ଯେକୌଣସି ସମସ୍ୟାର ସମାଧାନ ସଂବାଦ (ଆଲୋଚନା) ଦ୍ୱାରା ସମ୍ଭବ, ଆନ୍ଦୋଳନ ଦ୍ୱାରା ବିଭାଜନ ହେବା ଉଚିତ୍ ନୁହେଁ। – ଡ. ମୋହନ ଭାଗବତ ଜୀ

“ଯେକୌଣସି ସମସ୍ୟାର ସମାଧାନ ସଂବାଦ (ଆଲୋଚନା) ଦ୍ୱାରା ସମ୍ଭବ, ଆନ୍ଦୋଳନ ଦ୍ୱାରା ବିଭାଜନ ହେବା ଉଚିତ୍ ନୁହେଁ।” – ଡ. ମୋହନ ଭାଗବତ ଜୀ
ମୁମ୍ବାଇ, ୬ ଅଗଷ୍ଟ ୨୦୨୬।

‘ଇଣ୍ଡିଆଜ୍ ଇଣ୍ଟରନ୍ୟାସନାଲ୍ ମୁଭମେଣ୍ଟ ଟୁ ୟୁନାଇଟ୍ ନେସନ୍ସ’ (I.I.M.U.N.) ର ୧୫ଶ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଜୀ କହିଛନ୍ତି ଯେ, ଯେକୌଣସି ସମସ୍ୟାର ସମାଧାନ ସଂବାଦ (ଆଲୋଚନା) ମାଧ୍ୟମରେ ସମ୍ଭବ। ସମସ୍ୟାର ନିରାକରଣ ନ ହେଲେ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ କରିବା ଉଚିତ୍। ଆନ୍ଦୋଳନ ଗଣତନ୍ତ୍ର ଦ୍ୱାରା ପ୍ରଦତ୍ତ ଏକ ମାଧ୍ୟମ ହୋଇଥିଲେ ସୁଦ୍ଧା ଏହାର ବ୍ୟବହାର ନିଜର ବିବେକ ଓ ବୁଦ୍ଧି ଖଟାଇ କରିବା ଉଚିତ୍, ଯେପରି ସମାଜରେ ବିଭାଜନ ସୃଷ୍ଟି ନ ହୁଏ।

ମୁମ୍ବାଇସ୍ଥିତ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି ସମାରୋହରେ ଦେଶର ୧୦୦ ରୁ ଅଧିକ ସହରରୁ ୧୫ ରୁ ୨୪ ବର୍ଷ ବୟସର ୨,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଭବିଷ୍ୟତର ନେତୃତ୍ୱ ପ୍ରସ୍ତୁତ କରିବା, ସଂବାଦ କୌଶଳ ବିକଶିତ କରିବା ଏବଂ ରାଷ୍ଟ୍ରୀୟ ତଥା ବୈଶ୍ୱିକ ପ୍ରଶ୍ନଗୁଡ଼ିକ ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ସକାରାତ୍ମକ ଦୃଷ୍ଟିକୋଣ ନିର୍ମାଣ କରିବା ଏହି କନ୍ଫରେନ୍ସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। I.I.M.U.N. ର ସଂସ୍ଥାପକ ଋଷଭ ଶାହ, ମୋହନ ଭାଗବତ ଜୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ମନର ବିଭିନ୍ନ ପ୍ରଶ୍ନ ସରସଂଘଚାଳକ ଜୀଙ୍କ ସମ୍ମୁଖରେ ରଖିଥିଲେ। ସଂବାଦ ସତ୍ରରେ ଡ. ଭାଗବତ ଜୀ ଆନ୍ଦୋଳନ ସଂସ୍କୃତି, ଶିକ୍ଷା ବ୍ୟବସ୍ଥା, ଯୁବପିଢ଼ିଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ, LGBTQ ବିଷୟ, ମହିଳା ସଶକ୍ତୀକରଣ, ପରିବେଶ ସୁରକ୍ଷା ଏବଂ ବିକଶିତ ଭାରତ ପାଇଁ ଆବଶ୍ୟକ ଭବିଷ୍ୟତର ନେତୃତ୍ୱ ଭଳି ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ମାର୍ଗଦର୍ଶନ କରିଥିଲେ।

