ଗୋସେବା ହିଁ ପରମ ଧର୍ମ: ଆହତ ଗୋମାତାଙ୍କ ପାଇଁ ଦେବଦୂତ ସାଜିଛନ୍ତି କୋରୁଅ ଗ୍ରାମର ଯୁବ ସ୍ୱୟଂସେବକ

ଗୋସେବା ହିଁ ପରମ ଧର୍ମ: ଆହତ ଗୋମାତାଙ୍କ ପାଇଁ ଦେବଦୂତ ସାଜିଛନ୍ତି କୋରୁଅ ଗ୍ରାମର ଯୁବ ସ୍ୱୟଂସେବକ

ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଏକ ଗୋମାତା କିମ୍ବା ବୃଷଭକୁ ଦେଖିଲେ କାହାର ହୃଦୟ ବା ଦ୍ରବିତ ନ ହେବ? କିନ୍ତୁ ଦୁଃଖର ବିଷୟ, ଅଧିକାଂଶ ଲୋକ ଏପରି ଦୃଶ୍ୟ ଦେଖି ନିରବରେ ଚାଲିଯାଆନ୍ତି। ମାତ୍ର କିଛି ଏମିତି ମଣିଷ ଅଛନ୍ତି, ଯେଉଁମାନେ ଏହି ଅସହାୟ ଜୀବମାନଙ୍କ ଯନ୍ତ୍ରଣାକୁ ନିଜର ବୋଲି ଭାବି ସେମାନଙ୍କ ସେବାରେ ନିଜକୁ ସମର୍ପିତ କରିଦିଅନ୍ତି। ସେହିପରି ଏକ ପ୍ରେରଣାଦାୟକ ସେବାକାର୍ଯ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ଗ୍ରାମରେ।
ନୀଳକଣ୍ଠେଶ୍ୱର ସାୟଂ ଶାଖାର ସ୍ୱୟଂସେବକ ଜ୍ଞାନ ରଞ୍ଜନ ଜେନା, ଚନ୍ଦନ କୁମାର ସ୍ୱାଇଁ, ସ୍ୱାଧୀନ କୁମାର ଜେନା, ସତ୍ୟଜିତ ନାୟକ ଏବଂ ଜ୍ଞାନ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୁବକ ଦୀର୍ଘ ପାଞ୍ଚ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୋସେବାରେ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଗୋସେବା କେବଳ ଏକ ସାମାଜିକ କାର୍ଯ୍ୟ ନୁହେଁ; ଏହା ଏକ ପବିତ୍ର କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ ସାଧନା।
ଅଞ୍ଚଳର କେଉଁଠି ବି କୌଣସି ଗୋମାତା କିମ୍ବା ବୃଷଭ ଦୁର୍ଘଟଣାରେ ଆହତ ହେଲେ, ଖାଲରେ ପଡ଼ିଗଲେ, ଫସଲ ଖାଇବା ବେଳେ ଲୋକଙ୍କ ଆକ୍ରମଣର ଶିକାର ହେଲେ କିମ୍ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ, ଖବର ପାଇବା ମାତ୍ରେ ଏହି ସ୍ୱୟଂସେବକମାନେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି। ଦିନ ହେଉ କି ରାତି, ବର୍ଷା ହେଉ କି ପ୍ରଖର ଖରା—ସେମାନଙ୍କ ସେବାରେ କେବେ ବିରାମ ଆସେନାହିଁ।
ଆହତ ପଶୁଙ୍କୁ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା କରିବା, ଆବଶ୍ୟକ ପଡ଼ିଲେ ପଶୁ ଚିକିତ୍ସକଙ୍କ ସହଯୋଗ ନେବା, ଔଷଧ ଓ ଇଞ୍ଜେକ୍ସନର ବ୍ୟବସ୍ଥା କରିବା ଏବଂ ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନେବା—ଏହା ସେମାନଙ୍କର ନିତ୍ୟ କାର୍ଯ୍ୟରେ ପରିଣତ ହୋଇଛି। ସେବା ପାଇଁ ଆବଶ୍ୟକ ଅର୍ଥର ବହୁ ଅଂଶ ସେମାନେ ନିଜ ପକେଟରୁ ବହନ କରନ୍ତି। ଏହାଛଡ଼ା ଗୋଭକ୍ତ ଓ ସମାଜର ଶୁଭେଚ୍ଛୁମାନଙ୍କଠାରୁ ସହଯୋଗ ସଂଗ୍ରହ କରି ଏହି ମହତ୍ କାର୍ଯ୍ୟକୁ ଆଗକୁ ବଢ଼ାଉଛନ୍ତି।
