ଅଶୋକ ସିଂଘଲଙ୍କ ଜନ୍ମ ଶତାବ୍ଦୀର ଲୋଗୋ ଜାରି

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ତଥା ଶ୍ରଦ୍ଧେୟ ଅଶୋକ ସିଂଘଲଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ତାଙ୍କ ଜୀବନ, କାର୍ଯ୍ୟ ଓ ସାଂସ୍କୃତିକ ଅବଦାନକୁ ସ୍ମରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଲୋଗୋ ଜାରି କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ମହାମନ୍ତ୍ରୀ ବଜରଙ୍ଗ ଲାଲ ବାଗଡ଼ା ଏହି ଲୋଗୋ ଜାରି କରିଛନ୍ତି।

ଲୋଗୋ ଜାରି କରି ଶ୍ରୀ ବାଗଡ଼ା କହିଛନ୍ତି ଯେ, ଏହା ଅଶୋକ ସିଂଘଲଙ୍କ ଆଧ୍ୟାତ୍ମିକ ସଂସ୍କାର, ହିନ୍ଦୁ ସମାଜର ଗୌରବ ଜାଗରଣ ଏବଂ ଭାରତୀୟ ସଂସ୍କୃତି ପ୍ରତି ତାଙ୍କ ଆଜୀବନ ସମର୍ପଣକୁ ପ୍ରତିଫଳିତ କରେ। ଲୋଗୋରେ ଥିବା ‘ଶ୍ରଦ୍ଧେୟ ଅଶୋକ ସିଂଘଲ’ ନାମ ଶ୍ରଦ୍ଧା ଓ ସମ୍ମାନର ଭାବନାକୁ ପ୍ରକାଶ କରୁଥିବା ବେଳେ ‘ଜନ୍ମ ଶତାବ୍ଦୀ ବର୍ଷ ୧୯୨୬–୨୦୧୫’ ତାଙ୍କ ଜୀବନକାଳକୁ ଉଲ୍ଲେଖ କରୁଛି।

୭ ସେପ୍ଟେମ୍ବର ୨୦୨୬ରେ ଅଶୋକ ସିଂଘଲଙ୍କ ଜନ୍ମର ୧୦୦ ବର୍ଷ ପୂରଣ ହେବା ଅବସରରେ ଏହି ଲୋଗୋ ଜାରି କରାଯାଇଛି। ଏହା ତାଙ୍କ ବିଚାର, ସଂକଳ୍ପ ଓ କାର୍ଯ୍ୟକୁ ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ମାଧ୍ୟମ ହେବ ବୋଲି ଶ୍ରୀ ବାଗଡ଼ା କହିଛନ୍ତି।

ଲୋଗୋରେ ବ୍ୟବହୃତ ଗେରୁଆ ଓ କେସରିଆ ପୃଷ୍ଠଭୂମି ତ୍ୟାଗ, ତପସ୍ୟା, ଆଧ୍ୟାତ୍ମିକ ଚେତନା, ଶୌର୍ଯ୍ୟ ଓ ରାଷ୍ଟ୍ରଧର୍ମ ପ୍ରତି ସମର୍ପଣର ପ୍ରତୀକ ବୋଲି ଦର୍ଶାଯାଇଛି। ଚାରିପଟେ ଥିବା ସୁବର୍ଣ୍ଣ ବଳୟ ଭାରତୀୟ ଜ୍ଞାନ ପରମ୍ପରାର ଶାଶ୍ୱତତା, ଗୌରବ ଓ ଆଲୋକକୁ ପ୍ରତିଫଳିତ କରୁଛି। ଲୋଗୋରେ ଥିବା ଶ୍ରୀରାମ ମନ୍ଦିର ଅଶୋକ ସିଂଘଲଙ୍କ ଜୀବନର ଏକ ପ୍ରମୁଖ ଧ୍ୟେୟ ଏବଂ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ତାଙ୍କ ଅବଦାନର ପ୍ରତୀକ ଭାବେ ସ୍ଥାନ ପାଇଛି। ମନ୍ଦିର ସହ ଲହରାଉଥିବା ଭଗବା ପତାକା ସନାତନ ପରମ୍ପରା, ସଂଗଠନ, ତ୍ୟାଗ ଓ ସାଂସ୍କୃତିକ ସ୍ୱାଭିମାନର ଭାବନାକୁ ପ୍ରକାଶ କରୁଛି।

