ପୁଣ୍ୟଶ୍ଲୋକ ଅହଲ୍ୟାବାଈ

“ଭାରତର ଇତିହାସରେ ଏପରି ଜଣେ ରାଣୀ ମଧ୍ୟ ଥିଲେ, ଯାହାଙ୍କ ପାଇଁ ରାଜସିଂହାସନ ଅପେକ୍ଷା ଧର୍ମ ବଡ଼ ଥିଲା। ଏପରି ଜଣେ ମହାରାଣୀ, ଯିଏ ପ୍ରାସାଦରେ ରହୁଥିଲେ, କିନ୍ତୁ ଏକ ସାଧ୍ୱୀଙ୍କ ଭଳି ଜୀବନ ଜିଉଁଥିଲେ। ଯେତେବେଳେ ଭାରତ ରାଜନୈତିକ ଅସ୍ଥିରତା ଓ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିଲା, ସେତେବେଳେ ମାଳବାର ମାଟିରେ ଜଣେ ଦିବ୍ୟ ନାରୀ ସନାତନ ସଂସ୍କୃତି ଓ ଆଦର୍ଶ ଶାସନର ଏପରି ଏକ ଉଦାହରଣ ପ୍ରସ୍ତୁତ କରିଥିଲେ, ଯାହାକୁ ଆଜି ବି ସମଗ୍ର ଭାରତ ସମ୍ମାନର ସହ ମନେରଖିଛି। ଏହା ହେଉଛି ପୁଣ୍ୟଶ୍ଲୋକ ଅହଲ୍ୟାବାଈ ହୋଲକରଙ୍କ କାହାଣୀ।

ଭାରତ କେବଳ ଏକ ଦେଶ ନୁହେଁ, ବରଂ ଧର୍ମ, କରୁଣା, ନ୍ୟାୟ ଓ ଲୋକକଲ୍ୟାଣର ସନାତନ ଚେତନା। ଏବଂ ଏହି ଚେତନାକୁ ଜୀବିତ ରଖିବାର କାର୍ଯ୍ୟ ନିଜ ଜୀବନ ମାଧ୍ୟମରେ ଅହଲ୍ୟାବାଈ ହୋଲକର କରିଥିଲେ। ତାଙ୍କ ପାଇଁ ଶାସନର ଅର୍ଥ କ୍ଷମତାର ସୁଖ ଭୋଗ କରିବା ନଥିଲା। ସେ ମାନୁଥିଲେ ଯେ ରାଜାଙ୍କର ସବୁଠାରୁ ବଡ଼ ଧର୍ମ ହେଉଛି ପ୍ରଜାଙ୍କ ରକ୍ଷା କରିବା, ସେମାନଙ୍କ ଦୁଃଖ ଦୂର କରିବା ଏବଂ ସମାଜକୁ ଧର୍ମ ମାର୍ଗରେ ପରିଚାଳିତ କରିବା। ରାଜପ୍ରାସାଦରେ ରହି ମଧ୍ୟ ତାଙ୍କ ଜୀବନ ସରଳତା, ତପସ୍ୟା ଓ ସେବାରେ ପରିପୂର୍ଣ୍ଣ ଥିଲା। ସେ ପ୍ରତିଦିନ ଭଗବାନ ଶିବଙ୍କ ଆରାଧନା କରୁଥିଲେ ଏବଂ ତା’ପରେ ହିଁ ରାଜକାର୍ଯ୍ୟ ଆରମ୍ଭ କରୁଥିଲେ।

