Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂର୍ବୋତର ଭାରତରୁ ବଡ ସଂକେତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂର୍ବୋତର ଭାରତରୁ ବଡ ସଂକେତ


ଡ. ସମନ୍ୱୟ ନନ୍ଦ
ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ତ୍ରିପୁରା, ନାଗାଲାଣ୍ଡରେ ବିଜେପି ଓ ତାର ସହଯୋଗୀ ଦଳ ପୁଣି ଥରେ କ୍ଷମତାକୁ ପ୍ରତ୍ୟାବର୍ତନ କରିଛନ୍ତି । ମେଘାଳୟରେ ଝୁଲା ବିଧାନସଭା ଗଠନ ହୋଇଛି । ମୋଟ ଉପରେ କହିବାକୁ ଗଲେ ବିଜେପିକୁ ଏହି ରାଜ୍ୟର ଲୋକ ମାନେ ପସନ୍ଦ କରିଛନ୍ତି । ଏହି ତିନୋଟି ରାଜ୍ୟର ନିର୍ବାଚନୀ ଫଳାଫଳ କଣ ବାର୍ତା ଦେଉଛି ସେ ବିଷୟରେ ଏହି ଲେଖାରେ ଆଲୋଚନା କରିବା ।
ପୂର୍ବୋତର ଭାରତର ଲୋକ ମାନେ ସାଧାରଣ ଭାବେ କହିଥାନ୍ତି ଯେ ତାଙ୍କ ଅଂଚଳ ସହ ଦିଲ୍ଲୀରେ ବସିଥିବା ସରକାର ଭେଦଭାବ କରୁଛନ୍ତି । ସ୍ୱାଧୀନତା ପରବର୍ତୀ କାଳଖଣ୍ଡରୁ ଏହି ରାଜ୍ୟ ପ୍ରତି ସେତିକି ଧ୍ୟାନ ଦିଆ ଯାଇ ନାହିଁ ଯେତିକି ଦିଆ ଯିବାର ଆବଶ୍ୟକତା ଥିଲା । ଯଦି ବିଭିନ୍ନ ମାପଦଣ୍ଡ ଆଧାରରେ ଏହି ଅଭିଯୋଗର ସତ୍ୟାସତ୍ୟ ପରୀକ୍ଷା କରା ଯିବ ଏହି ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହେବ ।
ଭାରତ ସ୍ୱାଧୀନ ହେବା ପର ଠାରୁ ଦିଲ୍ଲୀରେ ବସିଥିବା ସରକାର ଓ ରାଜନୈତିକ ଦଳ ମାନଙ୍କର ଭାବନା ଉତର ପୂର୍ବ ରାଜ୍ୟ ମାନଙ୍କ ପ୍ରତି ଅତ୍ୟନ୍ତ ଉଦାସୀନ ରହି ଆସିଥିଲା । ନର୍ଥ ଇଷ୍ଟରେ ରାଜ୍ୟ ଗୁଡିକ ଛୋଟ ଛୋଟ ଓ ଏମାନଙ୍କ ଜନସଂଖ୍ୟା ମଧ୍ୟ ଖୁବ କମ । ଅନେକ ଜନଜାତି ବର୍ଗର ଲୋକ ବିଭିନ୍ନ ରାଜ୍ୟରେ ଅଛନ୍ତି । ସେମାନଙ୍କର ପରମ୍ପରା, ସଂସ୍କତି ଭିନ୍ନ ଭିନ୍ନ । ଏହି ରାଜ୍ୟ ମାନଙ୍କର ଜନସଂଖ୍ୟା କମ ହୋଇଥିବା ଲୋକସଭା ଆସନ କମ ହୋଇଥିବା କାରଣରୁ ଜାତୀୟ ରାଜନୀତିରେ ଏହି ରାଜ୍ୟ ମାନଙ୍କର ପ୍ରଭାବ ମଧ୍ୟ କମ ରହିଛି । ତେଣୁ ଏହି କାରଣରୁ ବୋଧ ହୁଏ ଦିଲ୍ଲୀ ଗାଦୀରେ ବସିଥିବା ସରକାର ମାନେ ଏମାନଙ୍କ ଉପରେ ଧ୍ୟାନ ଦେଉ ନଥିଲେ । ଏହି ଅଂଚଳ ହିମାଳୟ କ୍ଷେତ୍ରରେ ଅବସ୍ଥିତ । ଏହାର ସୀମାରେ ଚୀନ ରହିଛି । ଚୀନ ସୀମାବର୍ତୀ ଏହି ଅଂଚଳ ଗୁଡିକରେ ଭିତିଭୂମି ନିର୍ମାଣ ଆଦୌ କରା ଯାଇ ନଥିଲା । ସେଠାରେ ସଡକ ପଥ ହେଉ, ବା ଏୟାରପୋର୍ଟ କିମ୍ବା ଏୟାରଷ୍ଟ୍ରିପ ହେଉ କିମ୍ବା ରେଳ ଲାଇନ ହେଉ, ସଂଚାର ଭିତିଭୂମି କ୍ଷେତ୍ରରେ ଏହି ଅଂଚଳକୁ ଖୁବ ପଛରେ ରଖା ଯାଇଥିଲା ।
ୟୁପିଏ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିବା ଏ.କେ ଅଂଟୋନୀ ସଂସଦରେ କହିଥିଲେ ଯେ ଚୀନର ସୀମାବର୍ତି ଅଂଚଳରେ ଜାଣି ଶୁଣି ଭାରତ ସରକାର ସଡକ ଓ ଅନ୍ୟ ଭିତିଭୂମି ନିର୍ମାଣ କରୁ ନାହିଁ କାରଣ ଯଦି କାଲି ଚୀନ ଭାରତ ଉପରେ ଆକ୍ରମଣ କରେ ତେବେ ଏହି ଭିତିଭୂମିର ଲାଭ ଚୀନକୁ ମିଳିବ । ତେଣୁ ଭାରତ ସରକାର ନୀତିଗତ ଭାବେ ଭିତିଭୂମି ବିକାଶ ନ କରିବାକୁ ନିଷ୍ପତି ନେଇଛନ୍ତି ।
ଅଂଟୋନୀଙ୍କୁ ଧନ୍ୟବାଦ ଦେବାକୁ ପଡିବ ଯେ ସେ ସତ କଥା କହି ଦେଇଥିଲେ । ହେଲେ କାଳେ ଶତ୍ରୁ ଭାରତ ଉପରେ ଆକ୍ରମଣ କରି ଦେବ ତେଣୁ ନିଜ ଅଂଚଳରେ ଭିତିଭୂମି ନିର୍ମାଣ କରିବି ନାହିଁ. ଏହି ତର୍କ ଠିକ ଭାବେ ବୁଝିବା ସମ୍ଭବ ନୁହେଁ । ତେବେ ଅଂଟୋନୀଙ୍କ ବୟାନ ନର୍ଥ ଇଷ୍ଟର ବାସ୍ତବିକ ସ୍ଥିତିକୁ ସ୍ପଷ୍ଟ କରିଥିଲା ।
୨୦୧୪ ମସିହାରେ ନରେନ୍ଦ୍ ମୋଦୀ କ୍ଷମତାକୁ ଆସିଲେ । ସେ ଏହି ନୀତିକୁ ସମ୍ପୂର୍ଣ ବଦଳାଇ ଦେଲେ । ସ୍ୱାଧୀନତା ପରଠାରୁ ଅବହେଳିତ ହୋଇ ପଡିଥିବା ନର୍ଥ ଇଷ୍ଟକୁ ସେ ବିଶେଷ ପ୍ରଧାନ୍ୟ ଦେଲେ । ସେ ୨୦୧୪ ପର ଠାରୁ ସଡକ ନିର୍ମାଣ ଠାରୁ ଆରମ୍ଭ କରି ରେଳ ପଥ ଓ ବିମାନ ବନ୍ଦର ଓ ଏୟାରଷ୍ଟ୍ରିପ ଠାରୁ ଆରମ୍ଭ ପୋଲ, ଟନେଲ ଆଦି ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଧନରାଶି ଆବଂଟନ କରିଛନ୍ତି । ଆଜି ନର୍ଥ ଇଷ୍ଟ ଭିତିଭୂମି ଦୃଷ୍ଟିରୁ ଦେଶର ଅନ୍ୟ କୌଣସି ଅଂଚଳରୁ ଆଦୌ କମ ନୁହେଁ । ଅନେକ ପ୍ରକଳ୍ପ କାମ କ୍ଷୀପ୍ରଗତିରେ ଚାଲିଛି ଓ ଖୁବ ଶୀଘ୍ର କାମ ଶେଷ ହେବ
ଉତର ପୂର୍ବ ରାଜ୍ୟ ମାନଙ୍କରେ ଅନ୍ୟ ଏକ ବଡ ସମସ୍ୟା ଥିଲା ହିଂସା । ଏହି ଅଂଚଳର ପ୍ରତ୍ୟେକ ରାଜ୍ୟରେ ପ୍ରତିଦିନ ହିଂସା ହେଉଥିଲା । ନୀରିହ ଲୋକ ମାନେ ପ୍ରାଣ ହରାଉଥିଲେ । ଏହାର କାରଣ ହେଲା ସ୍ୱାଧୀନତା ପର ଠାରୁ ୬୦-୬୫ ବର୍ଷର ଶାସନ ସମୟରେ ନର୍ଥ ଇଷ୍ଟ ରାଜ୍ୟ ମାନଙ୍କରେ ବିଭିନ୍ନ ଉଗ୍ରବାଦୀ ସଂଗଠନ ମାନ ମୁଣ୍ଡ ଟେକିଥିଲେ । ଏହି ଇନସର୍ଜେଂଟ ସମୁହ ଗୁଡିକ କୌଣସି ନା କୌଣସି କାରଣରୁ ଅସ୍ତ୍ର ଉଠାଇଥିଲେ । ଏହା ପଛରେ ବିଦେଶୀ ଶକ୍ତି ମାନଙ୍କର ମଧ୍ୟ ହାତ ଥିଲା । ସ୍ଥାନୀୟ ଯୁବକ ମାନଙ୍କୁ ଭ୍ରମିତ କରି ଏମାନଙ୍କୁ ଦେଶ ବିରୁଦ୍ଧରେ ଲଗା ଯାଉଥିଲା । ଏମାନେ ଜାଣତରେ ବା ଅଜାଣତରେ ଏହି ଉଗ୍ରବାଦୀ ସଂଗଠନର ହାତବାରିସୀ ସାଜୁଥିଲେ । ଏହା ସତ୍ୱେ ଭାରତର ସରକାର ମାନେ ଏମାନଙ୍କ ସହିତ କେବେ ହେଲେ ସଠିକ ଭାବେ ବସି ଆଲୋଚନା କରୁ ନ ଥିଲା । ଫଳରେ ବିଭିନ୍ନ ରାଜ୍ୟରେ ଅନେକ ଉଗ୍ରବାଦୀ ସମୂହ ପ୍ରତିଦିନ ହିଂସା କରୁଥିଲେ । ଉଦାହରଣ ସ୍ୱରୂପ ଆସାମରେ ଉଲଫା, ବୋଡୋ ଲିବରେସନ ଟାଇଗର୍ସ, ଦିମା ହାଲିମ ଦାଓଗା, ନାଗାଲାଣ୍ଡରେ ଏନଏସସିଏନ (ଆଇଏମ), ଏନଏସିଏଲଟି, ମଣିପୁରରେ କୁକି ନ୍ୟାସନାଲ ଅର୍ଗାନାଇଜେସନ, ୟୁନାଇଟେଡ ରିଭଲ୍ୟୁସନାରୀ ଫ୍ରଂଟ, ମେଘାଳୟରେ ଏଚଏନଏଲସି , ମିଜୋରାମରେ ଏଚଏନଏ, ତ୍ରିପୁରାରେ ନ୍ୟାସନାଲ ଲିବରେସନ ଫ୍ରଂଟ ଅଫ ତ୍ରିପୁରା ଆଦି ଇନସର୍ଜେଂଟ ସମୂହ ମାନେ କାମ କରୁଥିଲେ । ଏହି ସଂଗଠନ ଗୁଡିକ କାରଣରୁ ପ୍ରତିଦିନ କେଉଁଠି ନା କେଉଁଠି ହିଂସା ହେଉଥିଲା ।
ହେଲେ ୨୦୧୪ ମସିହା ପରେ ନରେନ୍ଦ୍ର ମୋଦୀ ଶାସନରେ ଆସିବା ପରେ ଲଗାତାର ଭାବେ ସ୍ଥାନୀୟ ଇନସର୍ଜେଂଟ ସମୂହ ମାନଙ୍କୁ କଥାବାର୍ତା ପାଇଁ ରାଜି କରିବା ସହ ସେମାନଙ୍କ ସହ ଯୁଦ୍ଧ ବିରତି କରାଇବା ସହ ସେମାନଙ୍କୁ ଆତ୍ମ ସମର୍ପଣ କରା ଯିବାର ପ୍ରକ୍ରିୟା ଚାଲିଛି । ଗତ ପାଖା ପାଖି ୯ ବର୍ଷ ମଧ୍ୟରେ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିଛି । ଅନେକ ଉଗ୍ରବାଦୀ ଅସ୍ତ୍ର ଶସ୍ତ୍ର ଛାଡି ଆତ୍ମ ସମର୍ପଣ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଲଗାତାର ପ୍ରୟାସ ଫଳରେ ୨୦୧୯ ମସିହାରେ ଏନଏଲଏଫଟି ତ୍ରିପୁରା ଚୁକ୍ତି , ୨୦୨୦ ମସିହାରେ ବୋଡୋ ଚୁକ୍ତି ବ୍ରୁ- ରିଆଙ୍ଗ ଚୁକ୍ତି, ୨୦୨୧ରେ କାର୍ବି ଆଂଗଲଗ ଚୁକ୍ତି, ସ୍ୱାକ୍ଷରିତ ହୋଇଛି । ଏହା କିଛି ଉଦାହରଣ ମାତ୍ର । ତେଣୁ ମୋଦୀ ସରକାରଙ୍କ ଏହି ପ୍ରୟାସ କାରଣରୁ ନର୍ଥ ଇଷ୍ଟର ରାଜ୍ୟ ମାନଙ୍କରେ ଆଜି ପ୍ରାୟତଃ ଶାନ୍ତି ରହିଛି । ଲୋକ ମାନେ ଶାନ୍ତିରେ ଜୀବନ ଯାପନ କରିପାରୁଛନ୍ତି ।
