ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ-୨୦୨୬
୨,୩,୪ ନଭେମ୍ବର ୨୦୨୬ ଇନ୍ଦୋର
ମାନନୀୟ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ
ବକ୍ତବ୍ୟ:-୩
ଧର୍ମରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବଳିଦାନୀ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାରେ ସମାଜକୁ ନୂତନ ଦିଗ୍ଦର୍ଶନ ଦେବାରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ରହିଛି। ଏହି ମହାନ ପରମ୍ପରାର ଅନ୍ୟତମ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ। ଧର୍ମରକ୍ଷା ପାଇଁ ସାରାଜୀବନ ଉତ୍ସର୍ଗ କରିଥିବା ଏହି ବଳିଦାନୀ ସନ୍ଥଙ୍କୁ ହିନ୍ଦୁ ବିରୋଧୀତତ୍ତ୍ୱ ନିର୍ମମଭାବେ ହତ୍ୟା କରିଥିଲେ । ଏହି ବଳିଦାନୀ ସନ୍ଥଙ୍କ ଜନ୍ମଶତବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୨୬ ଅଗଷ୍ଟ ୧୮ ତାରିଖରେ ଅନୁଗୁଳ ଜିଲ୍ଲାର ଗୁରୁଜାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଜଣେ ଅସାଧାରଣ ସନ୍ଥ । ଯୁବାବସ୍ଥାରେ ପ୍ରଜାମଣ୍ଡଳ ସହ ଯୋଡ଼ି ହୋଇ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ବିବାହ ପରେ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସ ଜୀବନ ଆପଣାଇଥିଲେ ଏବଂ ହିନ୍ଦୁ ଧର୍ମଶାସ୍ତ୍ର ଓ ସଂସ୍କୃତ ବ୍ୟାକରଣର ଗଭୀର ଅଧ୍ୟୟନ କରିଥିଲେ।
କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ରାଷ୍ଟ୍ରବିରୋଧୀଶକ୍ତିଙ୍କୁ ଦୃଢତାପୂର୍ବକ ମୁକାବିଲା କରିବା ସହିତ ସ୍ଥାନୀୟ ଜନଜାତିସମାଜକୁ ସଂଗଠିତ କରିବାର ଲକ୍ଷ୍ୟ ନେଇ ସେ କନ୍ଧମାଳର ଚକାପାଦକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଥିଲେ। ଆଧ୍ୟାତ୍ମିକତାକୁ ଆଧାର କରି ଜନଜାତି ସମାଜର ଭୌତିକ ଉନ୍ନତି ସହ ନିଜ ସଂସ୍କୃତି ପ୍ରତି ସେମାନଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ କରିବା ଦିଗରେ ସେ ବ୍ୟାପକ ପ୍ରୟାସ କରିଥିଲେ।
ସଂସ୍କୃତ ଶିକ୍ଷାର ପ୍ରସାର, ମହିଳା ଭଜନ କେନ୍ଦ୍ର ସ୍ଥାପନ, କୃଷିର ବିକାଶ, ଗୋପାଳନ ଓ ଜଳ ସଂରକ୍ଷଣ ଭଳି କାର୍ଯ୍ୟ ମାଧ୍ୟମରେ ଜନଜାତି ସମାଜକୁ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ହେବାର ମାର୍ଗ ଦେଖାଇଥିଲେ। ଶୁଦ୍ଧି ଯଜ୍ଞ ଆୟୋଜନ କରି ସମାଜର ଲୋକଙ୍କୁ ସଦାଚରଣର ସଂକଳ୍ପ ମଧ୍ୟ କରାଉଥିଲେ।