ସରସଂଘଚାଳକ ଜୀ କହିଥିଲେ ଯେ, ଆନ୍ଦୋଳନ ସଂବାଦର ଏକ ମାଧ୍ୟମ ହୋଇଥିଲେ ବି ତାହା ଦ୍ୱାରା ସମାଜରେ ବିଭାଜନ ସୃଷ୍ଟି ହେବା ଉଚିତ୍ ନୁହେଁ। ଭାରତୀୟ ପରମ୍ପରାର ଶାସ୍ତ୍ରାର୍ଥ ସଂସ୍କୃତିର ଉଲ୍ଲେଖ କରି ସେ କହିଥିଲେ ଯେ ଜେନ୍-ଜି (Gen-Z) ର ପ୍ରଶ୍ନଗୁଡ଼ିକୁ କେବଳ ବିରୋଧ ଭାବେ ନ ଦେଖି ସେମାନଙ୍କ ସମସ୍ୟାକୁ ବୁଝି ନିରାକରଣ କରିବା ସମାଜ ଓ ବ୍ୟବସ୍ଥାର ଦାୟିତ୍ୱ। ଜେନ୍-ଜି ଆନ୍ଦୋଳନ କରୁଛି, ଏହାର ଅର୍ଥ ନୁହେଁ ଯେ ସେମାନେ ରାଷ୍ଟ୍ରବିରୋଧୀ। ନୂତନ ପିଢ଼ି ଆମ ସମାଜର ହିଁ ଏକ ଅଂଶ ଏବଂ ସେମାନଙ୍କ ସହ ଆତ୍ମୀୟତାର ସହ ସଂବାଦ ସ୍ଥାପନ କରିବା ଆବଶ୍ୟକ; ଏହାଦ୍ୱାରା ପାରସ୍ପରିକ ସାମଞ୍ଜସ୍ୟ ବୃଦ୍ଧି ପାଏ। ଆଜିର ଜେନ୍-ଜି ଏବଂ ଜେନ୍-ଆଲଫା ପିଢ଼ି ଅଧିକ ନିଷ୍ଠାପର।

ଶିକ୍ଷା ବିଷୟରେ ସେ କହିଥିଲେ ଯେ, ଶିକ୍ଷା ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ଏବଂ ତାହା ସମସ୍ତଙ୍କ ପାଇଁ ସୁଲଭ ହେବା ଉଚିତ୍। ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାରଙ୍କର ନୁହେଁ, ବରଂ ଏହାର ଦାୟିତ୍ୱ ସମାଜକୁ ମଧ୍ୟ ବହନ କରିବାକୁ ପଡ଼ିବ। ସେ କହିଥିଲେ ଯେ ସରକାରୀ ଆର୍ଥିକ ସହାୟତା ବିନା ମଧ୍ୟ ‘ବିଦ୍ୟା ଭାରତୀ’ ସଂସ୍ଥା ଆଜି ପ୍ରାୟ ୨୩ ହଜାର ବିଦ୍ୟାଳୟ ପରିଚାଳନା କରୁଛି। ଶିକ୍ଷା ବ୍ୟବସ୍ଥାରେ ଆନ୍ଦୋଳନ ବିନା ମଧ୍ୟ ସକାରାତ୍ମକ ସୁଧାର ସମ୍ଭବ।

ସୋସିଆଲ ମିଡିଆରେ ଦାୟିତ୍ୱବାନ ଭାବେ ସକାରାତ୍ମକ ଓ ସମାଜହିତକର ସୂଚନା ଶେୟାର କରିବାକୁ ସେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ କେବଳ ବିଶ୍ୱସନୀୟ ତଥ୍ୟ ଉପରେ ବିଶ୍ୱାସ କରାଯିବା ଉଚିତ୍ ଏବଂ ଜେନ୍-ଜି ମଧ୍ୟରେ ଭଲ-ମନ୍ଦ ଚିହ୍ନିବାର ବିବେକ ବିକଶିତ କରିବା ପାଇଁ ମାର୍ଗଦର୍ଶନ କରିବା ଆବଶ୍ୟକ। ଜେନ୍-ଜି ହିଂସାତ୍ମକ ନୁହେଁ, ବରଂ ସକାରାତ୍ମକ ଆଦର୍ଶଗୁଡ଼ିକର ଅନୁସରଣ କରିବା ଉଚିତ୍।

