ପୁଲିସ୍କୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ; ୩୩ ମଇଁଷି ଉଦ୍ଧାର, ୭ ଗିରଫ
ସୁନ୍ଦରଗଡ଼: ଉତ୍ତରପ୍ରଦେଶକୁ ମଇଁଷି ଚୋରାଚାଲାଣ କରୁଥିବା ଏକ ଅନ୍ତରାଜ୍ୟ ରାକେଟ୍ର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ଼ ସଦର ଥାନା ପୁଲିସ୍। ତଳସରା ଅଞ୍ଚଳରୁ ଏକ କଣ୍ଟେନରରେ ୩୩ଟି ମଇଁଷି ଉତ୍ତରପ୍ରଦେଶ ଚାଲାଣ ହେଉଥିବାବେଳେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି।
ପୁଲିସ୍କୁ ଚକମା ଦେଇ ଖସିଯିବାକୁ ଅଭିଯୁକ୍ତମାନେ ଉଦ୍ୟମ କରିବା ସହ ପୁଲିସ୍ କର୍ମଚାରୀଙ୍କୁ କାର୍ ଓ କଣ୍ଟେନର ମଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ୍ର ପିଛା କରିବା ପରେ ସମସ୍ତଙ୍କୁ କାବୁ କରାଯାଇଥିଲା। ସେମାନଙ୍କଠାରୁ ଗୋଟିଏ କାର୍, ମଇଁଷି ବୋଝେଇ କଣ୍ଟେନର, ଖଣ୍ଡା ଓ ଛୁରି ଜବତ ହୋଇଛି।
ପୁଲିସ୍ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଏସ୍ପିଆଇ ଯୁବରାଜ ମିଶ୍ରଙ୍କ ନେତୃତ୍ୱରେ ପୁଲିସ୍ ବଳ କରମଡ଼ିହି, ବାଲଦମାଲ ଓ ପଞ୍ଚମହଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ତଳସରା ଲୁଲୁକିଡିହି ଅଞ୍ଚଳରୁ କଣ୍ଟେନର (ଏବିଆର୍-୫୨ବି-୮୦୪୩)ରେ ୩୩ଟି ମଇଁଷି ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଖବର ମିଳିଥିଲା। ଏହାପରେ ଦାଇଜନମହୁଲ ଛକରେ ନାକାବନ୍ଦୀ କରାଯାଇଥିଲା।
ରାତି ପ୍ରାୟ ୧ଟା ୪୫ରେ ସବତେଗାଁ ପଟୁ ଦ୍ରୁତଗତିରେ ଆସୁଥିବା କାର୍ (ଓଡି-୧୬ପି-୭୧୯୫)କୁ ପୁଲିସ୍ ଅଟକାଇବାକୁ ଉଦ୍ୟମ କରିଥିଲା। ତେବେ ଚାଳକ ପୁଲିସ୍ କର୍ମଚାରୀଙ୍କୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲା। ପୁଲିସ୍ କର୍ମଚାରୀମାନେ ରାସ୍ତାକଡ଼କୁ ହଟିଯିବାରୁ ଅଳ୍ପକେ ରକ୍ଷା ପାଇଥିଲେ।
ପରେ କରମଡ଼ିହିରେ ଥିବା ଅନ୍ୟ ପୁଲିସ୍ ଟିମ୍କୁ ସୂଚନା ଦିଆଯାଇଥିଲା। କିଛି ସମୟ ପରେ ମଇଁଷି ବୋଝେଇ କଣ୍ଟେନର ସେଠାରେ ପହଞ୍ଚିଥିଲା। ପୁଲିସ୍ ଟାୟାର ଓ ପ୍ଲାଷ୍ଟିକ ବ୍ୟାରିୟର ରଖି କଣ୍ଟେନରକୁ ଅଟକାଇବାକୁ ଚେଷ୍ଟା କରିଥିଲା। ଚାଳକ ବ୍ୟାରିୟରକୁ ଧକ୍କା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଟାୟାର ଫାଟିଯିବାରୁ କଣ୍ଟେନରଟି ଅଟକି ଯାଇଥିଲା।
କଣ୍ଟେନର ଅଟକିବା ପରେ ଭିତରେ ଥିବା ଅଭିଯୁକ୍ତମାନେ ଖଣ୍ଡା ଓ ଛୁରି ଦେଖାଇ ପୁଲିସ୍କୁ ଭୟଭୀତ କରି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ୍ ସମସ୍ତଙ୍କୁ କାବୁ କରିବା ସହ କଣ୍ଟେନର ଭିତରୁ ଅତ୍ୟନ୍ତ ନିର୍ମମ ଭାବେ ବାନ୍ଧି ରଖାଯାଇଥିବା ୩୩ଟି ମଇଁଷିକୁ ଉଦ୍ଧାର କରିଥିଲା।
ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣ ସୁନ୍ଦରଗଡ଼ର ଏବଂ ୩ ଜଣ ଉତ୍ତରପ୍ରଦେଶର ବୋଲି ପୁଲିସ୍ ସୂଚନା ଦେଇଛି। ଏହି ଘଟଣାରେ ସଦର ଥାନାରେ ଅସ୍ତ୍ରଶସ୍ତ୍ର ଆଇନ ଓ ପଶୁଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଗିରଫ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ରାକେଟ୍ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣ ସୁନ୍ଦରଗଡ଼ର ହୋଇଥିବାବେଳେ ୩ ଜଣ ଉତ୍ତରପ୍ରଦେଶର। ଅଭିଯୁକ୍ତମାନେ ହେଲେ ଗୁଲାମ ହୁସେନ , ଅନିଲ ଚୌଧୁରୀ ଓ ବିଶାଳ ଚୌଧୁରୀ , ମହମ୍ମଦ ୟୁନୁସ , ଲାବିାଦର ରିଜଓ୍ବାନ୍ ଏବଂ ଓ୍ବାଜିଦ । ଗିରଫ ପରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।