ନିଜ ଘରେ ଜ୍ଞାନର ଦୀପ ଜଳାଇଥିବା ଗୟାଧର ଭାଇ – ସମାଜ ପାଇଁ ଏକ ଅନୁକରଣୀୟ ପ୍ରୟାସ
ଆଜିର ସମାଜରେ ଶିକ୍ଷା ହେଉଛି ଉନ୍ନତିର ମୂଳ ଆଧାର। କିନ୍ତୁ ଆର୍ଥିକ ଦୁର୍ବଳତା, ସାମାଜିକ ପଛୁଆପଣ ଏବଂ ସୁବିଧାର ଅଭାବ ଯୋଗୁଁ ଅନେକ ପଛୁଆ ବର୍ଗ ଓ ଗରିବ ପରିବାରର ପିଲାମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମୟରେ କଟକ ଜିଲ୍ଲାର ଚୌଦ୍ୱାର ଖଣ୍ଡ ଅନ୍ତର୍ଗତ ହରିଅନ୍ତା ଗ୍ରାମ ପଞ୍ଚାୟତର ତରୋତ ଗ୍ରାମର ଗୟାଧର ଭାଇ ଏକ ନିରବ ସମାଜସେବୀ ଭାବେ ନିଜ ଘରକୁ ଶିକ୍ଷାର ମନ୍ଦିରରେ ପରିଣତ କରି ଅନେକ ଆଦିବାସୀ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି।
ନିଜ ଘରର ପ୍ରାଙ୍ଗଣରେ ଚଟାଇ ବିଛାଇ ଛୋଟ ଛୋଟ ପିଲାମାନଙ୍କୁ ବସାଇ ମନଦେଇ ପାଠ ପଢ଼ାନ୍ତି। ଗୟାଧର ଭାଇ ସେମାନଙ୍କ ପାଠ ପଢ଼ାରେ ନଜର ରଖି ସ୍ନେହ ଓ ଆତ୍ମୀୟତାର ସହ ବ୍ୟବହାରିକ ଶିକ୍ଷା ନୈତିକ ଶିକ୍ଷା ଦେବାରେ ସହଯୋଗ କରିଥାନ୍ତି। ଭଲ କାମ କରିବା ପାଇଁ ବଡ଼ ଭବନ କିମ୍ବା ବହୁତ ଅର୍ଥର ଆବଶ୍ୟକତା ନାହିଁ; ଆବଶ୍ୟକ କେବଳ ସେବାଭାବ ଓ ସଂକଳ୍ପ।
ଗୟାଧର ଭାଇ କୌଣସି ପ୍ରକାରର ଶୁଳ୍କ ନ ନେଇ ପିଲାମାନଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରୁଛନ୍ତି। ବିଶେଷକରି ଜନଜାତି ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ପିଲାମାନେ ଏହା ଦ୍ୱାରା ବହୁତ ଉପକୃତ ହେଉଛନ୍ତି। ସ୍କୁଲରେ ପଢ଼ାଯାଉଥିବା ବିଷୟକୁ ସହଜ ଭାବରେ ବୁଝାଇବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ସମୟାନୁବର୍ତ୍ତିତା, ପରିଷ୍କାର-ପରିଚ୍ଛନ୍ନତା ଏବଂ ଉତ୍ତମ ସଂସ୍କାରର ବିକାଶ ଘଟାଇବା ପାଇଁ ମଧ୍ୟ ସେ ଚେଷ୍ଟା କରୁଛନ୍ତି।
ଆଜିର ଦିନରେ ଯେତେବେଳେ ବ୍ୟୟବହୁଳ ଟ୍ୟୁସନ୍ ସଂସ୍କୃତି ବଢ଼ି ଚାଲିଛି, ସେତେବେଳେ ଗୟାଧର ଭାଇଙ୍କ ଏହି ପଦକ୍ଷେପ ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ସମାଜରେ ଯଦି ଅଧିକରୁ ଅଧିକ ବ୍ୟକ୍ତି ଏଭଳି ଭାବରେ ନିଜ ସମୟର କିଛି ଅଂଶ ପିଲାମାନଙ୍କ ଶିକ୍ଷା ପାଇଁ ସମୟ ଦିଅନ୍ତି, ତେବେ ଅନେକ ଶିଶୁଙ୍କ ଜୀବନରେ ପରିବର୍ତ୍ତିନ ଆସିପାରିବ।
ଗୟାଧର ଭାଇଙ୍କ ଏହି ଉଦ୍ୟମ କେବଳ ଶିକ୍ଷାଦାନ ନୁହେଁ, ବରଂ ସମାଜ ଗଠନର ଏକ ମହାନ ଯଜ୍ଞ। ତାଙ୍କର ଏହି ସେବା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ। ତାଙ୍କ ପରି ନିଷ୍ଵାର୍ଥ ସମାଜସେବୀଙ୍କୁ ସମାଜ ପକ୍ଷରୁ ଉତ୍ସାହିତ ଓ ସମ୍ମାନିତ କରାଯିବା ଉଚିତ।
ପ୍ରକୃତରେ, ଗୟାଧର ଭାଇ ପ୍ରମାଣ କରିଛନ୍ତି— “ଗୋଟିଏ ଦୀପ ଜଳିଲେ ଅନ୍ଧକାର ଦୂର ହୁଏ; ଗୋଟିଏ ଶିକ୍ଷକ ସମର୍ପିତ ହେଲେ ଅନେକ ଜୀବନ ଆଲୋକିତ ହୁଏ।”