Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣ୍ୟଶ୍ଳୋକା ଦେବୀ ଅହିଲ୍ୟାବାଈ ହୋଲ୍‌କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣ୍ୟଶ୍ଳୋକା ଦେବୀ ଅହିଲ୍ୟାବାଈ ହୋଲ୍‌କର

(୩୦୦ ବର୍ଷ ଜନ୍ମଜୟନ୍ତୀ ଅବସରରେ)

ସର୍ବେଶ୍ୱର ବେହେରା

ଅଷ୍ଟାଦଶ ଶତାବ୍ଦୀର ଇତିହାସରେ ମହାରାଣୀ ଦେବୀ ଅହିଲ୍ୟାବାଈ ହୋଲକରଙ୍କ କୃତିତ୍ୱ, ବ୍ୟକ୍ତିତ୍ୱ ଓ ମହାନତା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ଦେବୀ ଅହିଲ୍ୟାବାଈ ଏକମାତ୍ର ଶାସିକା ଥିଲେ, ଯାହାଙ୍କ ଜୀବିତାବସ୍ଥାରେ ପ୍ରଜାମାନେ ତାଙ୍କୁ ଦେବୀ ସ୍ୱରୂପା ସ୍ୱୀକାର କରୁଥିଲେ । ନିଜର ସମଗ୍ର ରାଜ୍ୟ ଶାସନ ଓ ସମସ୍ତ ସମ୍ପତ୍ତିକୁ ସେ ତୁଳସୀ ପତ୍ର ସଦୃଶ ଅର୍ପଣ କରିଥିଲେ । ଅର୍ଥାତ୍ ସେଗୁଡ଼ିକୁ ଭଗବାନ୍ ଶିବଙ୍କୁ ସମର୍ପିତ କରି ସେ ନିଜକୁ ଜଣେ ସାଧାରଣ ସେବିକା ରୂପେ ଶାସନ ପରିଚାଳନ କରୁଥିଲେ । ସମଗ୍ର ଜୀବନର ପ୍ରତିଟି କ୍ଷଣ ଜନକଲ୍ୟାଣକାରୀ କାର୍ଯ୍ୟରେ ମନୋନିବେଶ କରିଥିବା ଯୋଗୁଁ ତାଙ୍କୁ ଲୋକମାତା କୁହାଯାଉଥିଲା । ସମଗ୍ର ଦେଶର ଏକଶହରୁ ଊର୍ଦ୍ଧ୍ୱ ବିଶାଳ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର କରିଥିବା ହେତୁ ସେ ପୁଣ୍ୟଶ୍ଳୋକା ରୂପେ ଖ୍ୟାତି ଅର୍ଜନ କରିଥିଲେ ।
ଜୀବନ ଚରିତ – ଅହିଲ୍ୟାବାଈଙ୍କ ଜନ୍ମ ୧୭୨୫ ମେ\’ ୩୧ ତାରିଖରେ ଅହମ୍ମଦ ନଗରର ଚାଣ୍ଡୀ ଗ୍ରାମରେ ହୋଇଥିଲା । ପିତା ମାଣକୋଜୀ ସିନ୍ଧେ ଓ ମାତା ସୁଶୀଳା ଦେବୀଙ୍କ ସେ ତୃତୀୟ ସନ୍ତାନ ଥିଲେ । ମାଣକୋଜୀ ନିଜର କନ୍ୟା ଅହିଲ୍ୟାବାଈଙ୍କୁ ସମସ୍ତ ବିଦ୍ୟା ଶିକ୍ଷା ଅର୍ଜନ କରିବା ସହିତ ଯୁଦ୍ଧ ବିଦ୍ୟା ଓ ଘୋଡ଼ା ସବାରୀ ଆଦି କଳାରେ ପାରଙ୍ଗମ କରିଥିଲେ । ବାଲ୍ୟକାଳୁ ଅହିଲ୍ୟା ଶିବଭକ୍ତ ଥିଲେ । ଥରେ ମାଲୱାର ସୁବେଦାର ମହ୍ଲାର ରାଓ ନିଜର ସୈନ୍ୟସାମନ୍ତ ସହିତ ପୁଣେ ଯିବା ରାସ୍ତାରେ ଚାଣ୍ଡୀ ଗ୍ରାମରେ ବିଶ୍ରାମ କରୁଥିଲେ । ବାଲ୍ୟାବସ୍ଥାରେ ପ୍ରତ୍ୟେକ ଦିନ ଅହିଲ୍ୟା ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜନ ଓ ଭଜନ କରୁଥିଲେ । ସେଦିନ ମହ୍ଲାର ରାଓ ଜଣେ ବାଳିକାର ଶିବ ଭକ୍ତି ବିନମ୍ର ଓ ସରଳ ଗୁଣକୁ ଦେଖି ଘୋର ପ୍ରଭାବିତ ହୋଇଥିଲେ । ମହ୍ଲାର ରାଓ ଏହି ବାଳିକାକୁ ନିଜର ପୁତ୍ରବଧୂ ରୂପେ ସ୍ୱୀକାର କରିବାକୁ ନିଶ୍ଚୟ କଲେ । ଏହିପରି ମାତ୍ର ୧୨ ବର୍ଷ ବୟସରେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅହିଲ୍ୟା ସୁବେଦାର ରାଜବଂଶର ବୋହୂ ହୋଇଗଲେ । କ୍ରମଶଃ ରାଜ ପରିବାରର ସମସ୍ତ ପରମ୍ପରାକୁ ସ୍ୱୀକାର କରି ରାଜପରିବାରକୁ ସଂସ୍କାରକ୍ଷମ ବାତାବରଣରେ ପରିଣତ କରିପାରିଲେ । ପତି ଖଣ୍ଡେରାଓଙ୍କ ଠାରୁ ଅନୁମତି ନେଇ ସେ ସମସ୍ତ ଯୁଦ୍ଧବିଦ୍ୟା ଗ୍ରହଣ ସହିତ ଓ ଶାସନ ପ୍ରଶାସନ ସମ୍ବନ୍ଧରେ ଅବଗତ ହୋଇଗଲେ । ଶ୍ୱଶୂର ମହ୍ଲାର ରାଓ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଓ ବୋହୂ ଅହିଲ୍ୟାଙ୍କୁ ସମସ୍ତ କାର୍ଯ୍ୟରେ ପ୍ରୋତ୍ସାହିତ କରୁଥିଲେ । ୧୭୪୫ରେ ଅହିଲ୍ୟାଙ୍କର ଏକ ପୁତ୍ର ସନ୍ତାନ ୧୭୪୮ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ପୁତ୍ରର ନାମ ମାଲେରାଓ ଓ କନ୍ୟାର ନାମ ମୁକ୍ତା ରଖାଗଲା ।
୧୭୫୪ ମସିହାରେ ରାଜସ୍ଥାନର କୁମ୍ଭେରୀ ଯୁଦ୍ଧରେ ଅହିଲ୍ୟାଙ୍କ ପତି ଖଣ୍ଡେରାଓଙ୍କ ଦେହାନ୍ତ ହୋଇଥିଲା । କିଛିଦିନ ପରେ ଶ୍ୱଶୂର ମହ୍ଲାର ରାଓଙ୍କ ମଧ୍ୟ ଦେହାନ୍ତ ହୋଇଗଲା । ଅହିଲ୍ୟାଙ୍କ ଜୀବିତାବସ୍ଥାରେ ନିଜର ଶ୍ୱଶୂର ଘରେ ପାଞ୍ଚଜଣ ପୁରୁଷ ଯୋଦ୍ଧାଙ୍କ ଦେହାନ୍ତ ହୋଇଗଲା । ପୁତ୍ର ମାଲେରାଓଙ୍କୁ ରାଜସିଂହାସନରେ ବସାଇ ସେ ଶାସନ କରୁଥିଲେ । ଦୁର୍ଭାଗ୍ୟବଶତଃ ପୁତ୍ର ମାଲେରାଓଙ୍କର ୨୨ବର୍ଷ ବୟସରେ ଦେହାନ୍ତ ହୋଇଗଲା । ନିଜର ଛାତି ଉପରେ ପଥର ରଖି ଅହିଲ୍ୟାବାଈ ଶାସନ ଡୋର ହାତକୁ ନେଇଥିଲେ । ନିରନ୍ତର ୨୮ ବର୍ଷ ତାଙ୍କର ରାଜ୍ୟ ଶାସନ ଏକ ସ୍ୱର୍ଣ୍ଣିମ ଯୁଗ ଥିଲା ।
ପ୍ରଶାସିକା ଦେବୀ : ବାଲ୍ୟକାଳୁ ମହାଦେବଙ୍କ ଉପରେ ଅହିଲ୍ୟାବାଈଙ୍କ ଅତୁଟ ଆସ୍ଥା ଥିଲା । ରାଜ୍ୟ ଶାସନକୁ ସେ ମହାଦେବଙ୍କ ପ୍ରସାଦ ରୂପେ ଅର୍ପଣ କରିଥିଲେ । ନିଜର ଦିନଚର୍ଯ୍ୟା ସାଧାରଣ ସନ୍ଥଙ୍କ ପରି ଥିଲା । ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗକରି ସ୍ନାନ, ପୂଜା ଓ ଧ୍ୟାନ ସହିତ ମନ୍ଦିର ଓ ଗୋଶାଳା ଦର୍ଶନକରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେଉଥିଲେ । ନିୟମିତ ଅନ୍ନଦାନ ଓ ଧନଦାନ କରୁଥିଲେ । ରାଜ୍ୟ ଶାସନର ସମସ୍ତ ପତ୍ରାଳାପରେ ସେ ନିଜର ହସ୍ତାକ୍ଷର କରିବା ସମୟରେ କେବଳ ‘ଶ୍ରୀ ଶଙ୍କର’ ଲେଖୁଥିଲେ । ଏଥିରୁ ତାଙ୍କର ମହାଦେବଙ୍କ ପ୍ରତି ଅନନ୍ୟ ଭକ୍ତିର ପ୍ରମାଣ ମିଳୁଛି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଯେଉଁ ଟଙ୍କା ପ୍ରଚଳନ କରିଥିଲେ ସେଥିରେ ଶିବଲିଙ୍ଗ ଓ ବେଲପତ୍ର ଅଙ୍କିତ ଥିଲା ଓ ମୁଦ୍ରାରେ ନନ୍ଦି ଚିତ୍ର ଶୋଭା ପାଉଥିଲା ।
ସମଗ୍ର ଦେଶକୁ ସହଜରେ ଶାସନ କରିବା ପାଇଁ ଓ ଦେଶର ପ୍ରତିଟି ସ୍ଥାନରୁ ସୂଚନା ପ୍ରାପ୍ତ କରିବା ପାଇଁ ୧୩ଟି ଦରବାରରେ ବିଭକ୍ତ କରିଥିଲେ । ଦେଶର ଏହି ୧୩ ସ୍ଥାନରେ ସେ ସୁବେଦାରମାନଙ୍କୁ ନିଯୁକ୍ତି ଦେଇଥିଲେ । ଏମାନଙ୍କ ଜରିଆରେ ସେ ସହଜରେ ସମଗ୍ର ଦେଶରୁ ସମସ୍ତ ସୂଚନା ପାଇପାରୁଥିଲେ । ଦେଶର ଚତୁଃପାଶ୍ୱର୍ରେ ସେ ପ୍ରତ୍ୟେକ ୧୦ କୋଶ ବ୍ୟବଧାନରେ ଗୋଟିଏ ଗୋଟିଏ ଶିବିର ନିର୍ମାଣ କରିଥିଲେ, ଯେଉଁଠାରେ ଜଣେ ସନ୍ଦେଶ ବାହକ ରହୁଥିଲେ । ଏହିପରି ସେ ସମଗ୍ର ଦେଶରୁ ସହଜରେ ସମସ୍ତ ସନ୍ଦେଶ ପାଇପାରୁଥିଲେ ଓ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରୁଥିଲେ । ଏହି ସନ୍ଦେଶ ବାହକମାନେ ବିଦ୍ୱାନ ଓ ବ୍ରାହ୍ମଣମାନେ ଥିଲେ । କେହି ସୈନ୍ୟସାମନ୍ତ ନଥିଲେ । କାରଣ ଶତ୍ରୁମାନେ ସନ୍ଦେଶବାହକଙ୍କୁ ଧରି ସହଜରେ ଭେଦ ଯେପରି ଜାଣି ନପାରିବେ, ସେଥିପାଇଁ ଅହିଲ୍ୟାବାଈ ଏହିପରି ଏକ ଅଭିନବ ପନ୍ଥା ବାହାର କରିଥିଲେ ।
ଅହିଲ୍ୟାବାଈଙ୍କ ହୃଦୟ ଯେତେ କୋମଳ ଥିଲା ଶାସନ ପ୍ରଶାସନରେ ସେତେ ସେ କଠୋର ଥିଲେ । କର ଦେଇ ନଥିବା ଓ ବିଦ୍ରୋହ କରୁଥିବା ଚନ୍ଦ୍ରାବତର ଜାଟମାନଙ୍କ ସହିତ ସେ ସଂଘର୍ଷ କରିଥିଲେ ଓ ତାଙ୍କର ସେନାପତି ସୌରଭ ସିଂହ ଜାଟକୁ ଧରି ସେଠାରେ ତୋପ ଦ୍ୱାରା ଉଡ଼େଇ ଦେଇଥିଲେ । ଭବିଷ୍ୟତରେ ରାଜ୍ୟରେ କେହି ଯେପରି ବିଦ୍ରୋହ କରିବେ ନାହିଁ, ତା’ର ଏକ ଜ୍ୱଳନ୍ତ ଉଦାହରଣ ସେ ପ୍ରସ୍ତୁତ କରିଥିଲେ ।
ସେତେବେଳେ ପ୍ରଚଳିତ ଉର୍ଦ୍ଦୁ, ପାର୍ସୀ ଭାଷା ସ୍ଥାନରେ ସଂସ୍କୃତ, ମାଲବୀ ଓ ଖଡ଼ି ଭାଷା ପ୍ରଚଳନ କରିଥିଲେ । ସମସ୍ତ ଆଇନ ବ୍ୟବସ୍ଥାରେ ଚାଣକ୍ୟ ନୀତିର ପ୍ରଭାବ ଦେଖାଦେଇଥିଲା । କେତେକାଂଶରେ ଛତ୍ରପତି ଶିବାଜୀଙ୍କ ସ୍ୱଦେଶ ପ୍ରୀତି ମଧ୍ୟ ରାଜମାତା ଅହିଲ୍ୟାବାଈଙ୍କ ଶାସନ ପ୍ରଶାସନରେ ପ୍ରଦର୍ଶିତ ହୋଇଥିଲା ।
