କେନିଆ ଯୁବକ ଗିରଫ ଘଟଣା
ପୁରୀ, ୨୪/୧୧: ମୋବାଇଲରେ ଅନ୍ଲାଇନ୍ ଗେମ୍ ଖେଳୁଖେଳୁ ଅଜଣା ବିଦେଶୀ ଯୁବକଙ୍କ ସହ ପରିଚୟ। ପରିଚୟରୁ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଏବଂ ପ୍ରେମରୁ ବିବାହର ପ୍ରତିଶ୍ରୁତି। ଏହାପରେ ଧର୍ମ ପରିବର୍ତ୍ତନ ପାଇଁ ପ୍ରଭାବିତ କରିବା, ଭିଡିଓ କଲ୍ରେ ନଗ୍ନ ଫଟୋ ସଂଗ୍ରହ ଏବଂ ଶେଷରେ ଅପହରଣ, ଯୌନ ଶୋଷଣ ଓ ଅର୍ଥ ଆଦାୟ ପାଇଁ ଧମକ। ପୁରୀର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କେନ୍ଦ୍ରକରି ସାମ୍ନାକୁ ଆସିଥିବା ଏହି ଘଟଣା ଅନ୍ଲାଇନ୍ ଗେମ୍ ଓ ସୋସିଆଲ୍ ମିଡିଆରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳର ଜଣେ ନାବାଳିକା ୨୦୨୫ ସେପ୍ଟେମ୍ବରରେ ନିଜ ମୋବାଇଲରେ ‘କ୍ୟାରମ୍ କିଙ୍ଗ୍’ ଅନ୍ଲାଇନ୍ ଗେମ୍ ଖେଳୁଥିବା ସମୟରେ କେନିଆର ମହମ୍ମଦ ଫୈଜ୍ ମହମ୍ମଦ (୩୪)ଙ୍କ ସହ ପରିଚିତ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ନିୟମିତ ଚାଟିଂ ହେବା ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ନାବାଳିକାଙ୍କ ବିଶ୍ୱାସ ଜିତିବା ପରେ ଅଭିଯୁକ୍ତ ତାଙ୍କୁ ଇସଲାମ ଧର୍ମ ଓ ମହମ୍ମଦ ପ୍ରଫେଟଙ୍କ ମହିମା ସମ୍ପର୍କରେ ବୁଝାଇ ଧର୍ମ ପରିବର୍ତ୍ତନ ପାଇଁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ପରେ ବିବାହର ପ୍ରତିଶ୍ରୁତି ଦେଇ ଭିଡିଓ କଲ୍ ଜରିଆରେ ନାବାଳିକାଙ୍କଠାରୁ ନଗ୍ନ ଫଟୋ ସଂଗ୍ରହ କରିଥିଲେ। ତଦନ୍ତରେ ଅଭିଯୁକ୍ତଙ୍କ ମୋବାଇଲ୍ ଓ ସୋସିଆଲ୍ ମିଡିଆରେ ଅନ୍ୟ ନାବାଳିକାଙ୍କ ସହ ଯୋଗାଯୋଗର ତଥ୍ୟ ମିଳିଥିବା ଜଣାପଡ଼ିଛି। ଏହା କେବଳ ଜଣେ ନାବାଳିକାଙ୍କ ସହ ହୋଇଥିବା ବ୍ୟକ୍ତିଗତ ସମ୍ପର୍କ ନା ଏକାଧିକ ନାବାଳିକାଙ୍କୁ ଏଭଳି ଢଙ୍ଗରେ ସମ୍ପର୍କ ଜାଲରେ ଫସାଇବାର ଉଦ୍ୟମ ହୋଇଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ। ନଗ୍ନ ଫଟୋ ସଂଗ୍ରହ ପଛରେ ବ୍ଲାକମେଲ୍ କରିବାର ଉଦ୍ଦେଶ୍ୟ ଥିବା ଅଭିଯୋଗ ମଧ୍ୟ ଏହି ମାମଲାକୁ ନୂଆ ମୋଡ଼ ଦେଇଛି।
ଅଭିଯୁକ୍ତ ଗତ ୧୦ ତାରିଖରେ ନିଜ ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ଭାରତ ଆସିଥିଲେ। ଅହମଦାବାଦରେ ବାପାଙ୍କୁ ଚିକିତ୍ସା ପାଇଁ ଛାଡ଼ି ଗତ ୧୮ ତାରିଖରେ ପୁରୀରେ ପହଞ୍ଚିଥିଲେ। ଏଠାରେ ନାବାଳିକାଙ୍କ ସହ ଦେଖା କରିବା ପରେ ତାଙ୍କୁ ଭୁବନେଶ୍ୱର ଯିବାକୁ ପ୍ରସ୍ତାବ ଦେଇଥିଲେ। ଯୋଜନା ଅନୁସାରେ ନାବାଳିକା ଏକ କାର୍ ଭଡ଼ା କରି ଭୁବନେଶ୍ୱର