ଅଯୋଧ୍ୟା, ୨୮ ସେପ୍ଟେମ୍ବର। ଶ୍ରଦ୍ଧେୟ ଅଶୋକ ସିଂହଲଜୀଙ୍କ ଜୟନ୍ତୀ ପାଳନ ଅବସରରେ କାରସେବକପୁରମଠାରେ ଅଶୋକ ସିଂହଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାଗଣା କୃତ୍ରିମ ଅଙ୍ଗ ରୋପଣ ଶିବିରର ଦ୍ୱିତୀୟ ଦିନରେ ବାବନ ଜୀ ମନ୍ଦିରର ମହନ୍ତଙ୍କ ସମେତ ଅନ୍ୟ ସନ୍ଥମାନେ ଶିବିର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।
ବାବନ ଜୀ ମନ୍ଦିରର ମହନ୍ତ ବୈଦେହୀ ବଲ୍ଲଭଶରଣ ଜୀ ମହାରାଜ, ବଧାଇ ଭବନର ମହନ୍ତ ରାଜୀବ ଲୋଚନ ଜୀ ମହାରାଜ, ମୌନୀ ଜୀ ମହାରାଜ କିଶୋରୀ ଶରଣ ଜୀ ଓ ସୀତାକାନ୍ତ ସଦନର ବ୍ରହ୍ମଚାରୀ ରାମାନୁଜାଚାର୍ଯ୍ୟ ଜୀ ମହାରାଜ ଶିବିର ପରିଦର୍ଶନ କରି କୃତ୍ରିମ ଅଙ୍ଗ ନିର୍ମାଣ ସହ ତାହାକୁ ଲଗାଇବାର ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବେଦ ବିଦ୍ୟାଳୟର ଆଚାର୍ଯ୍ୟମାନେ ସମସ୍ତ ସନ୍ଥଙ୍କୁ ଉତ୍ତରୀୟ (ଅଙ୍ଗବସ୍ତ୍ର), ରାମ ପରିବାରର ଛବି ଓ ପୁସ୍ତକ ଦେଇ ସମ୍ମାନିତ କରିଥିଲେ।
ଏକାସାଙ୍ଗରେ ଗୋଡ଼ ହରାଇଥିବା ମାଆ-ଝିଅଙ୍କୁ ମିଳିଲା ନୂଆ ଆଶା
ମାଗଣା କୃତ୍ରିମ ଅଙ୍ଗ ରୋପଣ ଶିବିରର ଦ୍ୱିତୀୟ ଦିନରେ ସଡ଼କ ଦୁର୍ଘଟଣାରେ ଏକାସାଙ୍ଗରେ ଗୋଡ଼ ହରାଇଥିବା ମାଆ-ଝିଅଙ୍କୁ ଆଶାର ନୂଆ କିରଣ ମିଳିଛି। ରାୟବରେଲୀ ନିବାସୀ ଅଶୋକ କୁମାରଙ୍କ କହିବା ଅନୁଯାୟୀ, ତାଙ୍କ ଭଉଣୀ ସୁରେଖା, ମାଆ ଶକୁନ୍ତଳାଙ୍କୁ ସ୍କୁଟିରେ ବସାଇ ବଡ଼ ଭଉଣୀଙ୍କ ବାହାଘର ନିମନ୍ତ୍ରଣ ପତ୍ର ଦେବା ପାଇଁ ମାମୁଘରକୁ ଯାଉଥିଲେ। ଘରଠାରୁ କିଛି ଦୂରରେ ଏକ ଦ୍ରୁତଗାମୀ ବେପରୁଆ ଟ୍ରକ୍ ଦୁହିଁଙ୍କୁ ଚାପି ଦେଇ ଚାଲିଯାଇଥିଲା। ପୋଲିସ ଜନସାଧାରଣଙ୍କ ସହାୟତାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଖବର ଦେଇଥିଲା।
ଦୁର୍ଘଟଣା ପରେ ଜୀବନରେ ନିରାଶାର ଅନ୍ଧକାର ଦେଖାଯାଇଥିଲା। ଏହି ହାଦସା ଯୋଗୁଁ ଭଉଣୀଙ୍କ ବାହାଘର ମଧ୍ୟ ସ୍ଥଗିତ ରହିଥିଲା ଏବଂ ବର୍ଷେ ପରେ ପୁଣି ଥରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ଚାଷକାମ କରି ଗୁଜରାଣ ମେଣ୍ଟାଉଥିବା ଏହି ପରିବାର ସମ୍ମୁଖରେ ବଡ଼ ସଙ୍କଟ ଛିଡ଼ା ହୋଇଥିଲା। ଦୁଇ ବର୍ଷ ତଳେ କେହି ଜଣେ ଏହି କୃତ୍ରିମ ଅଙ୍ଗ ରୋପଣ ଶିବିର ବିଷୟରେ ସୂଚନା ଦେବାରୁ ଏଠାରେ କୃତ୍ରିମ ଗୋଡ଼ ଲଗାଯାଇଥିଲା। ସୁରେଖାଙ୍କ କହିବା ଅନୁଯାୟୀ, ସେ ଏବେ ସହଜରେ ଚାଲିବୁଲି ନିଜର ସବୁ କାମ କରୁଛନ୍ତି। ଶକୁନ୍ତଳା ମଧ୍ୟ କିଆରୀକୁ ଯାଇ କାମରେ ପରିବାରକୁ ସାହାଯ୍ୟ କରୁଛନ୍ତି। ଶିବିରର ଦ୍ୱିତୀୟ ଦିନରେ ଦୁହେଁ ନିଜ ଗୋଡ଼ର ପୁନଃ ଯାଞ୍ଚ କରାଇଛନ୍ତି।