ଓଡ଼ିଶାରେ ଗୋ-ସମ୍ବର୍ଦ୍ଧନ: ପରମ୍ପରାରୁ ଆତ୍ମନିର୍ଭରତାର ପଥ

ଅକ୍ଟୋବର ୩ ତାରିଖର ଏକ ଘଟଣା ଓଡ଼ିଶାରେ ଅବୈଧ ଗୋଚାଲାଣର ଭୟାବହ ଚିତ୍ର ସାମ୍ନାକୁ ଆସିିଛି । ଏପରି ଲାଗୁଛି ଯେ ତେଲ ପରିବହନ ନାଁରେ ଚାଲିଛି ଗୋରୁ ଚାଲାଣ? ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏକ ବଡ଼ ତେଲ ଟ୍ୟାଙ୍କର ଭିତରୁ ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଛନ୍ତି । ଏହି ଘଟଣା ଦେଖାଇଛି ଯେ, ଅବୈଧ ଗୋଚାଲାଣକାରୀମାନେ କେତେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏହା ସହ ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ଜଙ୍ଗଲ ପାଖରେ ଗୋ ହତ୍ୟା ଘଟଣା ,ସେପ୍ଟେମ୍ବର ୨୭ ତାରିଖ ଦିନ ଖୋର୍ଦ୍ଧା ଆଦର୍ଶ ଥାନା ପୋଲସ ଦ୍ୱାରା ୩୫ଟନ ଗୋରୁ ଚମଡା ଜବତ,ସେହିଦିନ ନିରାକାରପୁର ପୋଲିସ ଦ୍ୱାରା ୨୧ ମଇଁଷି ଉଦ୍ଧାର, ସେପ୍ଟେମ୍ବର ୨୩ ତାରିଖ ଦିନ ଜଗତପୁରର ଏକ ହୋଟେଲରେ ଗୋମାଂସ ତରକାରୀକୁ ନେଇ ଉତେଜନା,୨୦ ତାରିଖ ଦିନ ବେଗୁନିଆ ପିଚୁକୋଳି ଠାରେ ଗୋରୁ ବୋଝେଇ ଗାଡି ଜବତ,ସେପ୍ଟେମ୍ବର ୧୭ ତାରିଖ ଦିନ ଚୌଦ୍ୱାରରୁ ୬ଟି ଗୋରୁ ଉଦ୍ଧାର, ସେପ୍ଟେମ୍ବର ୧୪ ତାରିଖ ଦିନ ଜଗତସିଂପୁରରେ ଗୋରକ୍ଷଙ୍କ ଉପରେ ଆକ୍ରମଣ, ସେହିଦିନ କଳିଙ୍ଗ ନଗରର ଡୁବୁରୀ ଅଞ୍ଚଳରୁ ୫୬ ଗୋରୁ ଉଦ୍ଧାର, ମୁନିଗୁଡାର ଆମ୍ବଦଳା ନିକଟରୁ ଗୋମାଂସ ଜବତ,ସେପ୍ଟେମ୍ବର ୧୧ ତାରିଖରେ ନରସିଂହପୁର ସୋଲ ବନ୍ଦ ନିକଟରୁ ୩୫ ଗୋରୁ ଉଦ୍ଧାର । ଏହିପରି ବିଭିନ୍ନ ସ୍ଥାନରୁ ଗୋବଂଶ ଉଦ୍ଧାର, ଗୋରୁ ଚମଡ଼ା ଜବତ ଓ ଗୋମାଂସକୁ ନେଇ ଅଭିଯୋଗ ନିୟମିତ ଭାବେ ସାମ୍ନାକୁ ଆସୁଛି। ଏହି ଘଟଣାଗୁଡ଼ିକ ଅବୈଧ ଗୋଚାଲାଣ ରୋକିବାରେ ଅଧିକ ପ୍ରଭାବଶାଳୀ ପଦକ୍ଷେପର ଆବଶ୍ୟକତାକୁ ସ୍ପଷ୍ଟ କରୁଛି।
କିନ୍ତୁ ଗୋ-ସୁରକ୍ଷା କେବଳ ଚଢ଼ାଉ, ଜବତ କିମ୍ବା ଧରପଗଡ଼ରେ ସୀମିତ ରହିଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଏଥିପାଇଁ ଗୋପାଳନକୁ ଏକ ଲାଭଜନକ ଆର୍ôଥକ କାର୍ଯ୍ୟକଳାପରେ ପରିଣତ କରିବା ଆବଶ୍ୟକ।
