ନେତାଜୀଙ୍କୁ ବଞ୍ଚାଇବା ପାଇଁ ନିଜର ସ୍ୱାମୀଙ୍କୁ ହତ୍ୟା କରିଥିବା ମହାନାୟିକା : ନିରା ଆର୍ଯ୍ୟ

ବଳିଦାନ ଦିବସ: ଜୁଲାଇ ୨୬

ଭାରତର ସ୍ୱାଧୀନତା ପାଇଁ ହଜାର ହଜାର ଲୋକ ସ୍ୱଇଚ୍ଛାରେ ଘର ପରିବାର ଛାଡ଼ି ନିଜ ଜୀବନକୁ ଦେଶ ମାତୃକାର ପାଇଁ ସମର୍ପ ଦେଇଥିଲେ। ଏପରି ଏକ ନାମ ହେଉଛି ନୀରା ଆର୍ଯ୍ୟ। ସେ ଭାରତର ପ୍ରଥମ ମହିଳା ଗୁପ୍ତଚର ହେବାର ଗୌରବ ଅର୍ଜନ କରିଛନ୍ତି।

ଦେଶବ୍ୟାପୀ ସ୍ୱାଧୀନତା ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ, ସେ ତାଙ୍କର ପାଠପଢ଼ା ସମୟରେ ଆଜାଦ ହିନ୍ଦ ଫୌଜର ରାଣୀ ଝାନ୍ସୀ ରେଜିମେଣ୍ଟରେ ଜଣେ ସୈନିକ ଭାବରେ ସାମିଲ ହୋଇଥିଲେ। ତାଙ୍କର ସାଥୀ ମାନବତୀ ଆର୍ଯ୍ୟ, ସରସ୍ୱତୀ ରାଜମଣି, ଦୁର୍ଗା, ବେଲା ଏବଂ ଡାନିଏଲ୍ କାଳେଙ୍କ ସହିତ, ସେ ପୁରୁଷ ବେଶରେ ବ୍ରିଟିଶମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରି ଅନେକ ମିଶନ ସଫଳତାର ସହ ସମାପ୍ତ କରିଥିଲେ। ସେମାନଙ୍କ ସାହସିକତାରେ ପ୍ରଭାବିତ ହୋଇ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ ରାଣୀ ଝାନ୍ସୀ ବ୍ରିଗେଡରେ କ୍ୟାପ୍ଟେନ୍ ଭାବରେ ନିଯୁକ୍ତ କରିଥିଲେ।

ନୀରାଙ୍କ ଜନ୍ମ ୫ ମାର୍ଚ୍ଚ ୧୯୦୨ରେ ବର୍ତ୍ତମାନର ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ଖେକ୍ରାରେ ହୋଇଥିଲା। ସେ ହିନ୍ଦୀ, ଇଂରାଜୀ, ବଙ୍ଗଳା ଏବଂ ଅନ୍ୟାନ୍ୟ ଭାଷାରେ ପାରଙ୍ଗମ ଥିଲେ। ସେ ଜଣେ ବ୍ରିଟିଶ ଗୁପ୍ତଚର ଅଧିକାରୀ ଶ୍ରୀକାନ୍ତ ଜୟରଞ୍ଜନ ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ନୀରା ତାଙ୍କ ଦେଶପ୍ରେମରେ ଅଟଳ ଥିଲେ । ନେତାନ୍ଦୀଙ୍କ ବିଶ୍ୱସ୍ତ ଅନୁଗତ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀ ନିରନ୍ତର ବିପ୍ଳବୀମାନଙ୍କୁ ଧରିଥିଲେ ଏବଂ ବ୍ରିଟିଶମାନଙ୍କର ପ୍ରିୟ ଥିଲେ। ବ୍ରିଟିଶମାନେ ଶ୍ରୀକାନ୍ତଙ୍କୁ ନେତାଜୀଙ୍କ ଗୁପ୍ତଚର ଏବଂ ହତ୍ୟା କରିବାର ଦାୟିତ୍ୱ ଦେଇଥିଲେ। ନୀରା ଏହା ଜାଣିବା ପରେ, ଦୁହେଁ ଝଗଡ଼ା କରିବାକୁ ଲାଗିଲେ। ଏହି ବିବାଦ ଏତେ ବୃଦ୍ଧି ପାଇଲା ଯେ ସେମାନେ ପରସ୍ପରର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବାକୁ ଲାଗିଲେ। ଗୋଟିଏ ଦିନ, ଯେତେବେଳେ ନୀରା ଆଜାଦ ହିନ୍ଦ ଫୌଜ ବେସ୍ କ୍ୟାମ୍ପରେ ନେତାଜୀଙ୍କୁ ଭେଟିବାକୁ ଯାଉଥିଲେ, ଶ୍ରୀକାନ୍ତ ତାଙ୍କ ପଛେ ପଛେ ଗଲେ। ସୁଯୋଗ ପାଇ ସେ ନେତାଜୀଙ୍କ ଉପରେ ଗୁଳି ଚଳାଇଲେ। ସୌଭାଗ୍ୟବଶତଃ ଗୁଳି ନେତାଜୀଙ୍କ ଡ୍ରାଇଭରଙ୍କ ଉପରେ ବାଜିଲା। ବିପଦ ଅନୁଭବ କରି ନୀରା ଶୀଘ୍ର ତାଙ୍କ ବନ୍ଧୁକର ସାଙ୍ଗିଆ (ଛୁରୀ) ତାଙ୍କ ସ୍ୱାମୀଙ୍କ ଛାତିରେ ଭୁସି ଦେଲେ।

