ହେନ୍ତାଳ ଜଙ୍ଗଲ ଉପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ୧୯୪୭ ମସିହା ପରେ ଦେଶ ବିଭାଜନ ସମୟରେ ପଡ଼ୋଶୀ ଦେଶରୁ ନିର୍ଯାତନା ପାଇ ଭାରତକୁ ଜୀବନ ବଞ୍ଚାଇବାକୁ ପଳାଇ ଆସିଥିଲେ। ପରେ ଭାରତ ସରକାର ସେମାନଙ୍କୁ ମର୍ଯ୍ୟାଦାର ସହ ବିଭିନ୍ନ ସ୍ଥାନରେ ଶରଣାର୍ଥୀ ଭାବେ ବସତି ସ୍ଥାପନ ପାଇଁ ଜାଗା ଦେଇଥିଲେ। ସେମାନଙ୍କର ସଂଖ୍ୟା ଜିଲ୍ଲାରେ ଅତି ନଗଣ୍ୟ ଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାର ସୁଯୋଗ ନେଇ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ବେଆଇନ ଭାବେ ପ୍ରବେଶ କରି ଜିଲ୍ଲାର ୩ ବ୍ଲକ୍ରେ ବେଆଇନ ଭାବେ ସରକାରୀ ଜମି ମାଡ଼ିବସିଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଲକ୍ର ଅଞ୍ଚଳର ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ଉପରେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା। ଅଞ୍ଚଳର ରକ୍ଷା କବଚ ଭାବେ କାମ କରୁଥିବା ହେନ୍ତାଳ ଜଙ୍ଗଲକୁ କାଟି ସଫା କରି ଶହ ଶହ ଏକର ଜାଗା ମାଡ଼ିବସିଛନ୍ତି। ଏହାକୁ ଦେଖି କିଛି ପ୍ରଭାବଶାଳୀ ଆଇନଜୀବୀ, ଡାକ୍ତର, ପୁଲିସ ଅଧିକାରୀ, ରାଜନେତା ଏହି ଜଙ୍ଗଲ ଜମି ଉପରେ ନିଜର ରାଜୁତି ଆରମ୍ଭ କରି ଅଦ୍ୟାବଧି ସେମାନଙ୍କର ନିଜସ୍ବ ଜମି ବୋଲି ବିଭିନ୍ନ ସମୟରେ ଦାବି କରିଆସିଛନ୍ତି । ଯାହା ପାଇଁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ତଥା ଦେଶ ଓ ରାଜ୍ୟର ପ୍ରଗତି ନିମନ୍ତେ ଆବଶ୍ୟକ କରୁଥିବା କଳକାରଖାନା, ଶିଳ୍ପାଞ୍ଚଳ ପ୍ରତିଷ୍ଠାରେ ବାଧକ ସାଜିଛି। ନଥପତ୍ରରେ ଜମି ଓଡ଼ିଶା ସରକାରଙ୍କର। କିନ୍ତୁ ମାଡ଼ିବସିଛନ୍ତି ଜବରଦଖଲକାରୀ। କେଉଁଠି ଚିଙ୍ଗୁଡ଼ି ଘେରି ଅଛି ତ କେଉଁଠି ଶହଶହ ଏକର ଜମିମାଡ଼ିବସି ଧାନଚାଷ କରି ବିପୁଳ ଫାଇଦା ପାଉଛନ୍ତି। ଗତବର୍ଷ ନୂଆ ସରକାର ସରକାରୀ ଜମିରୁ ଜବରଦଖଲ ହଟାଯିବ ଓ ଉନ୍ନୟନମୂଳକ କାମ ସୁରୁଖୁରୁରେ କରାଯିବ ବୋଲି କହିବା ପରେ ଆଶା ବଢ଼ିଥିଲା। ହେଲେ ଅଦ୍ୟାବଧୂ ଏଦିଗରେ ଆଖିଦୃଶିଆ ଉଦ୍ୟମ ହେଲାନାହିଁ । ଯଦିଓ ବାଂଲାଦେଶୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ହେଲେ କେତେ ଜମି ସେମାନଙ୍କ ଦଖଲରେ ରହିଛି ତାହା ସ୍ପଷ୍ଟ ହେଲାନାହିଁ ଅବା ଏନେଇ ଉଦ୍ୟମ ହୋଇନାହିଁ। ଗୋଟିଏ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ୨ ଡେସିମିଲ ଜମି ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ପଡ଼ୋଶୀ ଦେଶର ଲୋକ ଏଠାରେ ଶହଶହ ଏକର ଚାଷଜମି ମାଡ଼ିବସି ଅକ୍ତିଆରରେ ରଖିଛନ୍ତି।
୨୦୦୫ ମସିହା ଗଣନା ଆଧାରରେ କେନ୍ଦ୍ରାପଡ଼ା ଜିଲ୍ଲାର ୩ ତହସିଲ ଅଞ୍ଚଳରେ ୧୬୪୯ଜଣ ବାଂଲାଦେଶୀ ରହୁଥିବା ସରକାରୀ ରିପୋର୍ଟ କହୁଛି। ୨୦୦୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ରେ ୧୫୫୧, ରାଜନଗରରେ ୩୦, ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ୬୮ ଜଣ ଚିହ୍ନଟ ହୋଇଥିଲେ। ହେଲେ ବାସ୍ତବ ଚିତ୍ର କିନ୍ତୁ ତା’ଠାରୁ ଢେର ଅଧିକ। ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା ୫୦ହଜାରରୁ ଅଧିକ ହେବ ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ। ସେମାନେ ନିର୍ଦ୍ଦିଷ୍ଟ ଭାବେ କେବଳ ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇରେ ବାଂଲାଦେଶୀ କାୟା ବିସ୍ତାର କରିଥିବା କୁହାଯାଉଥିଲେ ବି ଅନ୍ୟ ଅଞ୍ଚଳରେ ଛାଇ ଯାଇଛନ୍ତି। କେବଳ ବସବାସ କରୁନାହାନ୍ତି, ବିଭିନ୍ନ ବାବଦରେ
