ଶତାବ୍ଦୀ ବର୍ଷରେ ୧୦ କୋଟିରୁ ଅଧିକ ପରିବାର ସହ ସମ୍ପର୍କ ସ୍ଥାପନ କଲା ସଂଘ
ଦେଶର ୧,୦୩,୩୯୭ ସ୍ଥାନରେ ପ୍ରତ୍ୟକ୍ଷ ସଂଘ କାର୍ଯ୍ୟ; ୯୯,୪୨୩ ଦୈନିକ ଶାଖା କାର୍ଯ୍ୟକ୍ଷମ।
ପଞ୍ଚ ପରିବର୍ତ୍ତନର କ୍ରିୟାନ୍ୱୟନ, ଶାଖା ବିସ୍ତାର ଓ ସମାଜ ଜାଗରଣ ଉପରେ ଗୁରୁତ୍ୱ
ଇନ୍ଦୋର, ୪/୧୧ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଡେଲି କଲେଜରେ ସମାପ୍ତ ହୋଇଛି। ବୈଠକର ଶେଷ ଦିନରେ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶତାବ୍ଦୀ ବର୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ, ସଂଗଠନର ବିସ୍ତାର, ସେବା କାର୍ଯ୍ୟ ଏବଂ ଆଗାମୀ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ବୈଠକରେ ଆମନ୍ତ୍ରିତ ୪୦୬ ଜଣ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ ୩୯୮ ଜଣ ଉପସ୍ଥିତ ଥିଲେ। ପ୍ରତିବର୍ଷ ଦଶହରା ଓ ଦୀପାବଳି ମଧ୍ୟରେ ଆୟୋଜିତ ହେଉଥିବା ଏହି ବୈଠକରେ ସଂଘର ଶତାବ୍ଦୀ ବର୍ଷ ଅବସରରେ ବର୍ଷତମାମ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିଲା। ସମାଜର ବ୍ୟାପକ ସହଯୋଗରେ ଏହି ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବା ସରକାର୍ଯ୍ୟବାହ କହିଥିଲେ। ସଂଘର ବିଚାରଧାରା ଓ କାର୍ଯ୍ୟପଦ୍ଧତି ସହ ସମାଜର ସଜ୍ଜନଶକ୍ତିକୁ ଯୋଡ଼ିବା ପାଇଁ ଶତାବ୍ଦୀ ବର୍ଷ ଏକ ବିଶେଷ ସୁଯୋଗ ଆଣିଥିଲା ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରାକୃତିକ ବିପର୍ଯ୍ୟୟରେ ସେବା କାର୍ଯ୍ୟକୁ ଗୁରୁତ୍ୱ
ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱୟଂସେବକମାନେ ସ୍ଥାନୀୟ ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କ ସହ ମିଶି ରିଲିଫ୍ ଓ ସେବା କାର୍ଯ୍ୟ କରିଥିଲେ।
ଚିତ୍ରକୂଟରେ ମନ୍ଦାକିନୀ ନଦୀରେ ଭୟଙ୍କର ବନ୍ୟା ଯୋଗୁଁ ପ୍ରଭାବିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ୩୫୦ ଜଣ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ୬ ହଜାରରୁ ଅଧିକ ଲୋକଙ୍କ ପାଇଁ ନିୟମିତ ଭୋଜନ ବ୍ୟବସ୍ଥା କରାଯିବା ସହ ୫,୬୦୦ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏଥିସହ ପଶୁମାନଙ୍କ ଟିକାକରଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଲକ୍ଷ୍ନୌ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ୩୦୦ରୁ ଅଧିକ ସ୍ୱୟଂସେବକ ପ୍ରଭାବିତ ପରିବାରଙ୍କୁ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ।
ଆସାମର ଶିବସାଗର ଓ ଜୋରହାଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ୧,୬୦୦ରୁ ଅଧିକ ସ୍ୱୟଂସେବକ ୪୨,୨୦୦ ପରିବାର ପାଖରେ ଖାଦ୍ୟ, ଜଳ ଓ ଔଷଧ ଆଦି ସହାୟତା ପହଞ୍ଚାଇଥିଲେ। ଏହି ସେବା କାର୍ଯ୍ୟ ପାଇଁ ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା।
ସେହିପରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ଅର୍ଣ୍ଣବ ଚକ୍ରବାତ ଯୋଗୁଁ ପ୍ରଭାବିତ କନ୍ଧମାଳ, ଗଞ୍ଜାମ, ଶ୍ରୀକାକୁଲମ ଓ ବିଜୟୱାଡ଼ା ଅଞ୍ଚଳରେ ସ୍ୱୟଂସେବକମାନେ ସ୍ଥାନୀୟ ସମାଜକୁ ସାଙ୍ଗରେ ନେଇ ବିଭିନ୍ନ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଦେଶର ୧,୦୩,୩୯୭ ସ୍ଥାନରେ ସଂଘ କାର୍ଯ୍ୟ
ଶତାବ୍ଦୀ ବର୍ଷରେ ସଂଘର ଶାଖା ବିସ୍ତାର ଓ ସାଂଗଠନିକ ଦୃଢ଼ୀକରଣ ଉପରେ ବିଶେଷ ସମୀକ୍ଷା କରାଯାଇଥିଲା। ଶାଖାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଓ ନିୟମିତ କରିବା ସହ ନୂଆ ନୂଆ ସ୍ଥାନରେ ଶାଖା ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା।
ସରକାର୍ଯ୍ୟବାହଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଦେଶର ୬୩,୨୦୮ଟି ସ୍ଥାନରେ ୯୯,୪୨୩ଟି ଦୈନିକ ଶାଖା ଚାଲୁଛି। ଗତବର୍ଷ ତୁଳନାରେ ଦୈନିକ ଶାଖା ସଂଖ୍ୟାରେ ୧୨,୦୨୫ ଏବଂ ଶାଖା ଚାଲୁଥିବା ସ୍ଥାନ ସଂଖ୍ୟାରେ ୮,୧୫୬ ବୃଦ୍ଧି ହୋଇଛି।
ଏହାବ୍ୟତୀତ ୨୬,୮୨୬ଟି ସ୍ଥାନରେ ୩୪,୯୮୨ଟି ସାପ୍ତାହିକ ମିଳନ ଏବଂ ୧୩,୩୬୩ଟି ସ୍ଥାନରେ ୧୪,୦୯୬ଟି ମାସିକ ମଣ୍ଡଳୀ ଚାଲୁଛି। ସାପ୍ତାହିକ ମିଳନ ସଂଖ୍ୟାରେ ୨,୭୧୨ ଏବଂ ମାସିକ ମଣ୍ଡଳୀ ସଂଖ୍ୟାରେ ୪୬୩ ବୃଦ୍ଧି ହୋଇଛି। ଗତବର୍ଷ ୯୩,୧୫୬ଟି ସ୍ଥାନରେ ସଂଘ କାର୍ଯ୍ୟ ଚାଲୁଥିବା ବେଳେ ଚଳିତ ବର୍ଷ ଏହା ୧,୦୩,୩୯୭ଟି ସ୍ଥାନକୁ ବୃଦ୍ଧି ପାଇଛି।
ସଂଘର ଭୌଗୋଳିକ ସାଂଗଠନିକ ରଚନାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଦେଶରେ ୪୬ଟି ପ୍ରାନ୍ତ ଥିବାବେଳେ ଏଣିକି ୮୮ଟି ସମ୍ଭାଗ ଗଠନ କରାଯିବ।
ଶତାବ୍ଦୀ ବର୍ଷରେ ୬୫,୬୬୪ଟି ହିନ୍ଦୁ ସମ୍ମିଳନୀ
ସଂଘର ଶତାବ୍ଦୀ ବର୍ଷ ଅବସରରେ ବିଜୟାଦଶମୀ ୨୦୨୫ରୁ ବିଜୟାଦଶମୀ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିଲା। ସମାଜର ବିଭିନ୍ନ ବର୍ଗଙ୍କ ନିକଟରେ ସଂଘର ବିଚାରଧାରା, ହିନ୍ଦୁତ୍ୱ ଓ ପଞ୍ଚ ପରିବର୍ତ୍ତନର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ବର୍ଷତମାମ ଅନେକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ହିନ୍ଦୁ ସମ୍ମିଳନ: ସାମାଜିକ ସମରସତା, ପାରସ୍ପରିକ ସହଯୋଗ ଓ ସକାରାତ୍ମକ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଦେଶବ୍ୟାପୀ ୬୫,୬୬୪ଟି ହିନ୍ଦୁ ସମ୍ମିଳନ ଆୟୋଜିତ ହୋଇଥିଲା। ଏଥିରେ ୪,୯୩,୭୬,୬୯୪ ଜଣ ସମାଜର ଲୋକ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ୨ କୋଟି ୨୫ ଲକ୍ଷରୁ ଅଧିକ ମାତୃଶକ୍ତିଙ୍କ ସହଭାଗିତା ଉଲ୍ଲେଖନୀୟ ଥିଲା। ୩,୦୮,୪୪୯ଟି ଗ୍ରାମ, ୩୭,୦୮୦ଟି ଗ୍ରାମୀଣ ମଣ୍ଡଳ ଓ ୨୮,୫୮୪ଟି ସହରାଞ୍ଚଳ ବସ୍ତିରେ ଏହି ସମ୍ମିଳନ ଆୟୋଜନ ହୋଇଥିଲା। ଅରୁଣାଚଳ ପ୍ରଦେଶ, ଲଦାଖ ଓ ଆଣ୍ଡାମାନ ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହା ଆୟୋଜିତ ହୋଇଥିଲା।
ଗୃହ ସମ୍ପର୍କ ଅଭିଯାନ: ସଂଘର ଶହେ ବର୍ଷର ଯାତ୍ରା ଓ ବିଚାରଧାରାକୁ ଘରେ ଘରେ ପହଞ୍ଚାଇବା ପାଇଁ ଗୃହ ସମ୍ପର୍କ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ୪,୬୩,୩୪୦ଟି ଗ୍ରାମ ଓ ୪୧,୮୨୫ଟି ସହରାଞ୍ଚଳ ବସ୍ତିର ୧୦,୨୨,୦୫,୬୬୫ଟି ପରିବାର ସହ ସମ୍ପର୍କ ସ୍ଥାପନ କରାଯାଇଥିଲା। ସ୍ୱୟଂସେବକମାନେ ପ୍ରତ୍ୟେକ ଘରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ବସି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
ଯୁବ କାର୍ଯ୍ୟକ୍ରମ: ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୨୧,୨୩୭ଟି ସ୍ଥାନରେ ୫୭,୨୪୩ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୩୧,୨୬,୪୦୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସେହିପରି ଯୁବ ବୃତ୍ତିଜୀବୀଙ୍କ ପାଇଁ ୧୪,୨୮୫ଟି କାର୍ଯ୍ୟକ୍ରମ ହୋଇଥିବାବେଳେ ଏଥିରେ ୬,୯୦,୮୩୫ ଜଣ ଯୁବକ ଯୋଗଦେଇଥିଲେ। ଏହିପରି ମୋଟ ୩୮,୧୭,୨୩୯ ଜଣ ଯୁବକ ଯୁବତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ପ୍ରମୁଖ ଜନଗୋଷ୍ଠୀ: ଜିଲ୍ଲା କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ୩,୨୦୭ଟି ଜନଗୋଷ୍ଠୀ ଆୟୋଜିତ ହୋଇଥିଲା। ଏଥିରେ ୪,୨୯,୨୬୨ ଜଣ ସମାଜର ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ।
ସାମାଜିକ ସଦ୍ଭାବ ବୈଠକ: ସାମାଜିକ ଭେଦଭାବ ଦୂର କରିବା, ପାରସ୍ପରିକ ସହଯୋଗ ବୃଦ୍ଧି ଏବଂ ସାମାଜିକ ସମସ୍ୟାର ସମାଧାନ ପାଇଁ ୫,୦୨୮ଟି ଗ୍ରାମୀଣ ଖଣ୍ଡ ଓ ୩,୩୧୮ଟି ସହରରେ ମୋଟ ୮,୩୪୬ଟି ସାମାଜିକ ସଦ୍ଭାବନା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ୩୬,୯୧୬ ଜଣ ମାତୃଶକ୍ତିଙ୍କ ସମେତ ୩,୭୯,୫୮୧ ଜଣ ସମାଜର ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ।
ଯୁବପିଢ଼ିକୁ ନିଶା କବଳରୁ ରକ୍ଷା ପାଇଁ ସାମାଜିକ ଜାଗରଣ:
ଯୁବପିଢ଼ି ମଧ୍ୟରେ ବଢ଼ୁଥିବା ନିଶାଦ୍ରବ୍ୟ ସେବନ ପ୍ରବୃତ୍ତିକୁ ନେଇ ସମାଜ ଓ ସରକାର ଉଭୟ ଚିନ୍ତିତ। ଯୁବସମାଜକୁ ନିଶାଦ୍ରବ୍ୟର କବଳରୁ ରକ୍ଷା କରିବା ପାଇଁ ସାମାଜିକ ସଂଗଠନଗୁଡ଼ିକ ସହଯୋଗ କରିବାକୁ ସଂଘ ଆହ୍ୱାନ ଦେଇଛି। ନିଶାଦ୍ରବ୍ୟର ଆନ୍ତର୍ଜାତିକ ବେଆଇନ ବ୍ୟବସାୟ ଓ ଏହା ପଛରେ ଥିବା ଷଡ଼ଯନ୍ତ୍ରରୁ ଯୁବପିଢ଼ିକୁ ସୁରକ୍ଷା ଦେବା ପାଇଁ ସରକାର ଓ ପ୍ରଶାସନ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଗୃହ ମନ୍ତ୍ରଣାଳୟ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନେଉଛି। ବୈଠକରେ ନିଶା ବିରୋଧରେ ସାମାଜିକ ଚେତନା ସୃଷ୍ଟି ଏବଂ ନିଶାଗ୍ରସ୍ତଙ୍କ ପୁନର୍ବାସ କ୍ଷେତ୍ରରେ ସାମାଜିକ ସଂଗଠନଗୁଡ଼ିକ ସହ ମିଶି କାମ କରିବା ପାଇଁ ଯୋଜନା ହୋଇଥିଲା।
ତିନି ମହାନ ବ୍ୟକ୍ତିତ୍ୱଙ୍କ ଉପରେ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ
ବୈଠକ ଅବସରରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ତିନିଜଣ ଐତିହାସିକ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ତିନୋଟି ବକ୍ତବ୍ୟ ଜାରି କରିଥିଲେ।
ପ୍ରଥମେ, ରାଷ୍ଟ୍ରୀୟ ଚେତନାର ଅଗ୍ରଦୂତ ଶ୍ରୀ ରାଜନାରାୟଣ ବସୁଙ୍କ ୨୦୦ତମ ଜୟନ୍ତୀ ଅବସରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ଗରିବଙ୍କ ଉତ୍ଥାନ, ନିଶା ନିବାରଣ, ମହିଳା ଶିକ୍ଷାର ପ୍ରସାର, ବିଧବା ବିବାହର ପ୍ରଚଳନ ଏବଂ ସ୍ୱଦେଶୀ, ସ୍ୱଭାଷା ଓ ସ୍ୱଧର୍ମର ସୁରକ୍ଷା ଦିଗରେ ତାଙ୍କର ଉଦ୍ୟମକୁ ମନେ ପକାଯାଇଥିଲା।
ଦ୍ୱିତୀୟରେ, ଶୁଦ୍ଧି ଆନ୍ଦୋଳନର ପୁରୋଧା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ବଳିଦାନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ତାଙ୍କର ଜୀବନ, କାର୍ଯ୍ୟ ଓ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ତୃତୀୟରେ, ଓଡ଼ିଶାର କନ୍ଧମାଳ ଜନଜାତି ଅଞ୍ଚଳରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଧର୍ମ ଜାଗରଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ତାଙ୍କର ପୁଣ୍ୟ ସ୍ମୃତିଚାରଣ କରାଯାଇଥିଲା। ସଂସ୍କୃତ ଶିକ୍ଷା, ମହିଳା ଭଜନ କେନ୍ଦ୍ର, ଗୋପାଳନ, କୃଷି ଓ ଜଳ ସଂରକ୍ଷଣ ମାଧ୍ୟମରେ ଜନଜାତି ସମାଜକୁ ସ୍ୱାବଲମ୍ବୀ କରିବା ଦିଗରେ ସ୍ୱାମୀଜୀଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଧରଣୀ ପେନୁ ପୂଜା, ଜଗନ୍ନାଥଙ୍କ ନିର୍ମାଲ୍ୟ, ଗଙ୍ଗାଜଳ ଓ ତୁଳସୀ ଗଛର ମାଟି ଏବଂ ପତ୍ର ମାଧ୍ୟମରେ ଘରବାହୁଡ଼ାର ଏକ ସରଳ ମାର୍ଗ ସେ ପ୍ରବର୍ତ୍ତନ କରିଥିବା ବକ୍ତବ୍ୟରେ ଉଲ୍ଲେଖ କରାଯାଇଥିଲା।
ତିନି ଦେଶ ଗସ୍ତରେ ଭାରତର ଏକତାର ବାର୍ତ୍ତା ପହଞ୍ଚାଇଲେ ସରସଂଘଚାଳକ:
ଅଗଷ୍ଟ ଓ ସେପ୍େଟମ୍ବର ମାସରେ ସରସଂଘଚାଳକ ଡ. ମୋହନ ଭାଗବତ ତିନୋଟି ଦେଶ ଗସ୍ତ କରିଥିଲେ। ଏହି ଗସ୍ତର ଉଦ୍ଦେଶ୍ୟ ଥିଲା ବିଶ୍ୱ ଏକତା ଓ ମାନବ ଏକତା ପାଇଁ ଭାରତର ବାର୍ତ୍ତା ପହଞ୍ଚାଇବା। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି, ସାମାଜିକ ନେତୃତ୍ୱ ଓ ବିଶିଷ୍ଟ ବିଶ୍ୱବିଦ୍ୟାଳୟର ବିଦ୍ୱାନମାନଙ୍କ ସହ ବ୍ୟକ୍ତିଗତ ଓ ସାମୂହିକ ଆଲୋଚନା କରିଥିଲେ। ଏଥିସହ ସ୍ୱାମୀନାରାୟଣ ମନ୍ଦିର, ଖାଲସା ଗୁରୁଦ୍ୱାର ଓ ଜୈନ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ବିଦେଶରେ ସଂଘର କାର୍ଯ୍ୟପଦ୍ଧତି, ହିନ୍ଦୁତ୍ୱ ଓ ଭାରତୀୟ ରାଷ୍ଟ୍ରୀୟତା ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସୁକତା ଥିବା ସରକାର୍ଯ୍ୟବାହ କହିଥିଲେ।
ପରିବାରରେ ସଂସ୍କାର ଓ ଅନୁଶାସନ ଉପରେ ଗୁରୁତ୍ୱ:
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସରକାର୍ଯ୍ୟବାହ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟାର ବିକାଶକୁ ରୋକିବା ସମ୍ଭବ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଅନାବଶ୍ୟକ ଓ ଅନୁଚିତ ବିଷୟବସ୍ତୁର ପ୍ରସାର ରୋକିବା ପାଇଁ ସରକାର ସାମାଜିକ ଓ ଧାର୍ମିକ ନେତୃତ୍ୱକୁ ସାଙ୍ଗରେ ନେଇ ଆବଶ୍ୟକ ଆଇନଗତ ନିଷ୍ପତ୍ତି ନେବା ଉଚିତ। ସଂଘ ପରିବାରରେ ସଂସ୍କାର ଓ ଅନୁଶାସନ ଉପରେ ଗୁରୁତ୍ୱ ଦେଇଥାଏ। ମୋବାଇଲ୍ରୁ କିଛି ସମୟ ଦୂରେଇ ରହି ପରିବାର ସଦସ୍ୟମାନେ ଏକାଠି ବସି ସକାରାତ୍ମକ ବିଷୟରେ ଆଲୋଚନା କରିବା ଆବଶ୍ୟକ। ଜୀବନମୂଲ୍ୟ ଓ ସାମାଜିକ ସଂସ୍କାର ଶିକ୍ଷା ଦେବାର ଦାୟିତ୍ୱ ପରିବାରକୁ ନେବାକୁ ପଡ଼ିବ ବୋଲି ସେ କହିଥିଲେ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ହିଁ କ୍ଷମତା ପରିବର୍ତ୍ତନ ସମ୍ଭବ