ଆଜାଦ ହିନ୍ଦ ଫୌଜର ସେହି ବିଶ୍ଵସ୍ତ ସୈନିକ ବ୍ରିଟିସଙ୍କ ନିକଟରେ ଆତ୍ମସମର୍ପଣ ପରେ, ନୀରା ଆର୍ଯ୍ୟଙ୍କୁ ତାଙ୍କ ସ୍ୱାମୀଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ବ୍ରିଟିଶମାନେ ତାଙ୍କୁ ଆଜାଦ ହିନ୍ଦ ଫୌଜ ସାଥୀମାନଙ୍କ ନାମ ଏବଂ ନେତାଜୀଙ୍କ ସ୍ଥାନ ବିଷୟରେ କହିଲେ ତାଙ୍କୁ ମୁକ୍ତ କରିଦେବାର ପ୍ରତିଶ୍ରୁତି ଦେଇଥିଲେ। ତଥାପି, ବ୍ରିଟିଶମାନେ ତାଙ୍କଠାରୁ କିଛି ପାଇ ପାରି ନଥିଲେ। ତାଙ୍କ ଦଣ୍ଡାଦେଶ ସମୟରେ ତାଙ୍କୁ କଠୋର ନିର୍ଯାତନା ଦିଆଯାଇଥିଲା। ଆଜୀବନ କାରାଦଣ୍ଡ ପାଇଁ ଆଣ୍ଡାମାନ ପଠାଯିବା ପୂର୍ବରୁ, ତାଙ୍କୁ କଲିକତା (ବର୍ତ୍ତମାନ କୋଲକାତା) ଜେଲରେ ରଖାଯାଇଥିଲା, ଯେଉଁଠାରେ ଜେଲର ଅମାନବତା ଏବଂ ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରି ତାଙ୍କ ସ୍ତନ କାଟିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ସ୍ୱାଧୀନତା ପରେ ଯେଉଁମାନେ କ୍ଷମତାକୁ ଆସିଥିଲେ, ସେମାନେ ଭାରତ ମାତା ପାଇଁ ସର୍ବସ୍ୱ ଉତ୍ସର୍ଗ କରିବାକୁ ବାହାରିଥିବା କ୍ରାନ୍ତିକାରୀମାନଙ୍କୁ କିପରି ଅବହେଳା କରିଥିଲେ ତାହାର ଏକ ଉଦାହରଣ ହେଉଛନ୍ତି ନୀରା ଆର୍ଯ୍ୟ। ସ୍ୱାଧୀନ ଭାରତରେ, ଭାରତ ମାତାର ଏହି ସାହସୀ ଝିଅଙ୍କୁ କୌଣସି ସମ୍ମାନ ଦିଆ ଯାଇ ନଥିଲା। ତାଙ୍କ ଜୀବନର ଶେଷ ସମୟରେ, ତାଙ୍କୁ ହାଇଦ୍ରାବାଦର ଚାରମିନାର ନିକଟରେ ଫୁଲ ବିକ୍ରି କରି ନିଜର ଜୀବିକା ନିର୍ବାହ କରିବାକୁ ପଡ଼ୁଥିଲା, ଯେଉଁଠାରେ ସେ ଏକ କୁଡ଼ିଆରେ ରହୁଥିଲେ।

