ଜବଲପୁର:ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ତିନି ଦିନିଆ କାର୍ଯ୍ୟକାରିଣୀ ବୈଠକର ଉଦ୍ଯାପନୀ ଅଧିବେଶନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଡା. କୃଷ୍ଣ ଗୋପାଳ ଜୀ କହିଛନ୍ତି ଯେ, ବିଦ୍ୟା ଭାରତୀର ବିଦ୍ୟାଳୟଗୁଡ଼ିକରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଛନ୍ତି, କିନ୍ତୁ ଆମକୁ କେବଳ ପରୀକ୍ଷା ଫଳର ସଫଳତା ମଧ୍ୟରେ ସୀମିତ ରହିବାକୁ ପଡ଼ିବ ନାହିଁ। ଆମକୁ ପ୍ରତ୍ୟେକ ଶିଶୁକୁ ଭାରତର ମାଟି ଏବଂ ଭାରତର ପରମ୍ପରାର ସଂସ୍କାର ଦେବାକୁ ହେବ, ଯାହାଫଳରେ ସେ ଜଣେ ଶ୍ରେଷ୍ଠ ନାଗରିକ ଭାବରେ ନିଜ ପରିବାର, ନିଜ ସମାଜ ଏବଂ ନିଜ ଦେଶ ପ୍ରତି ଆପଣାପଣର ଭାବ ସହିତ ନିଜର ସର୍ବସ୍ୱ ଅର୍ପଣ କରିବାକୁ ପ୍ରସ୍ତୁତ ରହିବ।
ସେ କହିଛନ୍ତି ଯେ ଶିଶୁମାନଙ୍କଠାରେ ପୁସ୍ତକୀୟ ଜ୍ଞାନ ବ୍ୟତୀତ ଆଧ୍ୟାତ୍ମିକ ଭାବ ଜାଗ୍ରତ ହେଉ, ଏହି ଦୃଷ୍ଟିକୋଣରୁ ବିଦ୍ୟା ଭାରତୀର ବିଦ୍ୟାଳୟଗୁଡ଼ିକରେ ପଞ୍ଚକୋଷୀୟ ବିକାଶର ଧାରଣା ଉପରେ ଶିକ୍ଷାଦାନ କରାଯାଇଥାଏ। ଏହି ଆଧାରରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶର କଳ୍ପନା କରାଯାଇପାରିବ। ଏହା ଆନନ୍ଦର ବିଷୟ ଯେ, ରାଷ୍ଟ୍ରୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ବିଦ୍ୟା ଭାରତୀ ନିଜର କର୍ତ୍ତବ୍ୟ ପାଳନ କରୁଛି। ଆଗକୁ ମଧ୍ୟ ବିଦ୍ୟା ଭାରତୀ ସମଗ୍ର ଦେଶରେ ଶିକ୍ଷାକ୍ଷେତ୍ରରେ ସହଯୋଗୀ ଭୂମିକା ନିର୍ବାହ କରି ଶିକ୍ଷା ସହିତ ସଂସ୍କାର ପ୍ରଦାନ କରିବାରେ ନିୟୋଜିତ ରହିବା ଉଚିତ୍। ଭାରତର ଭୌଗୋଳିକ କ୍ଷେତ୍ରରେ ସର୍ବତ୍ର ଆମର କାର୍ଯ୍ୟର ବିସ୍ତାର ହେଉ, ଏହାର ପ୍ରୟାସ କରିବା ଉଚିତ୍।
ଅଖିଳ ଭାରତୀୟ ମହାମନ୍ତ୍ରୀ ଦେଶରାଜ ଶର୍ମା ବିଦ୍ୟା ଭାରତୀର କାର୍ଯ୍ୟର ବିସ୍ତାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଦ୍ୟା ଭାରତୀର କାର୍ଯ୍ୟ ଦେଶର ୬୮୫ଟି ଜିଲ୍ଲାରେ ଚାଲିଛି। ସମଗ୍ର ଦେଶରେ ପ୍ରାୟ ୨୪,୦୦୦ ଔପଚାରିକ/ଅନୌପଚାରିକ ବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ରସଂଖ୍ୟା ୩୭ ଲକ୍ଷ ରହିଛି ଏବଂ ୧ ଲକ୍ଷ ୭୦ ହଜାରରୁ ଅଧିକ ଶିକ୍ଷକ ଅଧ୍ୟାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମଗ୍ର ଦେଶରେ ୨୮୦ଟି ଆବାସୀୟ ବିଦ୍ୟାଳୟ ଏବଂ ୧୦୪୧ଟି ଜନଜାତି ବିଦ୍ୟାଳୟ ମଧ୍ୟ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ହେଉଛି। ଆଗାମୀ ଅଖିଳ ଭାରତୀୟ ସ୍ତରୀୟ ଆୟୋଜନଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ଅଖିଳ ଭାରତୀୟ କ୍ରୀଡ଼ା ସମାରୋହ – ଗାଜିଆବାଦ (ଉ.ପ୍ର.), ଅଖିଳ ଭାରତୀୟ ସଂସ୍କୃତି ମହୋତ୍ସବ – କୁରୁକ୍ଷେତ୍ର (ହରିଆଣା), ଅଖିଳ ଭାରତୀୟ ବିଜ୍ଞାନ ମେଳା – ଗୋରଖପୁର (ଉ.ପ୍ର.), ଅଖିଳ ଭାରତୀୟ ଗଣିତ ମେଳା – ଧନବାଦ (ଝାରଖଣ୍ଡ), ଏବଂ ଅଖିଳ ଭାରତୀୟ ଟେକାଥନ୍ ୩ – ଆଇ.ଆଇ.ଟି. ରୁର୍କୀ (ଉତ୍ତରାଖଣ୍ଡ)ରେ ଅନୁଷ୍ଠିତ ହେବ।
ବୈଠକର ଅଧ୍ୟକ୍ଷତା କରି ବିଦ୍ୟା ଭାରତୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା. ରବୀନ୍ଦ୍ର କାନ୍ହେରେ କହିଛନ୍ତି ଯେ, ଗତ ତିନି ଦିନ ମଧ୍ୟରେ ଆମେ ଆମର କାର୍ଯ୍ୟର ସୂକ୍ଷ୍ମ ଭାବରେ ସମୀକ୍ଷା କରିଛୁ। ନିଶ୍ଚିତ ଭାବରେ ଆମର କାର୍ଯ୍ୟ ପ୍ରଭାବଶାଳୀ ହୋଇଛି, କିନ୍ତୁ ଆମ କାର୍ଯ୍ୟରେ ଚ୍ୟାଲେଞ୍ଜ ମଧ୍ୟ ବହୁତ ରହିଛି। ଆମକୁ ଆମର ବିଦ୍ୟାଳୟଗୁଡ଼ିକର ଡିଜିଟାଇଜେସନ୍ (ଡିଜିଟାଲକରଣ) ଦିଗରେ ଆଗକୁ ବଢ଼ିବାକୁ ହେବ। ରାଷ୍ଟ୍ରୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ଆମେ ଯେପରି ଅଗ୍ରଣୀ ହୋଇ ରହିବା, ସେଥିପାଇଁ କ୍ରମାଗତ ପ୍ରୟାସ ଜାରି ରଖିବାକୁ ପଡ଼ିବ। ବିଦ୍ୟା ଭାରତୀର ୭୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି, ଏହା ‘ଇଣ୍ଡିଆ’ରୁ ‘ଭାରତ’ ଆଡ଼କୁ ଯାତ୍ରାର ଏକ ପ୍ରତିରୂପ ଅଟେ। ଆମେ ସମସ୍ତେ ଏହି ଯାତ୍ରାକୁ ଆନନ୍ଦଦାୟକ କରି ଆଗକୁ ବଢ଼ୁଥାଉ, ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା।
ପରିଶେଷରେ ‘ବନ୍ଦେ ମାତରମ୍’ ଗାନ ସହିତ ବୈଠକର ସମାପ୍ତି ଘଟିଥିଲା।