ଗତ ମାସରେ ସେମାନେ ୧୫ଟି ଆହତ ବୃଷଭଙ୍କ ଚିକିତ୍ସା କରିଥିଲେ। ସେଥିମଧ୍ୟରୁ ୧୪ଟିର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏହା କେବଳ ଏକ ମାସର ତଥ୍ୟ। ପ୍ରତିମାସରେ ଏଭଳି ଅନେକ ଅସହାୟ ଗୋମାତା ଓ ବୃଷଭଙ୍କୁ ସେମାନେ ମୃତ୍ୟୁମୁଖରୁ ଫେରାଇ ଆଣୁଛନ୍ତି। ପାଞ୍ଚ ବର୍ଷର ଏହି ନିଷ୍ଠାପୂର୍ଣ୍ଣ ସେବା ମାଧ୍ୟମରେ ସେମାନେ ଶତାଧିକ ଗୋବଂଶ ଜୀବନ ରକ୍ଷା କରି ପାରିଛନ୍ତି ।
ଜ୍ଞାନ ରଞ୍ଜନ ଜେନାଙ୍କ କହିବା ଅନୁସାରେ, ରାସ୍ତା ଦୁର୍ଘଟଣାରେ ଆହତ ହେଉଥିବା ଗୋବଂଶର ସଂଖ୍ୟା ତୁଳନାମୂଳକ କମ୍। ଅଧିକାଂଶ ବୃଷଭ ଚାଷଜମିରେ ପଶି ଫସଲ ଖାଇବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୁଅନ୍ତି। ଅନେକ ସମୟରେ ସେମାନଙ୍କର ଗୋଡ଼ କାଟି ଦିଆଯାଏ କିମ୍ବା ଆଖି ତାଡ଼ି ଦିଆଯାଏ। ଏଭଳି ଅମାନବିକ ଘଟଣା ସେମାନଙ୍କୁ ଅତ୍ୟନ୍ତ ବ୍ୟଥିତ କରେ। ସେଥିପାଇଁ ସେମାନେ କେବଳ ଚିକିତ୍ସା କରୁନାହାନ୍ତି, ଲୋକମାନଙ୍କୁ ପଶୁପକ୍ଷୀଙ୍କ ପ୍ରତି ଦୟା ଓ ସହାନୁଭୂତି ରଖିବାକୁ ମଧ୍ୟ ସଚେତନ କରୁଛନ୍ତି।
ସେମାନଙ୍କ ଏହି ସେବାକାର୍ଯ୍ୟ ପାଇଁ ନା ଅଛି କୌଣସି ପ୍ରଚାରର ଆବଶ୍ୟକତା , ନା କୌଣସି ପୁରସ୍କାରର ଆଶା। ଗୋମାତାଙ୍କ ଜୀବନ ରକ୍ଷା କରିପାରିବାର ସନ୍ତୋଷ ହିଁ ସେମାନଙ୍କର ସବୁଠାରୁ ବଡ଼ ପୁରସ୍କାର। ଆଜି କୋରୁଅ ଓ ଆଖପାଖ ଅଞ୍ଚଳରେ ଏହି ଯୁବ ସ୍ୱୟଂସେବକମାନେ ଗୋସେବା ପାଇଁ ସମସ୍ତଙ୍କର ପ୍ରିୟପାତ୍ର ପାଲଟିଛନ୍ତି।
ବାସ୍ତବରେ ସମାଜର ମହାନତା କେବଳ ମଣିଷର ସେବାରେ ସୀମିତ ନୁହେଁ; ଅବଳା ଓ ନିରୀହ ପ୍ରାଣୀଙ୍କ ପ୍ରତି ଦୟା, କରୁଣା ଓ ସେବାଭାବରେ ମିଳେ। କୋରୁଅ ଗ୍ରାମର ଏହି ଯୁବ ସ୍ୱୟଂସେବକମାନେ ନିଜ କର୍ମ ମାଧ୍ୟମରେ ସେହି ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେମାନଙ୍କ ଏହି ନିରବ ସେବା ସମାଜ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା ଦାୟକ।

Leave a Reply

Your email address will not be published. Required fields are marked *