କୁଶଳ ରାଜନୀତିଜ୍ଞ : ମାଲୱାର ରାଣୀ ଅହିଲ୍ୟାବାଈ ଜଣେ ପ୍ରଭାବଶାଳୀ ଶାସିକା ସହିତ ଜଣେ କୁଶଳ ରାଜନୀତିଜ୍ଞ ଓ ଦୂରଦ୍ରଷ୍ଟା ଥିଲେ । ୧୭୭୨ରେ ପେଶବା ଇଂରେଜମାନଙ୍କ ସହିତ ସନ୍ଧି ଖବର ପାଇବା ପରେ ଅହିଲ୍ୟାବାଈ ପେଶବାଙ୍କୁ ଯେଉଁ ପତ୍ର ଲେଖିଥିଲେ ତାହା ତାଙ୍କ ଦୂରଦ୍ରଷ୍ଟାର ଚରମ ନିଦର୍ଶନ ଥିଲା । ସେ ଉଲ୍ଲେଖ କରିଥିଲେ ଯେ, \”\”ଇଂରେଜମାନଙ୍କ ସହିତ ଘନିଷ୍ଠ ହେବା ଭାଲୁ ସହିତ ଘନିଷ୍ଠ ହେବା ସଦୃଶ । ବାଘ ଓ ଅନ୍ୟ ଜୀବଜନ୍ତୁମାନଙ୍କୁ ଅସ୍ତ୍ରଶସ୍ତ୍ରରେ ମାରି ଦିଆଯାଇପାରେ, କିନ୍ତୁ ଭାଲୁକୁ ମାରିବା ଘୋର କଠିନ କାର୍ଯ୍ୟ । ସିଧା ତା’ ମୁହଁରେ ଆଘାତ କଲେ ତା’ର ମୃତ୍ୟୁ ହେବ । କିନ୍ତୁ ଥରେ ତା’ ହାତରେ ଧରାଦେଲେ ନିଜର ଶିକାରକୁ ସେ କୁତୁକୁତୁ କରି ମାରିଦେବ ।\’\’ ଅହିଲ୍ୟାବାଈ ଇଂରେଜଙ୍କୁ ଭାଲୁ ସହିତ ତୁଳନା କରିଥିଲେ, ତାଙ୍କଠାରୁ ଦୂରତା ରକ୍ଷା କରିବାକୁ ପେଶବାଙ୍କୁ ଅନୁରୋଧ କରିଥିଲେ । ଏଥିରୁ ଇଂରେଜମାନଙ୍କ କୁଟିଳ ବୁଦ୍ଧିକୁ ସେ କିପରି ପୂର୍ବାନୁମାନ କରିପାରିଥିଲେ, ତାହା ଜଣାଯାଏ । ଥରେ ନାନା ଫଡ଼ନାବିଶଙ୍କ ଓକିଲ ବିଠଲ ଶାମରାଜ ଅହିଲ୍ୟାବାଈଙ୍କୁ ପ୍ରଶ୍ନ କରିଥିଲେ- ଯଦି ଇଂରେଜମାନେ ବସଇକୁ ଅକ୍ତିଆର କରିନେବେ ତେବେ ସମଗ୍ର ଦେଶରେ ଉପଦ୍ରବ କରିବେ । ୧୭୮୦ ଜୁଲାଇ ୧୨ ତାରିଖରେ ସେ ନାନା ଫଡ଼ନାବିଶଙ୍କୁ ପତ୍ର ଲେଖି ଉପଦେଶ ଦେଇଥିଲେ ଯେ ନବାବ ଓ ଭୋଁସଲେ ଆଦି ସମସ୍ତେ ଏକତ୍ର ହୋଇ ଇଂରେଜମାନଙ୍କୁ ପରାସ୍ତ କରିବା ଆବଶ୍ୟକ । ତୁକୋଜୀ ରାଓଙ୍କୁ ମଧ୍ୟ ଟିପୁ ସୁଲତାନ ବିରୋଧରେ ଯୁଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହିପରି ଯଥାର୍ଥ ଉପଦେଶ ପ୍ରଦାନ କରିଥିବା ହେତୁ ନାନା ଫଡ଼ନାବିଶ ଆଦି ରାଜାମାନେ ଅହିଲ୍ୟାବାଈଙ୍କ ପ୍ରଶଂସକ ହୋଇଥିଲେ ।
ଶ୍ରେଷ୍ଠ ଅର୍ଥନୀତିଜ୍ଞ : ରାଣୀ ଅହିଲ୍ୟା ଦେବୀଙ୍କ ଶୈକ୍ଷିକ ଓ ଆର୍ଥିକ ଦୃଷ୍ଟି ତୀକ୍ଷ୍‌ଣ ଥିଲା । ରାଜ୍ୟର ରାଜକୋଷ ବୃଦ୍ଧି ସହିତ ଆର୍ଥିକ କ୍ଷେତ୍ରରେ ନିର୍ଣ୍ଣୟ ନେବାରେ ତାଙ୍କର ପ୍ରଭାବୀ କ୍ଷମତା ଥିଲା । ମାଲୱା ଭାରତର ମଧ୍ୟସ୍ଥଳରେ ଅବସ୍ଥିତ । ଏହାକୁ ଦେଖି ସେ ନୂତନ ଉଦ୍ୟୋଗ, କୃଷି ଓ ବାଣିଜ୍ୟ ପାଇଁ ବହୁ ପ୍ରଚେଷ୍ଟା କରିଥିଲେ । ସେ ସ୍ୱଦେଶୀ ଅର୍ଥନୀତିର ଏକ ପକ୍ଷଧର ଥିଲେ । ଜନତାଙ୍କ ହାତକୁ କାମ ଦେବା ନ୍ୟାୟରେ ବିଶ୍ୱାସ କରୁଥିଲେ । ତଦନୁସାରେ ସେ ସମସ୍ତ ଯୋଜନା କରୁଥିଲେ । ୧୭୫୯ରେ ସେ ବୁଣାକାର ମାଲୁ ସମାଜକୁ ନେଇ ମହେଶ୍ୱରଠାରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କୁ ବାରାଣସୀ ଠାରୁ ଆମନ୍ତ୍ରଣ କରାଯାଇଥିଲା । ମହେଶ୍ୱର ଠାରେ ହସ୍ତତନ୍ତ୍ରରେ ସୁନ୍ଦର ବସ୍ତ୍ର ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଗଲା । ବସ୍ତ୍ରଗୁଡ଼ିକର ବିପଣନ (ମାର୍କେଟିଙ୍ଗ)ର ଜ୍ୱଳନ୍ତ ଉଦାହରଣ ଆଜି ମଧ୍ୟ ‘ମାହେଶ୍ୱରୀ ଶାଢ଼ି’ ରୂପେ ଦେଖିବାକୁ ମିଳୁଛି । ମାହେଶ୍ୱରୀ ଶାଢ଼ିର ପ୍ରସ୍ତୁତ ଓ ସ୍ୱୟଂସହାୟିକା ସମୂହ ଦ୍ୱାରା ସ୍ୱାବଲମ୍ବନର ଏକ ସଫଳ ପ୍ରୟୋଗ ସେ ଆରମ୍ଭ କରିଥିଲେ ।
ଯୁଦ୍ଧରେ ସହିଦ ହୋଇଥିବା ପରିବାରକୁ ସେ ରାଜକୋଷରୁ ଅର୍ଥ ଆବଣ୍ଟନ କରୁଥିଲେ । ଦରିଦ୍ରମାନଙ୍କୁ କୃଷି ଓ ବାଣିଜ୍ୟ କାର୍ଯ୍ୟ ପାଇଁ ଶସ୍ତା ଋଣ ପ୍ରଦାନ କରୁଥିଲେ । ଏହାଦ୍ୱାରା ପ୍ରଜା ହିତ ସହିତ ରାଜକୋଷ ବୃଦ୍ଧି ହୋଇଥିଲା । ଦୁର୍ଭିକ୍ଷ ସମୟରେ ପ୍ରଜାମାନଙ୍କ ଠାରୁ କର ଗ୍ରହଣ କରୁନଥିଲେ । କୃଷକମାନେ ନିଜର ଉତ୍ପାଦନ ନିଜ ଇଚ୍ଛାନୁସାରେ ଯେ କୌଣସି ସ୍ଥାନରେ ବିକ୍ରୟ କରିପାରୁଥିଲେ । ଭୂମିହୀନମାନଙ୍କୁ ଭୂମି ପ୍ରଦାନ କରାଯାଉଥିଲା । ବନ ସଂରକ୍ଷଣ ପାଇଁ ସେ ବିଶେଷ ଧ୍ୟାନ ଦେଇଥିଲେ । ସେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଇଥିଲେ । ଯଦି କୃଷକମାନଙ୍କର କୌଣସି ଦୈବୀ ଦୁର୍ବିପାକରେ ଫସଲ ନଷ୍ଟ ହେଉଥିଲା, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଥିଲା ।
ସେ ରାଜ୍ୟରେ ସୁଖ, ସମୃଦ୍ଧି ଓ ସ୍ୱାବଲମ୍ବନ ପାଇଁ ଶିକ୍ଷା ଓ କୌଶଳ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ପୁରୁଷ ଓ ମହିଳା ଉଭୟଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିଲା । ଶିକ୍ଷା ସହିତ ସ୍ୱାବଲମ୍ବନର ପଦ୍ଧତି ସମ୍ବନ୍ଧରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଉଥିଲା । ଗୁରୁକୁଳ ପଦ୍ଧତିକୁ ପ୍ରୋତ୍ସାହନ ଦେବା ସହିତ ରାଜ୍ୟରେ ବିଦ୍ୱାନ, ଶିକ୍ଷକ, ଆଚାର୍ଯ୍ୟ, ବ୍ରାହ୍ମଣମାନଙ୍କୁ ଜ୍ଞାନ ପ୍ରଦାନରେ ନିୟୋଜନ କରିଥିଲେ । ସେ ୧୯ଟି ବିଷୟର ଏକ ସଞ୍ଚ (ଟିମ) ନିର୍ମାଣ କରିଥିଲେ । ସେହି ୧୯ଟି ବିଷୟ ଆଜି ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅଧ୍ୟୟନ ହେଉଛି । ଏହି ବିଷୟଗୁଡ଼ିକରେ ଆଜି ଶୋଧ କରାଯାଉଛି ।
