ଭାରତର ଲୌହ ପୁରୁଷ ସରଦାର ବଲ୍ଲଭଭାଇ ପଟେଲ

ଭାରତର ଲୌହ ପୁରୁଷ ସରଦାର ବଲ୍ଲଭଭାଇ ପଟେଲ, କେବଳ ସ୍ବାଧୀନତା ସଂଗ୍ରାମର ଜଣେ ମହାନ୍ ସେନାନୀ ନଥିଲେ; ବରଂ ସେ ଥିଲେ ଆଧୁନିକ ଭାରତର ସଚ୍ଚା ଶିଳ୍ପକାର!

ଗୁଜରାଟର ଖେଡ଼ା, ବାରଡୋଲି ଏବଂ ଅନ୍ୟାନ୍ୟ କୃଷକ ଆନ୍ଦୋଳନର ନେତୃତ୍ବ ନେଇ, ସରଦାର ପଟେଲ ବ୍ରିଟିଶ ଶାସନ ବିରୋଧରେ ଜନଶକ୍ତିକୁ ଏକାଠି କରିଥିଲେ। ବାରଡୋଲି ସତ୍ୟାଗ୍ରହର ଅପୂର୍ବ ସଫଳତା ପରେ, ଜନସାଧାରଣ ତାଙ୍କୁ ‘ସରଦାର’ ଉପାଧିରେ ଭୂଷିତ କରିଥିଲେ।

ଭାରତର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ୧୯୪୨ର ‘ଭାରତ ଛାଡ଼ ଆନ୍ଦୋଳନ’ରେ ମଧ୍ୟ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଜଣେ ଓକିଲ ଭାବରେ, ସେ କ୍ରାନ୍ତିକାରୀମାନଙ୍କ ପାଇଁ କୋର୍ଟରେ କେସ୍ ମଧ୍ୟ ଲଢ଼ୁଥିଲେ।

ସ୍ବାଧୀନତା ପ୍ରାପ୍ତି ପରେ, ସେ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ହୋଇଥିଲେ। ତାଙ୍କର ସବୁଠାରୁ ବଡ଼ ଐତିହାସିକ ସଫଳତା ଥିଲା— ଦେଶୀୟ ରାଜ୍ୟଗୁଡ଼ିକୁ ଭାରତୀୟ ସଂଘରେ ମିଶାଇ ଏକ ‘ଅଖଣ୍ଡ ଭାରତ’ର ନିର୍ମାଣ କରିବା!

୫୬୦ରୁ ଅଧିକ ଦେଶୀୟ ରାଜ୍ୟର ଏକୀକରଣରେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା ଏବଂ ସର୍ବୋପରି ରାଷ୍ଟ୍ରହିତକୁ ପ୍ରାଥମିକତା ଦେବାର ଭାବନା ସ୍ପଷ୍ଟ ଭାବେ ଦେଖାଯାଏ।

ସରଦାର ପଟେଲ ଭାରତୀୟ ସଂସ୍କୃତି ଏବଂ ରାଷ୍ଟ୍ରୀୟ ଏକତାର ଜଣେ ବଡ଼ ସମର୍ଥକ ଥିଲେ। ସେ ଭାରତର ବିବିଧ ପରମ୍ପରାକୁ ଏକ ରାଷ୍ଟ୍ରର ଶକ୍ତି ବୋଲି ମାନୁଥିଲେ। ତାଙ୍କର ଭାଷଣ ଏବଂ ଚିଠିପତ୍ରଗୁଡ଼ିକରେ ଭାରତୀୟ ସଭ୍ୟତା, ସାମାଜିକ ଏକତା ଏବଂ ରାଷ୍ଟ୍ରଧର୍ମର ଭାବନା ସ୍ପଷ୍ଟ ପ୍ରତିଫଳିତ ହୁଏ।

ତାଙ୍କର ଜୟନ୍ତୀ— ଅକ୍ଟୋବର ୩୧ ତାରିଖକୁ ସଂକଳ୍ପ ଦିବସ ଓ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବରେ ପାଳନ କରାଯାଏ। ସରଦାର ପଟେଲଙ୍କ ଜୀବନୀ ରାଷ୍ଟ୍ରସେବା, ପ୍ରଶାସନିକ ଦୃଢ଼ତା ଏବଂ ଭାରତର ଏକତା ପାଇଁ ସମର୍ପଣର ଏକ ଅଦ୍ୱିତୀୟ ଉଦାହରଣ!

Leave a Reply

Your email address will not be published. Required fields are marked *