Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ କୋଟି ମହିଳା ହେବେ ଲକ୍ଷପତି ଦିଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ କୋଟି ମହିଳା ହେବେ ଲକ୍ଷପତି ଦିଦି

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ମିଳିତ ଅଧିବେଶନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ସମ୍ବୋଧନ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ସରକାର ରିଫର୍ମ (ସଂସ୍କାର), ପରଫର୍ମ (ପ୍ରଦର୍ଶନ) ଏବଂ ଟ୍ରାନ୍ସଫର୍ମ (ପରିବର୍ତ୍ତନ) ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଗରିବୀ ଦୂରହୋଇଛି, ୨୫କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି । ଦେଶର ଉନ୍ନତି କ୍ଷେତ୍ରରେ ମହିଳାଙ୍କ ଭାଗିଦାର ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି, ଆଗକୁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ ଚାଲିଛି । ନିର୍ବାଚନ କମିଶନକୁ ପ୍ରଶଂସା କରି ସେ କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଚାରିଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହି ଆସୁଥିଲା । ଏଥର କିନ୍ତୁ ବିରାଟ ପରିବର୍ତ୍ତନ ଆସିଛି । ମୋ ସରକାର ଉପରେ ଲୋକେ ତୃତୀୟଥର ଭରସା କରିଛନ୍ତି । ଲୋକେ ଜାଣିଛନ୍ତି ମୋ ସରକାର ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ । ସମାଜର ସବୁବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ । ପ୍ରତିଟି ଲୋକର ବିକାଶ ହୋଇପାରିଲେ ଏକ ବିକଶିତ ଭାରତ ସମ୍ଭବ ହେବ । ଗରିବ, ଚାଷୀ,ମହିଳା, ଯୁବବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ସରକାରଙ୍କ ସବୁ ଯୋଜନାର ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଯିବ । ସେହିପରି ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ପେପର୍ ଲିକ୍ ମାମଲା ଉପରେ ନିରପେକ୍ଷ ଯାଞ୍ଚ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା । ନିଟ୍‌-ୟୁଜି ପେପର ଲିକ୍ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଆମ ସରକାର ପ୍ରତିବଦ୍ଧ । ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍ । ରାଷ୍ଟ୍ରପତି ଗ୍ରାମୀଣ ତଥା କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର ବିଷୟରେ ଆଲୋଚନା କରିଛନ୍ତି । ସରକାର କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଆମ ସରକାର କୃଷି ଉତ୍ପାଦ ପାଇଁ ଏମ୍‌ଏସ୍‌ପି(ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କରିଛନ୍ତି । ବିଶ୍ୱରେ ଜୈବ ଉତ୍ପାଦର ଚାହିଦା ବୃଦ୍ଧିପାଉଛି ଏବଭାରତୀୟ କୃଷକମାନେ ଏହି ଚାହିଦା ପୂରଣ କରିବାରେ ସକ୍ଷମ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସରକାରର ନୂତନ କାର୍ଯ୍ୟକାଳ ଆରମ୍ଭରୁ ୨୦,୦୦୦ କୋଟିରୁ ଅଧିକ ଟଙ୍କା କୃଷକଙ୍କୁ ହସ୍ତାନ୍ତର କରାଯାଇଛି । ଖରିଫ ଫସଲ ପାଇଁ ଏମ୍‌ଏସ୍‌ପିରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି । ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଜିର ଭାରତ ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି । ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳା (ଚେନ୍‌)କୁ ସରକାର ଏକୀଭୂତ କରୁଛନ୍ତି । ଭାରତ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିଛି । ଗ୍ରାମକୁ ସଂଯୋଗପାଇଁ ସରକାର ୩.୮ ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରିଛନ୍ତି । ସରକାର ମଧ୍ୟ ଉତ୍ତର ପୂର୍ବ ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ କାର୍ଯ୍ୟ କରୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇସାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଅନେକ ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୨ଟି ଡିଫେନ୍ସ କରିଡର ହେଉଛି । ସେନାର ଆଧୁନିକତା ଉପରେ ଜୋର୍ ଦିଆଯିବା ସହ ୭୦% ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କମ୍ପାନୀରୁ କିଣାଯାଇଛି । ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କରାଯାଇଛି । ସେହିପରି ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରୁଛି । ସୁସ୍ଥ ବିଶ୍ୱନିର୍ମାଣରେ ଭାରତ ସହଯୋଗ କରୁଥିବା ବେଳେ ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି । ୧୦ବର୍ଷ ମଧ୍ୟରେ ୨୧ସହରରେ ମେଟ୍ରୋ ପହଞ୍ଚିଛି । ଗ୍ରାମାଞ୍ଚଳରେ ୩ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥଇଷ୍ଟର ବିକାଶ ୪ଗୁଣା ବଢ଼ିଛି, ଖାଲି ସେତିକି ନୁହେଁ; ସ୍ଥାୟୀ ଶାନ୍ତି ପାଇଁ ସରକାର ଉଦ୍ୟମ କରୁଛି । ଏଥିସହ ଉତ୍ତର- ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି । ବିଜୁଳି ବିଲ୍ ଜିରୋ କରିବାକୁ ବି ଯୋଜନା ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

Leave a Reply