ପୁଣ୍ୟଶ୍ଳୋକା ଦେବୀ : ସେ ଅହିଲ୍ୟାଦେବୀ ମାହେଶ୍ୱର କ୍ଷେତ୍ରରେ ନର୍ମଦା ନଦୀରେ ୨୮ଟି ଘାଟ ଓ ୫୦ ମନ୍ଦିର ନିର୍ମାଣ କରିଥିଲେ । ସେଗୁଡ଼ିକ ଆଜି ମଧ୍ୟ ବିଦ୍ୟମାନ । ତାଙ୍କର ରାଷ୍ଟ୍ରୀୟ ଦୃଷ୍ଟି ସନାତନ ହିନ୍ଦୁତ୍ୱ ମୂଲ୍ୟ ଆଧାରିତ ଥିଲା । ଭାରତର ଏକାତ୍ମତା ପାଇଁ ତୀର୍ଥଯାତ୍ରାର ବହୁତ ମହତ୍ତ୍ୱ ଅଛି ବୋଲି ସେ ହୃଦୟଙ୍ଗମ କରିଥିଲେ । ତୀର୍ଥଯାତ୍ରା ଆଧ୍ୟାତ୍ମିକ ସୁଖଶାନ୍ତି ପ୍ରଦାନ କରିବା ସହିତ ବିବିଧ କ୍ଷେତ୍ର, ପନ୍ଥ, ଭାଷା ଆଦିକୁ ସ୍ୱୀକାର କରୁଥିବା ଏହି ବିରାଟ ଦେଶର ଜନତାଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏହି ପରମ୍ପରା ଯୁଗ ଯୁଗ ଧରି ପ୍ରଚଳିତ ହୋଇଆସୁଛି । ଇସଲାମ ଆକ୍ରମଣକାରୀମାନେ ଦେଶର ଏହି ତୀର୍ଥସ୍ଥାନଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ । ଅହିଲ୍ୟାବାଈ ସେଗୁଡିକୁ ପୁନଃନିର୍ମାଣ ପାଇଁ ସମସ୍ତ କାର୍ଯ୍ୟ କରିଥିଲେ । ସମଗ୍ର ଦେଶରେ ୧୦୦ରୁ ଊର୍ଦ୍ଧ୍ୱ ମନ୍ଦିର, ବହୁତ ଘାଟ, ଅନ୍ନକ୍ଷେତ୍ର ଆଦି ନିର୍ମାଣ କରିଥିଲେ ।
ବାରାଣସୀରେ ମଣିକର୍ଣ୍ଣିକା ଘାଟ ସହିତ ଅନେକ ଘାଟ, ବଦ୍ରିନାଥ ଠାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ଓ ଦ୍ୱାରିକାଠାରୁ କାଶୀ ପର୍ଯ୍ୟନ୍ତ ଅନେକ ମନ୍ଦିର, ଘାଟ, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । କାଶୀ ଠାରୁ କୋଲକାତା ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କରିଥିଲେ । ନିଜର ଭୌଗୋଳିକ କ୍ଷେତ୍ର ପରିସର ବାହାରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳଗୁଡ଼ିକର ପୁନରୁଦ୍ଧାର କରିଥିଲେ । ଦେଶର ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସେ ଧର୍ମଶାଳା ନିର୍ମାଣ କରିଥିଲେ । ଭାରତୀୟ ସମାଜକୁ ଏକାତ୍ମତା ସୂତ୍ରରେ ବାନ୍ଧିବା ପାଇଁ ତାଙ୍କର ଏହି ମହାନ ପ୍ରଚେଷ୍ଟା ଥିଲା । ପାଠଶାଳା, ଧର୍ମଶାଳା, ଅନ୍ନକ୍ଷେତ୍ରଗୁଡ଼ିକ ଭବିଷ୍ୟତରେ ଯେପରି ସୁଚାରୁରୂପେ ଚାଲିବ ସେଥିପାଇଁ ସେ ସମସ୍ତ ଯୋଜନା କରିଥିଲେ ।
