ସ୍ୱାଧୀନତା ସଂଗ୍ରାମୀ ଡା. ହେଡ଼ଗେୱାର

ସ୍ୱାଧୀନତା ସଂଗ୍ରାମୀ ଡା. ହେଡ଼ଗେୱାର
ସର୍ବେଶ୍ୱର ବେହେରା
ଭାରତୀୟ ସାମାଜିକ, ରାଜନୀତିକ, ଶୈକ୍ଷିକ ଓ ସାଂସ୍କୃତିକ ଜଗତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ତା’ର ଲକ୍ଷ୍ୟ-ସିଦ୍ଧାନ୍ତ-କାର୍ଯ୍ୟପଦ୍ଧତି ଆଜି ବହୁଚର୍ଚ୍ଚିତ । କୌଣସି ସଂଗଠନର ସାମାଜିକଦର୍ଶନ, ରାଜନୀତିକ ଦୃଷ୍ଟିକୋଣ, ସଂଗଠନାତ୍ମକ ସଂସ୍କୃତିକୁ ହୃଦ୍‌ବୋଧ କରିବା ପାଇଁ ସେହି ସଂଗଠନର ପ୍ରତିଷ୍ଠାତାଙ୍କ ଜୀବନୀ ଓ ବୈଚାରିକଦିଗକୁ ଜାଣିବା ଆବଶ୍ୟକ । ସଂଘ ତା’ର ସମକାଳୀନ ହିନ୍ଦୁ ସଂଗଠନ ଠାରୁ କିପରି ଭିନ୍ନ ଥିଲା, ତା’ର ବୈଚାରିକ ପୃଷ୍ଠଭୂମି ଓ ବୈଶ୍ୱିକ ଦୃଷ୍ଟିକୋଣର ମର୍ମକୁ ଡ. ହେଡ଼ଗେୱାରଙ୍କ ଜୀବନୀ ପ୍ରସଙ୍ଗ ଓ ସମଗ୍ର ଦୃଷ୍ଟିକୋଣ ନ ଜାଣିଲେ ହୃଦୟଙ୍ଗମ କରିହେବ ନାହିଁ । ଡ. ହେଡ଼ଗେୱାରଙ୍କ ସମ୍ବନ୍ଧରେ ମଧ୍ୟ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ସୃଷ୍ଟି ହୋଇଛି । ତନ୍ମଧ୍ୟରୁ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅଲିପ୍ତ ରହିବା ମୁଖ୍ୟ ବିଷୟ । ଏହା ବାସ୍ତବରେ ସଂଘ ପ୍ରତି ଅସୂୟା ପ୍ରଣୋଦିତ ହୋଇଥିବା ବ୍ୟକ୍ତିମାନଙ୍କ ଅପପ୍ରଚାର ।
ଡ. ହେଡ଼ଗେୱାର ୧୮୮୯ ମସିହା ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଏପ୍ରିଲ-୧ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବନ୍ଦେ ମାତରମ୍ ଆନ୍ଦୋଳନରେ ସକ୍ରିୟ ହୋଇ ବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ । ପରେ ସେ କୋଲକାତାଠାରେ ଡାକ୍ତରୀ ବିଦ୍ୟା ଶିକ୍ଷା କରୁଥିବା ସମୟରେ ବିଶିଷ୍ଟ ବୈପ୍ଳବିକ ସଂଗଠନ ‘ଅନୁଶୀଳନ ସମିତି’ର ସକ୍ରିୟ ସଦସ୍ୟ ହୋଇଥିଲେ । ନିଜର ଛଦ୍ମନାମ ‘କୋକେନ’ ରଖି ସେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ କରିଥିଲେ । ୧୯୧୪ ମସିହାରେ ସେ କୃତିତ୍ୱର ସହିତ ଏମ.ବି.ବି.ଏସ ଉତ୍ତୀର୍ଣ୍ଣ ହୋଇଥିଲେ । ଢାକାଠାରେ ତାଙ୍କୁ ସରକାରୀ ଡାକ୍ତର ପଦବୀ ପାଇଁ ନିଯୁକ୍ତି ପତ୍ର ଆସିଥିଲା । ତାହାକୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ସମାଜ ସୁଧାର ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ଡା. ହେଡ଼ଗେୱାର ନାଗପୁରକୁ ପ୍ରତ୍ୟାବର୍ତ୍ତନ କରି ତତ୍କାଳୀନ ଜାତୀୟ କଂଗ୍ରେସର ସଦସ୍ୟ ଓ କାର୍ଯ୍ୟକର୍ତ୍ତା ହୋଇ କାର୍ଯ୍ୟ କରିଥିଲେ । ୧୯୨୦ ମସିହା ଡିସେମ୍ବର ୨୦ ତାରିଖରେ କଂଗ୍ରେସର ବିଂଶତିତମ ଅଧିବେଶନ ନାଗପୁର ଠାରେ ହୋଇଥିଲା । ସେହିବର୍ଷ ଅଗଷ୍ଟ-୧ ତାରିଖରେ ମହାରାଷ୍ଟ୍ରର ଅଦ୍ୱିତୀୟ କଂଗ୍ରେସ ନେତା ବାଳଗଙ୍ଗାଧର ତିଳକଙ୍କ ଦେହାନ୍ତ ହୋଇଥିଲା । ତିଳକଙ୍କ ପରି ଜଣେ ବୈପ୍ଳବିକ ନେତା କଂଗ୍ରେସର ସଭାପତି ଆସନ ଅଳଂକୃତ କରନ୍ତୁ, ଏହା ଡା. ହେଡ଼ଗେୱାରଙ୍କ ଇଚ୍ଛା ଥିଲା । ଏଣୁ ସେ ନାଗପୁର କଂଗ୍ରେସରେ ସହଯୋଗୀ ଅରବିନ୍ଦଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦଭାର ଅଳଂକୃତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ସମସ୍ତେ ଏହାକୁ ଅନୁମୋଦନ କରିଥିଲେ । ଡା. ହେଡ଼ଗେୱାର ଓ ଡ. ମୁଞ୍ଜେ ପଣ୍ଡିଚେରୀ ଆଶ୍ରମ ଯାଇଁ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ୍ କରି କଂଗ୍ରେସର ପଦଭାର ଅଳଂକୃତ କରିବା ପାଇଁ ଅନୁରୋଧ କରିଥିଲେ । ୧୯୧୦ ମସିହାରୁ ଶ୍ରୀଅରବିନ୍ଦ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇ ପଣ୍ଡିଚେରୀଠାରେ ସାଧନା କରୁଥିଲେ। ସେ ପୁନଃ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଯଦି ଶ୍ରୀ ଅରବିନ୍ଦ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ ତେବେ କଂଗ୍ରେସର ଦୃଶ୍ୟପଟ ପରିବର୍ତ୍ତନ ହୋଇଥାଆନ୍ତା । ନାଗପୁର କଂଗ୍ରେସ ଅଧିବେଶନରେ ଡା. ହେଡ଼ଗେୱାର ପ୍ରସ୍ତାବ ସମିତିର ସଦସ୍ୟ ଥିଲେ । ସେ ଦୁଇଟି ପ୍ରସ୍ତାବ ଆଗତ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ପ୍ରଥମରେ ଇଂରେଜ କବଳରୁ ଭାରତକୁ ମୁକ୍ତ କରି ଗଣତନ୍ତ୍ର ପ୍ରତିଷ୍ଠା କରିବା ଓ ଦ୍ୱିତୀୟରେ ସମଗ୍ର ବିଶ୍ୱରେ ପୁଞ୍ଜିବାଦ ସମାପ୍ତ କରିବା; କିନ୍ତୁ ଦୁର୍ଭାଗ୍ୟର କଥା ଏହି ଦୁଇଟି ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟ ସମିତି ସ୍ୱୀକାର କରିନଥିଲା ।
