ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ବଡ଼ଧରଣର ଗୁଳି ବିନିମୟରେ ୮ ମାଓବାଦୀ ନିପାତ ପରେ ମୃତଦେହ ଉଦ୍ଧାର ହୋଇଛି । ଗୁଳି ବିନିମୟ ଜାରି ରହିଥିବା ବେଳେ ଡିଆରଜି ଏବଂ ଏସ୍ଟିଟିଏଫ୍ ଯବାନମାନେ ସାମିଲ ହୋଇଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ ଅତ୍ୟାଧୁନିକ ସ୍ଵୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସରକାର ଛତିଶଗଡ଼ରେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ସଂକଳ୍ପ ନେଇଛନ୍ତି। ୨୦୨୬ ସୁଦ୍ଧା ରାଜ୍ୟକୁ ଲାଲ ଆତଙ୍କରୁ ମୁକ୍ତ ଲକ୍ଷ୍ୟ ରଖୁଛନ୍ତି। ସେହି ଲକ୍ଷ୍ୟ ହାସଲ ପାଇଁ ସୁରକ୍ଷା ବାହିନୀ ଦ୍ବାରା ମାଓ ବିରୋଧରେ ଘନଘନ ତଲାସି ଅଭିଯାନ ଜାରି ରହିଛି। ବିଜାପୁର ଜିଲା ଗଙ୍ଗାଲୁର ଥାନା ଟୋଡକା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳି ବିନିମୟ ହୋଇଥିଲା। ଏଥିରେ ୮ ମାଓବାଦୀ ନିପାତ ହୋଇଛନ୍ତି। ବିଜାପୁର ଜିଲାର ଗଙ୍ଗାଲୁର ଥାନା ଟୋଡକା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିର ସୂଚନା ଆଧାରରେ ଡିଆର୍ଜି, ଏସ୍ଟିଟିଏଫ୍, କୋବ୍ରା, ସିଆରପିଏଫ୍ ୨୨୨ ବାଟାଲିଅନ ଯବାନଙ୍କ ମିଳିତ ଦଳ ତଲାସି ଅଭିଯାନ ପାଇଁ ବାହାରିଥିଲେ। ଯେଉଁଠାରେ ମିଳିତ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୨୦୨୫ ଆରମ୍ଭରୁ ଅଦ୍ୟାବଧୂ ମାସକ ମଧ୍ୟରେ ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁରରେ ଗୁଳିବିନିମୟରେ ୪୬ ଜଣଙ୍କୁ ଗିରଫ କରାଯାଇଛି। ୨୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।