ଓଡ଼ିଶାର ଗ୍ରାମୀଣ ଜୀବନ ଓ କୃଷି ସଂସ୍କୃତି ସହ ଗୋପାଳନର ସମ୍ପର୍କ ଦୀର୍ଘଦିନର। ଦୁଗ୍ଧ ସହ ଗୋମୂତ୍ରରୁ ଗୋଅର୍କ, ଗୋବରରୁ ଜୈବିକ ସାର, କମ୍ପୋଷ୍ଟ ଓ ବାୟୋଗ୍ୟାସ ଉତ୍ପାଦନ କରି ଗୋପାଳକଙ୍କ ଆୟ ବଢ଼ାଯାଇ ପାରିବ। ଦୁଗ୍ଧ ସଂଗ୍ରହ, ଶୀତଳୀକରଣ ଓ ବଜାର ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଦେଶୀ ଗୋବଂଶର ସଂରକ୍ଷଣ, ପଶୁଚିକିତ୍ସା, ଟିକାକରଣ, ପୌଷ୍ଟିକ ଚାରା ଓ ପଶୁବୀମା ଭଳି ସୁବିଧା ଗ୍ରାମସ୍ତରରେ ଉପଲବ୍ଧ କରାଯିବା ଦରକାର। ଅନ୍ୟପକ୍ଷରେ, ଅବୈଧ ଗୋଚାଲାଣ ରୋକିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳ ଓ ପ୍ରମୁଖ ରାଜପଥରେ ନିରୀକ୍ଷଣ ବଢ଼ାଇବା ଆବଶ୍ୟକ। କେବଳ ଗାଡ଼ି କିମ୍ବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ପଛରେ ଥିବା ଦଲାଲ ଓ ସଂଗଠିତ ତନ୍ତ୍ର ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିବା ଦରକାର। ପୁଲିସ, ପରିବହନ ଓ ପଶୁସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟ ସହ ଉଦ୍ଧାର ଗୋବଂଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଯଥେଷ୍ଟ ଆଶ୍ରୟ ସ୍ଥଳ ଓ ଚିକିତ୍ସା ବ୍ୟବସ୍ଥା କରିବା ମଧ୍ୟ ଜରୁରୀ। ନାଗରିକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସନ୍ଦିଗ୍ଧ ଗୋବଂଶ ପରିବହନ ଦେଖିଲେ ଆଇନକୁ ନିଜ ହାତକୁ ନ ନେଇ ପୁଲିସ କିମ୍ବା ପ୍ରଶାସନକୁ ସୂଚନା ଦେବା ଉଚିତ। ଶେଷରେ, ଗୋ-ସୁରକ୍ଷାକୁ କେବଳ ଭାବନାର ବିଷୟ ଭାବେ ନଦେଖି ଏହାକୁ ଆଇନ, ପଶୁକଲ୍ୟାଣ ଓ ଗ୍ରାମୀଣ ଅର୍ଥନୀତି ସହ ଯୋଡ଼ିବା ଦରକାର। ଗୋପାଳନ ଯେତେ ଅଧିକ ଆର୍ôଥକ ଭାବେ ଲାଭଜନକ ହେବ, ଗୋପାଳକଙ୍କ ଆତ୍ମନିର୍ଭରତା ସେତେ ବଢ଼ିବ। ସରକାର, ପ୍ରଶାସନ, ଚାଷୀ, ଗୋପାଳକ ଓ ସାଧାରଣ ଲୋକଙ୍କ ସମନ୍ୱିତ ପ୍ରୟାସରେ ହିଁ ଓଡ଼ିଶାରେ ଗୋ-ସୁରକ୍ଷା ଓ ଗୋ-ସମ୍ବର୍ଦ୍ଧନର ଏକ ସ୍ଥାୟୀ ମଡେଲ ଗଢ଼ିଉଠିପାରିବ।

Leave a Reply

Your email address will not be published. Required fields are marked *