ଲୋକମାତା ଦେବୀ : ସେ କହୁଥିଲେ, “ଛତ୍ରପତି ଶିବାଜୀ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରିଯାଇଛନ୍ତି ମୁଁ ତାହାକୁ ସମ୍ପୂର୍ଣ୍ଣ କରୁଛି । ମୋର କାର୍ଯ୍ୟ ପ୍ରଜାମାନଙ୍କୁ ସୁଖ ଶାନ୍ତି ପ୍ରଦାନ କରିବ । ରାଜ୍ୟର ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁଁ ଉତ୍ତରଦାୟୀ । ମୋର ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ । ମୁଁ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ହେବି । କ୍ଷମତା, ଧନ, ବୈଭବ ଆଦି ସମସ୍ତ ଈଶ୍ୱର ପ୍ରଦତ୍ତ । ମୁଁ ଏହାର ମାଲିକ ନୁହେଁ କେବଳ ସଂରକ୍ଷକ ।\’\’
ଦେବୀ ଅହିଲ୍ୟା ଅତ୍ୟନ୍ତ ବୁଦ୍ଧିମତୀ, ସୁଧାରବାଦୀ ଓ ପ୍ରଜାବତ୍ସଳ ଶାସିକା ଥିଲେ । ସମଗ୍ର ରାଜ୍ୟକୁ ଜିଲ୍ଲା ଓ ତହସିଲରେ ବଣ୍ଟନ କରିଥିଲେ । ପଞ୍ଚାୟତରେ ନ୍ୟାୟ ମିଳୁଥିଲା । ନ୍ୟାୟର ଅନ୍ତିମ ଅପିଲ ସ୍ୱୟଂ ଅହିଲ୍ୟାବାଈ ଶୁଣୁଥିଲେ । ତାଙ୍କର ପ୍ରାସାଦ ସମସ୍ତଙ୍କ ପାଇଁ ଖୋଲା ଥିଲା । ସେ ତ୍ୱରିତ ଓ ସହଜ ନ୍ୟାୟ ପ୍ରଦାନ କରୁଥିଲେ । ଏଣୁ ସମସ୍ତେ ତାଙ୍କୁ ଲୋକମାତା କହୁଥିଲେ । ପ୍ରଜାମାନଙ୍କ ସୁଖ ଦୁଃଖ ସେ ନିଜେ ବୁଝୁଥିଲେ । ସମସ୍ତେ ଶାନ୍ତିରେ କାଳାତିପାତ କରୁଥିଲେ । ମହେଶ୍ୱର କିଲ୍ଲାରେ ୩୦୦ କର୍ମଚାରୀ ଅଧିକାରୀମାନଙ୍କ ଠାରୁ ସଫାଇ କର୍ମଚାରୀ ପର୍ଯ୍ୟନ୍ତ ଥିଲେ । ସମସ୍ତ ବର୍ଗର ବ୍ୟକ୍ତିଙ୍କ ସହିତ ସେ ନିୟମିତ ଭାବେ ଏକତ୍ର ଭୋଜନ କରୁଥିଲେ । ଏହାକୁ ଦେଖି ସବୁ ବର୍ଗର ବ୍ୟକ୍ତି ତାଙ୍କୁ ନିଜର ଆତ୍ମୀୟ ସ୍ୱଜନ ରୂପେ ଦେଖୁଥିଲେ । ସେ କଦାପି ରାଜସିଂହାସନରେ ବସିନାହାନ୍ତି । ସାଧାରଣ ଚୌକିରେ ବସି ସେ ରାଜ୍ୟ ଶାସନ କରୁଥିଲେ । ଅତ୍ୟନ୍ତ ସରଳ ଓ ସାଧାରଣ ଜୀବନ ଅତିବାହିତ କରୁଥିଲେ । ରାଜଦରବାରରେ ମନ୍ତ୍ରୀଙ୍କ ଠାରୁ ସାଧାରଣ ସୈନ୍ୟ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ସମାନ ଚୌକିରେ ବସୁଥିଲେ । ମହିଳାମାନଙ୍କ ଅଧିକାର ପାଇଁ ସେ ସଜାଗ ଥିଲେ । ତାଙ୍କ ଦରବାରକୁ ବହୁ ମହିଳା ନିଦ୍ୱର୍ନ୍ଦ୍ୱରେ ଦରଖାସ୍ତ ଧରି ଆସୁଥିଲେ । ସେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ । ତତ୍କାଳୀନ ସମାଜରେ ରହିଥିବା ସତୀ ପ୍ରଥାକୁ ସେ ଉଚ୍ଛେଦ କରିଥିଲେ । ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ । ସମଗ୍ର ଦେଶରେ ହିନ୍ଦୁମାନଙ୍କ ଏକତ୍ରୀକରଣ ପାଇଁ ସେ ଅନ୍ତଃରାଜ୍ୟ ବିବାହ ସପକ୍ଷବାଦୀ ଥିଲେ । ତାଙ୍କ ପୂର୍ବରୁ ବିଧବାମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନଥିଲା । ସେ ଶାସନଭାର ଗ୍ରହଣ କରିବା ପରେ ବିଧବାମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ହାସଲ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହି ସମ୍ପତ୍ତି ଉପରେ କାହାର ଅଧିକାର ରହିବ ନାହିଁ । ସେମାନେ ଯାହାକୁ ଚାହିଁବେ ସ୍ୱଇଚ୍ଛାରେ ଦାନ କରିପାରିବେ । ପ୍ରସିଦ୍ଧ ସୋମନାଥ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏହିପରି ଜନୈକ ବିଧବା ମହିଳାଙ୍କ ଧନରୁ କରାଯାଇଥିଲା ।
ସ୍ମୃତିର ଝରକାରୁ : ହୋଲକର ବଂଶର ଘୋର ବିରୋଧୀ ଓ ଶତ୍ରୁ ସାର ଜନ ମାଲକମ ନିଜର ‘ମଧ୍ୟ ଭାରତ କାଳ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି- “ଅହିଲ୍ୟାବାଈ ଯେଉଁ ବିପରୀତ ପରିସ୍ଥିତି ସମୟରେ ଶାସନ ଭାର ଗ୍ରହଣ କରି ଦୀର୍ଘ ୨୮ ବର୍ଷ ଜନକଲ୍ୟାଣକାରୀ ଓ ଉତ୍କୃଷ୍ଟ ଶାସନ କରିଥିଲେ ତାହା ଅତୁଳନୀୟ । କେବଳ ମାଲୱା ନୁହେଁ ଅପିତୁ ସମଗ୍ର ଦେଶ ତାଙ୍କୁ ଦେବୀ ରୂପେ ସ୍ୱୀକାର କରୁଥିଲେ ।\’\’ ଡ. ଆନିବେଶାନ୍ତ କହିଛନ୍ତି- “ଅହିଲ୍ୟାବାଈ ଭାରତର ସୁଯୋଗ୍ୟ ସନ୍ତାନ ଥିଲେ । ଜନକଲ୍ୟାଣ ସହିତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସେ ବହୁ ପ୍ରଚେଷ୍ଟା କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି । ସେ ପ୍ରକୃତରେ ରାଷ୍ଟ୍ରମାତା ।” ସାର ଯଦୁନାଥ ସରକାର ଲେଖିଛନ୍ତି- “ଅଷ୍ଟାଦଶ ଶତାବ୍ଦୀରେ ସେ ଜଣେ ମହୀୟସୀ ମହିଳା ଥିଲେ । ତତ୍କାଳୀନ ମାଲୱା ପ୍ରଦେଶକୁ ସେ ଉତ୍ତମ ଶାସନ ପ୍ରଦାନ କରିଥିଲେ । ତାଙ୍କ ପରି ସୁ-ଉଚ୍ଚ ଗୁଣବାନ ରାଜନୀତିକ ରଣନୀତିକାର ମହିଳା ଭାରତ ଇତିହାସରେ ବିରଳ ।” ଇଂରେଜ ଇତିହାସକାର ଷ୍ଟିୱର୍ଡ଼ ଗାର୍ଡ଼ନ ତାଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି- “ଅଷ୍ଟାଦଶ ଶତାବ୍ଦୀରେ ଅହିଲ୍ୟାବାଈଙ୍କ ଶାସନ ସୁଦୃଢ଼ ଓ ସ୍ଥାୟୀ ଥିଲା ।\’\’
ଏଣୁ ରାଜମାତାରୁ ଲୋକମାତା ଆସନକୁ ଶ୍ରେୟ ମଣିଥିବା ଏଭଳି ଜଣେ ମହିଳାଙ୍କ ନେତୃତ୍ୱ ଓ କର୍ତ୍ତୃତ୍ୱ ଆଜି ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
ଆଡଭୋକେଟ, ଖଟବିନସାହି, କଟକ, ମୋ-୯୪୩୭୦୧୬୩୮୪

Leave a Reply