ଗଣତନ୍ତ୍ର ଓ ଜେନ୍ ଜି (ଏରଦ୍ଭ ତ) ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସରକାର୍ଯ୍ୟବାହ କହିଥିଲେ ଯେ ଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ନିର୍ବାଚନ ବ୍ୟବସ୍ଥା ରହିଛି। ଅରାଜକତା ଓ ଅଶାନ୍ତି ମାଧ୍ୟମରେ କ୍ଷମତା ପରିବର୍ତ୍ତନ କରିବା ଦେଶର ହିତରେ ନୁହେଁ। ଭାରତ ଓ ବିଦେଶରେ ଏଭଳି ଷଡ଼ଯନ୍ତ୍ର ଚାଲିଥିବାରୁ ସମସ୍ତେ ସଚେତନ ରହିବା ଆବଶ୍ୟକ।
ଯୁବପିଢ଼ିଙ୍କ ଆକାଂକ୍ଷାକୁ ବୁଝିବା ସହ ସେମାନଙ୍କ ସହ ସକାରାତ୍ମକ ଆଲୋଚନା ହେବା ଉଚିତ। ଯୁବକମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଆକ୍ରୋଶକୁ ସଠିକ୍ ଦିଗରେ ପରିଚାଳିତ କରିବା ଆବଶ୍ୟକ। ସେମାନଙ୍କୁ ଅରାଜକତା ସୃଷ୍ଟିକାରୀ ଷଡ଼ଯନ୍ତ୍ରରୁ ଦୂରେଇ ରଖି ସାମାଜିକ ସମ୍ବେଦନଶୀଳତା, ସେବା ଓ ସକାରାତ୍ମକ କାର୍ଯ୍ୟ ସହ ଯୋଡ଼ିବାକୁ ପଡ଼ିବ। ଭାରତରେ ଅରାଜକ ଶକ୍ତି ଯେପରି ପ୍ରଭାବଶାଳୀ ନ ହୁଅନ୍ତି, ସେଥିପାଇଁ ସମାଜର ସଜ୍ଜନଶକ୍ତି ସକ୍ରିୟ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ସମାଜକୁ ସଂଗଠିତ କରିବା ହିଁ ସଂଘର ଲକ୍ଷ୍ୟ
ସଂଘର ପଞ୍ଜୀକରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଦତ୍ତାତ୍ରେୟ ହୋସବାଲେ କହିଥିଲେ ଯେ ସମାଜ ଓ ସଂଘକୁ ଅଲଗା ଭାବେ ଦେଖିବା ଉଚିତ ନୁହେଁ। ସମଗ୍ର ସମାଜକୁ ସଂଗଠିତ କରିବା ହିଁ ସଂଘର କାର୍ଯ୍ୟ। ତେଣୁ ସଂଘ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିଜର କାର୍ଯ୍ୟ କରୁଛି।
ସେହିପରି ପଞ୍ଚ ପରିବର୍ତ୍ତନ ଓ ସମାଜ ପରିବର୍ତ୍ତନର ସମସ୍ତ କାର୍ଯ୍ୟରେ ମହିଳାଙ୍କ ସହଭାଗିତା ବୃଦ୍ଧି ପାଉଛି। ମହିଳାଙ୍କୁ ବାଦ୍ଦେଇ ସମାଜର କଳ୍ପନା ମଧ୍ୟ ସମ୍ଭବ ନୁହେଁ। ସମାଜର ସମର୍ଥନ ଓ ସହଯୋଗରେ ଚାଲିଥିବା ସଂଘର କାର୍ଯ୍ୟ ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା ଭଳି ଦୁର୍ଗମ ଅଞ୍ଚଳ ସହ କେରଳ ଓ ପଶ୍ଚିମବଙ୍ଗ ଭଳି ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ବିସ୍ତାର ଲାଭ କରୁଛି ବୋଲି ସେ କହିଥିଲେ।
ପଞ୍ଚ ପରିବର୍ତ୍ତନକୁ ସମାଜର ଆଚରଣ ଓ ଦୈନନ୍ଦିନ ଜୀବନରେ ପ୍ରତିଫଳିତ କରିବା, ସଂଗଠନର ବିସ୍ତାର କରିବା ଏବଂ ସମାଜର ବିଭିନ୍ନ ବର୍ଗଙ୍କୁ ରାଷ୍ଟ୍ରୀୟ ଓ ସାମାଜିକ କାର୍ଯ୍ୟ ସହ ଯୋଡ଼ିବା ଆଗାମୀ ଦିନରେ ସଂଘର ପ୍ରମୁଖ ପ୍ରାଥମିକତା ରହିବ ବୋଲି ବୈଠକରୁ ସ୍ପଷ୍ଟ ହୋଇଛି।