ହାତିଗଡ ଗ୍ରାମବାସୀଙ୍କ ପ୍ରଶ୍ନ-ବିଦ୍ୟାଳୟରେ ସରସ୍ବତୀ ପୂଜା ଓ ଗଣେଶ ପୂଜା ପାଳନ କରାଯିବନିତ ଆଉ କଣ ହେବ

ବିଦ୍ୟାଳୟରେ ବାଗ୍‌ଦେବୀଙ୍କ ପୂଜା କରିବା ପାଇଁ ଅନୁମତି ମିଳିଲା ନାହିଁ। ତେଣୁ ସ୍କୁଲ୍‌ ଗେଟ୍‌ ପାଖରେ ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ଏପରି ଚିତ୍ର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି।

ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ। ତେଣୁ ଅଭିଭାବକ ଓ ପିଲାମାନେ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଟେଣ୍ଟ ବାନ୍ଧି ମେଢ଼ କରିଛନ୍ତି। ଆଉ ବାଗ୍‌ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ରୀତିନୀତି ଅନୁସାରେ  ପୂଜା କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି।

ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ଏହି ଦୁଇଟି ବିଦ୍ୟାଳୟ ସଂଖ୍ୟାଲଘୁ ବର୍ଗ ଥିବାରୁ ପୂଜା ଦୀର୍ଘ ଦିନ ଧରି ବନ୍ଦ ରହିଛି ବୋଲି କହିଥିଲେ। ଅନ୍ୟପଟେ ଏହି ସ୍କୁଲଟି ୨୦୦୯ ମସିହାରୁ ସଂଖ୍ୟାଲଘୁ ବର୍ଗରୁ ସାଧାରଣ ବର୍ଗକୁ ଆସିଥିଲେ ସୁଦ୍ଧା କାହିଁକି ବିଦ୍ୟାଳୟରେ ସରସ୍ବତୀ ପୂଜା ଓ ଗଣେଶ ପୂଜା ପାଳନ କରାଯାଉ ନାହିଁ, ସେ ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *