Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାନ ଜନନାୟକ ଡ. ଆମ୍ବେଦକର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାନ ଜନନାୟକ ଡ. ଆମ୍ବେଦକର

(ଏପ୍ରିଲ ୧୪ ଜନ୍ମଜୟନ୍ତୀ ଅବସରରେ)

  • ସର୍ବେଶ୍ୱର ବେହେରା –

    ସମ୍ବିଧାନ ନିର୍ମାତା ଓ ଭାରତରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଜୀ (ବାବା ସାହେବ) ଦଳିତ, ନିଷ୍ପେସିତ ତଥା ଅସ୍ପୃଶ୍ୟମାନଙ୍କ ପାଇଁ ଆଜୀବନ ସଂଘର୍ଷ କରିଥିଲେ ବୋଲି ଆମେ ସମସ୍ତେ ଜାଣିଛୁ , କିନ୍ତୁ ଡ. ଆମ୍ବେଦକର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ ବୋଲି ବହୁତ କମ୍ ଜାଣିଛନ୍ତି । ତାଙ୍କର ସମସ୍ତ ଗବେଷଣା ଆର୍ଥିକ ବିଷୟରେ ଥିଲା । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପି.ଏଚଡ଼ି, ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଡି.ଏସସି (ଡକ୍ଟର ଅଫ ସାଇନ୍ସ) ଓ ଲଣ୍ଡନରୁ ଗ୍ରେଡ ଇନ୍ ବାର ଆଟ ଲ’ (ବାରିଷ୍ଟର) ଉପାଧିରୁ ଜଣାପଡ଼େ ସେ ଜଣେ ମହାନ ବିଦ୍ୱାନ ଓ ଅର୍ଥନୀତିଜ୍ଞ ଥିଲେ । ତାଙ୍କର ବହୁ ପ୍ରବନ୍ଧ ଓ ଗବେଷଣାପତ୍ର ଆର୍ଥିକ ବିଷୟରେ ଥିଲା । ‘ଆଡ଼ମିନିଷ୍ଟ୍ରେସନ ଅଫ ଫାଇନାନ୍ସ ଅଫ ଇଷ୍ଟ ଇଣ୍ଡିଆ କମ୍ପାନୀ’ ନାମରେ ସେ ଏମ.ଏ (ସ୍ନାତକୋତ୍ତର)ରେ ଥେସିସ୍ (ଗବେଷଣା ପତ୍ର) ଉପସ୍ଥାପନା କରିଥିଲେ । ଲଣ୍ଡନରେ ଅଧ୍ୟୟନ କରି ଇଂରେଜମାନଙ୍କର ଭାରତରେ ଶୋଷଣ ବିରୁଦ୍ଧରେ ଏହି ଗବେଷଣା ପତ୍ର ଉପସ୍ଥାପନା କରିଥିଲେ । ଏଥିରୁ ତାଙ୍କର ସାହସିକ ବିଦ୍ୱତାର ପ୍ରମାଣ ମିଳୁଛି । ସେହିପରି ତାଙ୍କର ଡି.ଏସ୍ସିର ଥେସିସ୍ ବିଷୟ ଥିଲା ‘ପ୍ରୋବ୍ଲେମ୍ ଅଫ ରୁପି’ । ଏଥିରେ ସେ ଇଂରେଜମାନେ ଭାରତକୁ କିପରି ଲୁଣ୍ଠନ କରି ଭାରତର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି, ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ଏଥିରୁ ତାଙ୍କର ପ୍ରଖର ରାଷ୍ଟ୍ରବାଦର ପରିଚୟ ମିଳୁଛି ।
    ଇଂରେଜମାନଙ୍କ ବିରୁଦ୍ଧରେ ତକ୍ରାଳୀନ ଦୁଇଜଣ ଅର୍ଥନୀତିଜ୍ଞ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ଶ୍ରୀ ଦାଦାଭାଇ ନାରୋଜୀ (୧୮୨୫-୧୯୧୭) ସର୍ବପ୍ରଥମେ ୧୮୭୬ରେ ‘ପଭର୍ଟି ଅଫ ଇଣ୍ଡିଆ’ ପୁସ୍ତକ ରଚନା କରିଥିଲେ । ଶ୍ରୀ ରମେଶ ଚନ୍ଦ୍ର ଦତ୍ତ (୧୮୪୮-୧୯୦୯) ୧୮୬୬ରେ ‘ଦି ଇକୋନୋମିକ୍ ହିଷ୍ଟି୍ର ଅଫ ଇଣ୍ଡିଆ’ ପୁସ୍ତକ ରଚନା କରିଥିଲେ । ଏହି ଦୁଇଜଣ ଅର୍ଥନୀତିଜ୍ଞ ସେତେବେଳେ ନିଜ ରଚନାରେ ଇଂରେଜମାନଙ୍କ ଆର୍ଥିକ ଶୋଷଣ ବିରୁଦ୍ଧରେ ଲେଖନୀ ଚାଳନା କରିଥିଲେ । ଏମାନଙ୍କ ପରେ ତୃତୀୟ ଅର୍ଥଶାସ୍ତ୍ରୀ ହେଉଛନ୍ତି ଡ. ଆମ୍ବେଦକର । ଡ. ଆମ୍ବେଦକର ଜଣେ କୁଶଳୀ ରାଜନୀତିଜ୍ଞ ସହିତ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ । ଏପରି ଦୁର୍ଲ୍ଲଭ ଚରିତ୍ର ବହୁତ କମ୍ ଦେଖାଯାଆନ୍ତି । ତକ୍ରାଳୀନ ମହାରାଷ୍ଟ୍ରରୁ ୧୯୦୪ ମସିହାରୁ ‘ଦେଶର କଥା’ ନାମକ ପତି୍ରକାକୁ ଶ୍ରୀ ସଖାରାମ ଗଣେଶ ଦେଉସକର ପ୍ରକାଶିତ କରୁଥିଲେ । ଏଥିରେ ୧୯୧୫ରୁ ୧୯୨୫ ପର୍ଯ୍ୟନ୍ତ ଦେଶର ଅର୍ଥନୀତି ସମ୍ବନ୍ଧରେ ଡ. ଆମ୍ବେଦକରଙ୍କ ଗବେଷଣା ମୂଳକ ଲେଖା ନିୟମିତ ପ୍ରକାଶ ପାଉଥିଲା ।
    ଡ. ଆମ୍ବେଦକର ୧୯୨୦ରେ ‘ମୂକନାୟକ’ ନାମକ ପାକ୍ଷିକ ପତି୍ରକା ପ୍ରକାଶନ ଆରମ୍ଭ କରିଥିଲେ । ୧୯୨୭ରେ ସେ ‘ବହିଷ୍କୃତ ସମାଜ’ ନାମକ ସାପ୍ତାହିକ ପତି୍ରକା, ୧୯୩୦ରେ ‘ଜନତା’ ନାମକ ସାପ୍ତାହିକ ପତି୍ରକା ଆରମ୍ଭ କରିଥିଲେ । ୧୯୫୬ରେ ସେ ଏହି ପତି୍ରକାର ନାମ ‘ଜନତା’ ପରିବର୍ତ୍ତେ ‘ପ୍ରବୁଦ୍ଧ ଭାରତ’ ରଖିଥିଲେ । ପ୍ରକାଶ ଥାଉକି ସ୍ୱାମୀ ବିବେକାନନ୍ଦ ୧୮୯୬ରେ ଯେଉଁ ସାପ୍ତାହିକ ପତି୍ରକା ପ୍ରକାଶନ ଆରମ୍ଭ କରିଥିଲେ ତା’ର ନାମ ମଧ୍ୟ ‘ପ୍ରବୁଦ୍ଧ ଭାରତ’ ଥିଲା । ବୋଧହୁଏ ଏହି ଦୁଇଜଣ ମହାପୁରୁଷଙ୍କ ମନମସ୍ତିଷ୍କରେ ସମାନ ଭାରତର ଚିତ୍ର ପ୍ରତିଫଳିତ ହୋଇଥିଲା । ଡ. ଆମ୍ବେଦକର ଏହିସବୁ ପତି୍ରକାରେ ଆର୍ଥିକ ସମାନତା ଓ ସାମାଜିକ ବିଷମତା ଆଦି ବିଷୟ ଉପରେ ଉଲ୍ଲେଖ କରୁଥିଲେ । ରାଜନୀତିରେ ଶୀର୍ଷ ସ୍ଥାନ ଅର୍ଜନ କରି ଏହିପରି ସାପ୍ତାହିକ, ପାକ୍ଷିକ ଓ ଦୈନିକ ପତ୍ରପତି୍ରକାରେ ନିୟମିତ ଲେଖା ପ୍ରକାଶ କରୁଥିବା ବିରଳ ବ୍ୟକ୍ତିତ୍ୱର ଅଧିକାରୀ ସେ ଥିଲେ । ପରାଧୀନତାର କାଳଖଣ୍ଡରେ ଏହିପରି ରାଜନୈତିକ ନେତା ଦୁର୍ଲ୍ଲଭ ଥିଲେ । ଗାନ୍ଧିଜୀ ଓ ତିଳକଙ୍କ ପରେ ଡ. ଆମ୍ବେଦକର ତୃତୀୟ ଏହିପରି ବ୍ୟକ୍ତି ଥିଲେ ।