ସ୍ଥାନୀୟ ପ୍ରଶାସନର କିଛି ନ୍ୟସ୍ତସ୍ଵାର୍ଥ ଅଧିକାରୀ, କର୍ମଚାରୀଙ୍କ ସହଯୋଗରେ ସରକାରୀ ସୁବିଧା, ସୁଯୋଗ ହାତେଇ ଚାଲିଛନ୍ତି। ବେଆଇନ ଚିଙ୍ଗୁଡ଼ି ଘେରି, ମାଛମରା, ନିଶା କାରବାର ସାଙ୍ଗକୁ ନାବାଳିକା ଚାଲାଣ ଭଳି ବିଭିନ୍ନ ସଙ୍ଗିନ ମାମଲାରେ ସମ୍ପୃକ୍ତ ଥିବାର ବିଭିନ୍ନ ସମୟରେ ନଜରକୁ ଆସିଛି। ମହାକାଳପଡ଼ା ବ୍ଲକ୍ର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜନ୍ତୁ, ସୁନତି, ଗୋଗୁଆ, ଲାମ୍ପୁଡ଼ା, କଂସାର-ବଡ଼ଦାଣ୍ଡୁଆ, ବଉଳକଣୀ ଆଦି ପଞ୍ଚାୟତରେ ଶହ ଶହ ଏକର ସରକାରୀ ଜମି ଏମାନଙ୍କ କବଜାରେ ରହିଛି। ରାଜନଗର ବ୍ଳକ୍ରର ରଙ୍ଗିଣୀ, କେରୁଆପାଳ, ତାଳଚୁଆ, ବାଘମାରି, ଡାଙ୍ଗମାଳ, କୃଷ୍ଣନଗର, ଗୁପ୍ତି, ବ୍ରାହ୍ମଣୀ ସାହି, ଈଶ୍ୱରପୁର ଆଦି ପଞ୍ଚାୟତରେ ବାଂଲାଦେଶୀଙ୍କ ଦବଦବା ଦେଖିବାକୁ ମିଳେ। ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଖଡ଼ିଅନ୍ତା ପଞ୍ଚାୟତରେ ୭ ପରିବାରକୁ ତତ୍କାଳୀନ କେନ୍ଦ୍ର ସରକାର ଥଇଥାନ କରିଥିଲେ ବି ପରେ ସେମାନଙ୍କ ବଂଶ ବୃଦ୍ଧି ପାଇ ଏବେ ୩୦୦ ଟପିଗଲାଣି । ତା’ବାଦ୍ ସଂସାରଫଳ ପଞ୍ଚାୟତକୁ ବାଂଲା ଅନୁବେଶକାରୀ ବସି ସ୍ଥାପନ କରିଥିବାର ଅଭିଯୋଗ ଉଠିଛି। ଧରପଗଡ଼ ପରେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ଥିବା ୧୩୭ ଜଣ ଅନୁପ୍ରବେଶକାରୀଙ୍କ ନାଁ ବାଦ୍ ଦିଆଯାଇଥିଲା। ୨୦୨୪ ମସିହାରେ ମଧ୍ୟ ଅନୁରୂପ ଭାବେ ବଉଳକଣି ପଞ୍ଚାୟତର ଲୁଣାଘେରି, ବେତବେଲାଗି, ଓଳପଦାରେ ବାଂଲା ଅନୁପ୍ରବେଶକାରୀଙ୍କ ନାଁ ସାମିଲ ଥିବା ଜଣାପଡ଼ିବା ପରେ ପ୍ରଶାସନ ତତ୍କାଳ ପଦକ୍ଷେପ ଗ୍ରହଣ କରିଥିଲା। ପରେ ସେମାନେ ପୁଣି ଯୋଡ଼ି ହୋଇଥିବା ଅଭିଯୋଗ ହୋଇଛି। ଅନୁପ୍ରବେଶ ରୋକିବା, ଏଠାରେ ରହୁଥିବା ଅନୁପ୍ରବେଶକାରୀଙ୍କ ଗତିବିଧି, ଆଚରଣ ଉପରେ ନଜର ରଖିବା ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ । ଏବେ ସରକାରୀ ଜମିରୁ ସେମାନଙ୍କୁ ହଟାଇବା ପ୍ରଶାସନ ପାଇଁ ଆହ୍ଵାନ ପାଲଟିଛି। ତେବେ କେତେଦିନ ହେବ ମହାକାଳପଡ଼ା ଓ ରାଜନଗର ବ୍ଳକରେ ୨୦ରୁ ୩୦ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଆଣି ପଚରାଉଚରା କରୁଛି। ହେଲେ ଅଦ୍ୟାବଧୂ ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରକୃତ ବାଂଲାଦେଶୀ ଅନୁପ୍ରବେଶକାରୀ ତାହା ସ୍ପଷ୍ଟ ହୋଇନାହିଁ ।କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲିକଙ୍କୁ ପଚାରିବାରୁ କହିଛନ୍ତି ଯେ ଏନେଇ ୨ରୁ ୩ଥର ବୈଠକ ସରିଲାଣି। ଯେଉଁମାନେ ବେଆଇନ ଭାବେ ସରକାରୀ ଜମି ହାତେଇଥିବେ ସେମାନଙ୍କ କବଳରୁ ଅବରୋଧମୁକ୍ତ କରାଯିବ।