ତାଙ୍କର ନିଷ୍ପତ୍ତି ସବୁବେଳେ ଧର୍ମ, ନ୍ୟାୟ ଓ କରୁଣା ଉପରେ ଆଧାରିତ ଥିଲା। ଏହି କାରଣରୁ ତାଙ୍କ ଶାସନକାଳରେ ପ୍ରଜାମାନେ ନିଜକୁ ସୁରକ୍ଷିତ ମନେ କରୁଥିଲେ। ରାଜ୍ୟରେ ନା ଚୋରିର ଭୟ ଥିଲା, ନା ଅନ୍ୟାୟର ଆତଙ୍କ। ଯଦି କୌଣସି ଅଧିକାରୀ ପ୍ରଜାଙ୍କ ସହ ଅନ୍ୟାୟ କରୁଥିଲେ, ତେବେ ଅହଲ୍ୟାବାଈ ତାଙ୍କୁ କଠୋର ଦଣ୍ଡ ଦେବାରେ ଟିକିଏ ହେଲେ ବି ସଂକୋଚ କରୁନଥିଲେ। କିନ୍ତୁ ପୁଣ୍ୟଶ୍ଲୋକ ଅହଲ୍ୟାବାଈ ହୋଲକରଙ୍କ ସବୁଠାରୁ ମହାନ କାର୍ଯ୍ୟ କ’ଣ ଥିଲା? ସନାତନ ସଂସ୍କୃତିର ସଂରକ୍ଷଣ।

ସେ କାଶୀ ବିଶ୍ୱନାଥ ମନ୍ଦିରର ପୁନଃନିର୍ମାଣ କରାଇଥିଲେ। ସୋମନାଥ, ଗୟା ଏବଂ ଉଜ୍ଜୟିନୀ ସମେତ ଅନେକ ତୀର୍ଥକ୍ଷେତ୍ରର ବିକାଶ କରାଇଥିଲେ। ଘାଟ, କୂଅ ଏବଂ ଧର୍ମଶାଳା ନିର୍ମାଣ କରିଥିଲେ। ତାଙ୍କର ଉଦ୍ଦେଶ୍ୟ କେବଳ ନିର୍ମାଣ କରିବା ନଥିଲା, ବରଂ ଭାରତର ଆଧ୍ୟାତ୍ମିକ ଚେତନାକୁ ପୁନର୍ଜୀବିତ କରିବା ଥିଲା। ଗରିବ, ସାଧୁସନ୍ଥ ଏବଂ ଅସହାୟମାନଙ୍କ ପାଇଁ ତାଙ୍କ ହୃଦୟ କରୁଣାରେ ଭରି ରହୁଥିଲା। ତାଙ୍କ ରାଜ୍ୟରେ ଯେପରି କେହି ଭୋକିଲା ନରହନ୍ତି, ସେଥିପାଇଁ ଭୋଜନ ଓ ଦାନର ବ୍ୟବସ୍ଥା ସଦାସର୍ବଦା ଚାଲୁରହୁଥିଲା। ଧର୍ମର ସଂବର୍ଦ୍ଧନ ପାଇଁ ସେ ନିଜ ରାଜ୍ୟରେ ବିଦ୍ୱାନମାନଙ୍କୁ ସଂରକ୍ଷଣ ପ୍ରଦାନ କରିଥିଲେ, ଯେଉଁମାନେ ପ୍ରାଚୀନ ଭାରତୀୟ ଜ୍ଞାନ ପରମ୍ପରା ଉପରେ ବିସ୍ତୃତ କାର୍ଯ୍ୟ କରିଥିଲେ। ନିଜ ପ୍ରଜାମାନଙ୍କ ପ୍ରତି ତାଙ୍କର ସ୍ନେହ ମା’ଙ୍କ ସଦୃଶ ଥିଲା, ସେଥିପାଇଁ ପ୍ରଜାମାନେ ତାଙ୍କୁ ରାଣୀ ନୁହେଁ, ‘ଲୋକମାତା’ ବୋଲି କହୁଥିଲେ।

ପୁଣ୍ୟଶ୍ଲୋକ ଅହଲ୍ୟାବାଈ ହୋଲକର ପ୍ରମାଣିତ କରିଦେଇଥିଲେ ଯେ ସନାତନ ଧର୍ମ କେବଳ ପୂଜା ଓ କର୍ମକାଣ୍ଡ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ନ୍ୟାୟ, ସେବା ଓ ଲୋକକଲ୍ୟାଣର ମୂଲ୍ୟବୋଧ ଭିତ୍ତିକ ଜୀବନଶୈଳୀ। ଏହି ସନାତନ ପଦ୍ଧତିକୁ ଆଜି ବିଶ୍ୱ ହିନ୍ଦୁତ୍ୱ ନାମରେ ଜାଣିଛି।”

Leave a Reply

Your email address will not be published. Required fields are marked *