ମୋହନ ଭାଗବତ ଜୀ କହିଥିଲେ ଯେ ଭାରତ ସଂବାଦ ଦ୍ୱାରା ସଦ୍‌ଭାବ ନିର୍ମାଣ କରିବାରେ ବିଶ୍ୱାସ କରେ। ସଂବାଦ ଏବଂ ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ଦ୍ୱାରା ହିଁ ସ୍ଥାୟୀ ସମାଧାନ ମିଳିଥାଏ। ସଂଘର୍ଷ ସମୟରେ ନାଗରିକମାନେ ନିଜ ସରକାରଙ୍କ ସହ ଛିଡ଼ା ହେବା ଉଚିତ୍। ରାଷ୍ଟ୍ରୀୟ ସୁରକ୍ଷାର ପ୍ରଶ୍ନଗୁଡ଼ିକରେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଦେବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ମାନବତା ସର୍ବଶ୍ରେଷ୍ଠ, ଏହି ସନ୍ଦେଶ ଗୁରୁତ୍ୱପୂର୍ଣ୍ଣ। ଅନ୍ୟକୁ ଜିତି କିମ୍ବା ଶେଷ କରି ସମାଜ ଆଗକୁ ବଢ଼େ ନାହିଁ। ସମାଜର ପ୍ରଗତି ସୁସଂବାଦ, ସମନ୍ୱୟ ଏବଂ ପରସ୍ପରକୁ ବୁଝିବାର ପ୍ରକ୍ରିୟା ଦ୍ୱାରା ହୁଏ, ଏଥିପାଇଁ ସଂବାଦ ବଜାୟ ରହିବା ଆବଶ୍ୟକ।

ସେ କହିଥିଲେ ଯେ ଏଲ୍‌ଜିବିଟି (LGBT) ସମୁଦାୟ ବ୍ୟକ୍ତିବିଶେଷ ମଧ୍ୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ସମାଜ ସେମାନଙ୍କୁ ସମ୍ମାନଜନକ ସ୍ଥାନ ଦେବା ଉଚିତ୍। ପ୍ରାଚୀନ ଭାରତୀୟ ସଂସ୍କୃତିରେ ବିବାହ କେବଳ ଦୁଇଜଣ ବ୍ୟକ୍ତି ଏକାଠି ରହିବାର ବ୍ୟବସ୍ଥା ନୁହେଁ। ବିବାହର ଉଦ୍ଦେଶ୍ୟ ଉତ୍ତମ ସନ୍ତାନ ନିର୍ମାଣ ଏବଂ ଏକ ସୁଦୃଢ଼, ସୁସଂସ୍କାରିତ ସମାଜ ଗଠନ କରିବା। ବିବାହ ସଂସ୍ଥାର ମୂଳ ସ୍ୱରୂପରେ ପରିବର୍ତ୍ତନ ହେଲେ ତାହାର କିଛି ସାମାଜିକ କୁପ୍ରଭାବ ସାମ୍ନାକୁ ଆସିପାରେ, ସେଥିପାଇଁ ପ୍ରଥମେ ସମାଜକୁ ଏହି ବିଷୟରେ ଜାଗ୍ରତ କରିବା ଆବଶ୍ୟକ। ଆଇନ ସମାଜକୁ ନିର୍ଦ୍ଧାରିତ କରେନାହିଁ, ବରଂ ସମାଜର ଆବଶ୍ୟକତା ଓ ମୂଲ୍ୟବୋଧ ଅନୁସାରେ ଆଇନ ନିର୍ଦ୍ଧାରିତ ହୋଇଥାଏ। ଏହି ଦୃଷ୍ଟିକୋଣରୁ ସମଲିଙ୍ଗୀ ବିବାହକୁ ପାରମ୍ପରିକ ଅର୍ଥରେ ବିବାହ ନ ଭାବି କମ୍ପାନିୟନସିପ୍ (ସହଚର୍ଯ୍ୟ) ଭାବେ ଗ୍ରହଣ କରାଯିବା ଉଚିତ୍।

ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କର ସମାନ ଭାଗିଦାରୀ ଏବଂ ନେତୃତ୍ୱ ପାଇଁ ସେମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଉପରେ ସେ କହିଥିଲେ ଯେ ଭିନ୍ନ ଭିନ୍ନ ପ୍ରକାର ଖବର ପ୍ରସାରିତ ହେବା ଯୋଗୁଁ ସଂଘ ବିଷୟରେ ଏପରି ଧାରଣା ରହିଛି। ସଂଘର ବିଭିନ୍ନ ସଂସ୍ଥାରେ ମହିଳାମାନଙ୍କୁ ସମାନତାର ସହ ଦାୟିତ୍ୱ ଦିଆଯାଉଛି ଏବଂ ସେମାନେ ପ୍ରଭାବଶାଳୀ ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି। ରାଷ୍ଟ୍ର ସେବିକା ସମିତିର ପ୍ରତିଷ୍ଠା ସଂଘର ପ୍ରତିଷ୍ଠା ସମୟରେ ହିଁ ହୋଇଥିଲା। ଅଖିଳ ଭାରତୀୟ ପ୍ରତିନିଧି ସଭାରେ ମହିଳାମାନଙ୍କର ସହଭାଗିତା ଥାଏ ଏବଂ ନିଷ୍ପତ୍ତି ପ୍ରକ୍ରିୟାରେ ମଧ୍ୟ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଂଘର ବିଭିନ୍ନ ସଂସ୍ଥାରେ ମଧ୍ୟ ମହିଳାମାନଙ୍କର ଉଲ୍ଲେଖନୀୟ ସହଭାଗିତା ରହିଛି।

ରୋଜଗାରକୁ ନେଇ ସମାଜର ମାନସିକତା ବଦଳିବା ଉଚିତ୍, ରୋଜଗାରର ଅର୍ଥ କେବଳ ଚାକିରି ନୁହେଁ। ଉଦ୍ୟମିତା ଏବଂ କୌଶଳ ମଧ୍ୟ ରୋଜଗାରର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ବେକାରୀ କମାଇବା ପାଇଁ ସମସ୍ତ ପ୍ରକାର କାମକୁ ସମାନ ସମ୍ମାନ ମିଳିବା ଉଚିତ୍। ସମାଜରେ ଶ୍ରମ ପ୍ରତିଷ୍ଠାର ଭାବନା ସୁଦୃଢ଼ ହେବା ଦରକାର। ଶ୍ରମ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯିବା ଉଚିତ୍ ଏବଂ ଶିକ୍ଷା ପ୍ରଣାଳୀରେ ସେହି ଅନୁସାରେ ପରିବର୍ତ୍ତନ ଆଣିବା ଜରୁରୀ।

ଆରକ୍ଷଣ (ସଂରକ୍ଷଣ) ବିଷୟରେ ସେ କହିଥିଲେ ଯେ ସାମାଜିକ ବିଷମତା ହେତୁ ଆରକ୍ଷଣର ଆବଶ୍ୟକତା ସୃଷ୍ଟି ହୋଇଥିଲା। ଡ. ବାବାସାହେବ ଆମ୍ବେଦକର ଏହି ବିଷୟରେ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି। ଆରକ୍ଷଣ ପ୍ରଶ୍ନରେ ରାଜନୀତି ହେବା ଉଚିତ୍ ନୁହେଁ ଏବଂ ସାମାଜିକ ନ୍ୟାୟ ପାଇଁ ପଦକ୍ଷେପଗୁଡ଼ିକୁ ନିଷ୍ଠାର ସହ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଗଲେ ଭବିଷ୍ୟତରେ ଆରକ୍ଷଣର ଆବଶ୍ୟକତା କମିପାରେ।

ସଂଯୁକ୍ତ ରାଷ୍ଟ୍ରର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡ଼ିକର ପୂରଣରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ପରିବେଶ ଅନୁକୂଳ ଦ୍ବାରା ବିକାଶ ସମ୍ଭବ ଏବଂ ପରିବେଶ ସଂରକ୍ଷଣର ଆରମ୍ଭ ଘରୁ ଓ ଦୈନନ୍ଦିନ ଜୀବନରୁ ହିଁ ହେବା ଉଚିତ୍।

ବର୍ଷ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ଆଗାମୀ କାଲିର ପ୍ରତ୍ୟେକ ନେତାଙ୍କଠାରେ ଆବଶ୍ୟକ ଗୁଣ ବିଷୟରେ ସେ କହିଥିଲେ ଯେ, ସଚ୍ଚା ନେତୃତ୍ୱ ନିଜଠାରୁ ଆରମ୍ଭ ହୁଏ। ଯିଏ ନିଜକୁ ସଠିକ୍ ଦିଗ ଦେଇପାରେ, ସେ ହିଁ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିପାରିବ। ନେତୃତ୍ୱର ପ୍ରକୃତ କାର୍ଯ୍ୟ କେବଳ ଅନୁଗାମୀ ତିଆରି କରିବା ନୁହେଁ, ବରଂ ନୂଆ ନେତା ଗଢ଼ିବା।

Leave a Reply

Your email address will not be published. Required fields are marked *