ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ


 ଭୁବନେଶ୍ୱର: ସନାତନୀ ସନ୍ନ୍ୟାସୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଏବଂ ୨୫ ବର୍ଷ ହେବ କେନ୍ଦୁଝର କାରାଗାରରେ ସଜା କାଟୁଥ‌ିବା ହିନ୍ଦୁ ନେତା ଦାରାସିଂଙ୍କୁ ମୁକ୍ତ କରାଇବା ପାଇଁ ୩୦ ଜିଲାର ହଜାର ହଜାର ସନାତନୀ ଲୋୟର ପିଏମଜିରେ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଇଂ.ଦେବାଶିଷ ହୋତା ଦର୍ଶାଇଛନ୍ତି ଯେ, ଗତ ୨୪ ଅଗଷ୍ଟରେ ଆନ୍ଦୋଳନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ସୁପାରିସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏଦିଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇଥ‌ିବା ଶ୍ରୀ ହୋତା କହିଛନ୍ତି ।
ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଥିଲା। ସେହିପରି କେନ୍ଦୁଝର ଜିଲା ମନୋହରପୁରରେ ୧୯୯୯ ମସିହା ଗ୍ରାହମ ଷ୍ଟେନ୍ସ ହତ୍ୟାର ଷଡଯନ୍ତ୍ରକାରୀ ବୋଲି ହିନ୍ଦୁ ନେତା ଦାରାସିଂ ୨୫ ବର୍ଷ ହେବ କେନ୍ଦୁଝର କାରାଗାରରେ ସଜା କାଟୁ ଥ‌ିବାବେଳେ ତାଙ୍କୁ ତୁରନ୍ତ ସଜାମୁକ୍ତ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *