ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ-୨୦୨୬
୨,୩,୪ ନଭେମ୍ବର ୨୦୨୬ ଇନ୍ଦୋର
ମାନନୀୟ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ
ବକ୍ତବ୍ୟ:-୨
ଶୁଦ୍ଧି ଆନ୍ଦୋଳନର ଅଗ୍ରଣୀ ନାୟକ ସ୍ୱାମୀ ଶ୍ରଦ୍ଧାନନ୍ଦ
ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସମାଜ ସଂସ୍କାରକ, ଧର୍ମପ୍ରଚାରକ ତଥା ଶୁଦ୍ଧି ଆନ୍ଦୋଳନର ପ୍ରଖର ନାୟକ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ବଳିଦାନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି।
ପଞ୍ଜାବର ଜଳନ୍ଧର ଜିଲ୍ଲା ଅନ୍ତର୍ଗତ ତଲୱନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱାମୀ ଶ୍ରଦ୍ଧାନନ୍ଦ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ପରେ ସମାଜ ଜାଗରଣର ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ବ୍ରିଟିଶ ଶାସକଙ୍କ କୁଠାରାଘାତକୁ ନିର୍ଭୀକ ଭାବେ ମୁକାବିଲା କରିବା ଲକ୍ଷ୍ୟରେ ସେ ହରିଦ୍ୱାର ନିକଟସ୍ଥ କାଙ୍ଗଡ଼ି ଅଞ୍ଚଳରେ ଗୁରୁକୁଳ ପ୍ରତିଷ୍ଠା କରିଥିଲେ। ଭାରତୀୟ ଶିକ୍ଷା ଦର୍ଶନ ଆଧାରରେ ଏହାକୁ ଏକ ବିକଳ୍ପ ଶିକ୍ଷାନୁଷ୍ଠାନ ଭାବେ ବିକଶିତ କରିଥିଲେ।
ଏହି ଗୁରୁକୁଳରେ ଭାରତୀୟ ସଂସ୍କୃତି, ବେଦ ଓ ଭାରତୀୟ ଜ୍ଞାନ ପରମ୍ପରା ସହିତ ଆଧୁନିକ ସମସାମୟିକ ବିଷୟଗୁଡ଼ିକର ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯାଉଥିଲା। ଏଥିସହିତ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ କାଙ୍ଗଡ଼ି ଠାରେ ଥିବା ଗୁରୁକୁଳର ଭୂମିକା ଥିଲା ଉଲ୍ଲେଖନୀୟ ।
ସାମାଜିକ ଭେଦଭାବ ବିରୋଧରେ ସ୍ୱାମୀଜୀଙ୍କ ସଂଘର୍ଷ ମଧ୍ୟ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା। ତତ୍କାଳୀନ ସାମାଜିକ ରୂଢ଼ିବାଦ ଓ ଭ୍ରାନ୍ତ ଧାରଣା ଯୋଗୁଁ କେରଳର ବୈକମ୍ସ୍ଥିତ ଶିବ ମନ୍ଦିରରେ ସେ ସମୟରେ ପଛୁଆ ବର୍ଗର ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା। ଏପରିକି ମନ୍ଦିର ଚାରିପାଖରେ ଥିବା ସାର୍ବଜନୀନ ରାସ୍ତାରେ ମଧ୍ୟ ଚାଲିବାରୁ ସେମାନଙ୍କୁ ବଞ୍ଚିତ କରାଯାଉଥିଲା। ଏହି ଭେଦଭାବ ବିରୋଧରେ ହୋଇଥିବା ଐତିହାସିକ ବୈକମ୍ ଆନ୍ଦୋଳନରେ ସ୍ୱାମୀ ଶ୍ରଦ୍ଧାନନ୍ଦ ନିଜେ ସାମିଲ ହୋଇଥିଲେ। ଏହି ମହତ୍ କାର୍ଯ୍ୟ ପାଇଁ ସେ ଶ୍ରୀ ନାରାୟଣ ଗୁରୁଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ସାମାଜିକ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ସକ୍ରିୟତା ଯୋଗୁଁ ଭାରତରତ୍ନ ଡ. ବି.ଆର. ଆମ୍ବେଦକର ମଧ୍ୟ ତାଙ୍କୁ ସାମାଜିକ ଓ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ଜଣେ ମହାନ ଓ ପ୍ରକୃତ ହିତୈଷୀ ଭାବେ ମାନୁଥିଲେ ।
ସ୍ୱାଧୀନତା ଆନ୍ଦୋଳନ ସମୟରେ ଜନଜାଗରଣ ସୃଷ୍ଟି ପାଇଁ ସେ ‘ସତଧର୍ମ ପ୍ରଚାର’, ‘ତେଜ’, ‘ବୀର ଅର୍ଜୁନ’ ଓ ‘ଲିବରେଟର’ ଆଦି ପତ୍ରପତ୍ରିକାର ପ୍ରକାଶନ ଆରମ୍ଭ କରି ଏହା ମାଧ୍ୟମରେ ବ୍ରିଟିଶ ଶାସକଙ୍କ ମିଥ୍ୟା, କପଟ ଓ ଷଡ଼ଯନ୍ତ୍ରକୁ ଲୋକଲୋଚନକୁ ଆଣିବା ସହ ନିର୍ଭୀକ, ଦୃଢ଼ ଓ ଆଦର୍ଶନିଷ୍ଠ ସାମ୍ବାଦିକତାର ଉଦାହରଣ ସୃଷ୍ଟି କରିଥିଲେ।
ପ୍ରତିକୂଳ ସାମାଜିକ ଓ ଧାର୍ମିକ ପରିସ୍ଥିତି ଏବଂ ଭ୍ରାନ୍ତ ମାନ୍ୟତା ଯୋଗୁଁ ତତ୍କାଳୀନ ହିନ୍ଦୁ ସମାଜ ଧର୍ମାନ୍ତରଣର ଶିକାର ହେଉଥିଲା। ଧର୍ମାନ୍ତରିତ ଲୋକଙ୍କ ପୁନର୍ବାର ନିଜ ଧର୍ମକୁ ଫେରିବାର ମାର୍ଗ ମଧ୍ୟ ବନ୍ଦ ଥିଲା। ଏଭଳି ପରିସ୍ଥିତିରେ ସ୍ୱାମୀଜୀ ‘ଶୁଦ୍ଧି ଆନ୍ଦୋଳନ’ ଆରମ୍ଭ କରି ଧର୍ମାନ୍ତରିତ ହିନ୍ଦୁମାନଙ୍କୁ ପୁନର୍ବାର ହିନ୍ଦୁ ଧର୍ମକୁ ଫେରାଇ ଆଣିବାର ଅଭିଯାନ ଆରମ୍ଭ କରିଥିଲେ। ମୋପଲା ନରସଂହାର ପରେ କେରଳ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଶୁଦ୍ଧି ଆନ୍ଦୋଳନ ମାଧ୍ୟମରେ ହଜାର ହଜାର ଲୋକଙ୍କ ଘରବାହୁଡ଼ା କରାଇଥିଲେ।
ସ୍ୱାମୀଜୀଙ୍କ ପୁରୁଷାର୍ଥ ଓ ପରମାର୍ଥର ଆଦର୍ଶ, ନିରନ୍ତର ସମାଜସେବା ଏବଂ ଧର୍ମ ଜାଗରଣ କାର୍ଯ୍ୟକୁ ବିରୋଧ କରି ଅବଦୁଲ ରଶିଦ ନାମକ ଜଣେ ଧର୍ମାନ୍ଧ ବ୍ୟକ୍ତି ୧୯୨୬ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀଠାରେ ତାଙ୍କୁ ହତ୍ୟା କରିଥିଲା।
କର୍ମନିଷ୍ଠା ଓ ସମାଜସେବାର ପ୍ରେରଣାଦାୟୀ ପୁରୁଷ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ଜୀବନ ଓ କାର୍ଯ୍ୟରୁ ପ୍ରେରଣା ନେଇ ଧର୍ମରକ୍ଷା ପାଇଁ ସର୍ବଦା ସକ୍ରିୟ ରହିବାକୁ ସଂଘ ସମସ୍ତଙ୍କୁ ଆହ୍ୱାନ ଦେଉଛି।