– ସ୍ୱାଧୀନତାର ୨୪ ବର୍ଷ ପରେ ପୂର୍ବ ପାକିସ୍ତାନ ସ୍ଥାନରେ ଏକ ନୂତନ ଦେଶ (ବାଂଲାଦେଶ) ଗଠିତ ହେଲା। ଏହା ପୂର୍ବରୁ ୨୬ ମାର୍ଚ୍ଚ, ୧୯୭୧ରେ ପଶ୍ଚିମ ପାକିସ୍ତାନ ସମଗ୍ର ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରେ “ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରିଥିଲା।
– ମାର୍ଚ୍ଚ ୧୯୭୧ର ଆରମ୍ଭରେ କେବଳ ଚଟଗାଁରେ ଦଙ୍ଗାକାରୀଙ୍କ ଦ୍ୱାରା ୩୦୦ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା। ଦେଶର ଅନ୍ୟାନ୍ୟ ଭାଗରେ ହଜାର ହଜାର ହିନ୍ଦୁଙ୍କୁ ମରାଗଲା, ସେମାନଙ୍କ ସମ୍ପତ୍ତି ଲୁଟ୍ କରାଗଲା। ମହିଳାମାନଙ୍କ ସହ ଦୁଷ୍କର୍ମର ଘଟଣା ଘଟିଥିଲା। ଏହାର ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ବାଂଲାଦେଶୀ ପଳାୟନ କରି ଭାରତକୁ ଆସିଗଲେ। ମୁଖ୍ୟତଃ ପଶ୍ଚିମବଙ୍ଗ, ଆସମ, ମେଘାଳୟ ଏବଂ ତ୍ରିପୁରା ଭଳି ରାଜ୍ୟଗୁଡ଼ିକରେ ଏହି ଲୋକମାନେ ଆସି ବସବାସ କଲେ କାରଣ ଏହି ରାଜ୍ୟଗୁଡ଼ିକ ବାଂଲାଦେଶର ସବୁଠାରୁ ନିକଟତର।
– ୧୯୭୧ରେ ପାକିସ୍ତାନ ବିରୋଧରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ଶରଣାର୍ଥୀଙ୍କର ଏକ ବଡ଼ ଦଳ ବାଂଲାଦେଶରୁ ଭାରତର ପଶ୍ଚିମବଙ୍ଗକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ୮୦% ବଙ୍ଗାଳୀ ହିନ୍ଦୁ ଥିଲେ। ୧୯୦୧ରେ ଜନସଂଖ୍ୟାର ୬୬ ପ୍ରତିଶତ ମୁସଲିମ୍ ଏବଂ ୩୩ ପ୍ରତିଶତ ହିନ୍ଦୁ ଥିଲେ, ଯାହା ୨୦୧୧ ମସିହାରେ କ୍ରମାନ୍ୱୟରେ ୯୦ ପ୍ରତିଶତ ଏବଂ ୦.୮ ପ୍ରତିଶତକୁ ଖସି ଆସିଲା।
– ତଥ୍ୟରୁ ଜଣାପଡ଼େ ଯେ ଅବିଭକ୍ତ ଭାରତର ଏକ ପ୍ରଦେଶ ଭାବରେ ତତ୍କାଳୀନ ପୂର୍ବ ବଙ୍ଗ (ବର୍ତ୍ତମାନର ବାଂଲାଦେଶ)ରେ ହିନ୍ଦୁଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ଥିଲା; କିନ୍ତୁ ୧୯୪୭ରେ ଦେଶ ବିଭାଜନ ଏବଂ ପରେ ୧୯୭୧ରେ ପାକିସ୍ତାନରୁ ବାଂଲାଦେଶ ଅଲଗା ହେବା ସମୟରେ ସେଠାକାର ହିନ୍ଦୁମାନଙ୍କୁ ସବୁଠାରୁ ଅଧିକ ଯନ୍ତ୍ରଣା ସହିବାକୁ ପଡ଼ିଥିଲା।
-ଏହି ସମୟ ମଧ୍ୟରେ ବିପୁଳ ସଂଖ୍ୟାରେ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକ ହିନ୍ଦୁ ସୀମା ପାର ହୋଇ ଭାରତରେ ଶରଣ ନେବାକୁ ବାଧ୍ୟ ହୋଇଥିଲେ। ଏକ ବିଶାଳ ସଂଖ୍ୟକ ହିନ୍ଦୁଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା।
– ୧୯୭୧ର ମୁକ୍ତି ସଂଗ୍ରାମ ପୂର୍ବରୁ ପ୍ରତିଦିନ ହାରାହାରି ୭୦୫ ଜଣ ହିନ୍ଦୁ ଦେଶ ଛାଡ଼ୁଥିଲେ। ୧୯୭୧ରୁ ୧୯୮୧ ମଧ୍ୟରେ ପ୍ରତିଦିନ ହାରାହାରି ୫୧୩ ଜଣ ହିନ୍ଦୁ ଦେଶ ଛାଡ଼ିଥିଲେ। ୧୯୮୧ରୁ ୧୯୯୧ ମଧ୍ୟରେ ପ୍ରତିଦିନ ୪୩୮ ଜଣ ହିନ୍ଦୁ ଦେଶ ଛାଡ଼ିଥିଲେ।