ମୋଦୀ ସରକାରଙ୍କ ଏହି ଅଂଚଳରେ ଶାନ୍ତି ସ୍ଥାପନା କରିବା ଦିଗରେ ପ୍ରୟାସ ଓ ସଫଳତାର ପରିଣାମର ଝଲକ ଉତର ପୂର୍ବର ତିନୋଟି ରାଜ୍ୟର ଫଳାଫଳରୁ ସ୍ପଷ୍ଟ ହେଉଛି ।
ଦିଲ୍ଲୀରେ ବସିଥିବା ପୂର୍ବବର୍ତୀ ସରକାର ମାନଙ୍କ ଦ୍ବାରା ଏହି ରାଜ୍ୟ ମାନଙ୍କୁ କେତେ ଗୁରୁତ୍ୱ ଦିଆ ଯାଉଥିଲା ଓ ବର୍ତମାନର ମୋଦୀ ସରକାରଙ୍କ ଦ୍ୱାରା କେତେ ଗୁରୁତ୍ୱ ଦିଆ ଯାଉଛି ତାକୁ ଗୋଟିଏ ଉଦାହରଣ ଦ୍ୱାରା ଖୁବ ସହଜରେ ବୁଝି ହେବ । ୟୁପିଏ ସମୟର ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂହ । ସେ ଏହି ଅଂଚଳରୁ (ଆସାମ)ରୁ ରାଜ୍ୟସଭା ସଦସ୍ୟ ଥିଲେ । ସେ ଏହି ଅଂଚଳର ସାଂସଦ ହୋଇଥିଲେ ସୁଦ୍ଧା ସେ ଏହି ଅଂଚଳକୁ ଗସ୍ତ କରୁ ନ ଥିଲେ । ହେଲେ ବର୍ତମାନର ପ୍ରଧାନମନ୍ତ୍ରୀ ମୋଦୀ ଗତ ପାଂଚ ବର୍ଷ ମଧ୍ୟରେ ୪୭ ଥର ଉତର ପୂର୍ବ ରାଜ୍ୟ ମାନଙ୍କୁ ଗସ୍ତ କରିଛନ୍ତିା ସ୍ୱାଧୀନତା ପର ଠାରୁ କୌଣସି ପ୍ରଧାନମନ୍ତ୍ରୀ ଏତେ ଉତର ପୂର୍ବ ରାଜ୍ୟ ମାନଙ୍କୁ ଗସ୍ତ କରି ନାହାନ୍ତି ଯେତିକି ମୋଦୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଅଂଚଳ ପ୍ରତିବଦ୍ଧତା ପ୍ରତି ଏହା ଠାରୁ ବଡ ଉଦାହରଣ କଣ ବା ହୋଇ ପାରେ । କେବଳ ସେତିକି ନୁହେଁ ମୋଦୀ ଉତର ପୂର୍ବ ରାଜ୍ୟ ମାନଙ୍କର ବିକାଶ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି । ସେ ନିଜେ ସେଠାରେ ଚାଲୁଥିବା ବିକାଶ କାମର ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଦିଲ୍ଲୀରୁ ସମୀକ୍ଷା ନ କରି ଏହି ରାଜ୍ୟ ମାନଙ୍କୁ ଯାଇ ସେଠାରେ ପ୍ରତ୍ୟକ୍ଷ ଫିଲ୍ଡରୁ ସମୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଏହି ଅଂଚଳ ପାଇଁ ଗତ ୮-୯ ବର୍ଷ ଧରି କରା ଯାଇଥିବା କାମର ପରିଣାମ ଏବେ ସାମନାକୁ ଆସୁଛି । ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳକୁ ଏହି ଆଧାରରେ ବିଶ୍ଲେଷଣ କରା ଯିବାର ଆବଶ୍ୟକତା ରହିଛି । ୨୦୨୪ ମସିହାର ସାଧାରଣ ନିର୍ବାଚନ ପାଇଁ ପୂର୍ବୋତର ଭାରତ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ବଡ ସଂକେତ ଦେଉଛି । ରାଜନୈତିକ ପଣ୍ଡିତ ମାନଙ୍କୁ ଏହାକୁ ବୁଝିବାକୁ ପଡିବ ।

Leave a Reply