୧୯୨୧ ମସିହାରେ ଇଂରେଜମାନେ ଡା. ହେଡ଼ଗେୱାରଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲେ । ତାଙ୍କ ଉପରେ ଫୌଜଦାରୀ ଦଣ୍ଡ ସଂହିତା ଧାରା ୧୦୮ ଅନ୍ତର୍ଗତ ମୋକଦ୍ଦମା ରୁଜୁ କରାଯାଇଥିଲା । କଂଗ୍ରେସର ବିଦର୍ଭ ପ୍ରାନ୍ତର ସାଧାରଣ ସମ୍ପାଦକ ରୂପେ ସେ ଇଂରେଜ ବିରୋଧରେ ସାଧାରଣ ସଭାଗୁଡ଼ିକରେ ଯେଉଁ ଭାଷଣ ଦେଇଥିଲେ ତାହା ରାଜଦ୍ରୋହ ରୂପେ ପରିଗଣିତ ହୋଇଥିଲା । ନ୍ୟାୟାଳୟରେ ସେ କୌଣସି ଓକିଲ ନିଯୁକ୍ତ ନକରି ନିଜେ ଜବାବ ସୁଆଲ କରିଥିଲେ। ବିଚାରପତି ସ୍କେଲିଙ୍କ ଅଦାଲତରେ ସେ ନିଜ ସପକ୍ଷରେ ଯୁକ୍ତି ରଖି ଇଂରେଜମାନଙ୍କ ବିରୋଧରେ ଯେଉଁ ଘୋର କଟାକ୍ଷ କରିଥିଲେ, ତାହା ଶୁଣି ବିଚାରପତି ସ୍କେଲି ଚକିତ ହୋଇଯାଇଥିଲେ । ଇଂରେଜ ବିଚାରପତି ନିଜ ରାୟରେ ଘୋଷଣା କରିଥିଲେ ଯେ ଡା. ହେଡ଼ଗେୱାରଙ୍କ ଭାଷଣ ଶୁଣିବା ପରେ ମନେ ହେଉଛି ତାଙ୍କ ବିରୋଧରେ ରାଜଦ୍ରୋହ ମୋକଦ୍ଦମା ରୁଜୁ ହେବା ଯଥାର୍ଥ । ଏଣୁ ସେ ଅଗଷ୍ଟ-୧୯ ତାରିଖରେ ଡା. ହେଡ଼ଗେୱାରଙ୍କୁ ଏକବର୍ଷ ସଶ୍ରମ କାରାବାସ ଦଣ୍ଡଘୋଷଣା କରିଥିଲେ । ଡା. ହେଡ଼ଗେୱାର ମଧ୍ୟପ୍ରାନ୍ତର ତତ୍କାଳୀନ ସମସ୍ତ ବିଚାର ପ୍ରବାହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୨୪ ମସିହାରେ ସେ ନାଗପୁରରୁ ‘ସ୍ୱାତନ୍ତ୍ର’ ନାମକ ପତ୍ରିକାର ସମ୍ପାଦକ ରୂପେ ନିଯୁକ୍ତ ହୋଇଥିଲେ । ତାଙ୍କର ସମ୍ପାଦନାରେ ‘ସ୍ୱାତନ୍ତ୍ର’ ପତ୍ରିକାରେ ବିପ୍ଳବୀମାନଙ୍କୁ ପ୍ରଶଂସା ଓ ଇଂରେଜମାନଙ୍କ ଅତ୍ୟାଚାରର କାହାଣୀ ନିୟମିତ ପ୍ରକାଶ ପାଇଲା । ଫଳରେ ‘ସ୍ୱାତନ୍ତ୍ର’ ଇଂରେଜମାନଙ୍କ କୋପ ଦୃଷ୍ଟିର ଶିକାର ହେଲା । ସମ୍ବାଦପତ୍ର କାର୍ଯ୍ୟାଳୟକୁ ସିଲ୍ କରିଦିଆଗଲା; କିନ୍ତୁ ନାଗପୁରର ଜନସାଧାରଣ ଡା. ହେଡ଼ଗେୱାରଙ୍କୁ ସାଲିସବିହୀନ ନେତା ଓ ସାମ୍ରାଜ୍ୟବାଦ ବିରୋଧୀ ପ୍ରଖର ପ୍ରବକ୍ତା ଭାବେ ପରିଗଣିତ କରୁଥିଲେ ।
୧୯୨୫ ମସିହା ବିଜୟାଦଶମୀ ତିଥିରେ ଡା. ହେଡ଼ଗେୱାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ । ବହୁ ସାମାଜିକ-ରାଜନୀତିକ-ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତା ହୋଇ ସେ ଅନୁଭବ କରିଥିଲେ ଯେ ବ୍ୟକ୍ତି ରାଷ୍ଟ୍ରର ପ୍ରଥମ ଘଟକ । ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ପବିତ୍ର ଭାବନା ଉଦ୍ରେକ ନ ହେବ, ସେ ପର୍ଯ୍ୟନ୍ତ ବିଶୁଦ୍ଧ ରାଷ୍ଟ୍ରୀୟତାର କଳ୍ପନା କରିହେବ ନାହିଁ । ବ୍ୟକ୍ତି ଚରିତ୍ରବାନ୍ ଓ ସଂସ୍କାରଯୁକ୍ତ ହେଲେ ରାଷ୍ଟ୍ର ସୁଦୃଢ଼ ହେବ । ଦେଶରେ ସାଂସ୍କୃତିକ ରାଷ୍ଟ୍ରବାଦର ବହୁ ଚିନ୍ତକ, ମହାନ୍ ଭାରତୀୟ ଚିନ୍ତନ ପରମ୍ପରା ଓ ଜ୍ଞାନର ଭଣ୍ଡାର ମହଜୁଦ ଥିଲେ ମଧ୍ୟ ବ୍ୟକ୍ତି ମନରେ ସଂକୀର୍ଣ୍ଣତା ତଥା ସ୍ୱାର୍ଥପରତା ସର୍ବଦା ରହୁଥିଲା । ଡା. ହେଡ଼ଗେୱାର ବ୍ୟକ୍ତିର ମନରେ ରାଷ୍ଟ୍ରୀୟତାର ଭାବନାର ଅଭାବ ପରିଲକ୍ଷିତ କରିଥିଲେ । ଏଣୁ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରାଷ୍ଟ୍ରୀୟତାର ଭାବନା ଉଦ୍ରେକ କରିବା ସହିତ ରାଷ୍ଟ୍ରୀୟତାର ସଂସ୍କାର ଦେବା ପାଇଁ ସଂଘର ଶାଖା ଆରମ୍ଭ କରିଥିଲେ । କ୍ରମଶଃ ସଂଘର ଶାଖା ନାଗପୁରରୁ ମହାରାଷ୍ଟ୍ର ବ୍ୟାପୀ ଓ ଦେଶବ୍ୟାପୀ ହେଲା ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ରାଷ୍ଟ୍ରର ସର୍ବାଙ୍ଗୀଣ ଉନ୍ନତି ଥିବା ସମୟରେ ତାତ୍କାଳିକ ଲକ୍ଷ୍ୟ ରାଷ୍ଟ୍ରର ସ୍ୱାଧୀନତା ଥିଲା । ଏଣୁ ଡା. ହେଡ଼ଗେୱାର ସ୍ୱୟଂସେବକମାନଙ୍କୁ କଂଗ୍ରେସ ଦ୍ୱାରା ଆୟୋଜିତ ସମସ୍ତ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିଜେ ମଧ୍ୟ ୧୯୩୦ ମସିହାର ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସରସଂଘଚାଳକ ପଦଭାର ଡ. ପରଞ୍ଜପେଙ୍କୁ ଅର୍ପଣ କରି ସେ ଜଙ୍ଗଲ ସତ୍ୟାଗ୍ରହ କରିଥିଲେ । ୧୯୩୦ ଜୁଲାଇ ୨୧ ତାରିଖରେ ତାଙ୍କୁ ଗିରଫ କରାଯାଇ ଅପରାଧିକ ଦଣ୍ଡ ସଂହିତା ୧୧୭ ଧାରା ଅନ୍ତର୍ଗତ ୬ମାସ ଓ ୩୭୯ ଧାରା ଅନ୍ତର୍ଗତ ତିନିମାସ ଏହିପରି ମୋଟ ୯ମାସ ସଶ୍ରମ କାରାବାସ ଦଣ୍ଡ ଆଦେଶ ହୋଇଥିଲା । ସଂଘର ମୁଖ୍ୟ ଜେଲରେ ଥିବା ସମୟରେ ସ୍ୱୟଂସେବକମାନେ ଇଂରେଜ ବିରୋଧରେ ଜନଜାଗରଣ ତୀବ୍ର ଗତିରେ ଜାରି ରଖିଥିଲେ । ବହୁ ସ୍ୱୟଂସେବକ ମଧ୍ୟ ଗିରଫ ହୋଇଥିଲେ । ଡା. ହେଡ଼ଗେୱାର ନିଜର ଓ ସଂଗଠନର ସାମୂହିକ ଆଚରଣରେ ପ୍ରମାଣିତ କରିଥିଲେ ଯେ ଦେଶଭକ୍ତି, ରାଜନୀତିକ ଚେତନାରୁ ଅଧିକ ସାଂସ୍କୃତିକ ଚେତନାରେ ପ୍ରଭାବିତ ହୋଇଥାଏ । ଏଣୁ ସଂଘରୂପକ ଗୋଟିଏ ଅଣରାଜନୀତିକ ସଂଗଠନ ସ୍ୱାଧୀନତା ଆନ୍ଦୋଳନରେ ଯେପରି ସମର୍ପଣ ଭାବନା ପ୍ରଦର୍ଶନ କରିଥିଲା ତାହା ଡା. ହେଡ଼ଗେୱାରଙ୍କ କାର୍ଯ୍ୟଦକ୍ଷତାର ସାର୍ଥକତା ଥିଲା ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪

Leave a Reply

Your email address will not be published. Required fields are marked *