ସର୍ବେଶ୍ୱର ବେହେରା
ଆମ ଦେଶରେ ଅନେକ ସାଧୁ-ସନ୍ଥ, ଋଷି-ମୁନୀ ଓ ମହାପୁରୁଷମାନେ ନିଜର ମୌଳିକ ଚିନ୍ତନ, କଠୋର ସାଧନା ଓ ଅବିରତ ଗବେଷଣା କରି ବହୁ ପ୍ରକାରର ଶାସ୍ତ୍ର, ଶସ୍ତ୍ର, କଳା, ସ୍ଥାପତ୍ୟ ଆଦି ଆବିଷ୍କାର କରି ଦେଶକୁ ଗୌରବାନ୍ୱିତ କରିଛନ୍ତି; ଯଦ୍ୱାରା ଏ ଦେଶରେ ଏକ ମହାନ ସଂସ୍କୃତି, ପରମ୍ପରା ଓ ଶାଶ୍ୱତ ଜୀବନ ମୂଲ୍ୟ ବିଦ୍ୟମାନ ଅଛି। ଯେଉଁ ମହାପୁରୁଷମାନେ ନିଜର ତ୍ୟାଗ, ତପସ୍ୟା ଓ ବଳିଦାନ ଯୋଗୁ ଏ ଦେଶକୁ ମହିମା ମଣ୍ଡିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଭଗବାନ ବିଶ୍ୱକର୍ମା ଅଗ୍ରଗଣ୍ୟ।
ଅଷ୍ଟାବସୁଙ୍କ ଅଷ୍ଟମ ପୁତ୍ର ପ୍ରଭାସ ଓ ଦେବଗୁରୁ ବୃହସ୍ପତିଙ୍କ ଭଗିନୀ ବରସ୍ତ୍ରୀଙ୍କ ଔରସରୁ ବିଶ୍ୱକର୍ମା ଜନ୍ମଗ୍ରହଣ କରିଥିଲେ। ବରସ୍ତ୍ରୀଙ୍କ କଠୋର ଯୋଗସାଧନା କରିଥିବା ହେତୁ ସେ ଯୋଗସିଦ୍ଧା ନାମରେ ପ୍ରସିଦ୍ଧା ଥିଲେ। ପିତାମାତାଙ୍କ ପ୍ରଖ୍ୟାତ ବୁଦ୍ଧି ଓ ତପସ୍ୟାର ପ୍ରଭାବ ବିଶ୍ୱକର୍ମାଙ୍କ ଉପରେ ପଡ଼ିବା ସ୍ୱାଭାବିକ ଥିଲା। ଏଣୁ ବିଶ୍ୱକର୍ମା ମଧ୍ୟ ବାଲ୍ୟକାଳୁ ସର୍ବଗୁଣ ସମ୍ପନ୍ନ ହେବାକୁ ଲାଗିଲେ। ମାମୁ ବୃହସ୍ପତିଙ୍କୁ ପ୍ରେରଣା ମଧ୍ୟ ତାଙ୍କ ଜୀବନରେ ପ୍ରଗାଢ଼ ଛାପ ପକାଇଥିଲା। ସଂଯୋଗ ବଶତଃ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହ୍ମାଦଙ୍କ କନ୍ୟା ରଚନା ସହିତ ତାଙ୍କର ବିବାହ ହେଲା।
ବିଶ୍ୱକର୍ମା ଜଣେ ଉଚ୍ଚକୋଟିର ଶିଳ୍ପଶାସ୍ତ୍ରଜ୍ଞ ଥିଲେ। ବାସ୍ତୁଶାସ୍ତ୍ର ସମ୍ବନ୍ଧରେ ସମସ୍ତ ଜ୍ଞାନ ତାଙ୍କ ପାଖରେ ଥିଲା। ତାଙ୍କ ରଚିତ ବାସ୍ତୁଶାସ୍ତ୍ର ପୁସ୍ତକ ସମଗ୍ର ବିଶ୍ୱର ସ୍ଥାପତ୍ୟ ଜଗତର ସର୍ବପ୍ରଥମ ଗ୍ରନ୍ଥ। ବିଶ୍ୱକର୍ମା ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରକା ଓ ବୃନ୍ଦାବନ, ଇନ୍ଦ୍ରଙ୍କ ପାଇଁ ଇନ୍ଦ୍ରଲୋକ, ସୂତକ ନାମକ ପାତାଳ, ହସ୍ତୀନାପୁର, ଇନ୍ଦ୍ରପ୍ରସ୍ଥ ଓ ରାକ୍ଷସମାନଙ୍କ ପାଇଁ ଲଙ୍କା ନିର୍ମାଣ କରିଥିଳେ। ପୌରାଣିକ ସାହିତ୍ୟରେ ଏହି ନଗରୀଗୁଡିକର ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏହି ସମଗ୍ର ନଗରଗୁଡ଼ିକ ଅତି ସୁନ୍ଦର ଭାବରେ ନିର୍ମାଣ କରାଯାଇଥିଲା। ଏଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଶିକ୍ଷଣୀୟ ଥିଲା।
ବିଶ୍ୱକର୍ମାଙ୍କ ପ୍ରତିଭା ବହୁମୁଖୀ ଥିଲା। ଅନେକ ଶାସ୍ତ୍ର ରଚନା କରିବା ସହିତ ଶସ୍ତ୍ର ମଧ୍ୟ ଅନେକ ସେ ଉଦ୍ଭାବନ କରିଥିଲେ। ଆଭୂଷଣ ଓ ବିମାନ ମଧ୍ୟ ତାଙ୍କ ଦ୍ୱାରା ନିର୍ମିତ ଥିଲା। ସେ ଯେଉଁ ପୁଷ୍ପକ ବିମାନ ନିର୍ମାଣ କରିଥିଲେ, ତାହା ସ୍ଥଳରେ, ଜଳରେ ଓ ଆକାଶରେ ଗତି କରିପାରୁଥିଲା। ସେ ଲଳିତ କଳାର ମଧ୍ୟ ଜଣେ ଶ୍ରେଷ୍ଠ ସାଧକ ଥିଲେ। ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ବାସ୍ତୁ ଶିଳ୍ପୀକଳା ଆଦି ସାଂସ୍କୃତିକ ବୈଭବର ଏକମାତ୍ର ସ୍ରଷ୍ଟା ବିଶ୍ୱକର୍ମା ଥିଲେ।
ଏହିପରି ଅନେକ ମହାପୁରୁଶଷଙ୍କ ସାଧନା ଯୋଗୁଁ ଭାରତ ପ୍ରାଚୀନ କାଳରେ ବିଶ୍ୱରେ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଥିଲା। ଭାରତର ଆର୍ଥିକ ଓ ଶିଳ୍ପ ବିକାଶ, କୁଟୀରଶିଳ୍ପ ମାଧ୍ୟମ ଦ୍ୱାରା ହୋଇଥିଲା। ପ୍ରତ୍ୟେକ ପରିବାରରେ ସ୍ୱନିୟୋଜିତ କୁଟୀର ଶିଳ୍ପ ବିଦ୍ୟମାନ ଥିଲା। ଫଳରେ ପ୍ରତ୍ୟେକ ଶ୍ରମିକ ଆତ୍ମନିର୍ଭର ଓ ସ୍ୱାଭିମାନୀ ଥିଲା। ବଂଶ ପରମ୍ପରାରେ ଅଭ୍ୟସ୍ତ ଥିବା ଯୋଗୁଁ କାରିଗର ବିଦ୍ୟାରେ ସେ କୁଶଳୀ ଥିଲା। ଏହି ସ୍ୱନିୟୋଜିତ-ସ୍ୱରୋଜଗାର ବ୍ୟବସ୍ଥାର ପରମ୍ପରା ବିଶ୍ୱକର୍ମାଙ୍କ ଠାରୁ ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥାରେ ମାଲିକ-ଶ୍ରମିକ ମଧ୍ୟରେ ଦ୍ୱନ୍ଦ୍ୱର କୌଣସି ସ୍ଥାନ ନଥିଳା। ଶ୍ରମିକ ସ୍ୱୟଂ ମାଲିକ ଥିଲା ଓ ମାଲିକ ସ୍ୱୟଂ ଜଣେ ଶ୍ରମିକ ଥିଲା। ସମଗ୍ର ଭାରତବର୍ଷରେ କୃଷକ, ବଣିଆ, କମାର, ବଢ଼େଇ, ତନ୍ତୀ ଓ ଚମାର ଆଦି ଶ୍ରମିକମାନେ ବିଶ୍ୱକର୍ମାଙ୍କୁ କାରିଗରୀ ବିଦ୍ୟାର ଆଦ୍ୟପୁରୁଷ ବୋଲି ମାନୁଛନ୍ତି। ଏହି କାରୀଗରମାନେ ନିଜ ନିଜର ସାଧନା ଓ ପ୍ରତିଭା ବଳରେ ଏ ଦେଶକୁ ଯୁଗେ ଯୁଗେ ଗୌରବାନ୍ୱିତ କରି ଆସୁଛନ୍ତି।
