ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ 

ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀନାଥ।  ରତ୍ନସିଂହାସନରେ ବିରାଜିତ ହୋଇଛନ୍ତି କାଳିଆ ସାଆନ୍ତେ। ନିର୍ଦ୍ଧାରିତ ନୀତିଠୁ ବିଳମ୍ବରେ ରାତି ପ୍ରାୟ ୮ଟା ୧୫ରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ମହାପ୍ରଭୁ ଟାହିଆ ପରିଧାନ କରି ନନ୍ଦିଘୋଷ ରଥ ଉପରେ ଥିବାବେଳେ ମା ମହଲକ୍ଷ୍ମୀଙ୍କୁ ଚାହାଣୀ ମଣ୍ଡପକୁ ଆସିଥିଲେ। ସିଂହଦ୍ୱାର ବନ୍ଦ ରହିଥିଲା। ଲକ୍ଷ୍ମୀ ନାରାୟଣ ଭେଟ ପରେ ପ୍ରଭୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ସେବାୟତଙ୍କ ସମନ୍ୱୟ, ପୁରୀ ସହରବାସୀଙ୍କ ସହଯୋଗ ଓ ସରକାରୀ ଅଧିକାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସୁରୁଖୁରୁରେ ସରିଛି ଘୋଷଯାତ୍ରା ୨୦୨୫। 

ଶ୍ରୀକ୍ଷେତ୍ରରେ ରଥ ଉପରେ ୩ ଦିଅଁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ୩ ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ବା ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା। ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ବାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇ ଥିଲେ ।ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ୩ ରଥରେ ପଣା ପ୍ରସ୍ତୁତ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା  ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିଥିଲେ। ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ। ତେଣୁ ସିଂହଦ୍ୱାର ଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହେବା ପରେ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ମହାଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବନ୍ଦ କରିଥିଲେ। ସେଠାରେ ପୁନର୍ବାର ବଚନିକା ହୋଇଥିଲା। ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥିଲେ।

ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରିବା ପରେ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି  ଦେବା ସହ ଶେଷରେ ମହାପ୍ରଭୁ ରସଗୋଲା ଖୁଆଇ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇଥିଲେ।  ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବା ସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ। ଆସନ୍ତାକାଲି ପ୍ରଥମ ନିଳାଚଳ ଅବଢ଼ା ବାହାରିବ। ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ପରେ ନନ୍ଦିଘୋଷ ରଥରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଦଚିହ୍ନ ପଡିବା ମହାପ୍ରଭୁଙ୍କ ଅଲୌକିକତାର ପୁନଃ ଛାପ ଛାଡିଛି।

Leave a Reply