– ୧୯୯୧ରୁ ୨୦୦୧ ମଧ୍ୟରେ ହାରାହାରି ୭୬୭ ଜଣ ଲୋକ ଦେଶ ଛାଡ଼ିଥିଲେ, ଯେଉଁଠାରେ ୨୦୦୧ରୁ ୨୦୧୨ ମଧ୍ୟରେ ପ୍ରତିଦିନ ହାରାହାରି ୭୭୪ ଜଣ ଲୋକ ଦେଶ ଛାଡ଼ିଥିଲେ। ବାଂଲାଦେଶର ଇତିହାସରେ ଏପରି କୌଣସି ସମୟ ନାହିଁ ଯେଉଁଥିରେ ସଂଖ୍ୟାଲଘୁ ହିନ୍ଦୁମାନେ ଦେଶ ଛାଡ଼ି ଯିବାକୁ ବାଧ୍ୟ ହୋଇନାହାନ୍ତି।
ବିଭାଜନକୁ ନେଇ କଂଗ୍ରେସରେ ମତଭେଦ
– କଂଗ୍ରେସର ବରିଷ୍ଠ ନେତା ସୁଭାଷ ଚନ୍ଦ୍ର ବୋସଙ୍କ ବଡ଼ ଭାଇ ଶରତ ଚନ୍ଦ୍ର ବୋସ ଚାଳିଶ ବର୍ଷ ଧରି କଂଗ୍ରେସରେ ରହି ନିଷ୍ଠାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ।
– ବଙ୍ଗାଳ ପ୍ରାଦେଶିକ ନିର୍ବାଚନରେ କଂଗ୍ରେସ ସର୍ବାଧିକ ଆସନ ଜିତିଥିଲା ଏବଂ ଶରତ ଚନ୍ଦ୍ର ନେହେରୁଙ୍କୁ ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ସରକାର ଗଠନ ହୋଇପାରିନଥିଲା।
– ଫଳସ୍ୱରୂପ ବଙ୍ଗାଳରେ ମୁସଲିମ୍ ଲିଗ୍ ଏକ ମେଣ୍ଟ ସରକାର ଗଠନ କଲା ଏବଂ ପରବର୍ତ୍ତୀ ସମୟରେ ସୁହରାୱାର୍ଦ୍ଦୀଙ୍କ ଭଳି ଜଣେ କଟ୍ଟରପନ୍ଥୀ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ପରେ “ଡାଇରେକ୍ଟ ଆକ୍ସନ୍ ଡେ’ ଅବସରରେ ବଙ୍ଗାଳରେ ହଜାର ହଜାର ନିର୍ଦ୍ଦୋଷ ହିନ୍ଦୁଙ୍କର ନରସଂହାର ହୋଇଥିଲା।
– ଏହିସବୁ ଘଟଣା ଶରତ ଚନ୍ଦ୍ରଙ୍କୁ ପସନ୍ଦ ଆସୁନଥିଲା। ଏହାପରେ ନେହେରୁଙ୍କ ଦ୍ୱାରା ବଙ୍ଗ ବିଭାଜନକୁ ସ୍ୱୀକୃତି ଦେବା ଶରତ ବାବୁଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା ଏବଂ ସେ ୧ ଅଗଷ୍ଟରେ “ସୋସିଆଲିଷ୍ଟ ରିପବ୍ଲିକାନ୍ ଆର୍ମି’ ଗଠନ କରିଥିଲେ। ଦେଶ ବିଭାଜନ ଏବଂ ବର୍ତ୍ତମାନ ସୃଷ୍ଟି ହୋଇଥିବା ଅରାଜକ ପରିସ୍ଥିତି ନେହେରୁଙ୍କ ବିଫଳତା ଯୋଗୁଁ ହିଁ ହୋଇଛି ବୋଲି ସେ ଜନସାଧାରଣଙ୍କୁ ବୁଝାଇବାକୁ ଲାଗିଲେ।
-ଶରତ ଚନ୍ଦ୍ରଙ୍କ ବ୍ୟତୀତ କଂଗ୍ରେସ ନେତା ପୁରୁଷୋତ୍ତମ ଦାସ ଟଣ୍ଡନ୍ ମଧ୍ୟ ବିଭାଜନର ବିରୋଧୀ ଥିଲେ। ସେ କହିଥିଲେ ଯେ ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିବା ହେଉଛି ଇଂରେଜ ଏବଂ ମୁସଲିମ୍ ଲିଗ୍ ଆଗରେ ଆତ୍ମସମର୍ପଣ କରିବା। ଭାରତର ବିଭାଜନ କୌଣସି ବି ସମୁଦାୟ ପାଇଁ ଲାଭଦାୟକ ହେବ ନାହିଁ।
– ମୌଲାନା ଅବୁଲ କଲାମ୍ ଆଜାଦ୍ କଂଗ୍ରେସର ସଭାପତି ଏବଂ ପ୍ରମୁଖ ନେତା ଥିଲେ। ସେ ନିଜ ପୁସ୍ତକ “ଇଣ୍ଡିଆ ୱିନ୍ସ ଫ୍ରିଡମ୍’ ରେ ଲେଖିଥିଲେ:”ଜବାହରଲାଲ ନେହେରୁ ମୋର ସବୁଠାରୁ ପ୍ରିୟ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଥିଲେ, ତଥାପି ମୋତେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ସେ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ଓ ସ୍ୱାର୍ଥର ଗୁରୁତର କ୍ଷତି କରିବା ଏହା ପ୍ରଥମ ଘଟଣା ନଥିଲା।’