କାହାଣୀ – ସଂଘର ପ୍ରଥମ ଗୁରୁ ପୂଜନ ଏବଂ ୮୪ ଟଙ୍କା କିଛି ଅଣାର ଗୁରୁଦକ୍ଷିଣା
ଭାରତୀୟ ପରମ୍ପରାରେ “ଆଷାଢ଼ ପୂର୍ଣ୍ଣିମା” ଦିନ “ବ୍ୟାସ ପୂଜା (ଗୁରୁ ପୂଜା)”ର ବିଶେଷ ମହତ୍ତ୍ୱ ରହିଛି। ଏହି ପରମ୍ପରାକୁ ଅନୁସରଣ କରି ସ୍ୱୟଂସେବକମାନଙ୍କ ମନରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମର୍ପଣ ଏବଂ ରାଷ୍ଟ୍ରଭକ୍ତିର ସଂସ୍କାର ବିକଶିତ କରିବା ଉଦ୍ଦେଶ୍ୟରେ ଡ଼. କେଶବ ବଳିରାମ ହେଡଗେୱାର (ଡାକ୍ତର ଜୀ) ୧୯୨୮ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରେ “ଗୁରୁ ପୂଜନ ଉତ୍ସବ” ର ଆରମ୍ଭ କରିଥିଲେ।
ଏହି ଦିନ ପ୍ରତ୍ୟେକ ସ୍ୱୟଂସେବକ ନିଜର ଶ୍ରଦ୍ଧା ଓ ସାମର୍ଥ୍ୟ ଅନୁଯାୟୀ ପରମ ପବିତ୍ର “ଭଗୱା ଧ୍ୱଜ” ସମ୍ମୁଖରେ ପୁଷ୍ପ ଓ ଗୁରୁଦକ୍ଷିଣା ଅର୍ପଣ କରନ୍ତି। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସଂଘର ଆର୍ଥିକ ଆବଶ୍ୟକତା ପ୍ରାୟତଃ ଚାନ୍ଦା ମାଧ୍ୟମରେ ପୂରଣ ହେଉଥିଲା। କିନ୍ତୁ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଧନୀ ହୁଅନ୍ତୁ କିମ୍ବା ଦରିଦ୍ର—ସମସ୍ତଙ୍କୁ କୌଣସି ସଙ୍କୋଚ କିମ୍ବା ଆଗ୍ରହ ବିନା ନିଜ ସାମର୍ଥ୍ୟ ଅନୁସାରେ ସମର୍ପଣ କରିବାର ସୁଯୋଗ ମିଳିଲା।
ଏହି ପଦ୍ଧତିର ଉଦ୍ଦେଶ୍ୟ କେବଳ ଅର୍ଥ ସଂଗ୍ରହ କରିବା ନ ଥିଲା। ଏହା ପଛରେ ଦୁଇଟି ମହତ୍ୱପୂର୍ଣ୍ଣ ଚିନ୍ତାଧାରା ଥିଲା—ପ୍ରଥମତଃ, କୌଣସି ସ୍ୱୟଂସେବକଙ୍କ ଉପରେ ଆର୍ଥିକ ଭାର ନ ପଡ଼ୁ; ଦ୍ୱିତୀୟତଃ, ଦିଆଯାଇଥିବା ଦକ୍ଷିଣା ସହିତ ଉପକାର କିମ୍ବା ଅଧିକାରର ଭାବନା ଯୋଡ଼ି ନ ହେଉ। ଏହିପରି ଗୁରୁଦକ୍ଷିଣାର ପରମ୍ପରା ସଂଘର ଆର୍ଥିକ ଆବଶ୍ୟକତା ପୂରଣ କରିବା ସହିତ ସମର୍ପଣ, ସମାନତା ଓ ଆତ୍ମୀୟତାର ସଂସ୍କାରକୁ ମଧ୍ୟ ସୁଦୃଢ଼ କରିଥିଲା। ଏହା ଡାକ୍ତରଜୀଙ୍କ ଦୂରଦୃଷ୍ଟିର ଏକ ଉତ୍କୃଷ୍ଟ ଉଦାହରଣ। ସେ ଭାରତୀୟ ପରମ୍ପରା, ସଂସ୍କୃତି, ମାନବ ସ୍ୱଭାବ ଏବଂ ସଂଗଠନର ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ଆଦର୍ଶ ଓ ବ୍ୟବହାରିକ ବ୍ୟବସ୍ଥାର ବିକାଶ କରିଥିଲେ।
” ପ୍ରଥମ ଗୁରୁ ପୂଜନର ପ୍ରସଙ୍ଗ “
ପ୍ରଥମ ଗୁରୁ ପୂଜନର ଗୋଟିଏ ଦିନ ପୂର୍ବରୁ ଡାକ୍ତର ଜୀ ସ୍ୱୟଂସେବକମାନଙ୍କୁ କହିଥିଲେ—
” “ଆସନ୍ତାକାଲି ଗୁରୁ ପୂଜନ ଉତ୍ସବ ପାଳନ କରାଯିବ। ତେଣୁ ଆପଣମାନେ ନିଜ ଶ୍ରଦ୍ଧା ଅନୁଯାୟୀ ପୁଷ୍ପ ଏବଂ ଗୁରୁଦକ୍ଷିଣା ନେଇ ଆସନ୍ତୁ।”
ଏହା ଶୁଣି ସ୍ୱୟଂସେବକମାନଙ୍କ ମନରେ ବହୁତ ଉତ୍ସୁକତା ସୃଷ୍ଟି ହେଲା। କେହି ଭାବିଲେ ପରଦିନ ଡାକ୍ତରଜୀ ଙ୍କ ପୂଜା ହେବ, ଆଉ କେହି ଅନୁମାନ କଲେ ଯେ ବୋଧହୁଏ ଅଣ୍ଣା ସୋହୋନି ଙ୍କ ପୂଜା କରାଯିବ।
ପରଦିନ ଧ୍ୱଜାରୋହଣ ପରେ ଡାକ୍ତରଜୀ ଗୁରୁ ପୂଜନର ମହତ୍ତ୍ୱ ବୁଝାଇ ସମସ୍ତଙ୍କ ଜିଜ୍ଞାସାର ସମାଧାନ କରିଥିଲେ। ସେ କହିଥିଲେ—
“ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କୌଣସି ବ୍ୟକ୍ତିଙ୍କୁ ଗୁରୁ ମାନେ ନାହିଁ। ସଂଘ ପରମ ପବିତ୍ର ଭଗୱା ଧ୍ୱଜକୁ ନିଜର ଗୁରୁ ରୂପେ ସ୍ୱୀକାର କରେ। ବ୍ୟକ୍ତି ଯେତେ ମହାନ ହେଉନାହିଁ କାହିଁକି, ତାଙ୍କ ମଧ୍ୟରେ କିଛି ନା କିଛି ଅପୂର୍ଣ୍ଣତା ରହିପାରେ ଏବଂ ସମୟ ସହିତ ତାଙ୍କ ଚିନ୍ତାଧାରା କିମ୍ବା ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଆସିପାରେ। କିନ୍ତୁ ତତ୍ତ୍ୱ ସଦା ଶାଶ୍ୱତ ଏବଂ ଅଟଳ। ଭଗୱା ଧ୍ୱଜ ସେହି ଶାଶ୍ୱତ ତତ୍ତ୍ୱର ପ୍ରତୀକ। ଏହାକୁ ଦେଖିଲେ ଆମ ଦେଶର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ତ୍ୟାଗମୟ ଜୀବନ ଆମ ଆଖି ଆଗରେ ସଜୀବ ହୋଇଉଠେ। ସେଥିପାଇଁ ସଂଘ କୌଣସି ବ୍ୟକ୍ତିଙ୍କୁ ନୁହେଁ, ବରଂ ଭଗୱା ଧ୍ୱଜକୁ ଗୁରୁ ସ୍ଥାନରେ ପ୍ରତିଷ୍ଠିତ କରିଛି।”
ଏହା ପରେ ସର୍ବପ୍ରଥମେ ଡାକ୍ତର ଜୀ ନିଜେ ଭଗୱା ଧ୍ୱଜର ପୂଜା କରିଥିଲେ। ତା’ପରେ ସମସ୍ତ ସ୍ୱୟଂସେବକ କ୍ରମାନୁସାରେ ପୁଷ୍ପ ଓ ଗୁରୁଦକ୍ଷିଣା ଅର୍ପଣ କରିଥିଲେ।
୮୪ ଟଙ୍କା କିଛି ଅଣାର ପ୍ରଥମ ଗୁରୁଦକ୍ଷିଣା
ସଂଘର ପ୍ରଥମ ଗୁରୁ ପୂଜନରେ ସର୍ବମୋଟ ” ୮୪ ଟଙ୍କା ଓ କିଛି ଅଣା” ଗୁରୁଦକ୍ଷିଣା ସଂଗ୍ରହ ହୋଇଥିଲା। ଏହି ପ୍ରସଙ୍ଗର ସବୁଠାରୁ ପ୍ରେରଣାଦାୟକ କଥା ହେଲା—ଜଣେ ସ୍ୱୟଂସେବକ ନିଜ ସାମର୍ଥ୍ୟ ଅନୁଯାୟୀ ମାତ୍ର “ଅଧା ପଇସା” ଗୁରୁଦକ୍ଷିଣା ଅର୍ପଣ କରିଥିଲେ। ତାଙ୍କର ଏହି କ୍ଷୁଦ୍ର ସମର୍ପଣ ମଧ୍ୟ ଯେକୌଣସି ବଡ଼ ଦାନ ପରି ସମାନ ସମ୍ମାନର ଅଧିକାରୀ ଥିଲା।
ଗଙ୍ଗୋତ୍ରୀରୁ ନିର୍ଗତ ଗଙ୍ଗାର କ୍ଷୁଦ୍ର ଧାରା ପରି ଗୁରୁଦକ୍ଷିଣାର ଏହି ପରମ୍ପରା ମଧ୍ୟ ସମୟ ସହିତ ନିରନ୍ତର ବିକଶିତ ହୋଇଚାଲିଲା। ପରବର୍ତ୍ତୀ ସମୟରେ ଏହା କେବଳ ସଂଘର ଆର୍ଥିକ ଆବଶ୍ୟକତା ପୂରଣର ମାଧ୍ୟମ ହୋଇ ରହିଲା ନାହିଁ; ବରଂ ସମର୍ପଣ, ତ୍ୟାଗ, ସମାନତା ଓ ରାଷ୍ଟ୍ରନିଷ୍ଠାର ଭାବନାକୁ ସୁଦୃଢ଼ କରୁଥିବା ଏକ ପ୍ରେରଣାଦାୟକ ଏବଂ ଚିରସ୍ଥାୟୀ ପରମ୍ପରା ଭାବେ ପ୍ରତିଷ୍ଠିତ ହୋଇଛି।