ୍ୱୀକାର କରିବ । ଥରେ କାରଗିଲ ଅଂଚଳ କବଜା ହୋଇ ସାରିବା ପରେ ଏହାକୁ ପୁଣି ଥରେ ଭାରତକୁ ଫେରାଇବାର ପ୍ରଶ୍ନ ଉଠିବ ନାହିଁ ।
ତେବେ ମୁଶାରଫଙ୍କ ଯୋଜନା ବିଫଳ ହୋଇ ଗଲା । ଭାରତୀୟ ସୈନିକ ମାନେ ତାଙ୍କ ରକ୍ତରେ ବିଜୟର ଗାଥା ଲେଖିଲେ ଓ ପାକିସ୍ତାନକୁ ପୁଣି ଥରେ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ।
ସେ ତାଙ୍କର କାରଗିଲ ଯୋଜନାରେ ସଫଳ ହୋଇ ନ ପାରିବା ପରେ ସେ ଏହାର ଦୋଷକୁ ନିଜ ମୁଣ୍ଡକୁ ନେଇ ନ ଥିଲେ । ସେ ଏହାର ଦୋଷ ପାକିସ୍ତାନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କ ମୁଣ୍ଡରେ ବୋଳିଥିଲେ । କେବଳ ସେତିକି ନୁହେଁ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ପାକିସ୍ତାନୀ ସୈନିକ ମାନଙ୍କର ଶବକୁ ମଧ୍ୟ ସେ ନେବାକୁ ଅସ୍ୱୀକାର କରି ଦେଇଥିଲେ ।
ପରବେଜ ମୁଶାରଫଙ୍କୁ କିଭଳି ମନେ ରଖା ଯିବ ? ତାଙ୍କୁ ଏଭଳି ବ୍ୟକ୍ତି ଭାବେ ମନେ ରଖା ଯିବ ଯାହାଙ୍କ ମନରେ ହିନ୍ଦୁ ଓ ଭାରତ ପ୍ରତି ଅତ୍ୟଧିକ ଘୃଣା ଭର୍ତି ହୋଇ ରହି ଥିଲା । ଯିଏ ତାଲିବାନକୁ ତାଲିମ ଦେଇଥିଲେ ଓ ଓସାମା ବିନ ଲାଡେନକୁ ହିରୋ ବୋଲି ମନେ କରୁଥିଲେ । ଯିଏ ଭାରତ ବିରୁଦ୍ଧରେ ଦୁଇଟି ଯୁଦ୍ଧ ଲଢିଥିଲେ ଓ ସବୁବେଳେ ପରାଜିତ ହୋଇଥିଲେ । ଗୋଟିଏ ଯୁଦ୍ଧ ଭାରତ ଉପରେ ଜୋର ଜବରଦସ୍ତ ଲଦିଥିଲେ, ସେଥିରେ ମଧ୍ୟ ପରାଜିତ ହୋଇଥିଲେ । ସେ ଏଭଳି ଏକ ସେନାଧ୍ୟ କ୍ଷ ଥିଲେ ଯାହାଙ୍କ ନିକଟରେ ନିଜ ଦେଶର ସୈନିକ ମାନଙ୍କ ଶବକୁ ଗ୍ରହଣ କରିବାର ସତସାହସ ନ ଥିଲା । କେବଳ ହିନ୍ଦୁଙ୍କ ପ୍ରତି ନୁହେଁ ଶିୟା ଓ ବଲୋଚିସ୍ତାନର ଲୋକ ମାନଙ୍କ ନର ସଂହାର କରିଥିବା ଏକ ସୈନ୍ୟ ଏକଛତ୍ରବାଦୀ ଶାସକ ଭାବେ ମୁଶାରଫଙ୍କୁ ସବୁଦିନ ମନେ ରଖା ଯିବ ।