    ୧୯୨୪ରେ ସେ ‘ବହିଷ୍କୃତ ହିତକାରିଣୀ ସଭା’ ପ୍ରତିଷ୍ଠା କରିଥିଲେ । ୧୯୨୭ରେ ସେ ‘ସମାଜ ସମତା ସଂଘ’ ପ୍ରତିଷ୍ଠା କରିଥିଲେ । ୧୯୩୭ରେ ସେ ‘ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି’ ପ୍ରତିଷ୍ଠା କରିଥିଲେ । ୧୯୪୨ରେ ସେ ‘ସୁ୍ୟଡୁଲଡ କାଷ୍ଟ ଫେଡେରେସନ’ ପ୍ରତିଷ୍ଠା କରିଥିଲେ । ୧୯୫୬ରେ ସେ ‘ରିପବ୍ଲିକାନ ପାର୍ଟି’ ପ୍ରତିଷ୍ଠା କରିଥିଲେ । ଏହି ସମସ୍ତ ସଙ୍ଗଠନରେ ସେ ବହୁ ବୁଦ୍ଧିଜୀବୀମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ବହୁତ ସାଧାରଣ ଜନତା ଏହି ସଙ୍ଗଠନ ଗୁଡ଼ିକର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । କେବଳ ମୁଷ୍ଟିମେୟ ଲୋକ ଗୋଟିଏ ଗୋଟିଏ ସଙ୍ଗଠନରେ ଥିଲେ ଏହା ଠିକ୍ ନୁହେଁ । ତାଙ୍କର ମହାନ ଆଦର୍ଶ ଓ ସଙ୍ଗଠନ କୁଶଳତାରେ ଅନୁପ୍ରାଣିତ ହୋଇ ଶହ ଶହ କାର୍ଯ୍ୟକର୍ତ୍ତା ଏହି ସଙ୍ଗଠନଗୁଡ଼ିକରେ ଜଡ଼ିତ ଥିଲେ । ସାଧାରଣ ଜନତାଙ୍କ ସ୍ୱରକୁ ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ମାଧ୍ୟମରେ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରୁଥିଲେ । ବିଶେଷକରି ଦଳିତ, ନିଷ୍ପେସିତ ଓ ଅସ୍ପୃଶ୍ୟମାନଙ୍କୁ ସାମାଜିକ ନ୍ୟାୟ ଓ ଆର୍ଥିକ ସମାନତା ପ୍ରଦାନ କରିବାରେ ଏହି ସଙ୍ଗଠନ ଗୁଡ଼ିକ ବିଭିନ୍ନ ମଞ୍ଚରେ ଦାବୀ ଉପସ୍ଥାପନ କରୁଥିଲା । ଏହି ସମସ୍ତ କାର୍ଯ୍ୟକଳାପ ପଛରେ ଡ. ଆମ୍ବେଦକରଙ୍କ ପ୍ରଚ୍ଛନ୍ନ ଭୂମିକା ଥିଲା । ଏହିପରି ଶ୍ରେଷ୍ଠ ରାଜନୀତିଜ୍ଞ ତକ୍ରାଳୀନ ସମୟରେ ଦୁଇଜଣ ଥିଲେ- ଜଣେ ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟରେ ଡ. ଆମ୍ବେଦକର ।
    ଡ. ଆମ୍ବେଦକର ଜଣେ ମହାନ ଶିକ୍ଷାବିତ୍ ଥିଲେ । ସେ ଅଧ୍ୟାପନା କାର୍ଯ୍ୟ କରିଛନ୍ତି । ସେ ମହାବିଦ୍ୟାଳୟରେ କିଛିବର୍ଷ ଅଧ୍ୟାପକ ରୂପେ କାର୍ଯ୍ୟ କରିଛନ୍ତି । ସେ ମହବିଦ୍ୟାଳୟର ଅଧ୍ୟକ୍ଷ ରୂପେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି । ୧୯୨୫ରେ ସେ ଦଳିତ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ କରିଥିଲେ । ୧୯୪୫ରେ ସେ ‘ପିପୁଲ୍ସ ଏଜୁକେସନ ସୋସାଇଟି’ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଏହି ସଂସ୍ଥା ଆଜି ମଧ୍ୟ ମହାରାଷ୍ଟ୍ରରେ ୪୦ଟି ସ୍ଥାନରେ କାର୍ଯ୍ୟରତ ଅଛି । ମୁମ୍ବାଇଠାରେ ସେ ‘ସିଦ୍ଧାର୍ଥ’ ନାମକ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ମହାବିଦ୍ୟାଳୟ ଭାରତର ପ୍ରଥମ ମହାବିଦ୍ୟାଳୟ, ଯେଉଁଠାରେ ସାମାଜିକ ବିଜ୍ଞାନର ବିଷୟ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିଲା । ସାମାଜିକ ବିଜ୍ଞାନର ବିଷୟ ଛାତ୍ରମାନଙ୍କ ନିମିତ୍ତ କେତେ ଆବଶ୍ୟକ ତାହାକୁ ସେ ସେତେବେଳେ ଅନୁଭବ କରି ପ୍ରଚଳନ କରିଥିଲେ । ଏଥିରୁ ତାଙ୍କର ଦୂରଦ୍ରଷ୍ଟାର ପ୍ରମାଣ ମିଳିଛି । ଏହିପରି ରାଜନୀତିରେ ସକି୍ରୟ ରହି ଶିକ୍ଷା କ୍ଷେତ୍ରରେ ତାଙ୍କର ଯେଉଁ ଅବଦାନ ଥିଲା ତାହା ଅତୁଳନୀୟ ।
    ୧୯୫୬ରେ ଯେତେବେଳେ ସେ ରିପବ୍ଲିକାନ ପାର୍ଟି ପ୍ରତିଷ୍ଠା କରିଥିଲେ, ସେ ଅନୁଭବ କଲେ ଯେ ଯେଉଁ ଯୁବକମାନେ ଏଥିରେ ସାମିଲ ହେଉଛନ୍ତି ସେମାନଙ୍କର ରାଜନୀତି ସମ୍ବନ୍ଧରେ ବିଶେଷ ଜ୍ଞାନ ନାହିଁ । ସେମାନେ କେବଳ ସ୍ୱାର୍ଥ ପାଇଁ କିମ୍ବା ସ୍ୱଳ୍ପ ସମୟ ମଧ୍ୟରେ ଶସ୍ତା ଲୋକପି୍ରୟତା ଅର୍ଜନ କରିବାକୁ ଚାହୁଁଛନ୍ତି । ଏଣୁ ଡ. ଆମ୍ବେଦକର ଅନୁଭବ କଲେ ସେମାନଙ୍କୁ ସଠିକ ପ୍ରଶିକ୍ଷଣ ଦେବା ଆବଶ୍ୟକ । ଏଣୁ ସେ ରିପବ୍ଲିକାନ୍ ପାର୍ଟିରେ ଯୁବକ ଯୁବତୀମାନଙ୍କୁ ରାଜନୀତିର ପ୍ରଥମ ସୋପାନ ରାଷ୍ଟ୍ରୀୟତା ସହିତ ସଂସଦୀୟ ପ୍ରଣାଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଏହି ସଂସ୍ଥା ତାଙ୍କର ମୃତୁ୍ୟ ପରେ ମଧ୍ୟ ବହୁ ବର୍ଷ ଧରି ଚାଲିଥିଲା । ଡ. ଆମ୍ବେଦକର ସର୍ବପ୍ରଥମେ ଭାରତରେ ରାଜନୀତିକ ଦଳର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଧନଞ୍ଜୟ କୀରଙ୍କ ଲିଖିତ ‘ଡ. ଆମ୍ବେଦକର ଲାଇଫ ଆଣ୍ଡ ମିଶନ’ ପୁସ୍ତକରେ ଏହା ସବିଶେଷ ବର୍ଣ୍ଣନା କରାଯାଇଛି ।
    ଉପରୋକ୍ତ ସମସ୍ତ କାର୍ଯ୍ୟ ଜଣେ ବ୍ୟକ୍ତି କିପରି ସମ୍ପାଦନ କରିପାରୁଥିଲେ ତାହା ଆଶ୍ଚର୍ଯ୍ୟର ବିଷୟ । ଗୋଟିଏ ସାଧାରଣ ଅସ୍ପୃଶ୍ୟ ପରିବାରରେ ଜନ୍ମଗ୍ରହଣ କରି ତକ୍ରାଳୀନ ଦାରିଦ୍ର୍ୟର କଷାଘାତ ସହିତ ଅସ୍ପୃଶ୍ୟତାର ତାଡ଼ନାର ଘୋର ଶିକାର ହୋଇଥିବା ବ୍ୟକ୍ତିଙ୍କର ଏହିପରି ହିମାଳୟ ସଦୃଶ୍ୟ କାର୍ଯ୍ୟାବଳୀ କେବଳ ଜଣେ ମହାମାନବ ପକ୍ଷେ ସମ୍ଭବ । ଏହିପରି ଅନେକ କାର୍ଯ୍ୟ ଓ ଦର୍ଶନ ଦ୍ୱାରା ସମକାଳୀନ ନେତୃମଣ୍ଡଳ ମଧ୍ୟରେ ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ । ବାସ୍ତବରେ ସେ ଜଣେ ଅସାଧାରଣ ଜନନାୟକ ଓ ଚିନ୍ତାନାୟକ ।
    ଆଡଭୋକେଟ
    ଖଟବିନସାହି, କଟକ
    ମୋ-୯୪୩୭୦୧୬୩୮୪

    -ଠ-

Leave a Reply