ଶ୍ରୀ ବାଗଡ଼ା କହିଛନ୍ତି ଯେ, ଲୋଗୋର କେନ୍ଦ୍ରରେ ଥିବା ଅଶୋକ ସିଂଘଲଙ୍କ ଶାନ୍ତ, ତେଜସ୍ୱୀ ଓ ସୌମ୍ୟ ବ୍ୟକ୍ତିତ୍ୱ ତାଙ୍କ ଆଧ୍ୟାତ୍ମିକ ସଂସ୍କାର, ଦୃଢ଼ ସଂକଳ୍ପ, ସଂଗଠନ କୌଶଳ, ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ହିନ୍ଦୁ ସମାଜ ପ୍ରତି ଆତ୍ମୀୟତାକୁ ଦର୍ଶାଉଛି। ତାଙ୍କ ତିଳକ ଓ ଧଳା ପୋଷାକ ସରଳତା, ଆଧ୍ୟାତ୍ମିକ ଆସ୍ଥା ଏବଂ ଭାରତୀୟ ଜୀବନମୂଲ୍ୟ ପ୍ରତି ନିଷ୍ଠାର ପ୍ରତୀକ ବୋଲି ସେ କହିଛନ୍ତି।

ଲୋଗୋରେ ନାମକୁ ଉଜ୍ଜ୍ୱଳ କରୁଥିବା ଗାଢ଼ ଲାଲ- ପଟ୍ଟ ଶକ୍ତି, ସାହସ, ସଂକଳ୍ପ ଓ ସଂଘର୍ଷଶୀଳତାର ଭାବନାକୁ ପ୍ରକାଶ କରୁଥିବା ବେଳେ ତଳଭାଗର ପୀତ-ସୁବର୍ଣ୍ଣ ରଙ୍ଗ ଜ୍ଞାନ, ଆଲୋକ, ମଙ୍ଗଳ ଓ ଭବିଷ୍ୟତ ପ୍ରତି ଆଶାର ବାର୍ତ୍ତା ଦେଉଛି।

ଶ୍ରୀ ବାଗଡ଼ା କହିଛନ୍ତି ଯେ, ଏହି ଲୋଗୋ କେବଳ ଏକ ଦୃଶ୍ୟ ପ୍ରତୀକ ନୁହେଁ, ବରଂ ଅଶୋକ ସିଂଘଲଙ୍କ ଜୀବନ-ସନ୍ଦେଶର ଏକ ପ୍ରତୀକାତ୍ମକ ସଂକଳନ। ଭାରତୀୟ ସଂସ୍କୃତି, ହିନ୍ଦୁ ସମାଜର ସଂଗଠନ, ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସାଂସ୍କୃତିକ ସ୍ୱାଭିମାନ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା ବୋଲି ସେ କହିଛନ୍ତି।

ଜନ୍ମ ଶତାବ୍ଦୀ ବର୍ଷ ତାଙ୍କ ଅବଦାନକୁ ସ୍ମରଣ କରିବା ସହିତ ସେବା, ସଂଗଠନ, ସଂସ୍କାର ଓ ସାଂସ୍କୃତିକ ଚେତନାର ନୂତନ ସଂକଳ୍ପକୁ ଆଗକୁ ବଢ଼ାଇବାର ଅବସର ବୋଲି ଶ୍ରୀ ବାଗଡ଼ା କହିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ସମେତ ବିଭିନ୍ନ ସ୍ଥାନରେ ଜନ୍ମ ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମ, ପ୍ରକାଶନ, ଡିଜିଟାଲ ମାଧ୍ୟମ, ସ୍ମୃତି ଅଭିଯାନ ଓ ଜନସମ୍ପର୍କ କାର୍ଯ୍ୟକ୍ରମରେ ଏହି ଲୋଗୋ ବ୍ୟବହାର କରାଯିବ। ଏହା ଅଶୋକ ସିଂଘଲଙ୍କ ପ୍ରତି କୃତଜ୍ଞ ଶ୍ରଦ୍ଧାଞ୍ଜଳି ସହ ତାଙ୍କ ବିଚାର ଓ ସଂକଳ୍ପକୁ ଆଗକୁ ବଢ଼ାଇବାର ପ୍ରେରଣାର ପ୍ରତୀକ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *