ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ସ୍ୱତନ୍ତ୍ର ପୂଜା ବିଧି । ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା “ମଞ୍ଚସ୍ନାନ” ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତି ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସୁଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ପ୍ରଭୁଙ୍କର ସେନାପଟା ଓ ବାହୁଟି ଲାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷାଭୋଗ ଲାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି । ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ବ୍ୟବହାର କରାଯାଏ । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସୀ ଜଳ ପାଣିଆପଟମାନଙ୍କ ଦ୍ୱାରା ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ମା’ ଶୀତଳା ଙ୍କ ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ନାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ “ପ୍ରତ୍ୟକ୍ଷ ଅବକାଶ’ କହନ୍ତି । ଏହି ଦିନରେ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ଲାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ । ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହେବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତରକାଠ ପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟି ମୂର୍ତ୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ ତେଣୁ ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି । ଏହି ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଯେଉଁ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗକରି ନିଜ ରାଜ୍ୟ କୁ ଫେରିଯିବାକୁ ସ୍ଥିର କରିଥିଲେ। ମହୋଦଧି ରେ ସ୍ନାନ କରି ସେ ନିକଟସ୍ଥ ଏକ ମଠରେ ବିଶ୍ରାମ କଲେ । ସେହି ସମୟରେ ତାଙ୍କୁ ସ୍ୱପ୍ନାଦେଶ ହେଲା “ ଆହେ ଭକ୍ତ ! ତୁମେ ମୋତେ ଯେଉଁ ରୂପରେ ଦେଖିବାକୁ ଚାହୁଁଛ, ମୁଁ ଏବେ ସେହି ରୂପରେ ବିଦ୍ୟମାନ। ତୁମେ ଚାହିଁଲେ ଆଉଥରେ ଶ୍ରୀମନ୍ଦିରକୁ ଆସି ମୋର ଦର୍ଶନ କରିପାରିବ”। ତା’ପରଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । କୁଣ୍ଠିତ ଚିତ୍ତରେ ଗଣପତି ଭଟ୍ଟ ପ୍ରବେଶ କଲେ ଶ୍ରୀମନ୍ଦିର ରେ। ସେତେବେଳେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀରେ ବସିଥାନ୍ତି । ଗଣପତି ଭଟ୍ଟ ରତ୍ନବେଦୀ ଛାଡ଼ି ସ୍ନାନବେଦୀ ରେ ବସିଥିବା ଶ୍ରୀଜଗନ୍ନାଥ ଙ୍କୁ ଦେଖି ଅଭିଭୁତ ହେଲେ। ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । କଳା ଶ୍ରୀମୁଖ ରେ କୁଲାଭଳି କାନ, ଦୁଇଟି ବଡ଼ ବଡ଼ ୍ୱକ୍ରଦନ୍ତ, ଲମ୍ବା ଶୁଣ୍ଢ ଦର୍ଶନ କରି ଗଣପତି ଭଟ୍ଟ ଭକ୍ତିରେ ଗଦଗଦ ହୋଇ ଲୋତକାପ୍ଳୁତ ନୟନରେ ଭୂମିଷ୍ଠ ପ୍ରଣାମ ଜଣାଇଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣରେ। ତାଙ୍କୁ ସନ୍ଦେହ କରିଥିଲେ ବୋଲି ବାରମ୍ବାର କ୍ଷମା ପ୍ରାର୍ଥନା କଲେ । ଉପସ୍ଥିତ ଭକ୍ତମାନେ “ନିସ୍ତରିଲି ..ନିସ୍ତରିଲି” “ଧନ୍ୟ ମହାପ୍ରଭୁ! ଧନ୍ୟ ତୁମର ଲୀଳା!” “ଜୟ ଜଗନ୍ନାଥ” କହି ହୁରି ପକାଇଲେ। ଏ ଅଲୌକିକ ଘଟଣା ଦେଖି ଗଣପତି ଭଟ୍ଟଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରିଥାନ୍ତି । କାଳେ କାଳେ ଭକ୍ତର ଅଧୀନ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ। ଜୟ ଜଗନ୍ନାଥ!!
ପୋତାପୋଖରୀ, କଟକ ମୋ: ୯୩୩୭୨୭୨୬୪୭