ବିଶ୍ୱକର୍ମା ଓ ରଚନାଙ୍କ ଔରସରୁ ଜନ୍ମିତ ବିଶ୍ୱରୂପ ଜଣେ ମହାନ ଜ୍ଞାନୀ ଓ ସାଧକ ଥିଲେ। ବିଶ୍ୱରୂପଙ୍କ ବର୍ଦ୍ଧିତ ଲୋକପ୍ରିୟତାରେ ଅସୂୟା-ପ୍ରଣୋଦିତ ହୋଇ ଇନ୍ଦ୍ର ତାଙ୍କୁ ବଧ କଲେ। ଏଥିରେ ମର୍ମାହତ ହୋଇ ଦ୍ୱିତୀୟ ପୁତ୍ର ପାଇଁ ବିଶ୍ୱକର୍ମା ଇନ୍ଦ୍ରଙ୍କ ଉପରେ କ୍ରୋଧିତ ହୋଇ କଠୋର ତପସ୍ୟା କଲେ। ତାଙ୍କ କ୍ରୋଧ ଜନିତ ତପସ୍ୟା ଯୋଗୁଁ ବୁତ୍ର ନାମକ ଜଣେ ଅତ୍ୟନ୍ତ ବଳଶାଳୀ ଯୋଦ୍ଧା ଜନ୍ମ ନେଲା। ବୁତ୍ରର ଅତ୍ୟାଚାରରେ ତ୍ରିପୁର ପ୍ରକମ୍ପିତ ହେଲା। ତାଙ୍କ ବଧ କରିବା ପାଇଁ ଦେବତାମାନେ ବୃହସ୍ପତିଙ୍କ ଶରଣ ପଶିଲେ। ବୃହସ୍ପତି ଉପାୟ କହିଲେ। ତପସ୍ୱୀ ଦଧିଚୀଙ୍କ ଯଦି ନିଜ ଅସ୍ଥି ଦାନ କରନ୍ତି ଓ ସେ ଅସ୍ଥିକୁ ବିଶ୍ୱକର୍ମା ବଜ୍ର ରୂପକ ଅସ୍ତ୍ରରେ ନିର୍ମାଣ କରନ୍ତି, ତେବେ ସେ ବଜ୍ରରେ ବୁତ୍ରାସୁର ନିହତ ହେବ। ସମାଜର କଲ୍ୟାଣ ପାଇଁ ଦେବତାଙ୍କ ଅନୁରୋଧରେ ରାଜି ହୋଇ ବିଶ୍ୱକର୍ମା ନିଜର ଦ୍ୱିତୀୟ ପୁତ୍ରର ହତ୍ୟା ପାଇଁ ଏହି ବଜ୍ର ନିର୍ମାଣ କରିଥିଲେ। ତାଙ୍କର ଏହି ମହାନ ତ୍ୟାଗ ଯୋଗୁଁ ଆଜି ସେ ଅମର।
ବିଶ୍ୱକର୍ମାଙ୍କ ଠାରୁ ଏହି ତ୍ୟାଗର ପ୍ରେରଣା ପାଇ ସମାଜରେ ସମସ୍ତ କାରୀଗରମାନେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି। ଶ୍ରମକୁ ଯଦି ସାଧନା ଓ ସମର୍ପଣ ବୁଦ୍ଧି ସହିତ ସମ୍ମିଳିତ କରାଯାଏ ତେବେ ତାଦ୍ୱାରା ଏକ ବୈଭବଶାଳୀ ସମାଜ ନିଶ୍ଚିତ ନିର୍ମାଣ ହେବ। ଶ୍ରମରୁ ଅର୍ଥ ଉପାର୍ଜନ ହୋଇଥାଏ ଓ ଅର୍ଥଦ୍ୱାରା ନିଜର ଇଚ୍ଛା ପୂରଣ ହୋଇଥାଏ। ଏଣୁ ସମୃଦ୍ଧିଶାଳୀ ସମାଜ ନିର୍ମାଣ ପାଇଁ ଶ୍ରମ ହିଁ ଏକମାତ୍ର ବିକଳ୍ପ। ବିଶ୍ୱକର୍ମା ଏହି ଶ୍ରମକୁ ପ୍ରାଥମିକତା ଦେଇଥିଲେ। ଶ୍ରମ ହିଁ ଯଜ୍ଞ। ସାଧନା ଓ ଅନୁସନ୍ଧାନ ଏହାର ଆଭୂଷଣ। କୁଶଳତା ଏହି ସାଧନାର ଉପଲବ୍ôଧ। ‘ଯୋଗ କର୍ମସୁ କୌଶଳମ୍।’ ଅର୍ଥାତ୍ ପରିଶ୍ରମ ଜନିତ କୌଶଳକୁ ଯୋଗର ସଂଜ୍ଞା ଦିଆଯାଇଛି। ଯଦି ପବିତ୍ର ଓ ସର୍ମପଣ ବୁଦ୍ଧି ସହିତ କୌଶଳର ଉପଯୋଗ ହୁଏ, ତେବେ ଯୋଗର ରକ୍ଷା ଓ ଉନ୍ନତିର ଦାୟିତ୍ୱ ଭଗବାନ ସ୍ୱୟଂ ନିଜେ ବହନ କରିଥାଆନ୍ତି, କାରଣ ‘ଯୋଗ କ୍ଷେମଂ ବାହାମ୍ୟହମ୍’ ତାଙ୍କ ଦ୍ୱାରା ପ୍ରଦତ୍ତ ବାଣୀ।
ଆମ ଦେଶର ସାମ୍ପ୍ରତିକ କ୍ରମବର୍ଦ୍ଧିଷ୍ଣୁ ଅର୍ଥବ୍ୟବସ୍ଥାରେ ବିଶ୍ୱକର୍ମାଙ୍କ ଆଦର୍ଶ ସ୍ମରଣ କରିବା ଆବଶ୍ୟକ। ବିଶ୍ୱକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ ପାଳନ କରିବା ଆବଶ୍ୟକ। ଆମେ ମେ ପହିଲା ତାରିଖକୁ ଯେଉଁ ଶ୍ରମ ଦିବସ ରୂପେ ପାଳନ କରୁଛୁ, ତାହା ପାଶ୍ଚାତ୍ୟର ଅନୁକରଣ ମାତ୍ର। ୧୯୫୫ ମସିହା ମେ ୧ ତାରିଖରେ ଇଟାଲୀରେ ଶ୍ରମିକମାନେ ପୁଞ୍ଜିପତିମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏଣୁ ଏହାକୁ ସ୍ମରଣ କରି ବିଶ୍ୱସାରା ମେ ୧ ତାରିଖକୁ ଶ୍ରମ ଦିବସ ରୂପେ ପାଳନ କରାଯାଉଛି। ଆମ ଦେଶରେ ଏହାର ପରିବର୍ତ୍ତନ ହୋଇ ବିଶ୍ୱକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ ପାଳନ କରିବା ଆବଶ୍ୟକ। ଏଥିପାଇଁ ଆମ ଦେଶରେ ଭାରତୀୟ ମଜଦୁର ସଂଘ ବହୁ ଦିନରୁ ଦାବି କରି ଆସୁଛି।
ରାଷ୍ଟ୍ରୋସ୍ଥାନର ବହୁମୁଖୀ ପ୍ରଚେଷ୍ଟାରେ ଶ୍ରମିକମାନଙ୍କ ଯୋଗଦାନ ସର୍ବଶ୍ରେଷ୍ଠ। ଏଣୁ ଶ୍ରମିକମାନଙ୍କୁ ଦେଶର ମେରୁଦଣଣ୍ଡ ରୂପେ ବିବେଚନା କରାଯାଇ ସେମାନଙ୍କୁ ସମାଜରେ ମହତ୍ୱ ଦେବା ଆବଶ୍ୟକ। ଶିଳ୍ପ ଜଗତରେ ପୁଞ୍ଜିପତିଙ୍କ ପୁଞ୍ଜିର ଯେତେ ମହତ୍ୱ ଅଛି, ତା’ଠାରୁ ଅଧିକ ମହତ୍ୱ ଶ୍ରମିକର ଝାଳ ଓ ରକ୍ତର ଅଛି। ଶ୍ରମିକମାନେ ରାଷ୍ଟ୍ର ହିତକୁ ସର୍ବୋପରି ରୂପେ ମାନ୍ୟତା ଦେବା ଆବଶ୍ୟକ। ବିଶ୍ୱକର୍ମାଙ୍କ ପରି ଶ୍ରମିକମାନେ ଯଦି ତ୍ୟାଗ, ତପସ୍ୟା ଓ ବଳିଦାନ ଦ୍ୱାରା କାର୍ଯ୍ୟ କରନ୍ତି, ତେବେ ସମାଜ ପୁନଃ ବୈଭବଶାଳୀ ହେବ, ଏଥିରେ ସନ୍ଦେହ ନାହିଁ।
ଆଡ଼ଭୋକେଟ
ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪
-ଠ-