ତୁଳସୀ ଓ ଶ୍ରୀଜଗନ୍ନାଥ

ତୁଳନାହୀନ ମହିମାରେ ଯିଏ ପରିପୂର୍ଣ୍ଣ, ତୃଷ୍ଣାଠାରୁ ମୃଗତୃଷ୍ଣା ପର୍ଯ୍ୟନ୍ତ ଯାହାର ଲୀଳା ପରିବ୍ୟାପ୍ତ, ତୁଳନାରେ ବୈକୁଣ୍ଠ ଅପେକ୍ଷା ଭକ୍ତକୁ ଶ୍ରେଷ୍ଠ ମନେ କରିବା ସହିତ ତା’ର ଭାବ ରାଜ୍ୟରେ ଯିଏ ସଦା ଯାଜ୍ଜୁଲ୍ୟମାନ, ତୁଳସୀ ସହ ସେହି ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ସମ୍ପର୍କ ଓ ତୁଳସୀ ମହିମା ଉପସ୍ଥାପନ କରିବା। ତୁଳସୀ ଶବ୍ଦର ଅର୍ଥ ଓ ତୁଳସୀ ନାମକରଣର ସାର୍ଥକତା ପ୍ରତିପାଦନରୁ ପ୍ରବନ୍ଧ ଆରମ୍ଭ କରାଯାଉ। ଚିନ୍ତା କଲେ ଜଣାଯାଏ ଯେ – “ତ୍ୱମ୍ + ସମ + ଲମ – ଇ ଦତ୍ତେ ତୁଳସୀ। ଅର୍ଥାତ୍ ବ୍ରହ୍ମବିଦ୍ୟା ସାଧନ କ୍ଷେତ୍ରରେ ଯାହାଙ୍କର ପଟ୍ଟାନ୍ତର ନାହିଁ। ତୁଳସୀ ନାମକରଣର ସାର୍ଥକତା ପ୍ରତିପାଦନ କରି ଭକ୍ତ କବି ଦୀନକୃଷ୍ଣ ଦାସ “ନାମରତ୍ନ ଗୀତା’ର ଷଡ଼ବିଂଶ ଅଧ୍ୟାୟରେ ଲେଖିଛନ୍ତି – “ଜଗନ୍ନାଥ ସଙ୍ଗେ ହୋଇଲେ ଏ ସମ, ତେଣୁ କରି ଏହାଙ୍କ ତୁଳସୀ ବୋଲି ନାମ। ଠାକୁରଙ୍କ ସଙ୍ଗତରେ ସରି ହେଲେ ଏହି, ତୁଳସୀ ବୋଲିଣ ଆଉ ନଭୁଲିବେ କେହି। ତୁଳସୀ ବୋଲିଣ ତିନିପୁର ଲୋକ ବୋଲ, ଜଗନ୍ନାଥଙ୍କର ସଙ୍ଗେ ହୋଇଲେକ ତୁଲ। ତୁଳସୀ ବୋଲିଣ ନାମ ଦେଲେ ଦେବଋଷି, ପ୍ରଣାମ ହୋଇଲେ ସର୍ବେ ତାଙ୍କ ପାଦେ ଆସି।’ ମହିମାମୟ ଜଗନ୍ନାଥଙ୍କ ଭଳି ତୁଳସୀ ମହିମା ମଧ୍ୟ ଅସୀମ ଏବଂ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ଜଗନ୍ନାଥଙ୍କ ସତ୍ତା ହିଁ ଏହି ମହିମାର ମୂଳାଧାର। ଏଣୁ ଆଲୋଚନାର ଏଇ ପର୍ଯ୍ୟାୟରେ ତୁଳସୀ-ମହିମା ସମ୍ପର୍କରେ ପାଠକ ମାନଙ୍କୁ ଅବଗତ କରାଇବା ଆବଶ୍ୟକ ମନେ କରୁଛି। ପୁରୁଷୋତ୍ତମ ଜଗନ୍ନାଥ ତୁଳସୀମୟ ଏବଂ ତୁଳସୀ ଦ୍ରୁମ ପୁରୁଷୋତ୍ତମ ରୂପରେ ବିଦ୍ୟମାନ ବୋଲି “ମହାଭାଗବତ ପୁରାଣ’ରେ ଉଲ୍ଲେଖ ଅଛି। ଜଗନ୍ନାଥଙ୍କ ନାଭି କମଳରେ ତୁଳସୀ ସ୍ଥାପନା କରାଯାଇଥାଏ। ପ୍ରଭୁଙ୍କ ବଡ଼ ସିଂହାର ବେଶରେ ନଖ ତୁଳସୀ ଲାଗି କରାଯାଏ ଏବଂ ଦୈନନ୍ଦିନ ନୀତିରେ ତୁଳସୀ ବିଭିନ୍ନ ଭାବରେ ଜଗନ୍ନାଥଙ୍କୁ ସମର୍ପଣ କରାଯାଇଥାଏ, କାରଣ ତୁଳସୀ ବିନା ଶ୍ରୀହରି ପୂଜା ସଫଳ ହୁଏନାହିଁ। ଏଣୁ “ପଦ୍ମପୁରାଣ’ରେ ବର୍ଣ୍ଣନା ଅଛି – “ଯଜ୍ଞ ବ୍ରତ ବିଷ୍ଣୁ ହରିର ଅର୍ଚ୍ଚନା, ସଫଳ ନୁହଇ ତୁଳସୀ ପତ୍ର ବିନା। ତୁଳସୀ ନସେବି ଯେତେ କର୍ମ ସେ କରନ୍ତି, ବିଫଳ ସେ ହୁଏ ହରି ପ୍ରସନ୍ନ ନୁହଁନ୍ତି।’ ତୁଳସୀ ଓ ଜଗନ୍ନାଥ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଉଭୟଙ୍କର ସଂଯୋଗ ଯେମିତି ମହିମାମୟ, ସେତିକି ପୁଣ୍ୟମୟ। ଶେଷରେ ପାଠକ ମାନଙ୍କ ସହ ଭକ୍ତିକବି ବନମାଳୀଙ୍କ ଭାଷାରେ କଳା ଶ୍ରୀମୁଖକୁ ମାଗୁଣି କରୁଛି – “ମଥାରେ ଥିବ ମୋ ତୁମ୍ଭ ଛଡ଼ାମାଳ, ମୁଖରେ ଥିବ ତୁଳସୀ। ମନେ ମନେ ଭାବି ରଚି ହେଉଥିବି, ନୀଳାଦ୍ରି ଶିଖରବାସୀ। ମଣିମା ହେ! ଏତିକି ମାଗୁଣି ମୋର, ମରଣ କାଳରେ ଦରଦଶ ଦେବ କଳାମୁଖ କଳାକର।’

ଯଶସ୍ୱିନୀ ପଟ୍ଟନାୟକ ସେକ୍ଟର-୮, ସିଡିଏ, କଟକ

Leave a Reply

Your email address will not be published. Required fields are marked *