ଜନଜାତି ସମାଜର ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ ‘ଧରଣୀ ପେନୁ’ଙ୍କ ପୂଜାକୁ ସମସାମୟିକ ପରିପ୍ରେକ୍ଷୀରେ ଉପସ୍ଥାପନ କରି ସ୍ୱାମୀଜୀ ସମାଜର ସାଂସ୍କୃତିକ ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାତ୍ରା ଓ ବିଭିନ୍ନ ଯଜ୍ଞ ଆୟୋଜନ ମାଧ୍ୟମରେ ସ୍ଥାନୀୟ ସମାଜରେ ଧାର୍ମିକ ଆସ୍ଥାର ଦୃଢ଼ୀକରଣ ଏବଂ ପାରମ୍ପରିକ ଐତିହ୍ୟ ପ୍ରତି ଗୌରବବୋଧ ଜାଗ୍ରତ କରିଥିଲେ।
ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ, ତୁଳସୀ ଗଛର ମାଟି ଓ ପତ୍ର ଏବଂ ଗଙ୍ଗାଜଳର ଉପଯୋଗ କରି ଘରବାହୁଡ଼ା ପ୍ରକ୍ରିୟାକୁ ସରଳ ଓ ସୁଗମ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ଧାର୍ମିକ ଆସ୍ଥା ଓ ପରମ୍ପରାକୁ ଜନଜାତି ସମାଜ ସହ ଅଧିକ ଦୃଢ଼ ଭାବେ ଯୋଡ଼ିବାକୁ ସେ ପ୍ରୟାସ କରିଥିଲେ।
ସ୍ୱାମୀଜୀଙ୍କ ଏହି ସମାଜ ଜାଗରଣ ଓ ଧର୍ମରକ୍ଷା କାର୍ଯ୍ୟକଳାପକୁ ନେଇ ସେଠାରେ ସକ୍ରିୟ ଥିବା ଅସାମାଜିକ ଓ ରାଷ୍ଟ୍ରବିରୋଧୀ ତତ୍ତ୍ୱମାନେ ଅସହଜ ଅନୁଭବ କରୁଥିଲେ। କିନ୍ତୁ ନିଜ ଉପରେ ଅନେକଥର ପ୍ରତ୍ୟକ୍ଷ ଆକ୍ରମଣ ଉଦ୍ୟମ ହୋଇଥିଲେ ମଧ୍ୟ ସ୍ୱାମୀଜୀ ନିଜ କାର୍ଯ୍ୟରୁ ବିଚ୍ୟୁତ ହୋଇନଥିଲେ। ବରଂ ଅଧିକ ଦୃଢ଼ତାର ସହ ନିଜ କର୍ମକ୍ଷେତ୍ରରେ ଅବିଚଳିତ ରହି ସମାଜସେବା ଜାରି ରଖିଥିଲେ।
ଅସହିଷ୍ଣୁ ଓ ଧର୍ମାନ୍ଧ ଶକ୍ତିମାନେ ଶେଷରେ ଜନ୍ମାଷ୍ଟମୀ ଭଳି ପବିତ୍ର ଦିନରେ ଜଳେଶପଟ୍ଟା ଆଶ୍ରମ ଉପରେ ଆକ୍ରମଣ କରିଥିଲେ। ଏହି ନୃଶଂସ ଆକ୍ରମଣରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ତାଙ୍କର ଅନ୍ୟ ଚାରିଜଣ ଶିଷ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଧର୍ମ ଓ ମାତୃଭୂମିର ସେବା ହିଁ ତାଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଥିଲା। ମାତୃଭୂମି ଓ ଧର୍ମରକ୍ଷା ପାଇଁ ସମଗ୍ର ଜୀବନ ସମର୍ପିତ କରିଥିଲେ ଏହି ମହାନ ବଳିଦାନୀ ସନ୍ଥ। ତାଙ୍କ ବିଚାର ଓ ଆଚରଣ ମଧ୍ୟରେ ଅଦ୍ଭୁତ ସମନ୍ୱୟ ରହିଥିଲା। ତାଙ୍କର ବ୍ୟକ୍ତିତ୍ୱ ଓ କୃତ୍ତିତ୍ୱ ଥିଲା ଏକ ଓ ଅଭିନ୍ନ ।
ଆଜି ମଧ୍ୟ ଅନେକ କାର୍ଯ୍ୟକର୍ତ୍ତା ସ୍ୱାମୀଜୀଙ୍କ ବଳିଦାନରୁ ପ୍ରେରଣା ଗ୍ରହଣ କରି ଧାର୍ମିକ ଆସ୍ଥାର ସୁଦୃଢ଼ୀକରଣ ଓ ପରମ୍ପରାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ରହିଛନ୍ତି। ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଧର୍ମ ଓ ସଂସ୍କୃତିର ସୁରକ୍ଷା ଦିଗରେ ସକ୍ରିୟ ରହିବାକୁ ଆହ୍ୱାନ ଦେଉଛି।