ଯାଇଥିଲେ। ବରମୁଣ୍ଡା ଅଞ୍ଚଳରେ ଉଭୟଙ୍କ ଦେଖା ହୋଇଥିଲା। ପରେ କଟକରେ କେତେକ ହୋଟେଲ୍ରେ ରହିବାକୁ ଉଦ୍ୟମ କରି ବିଫଳ ହେବା ପରେ ଅଟୋଚାଳକଙ୍କ ପରାମର୍ଶରେ ଜାଗମରାସ୍ଥିତ ଗୋଲ୍ଡେନ୍ ଷ୍ଟାର ଗେଷ୍ଟ୍ ହାଉସକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ନାବାଳିକାଙ୍କୁ ଅଟକ ରଖି ଜୋର୍ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଏବଂ ତାଙ୍କ ପରିବାରକୁ ଫୋନ୍ କରି ଏକ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଟଙ୍କା ନଦେଲେ ଝିଅର କ୍ଷତି କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି। ଏହାପରେ ନାବାଳିକାଙ୍କ ପରିବାର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ୮୦୯/୨୬ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରିଥିଲା। ଏଥିରୁ ସେମାନେ ଜାଗମରା ଅଞ୍ଚଳରେ ଥିବା ଜଣାପଡ଼ିବା ପରେ ପୁଲିସ ସାଦା ପୋଷାକରେ ଗେଷ୍ଟ୍ ହାଉସରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତା’ଠାରୁ କେନିଆର ପାସ୍ପୋର୍ଟ, ଭିସା, ଟିକାକରଣ ପ୍ରମାଣପତ୍ର, ପରିଚୟପତ୍ର, ନଗଦ ୯ ହଜାର ୩୩୦ ଟଙ୍କା ଓ ଏକ ବ୍ୟାଗ୍ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ର ଧାରା ୧୩୭(୨), ୧୪୦(୨), ୧୪୦(୩), ୧୪୩(୪), ୧୪୪(୧), ୬୪ ସହ ପୋକ୍ସୋ ଆଇନର ଧାରା ୬ ଲାଗୁ କରାଯାଇଛି।
ଅଭିଯୁକ୍ତଙ୍କ ମୋବାଇଲରେ ଥିବା ଚାଟ୍, ଫଟୋ, ଭିଡିଓ, ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଓ ଅନ୍ଲାଇନ୍ ଗେମରେ ହୋଇଥିବା ଯୋଗାଯୋଗରୁ ସେ ଅନ୍ୟ କେତେ ଜଣ ନାବାଳିକା ଏଭଳି ଶୋଷଣରେ ଶିକାର ହୋଇଛନ୍ତି, ତାହା ପୁଲିସ ତଦନ୍ତରୁ ଜାଣିପାରିଛି। ତେଣୁ ସେଗୁଡ଼ିକୁ ଫୋରେନ୍ସିକ୍ ଯାଞ୍ଚ ହେଲେ ଅନ୍ୟ କେତେଜଣ ନାବାଳିକା ଏଭଳି ଶୋଷଣର ଶିକାର ହୋଇଛନ୍ତି, ତାହା ସ୍ପଷ୍ଟ ହୋଇପାରିବ। ସେହିପରି ଧର୍ମ ପରିବର୍ତ୍ତନ ପାଇଁ ପ୍ରଭାବିତ କରିବାର ଅଭିଯୋଗ ପଛରେ କୌଣସି ବ୍ୟକ୍ତି ବା ସଂଗଠନର ସମ୍ପୃକ୍ତି ଅଛି କି ନାହିଁ, ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ଏହା ଏକାକୀ ଆପରାଧିକ କାର୍ଯ୍ୟକଳାପ ନା ଯୋଜନାବଦ୍ଧ ନେଟ୍ୱର୍କର ଅଂଶ, ତାହାର ତଦନ୍ତ ପାଇଁ ଏବେ ଦାବି ହୋଇଛି। ଏହି ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ହିଁ ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ନେଟ୍ୱର୍କ ଉପରୁ ପରଦା ହଟାଇପାରିବ