ତାଙ୍କର ଏହି ଦୁର୍ଦ୍ଦିନରେ କଂଗ୍ରେସ ସରକାର ସେହି କୁଡ଼ିଆଟିକୁ ଭାଙ୍ଗି ଦେଇଥିଲେ କାରଣ ଏହା ସରକାରୀ ଜମିରେ ନିର୍ମିତ ହୋଇଥିଲା । ମହାନ ବିପ୍ଳବୀ ନୀରା ଆର୍ଯ୍ୟ ୨୬ ଜୁଲାଇ, ୧୯୯୮ ରେ ଜଣେ ଅସହାୟ, ନିଃସହାୟ ଏବଂ ଅସୁସ୍ଥ ବୃଦ୍ଧା ଭାବରେ ମୃତ୍ୟୁବରଣ କରିଥିଲେ।

କ୍ୟାପ୍ଟେନ୍ ନୀରା ଆର୍ଯ୍ୟ ଭାରତର ସ୍ୱାଧୀନତା ପାଇଁ ତାଙ୍କ ସଂଘର୍ଷ ବିଷୟରେ ଏକ ଆତ୍ମଜୀବନୀ ଲେଖିଥିଲେ। ଲେଖକ ମଧୁ ଧାମା ଏହି ମହାନ ଦେଶଭକ୍ତ, ସାହସୀ ଏବଂ ସ୍ୱାଭିମାନୀ ମହିଳାଙ୍କ ଜୀବନୀ ଉପରେ ଏକ ଉପନ୍ୟାସ ଲେଖିଛନ୍ତି। ନୀରାଙ୍କ ଭାଇ ବସନ୍ତ କୁମାର ମଧ୍ୟ ଆଜାଦ ହିନ୍ଦ ଫୌଜରେ ଥିଲେ। ଏହି ଭାଇଭଉଣୀମାନଙ୍କ ବିଷୟରେ ଅନେକ ଲୋକ ଗାୟକ କବିତା ସଂଗ୍ରହ ଏବଂ ଭଜନ ଲେଖିଛନ୍ତି। “ନୀରା ନାଗିନୀ” ଶୀର୍ଷକ ଏକ ମହାକାବ୍ୟ ମଧ୍ୟ ଲେଖାଯାଇଥିଲା। ହାଇଦ୍ରାବାଦର ମହିଳାମାନେ ତାଙ୍କୁ “ପେଦାମ୍ମା” ବୋଲି ଡାକୁଥିଲେ।

ଏବେ, ନୀରା ଆର୍ଯ୍ୟଙ୍କ ନାମରେ ଏକ ଜାତୀୟ ପୁରସ୍କାର ପ୍ରତିଷ୍ଠା କରାଯାଇଛି, ଏବଂ ତାଙ୍କ ଜନ୍ମସ୍ଥାନ ଖେକ୍ରାରେ ଏକ ସ୍ମାରକୀ ଘୋଷଣା କରାଯାଇଛି। କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୂପା ଆୟର ତାଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ, ଭାରତର ଲୋକମାନେ ଏହି ମହାନ ଦେଶପ୍ରେମୀ ନାୟିକାଙ୍କ ବିଷୟରେ ଜାଣିପାରିବେ।

Leave a Reply

Your email address will not be published. Required fields are marked *