-ବିଶ୍ୱବିଜୟୀ ଦାଶ-
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ।ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ।ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ ତାରିଖ ରେ ଗୁଜୁରାଟ ରାଜ୍ୟ ର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇ ପାରିଥିଲେ । ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ । ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ । ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ । ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା, ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌର ପାଳିକାର ପ୍ରଶାସକ ଥିଲେ, ସ୍ୱାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ଭାବେ କାମରେ ଆସିଥିଲା । ଅହମ୍ମଦାବାଦରେ ଥିବା ସମୟରେ ସେ ସହରର ସ୍ୱଚ୍ଛତାକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ସେ ସାରା ସହରରେ ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲେ । ସଡ଼କ, ବିଦ୍ୟୁତିକରଣ ଏବଂ ଶିକ୍ଷା ଭଳି ସହରାଞ୍ଚଳ ଭିତ୍ତିଭୂମିର ଅନ୍ୟ ଦିଗ ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା – ବିଶ୍ୱାସ ଏବଂ ସଚ୍ଚୋଟତା । ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ । ସର୍ବୋପରି, ସେ ଜଣେ କୃଷକର ପୁତ୍ର ଥିଲେ ।ରାଜସ୍ୱ ପ୍ରସଙ୍ଗକୁ ନେଇ ୧୯୨୮ରେ ସେ ପ୍ରଧାନ କମାଣ୍ଡର ରୂପେ ବଦ୍ରେ୍ଦାଳି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ଚାଷୀମାନଙ୍କୁ କହିଥିଲେ ଯେ ଦାବି ହାସଲ ନିମନ୍ତେ ଦୀର୍ଘ ସମୟ ପାଇଁ କଷ୍ଟ ସହିବାକୁ ପ୍ରସ୍ତୁତ ହୁଅ । ଶେଷରେ ସର୍ଦ୍ଦାରଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ସଫଳ ହେଲା ଏବଂ ସରକାର ଚାପର ବଶବର୍ତ୍ତୀ ହୋଇ ରାଜସ୍ୱ କରରେ ପରିବର୍ତ୍ତନ କଲେ । ଏକ ଗ୍ରାମସଭାରେ ଜଣେ ଚାଷୀ ଭାଷଣ ଦେଇ କହିଥିଲେ ଯେ “ଆପଣ ହେଉଛନ୍ତି ଆମର ସର୍ଦ୍ଦାର” । ପରବର୍ତ୍ତୀ ସମୟରେ ଏହି ବଦ୍ରେ୍ଦାଳି ଆନ୍ଦୋଳନ ସର୍ଦ୍ଦାର ପଟେଲଙ୍କୁ ଜାତୀୟ ସ୍ତରରେ ପରିଚିତ କରିପାରିଥିଲା । ସର୍ଦ୍ଦାରେ ପଟେଲ ମିଷ୍ଟଭାଷୀ, ଅନୁଶାସନ ପ୍ରିୟ ଓ କର୍ମଠ ବ୍ୟକ୍ତି ଥିଲେ । ତାଙ୍କ ବ୍ୟକ୍ତିତ୍ୱରେ ବିସ୍ମାର୍କଙ୍କ ଭଳି ସାଙ୍ଗଠନିକ କୁଶଳତା, କୌଟିଲ୍ୟଙ୍କ ଭଳି ରାଜନୈତିକ ପଟ୍ଟୁତା ଓ ଆବ୍ରାହମ ଲିଙ୍କନଙ୍କ ଭଳି ରାଷ୍ଟ୍ରୀୟ ଏକତା ପ୍ରତି ଅତୁଟ ନିଷ୍ଠା ଥିଲା । ତାଙ୍କର ଅଦମ୍ୟ ଉତ୍ସାହ, ଅସୀମ ଶକ୍ତି ଏବଂ ମାନବୀୟ ସମସ୍ୟାଗୁଡିକ ପ୍ରତି ବ୍ୟବହାରିକ ଦୃଷ୍ଟିକୋଣ ଦ୍ୱାରା ସେ ନିର୍ଭୟ ହୋଇ ସ୍ୱାଧୀନ ଭାରତର ପ୍ରାରମ୍ଭିକ ସମସ୍ୟାଗୁଡିକର ସମାଧାନ କରିପାରିବାରେ ସଫଳ ହୋଇପାରିଥିଲେ । ୧୯୫୦ ମସିହା ଡିସେମ୍ବର ୧୫ ତାରିଖ ଦିନ ଏଭଳି ଏକ ମହାନ୍ ନାୟକଙ୍କର ଦେହବସାନ ଘଟିଥିଲା । ଭାରତୀୟ ଦେଶଭକ୍ତମାନଙ୍କ ମଧ୍ୟରେ ଅମୂଲ୍ୟ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ୧୯୯୧ ମସିହାରେ ମରଣୋତ୍ତର ଭାରତ ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା ।ତାଙ୍କ ଜନ୍ମଜୟନ୍ତୀ କୁ “ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି । ଏହି ଦିନ ଭାରତୀୟ ଇତିହାସରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ଏକତାର ଶପଥ ନେବା, ଜନ ଅଭିଯାନ ଚଳାଇବା, ଏକତା ପାଇଁ ଦୌଡ ପୋଷ୍ଟର ଏବଂ ପ୍ରଶ୍ନୋତର ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ ଆଦିର ଆୟୋଜନ କରାଯାଉଛି । ଏହି ଅବସରରେ ସାରା ଦେଶରେ ସମାରୋହ ଆୟୋଜନ କରାଯାଉଛି । ବାସ୍ତବିକ ଦେଶ ପାଇଁ ଏହା ଏକ ମହାନ ଅବସର । କାରଣ ଏହି ଦିନ ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କୁ କେବଳ ସମ୍ମାନ ପ୍ରଦର୍ଶନ କରାଯାଏ ତା ନୁହେଁ ବରଂ ଏକତାର ମହାମନ୍ତ୍ରରେ ଦେଶବାସୀଙ୍କୁ ଉଦ୍ ବୃଦ୍ଧ କରାଇବା ପାଇଁ ସଚେତନତା ସୃଷ୍ଟି କରାଯାଏ ।ଭାରତ ସରକାର ପଟେଲଙ୍କ ସମ୍ମାନରେ ପୃଥିବୀର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ (୧୮୨ ମିଟର ଉଚ୍ଚ) ଗୁଜୁରାଟ ରାଜ୍ୟର ନର୍ମଦା ଜିଲ୍ଲାରେ ସର୍ଦ୍ଦାର ସରୋବର ଡ୍ୟାମ୍ ସନ୍ନିକଟ ସାଧୁବେଟ୍ ନାମକ ଏକ ଦ୍ୱୀପରେ ନିର୍ମାଣ କରିଛନ୍ତି । ଦେଶକୁ ଏକସୂତ୍ରରେ ବନ୍ଧାଇ ପାରିଥିବା ଦେଶର ଏହି ମହାନ୍ ନେତାଙ୍କ ପାଇଁ ଏହା ଏକ ଉପଯୁକ୍ତ ସମ୍ମାନ । ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଦେଶର ଏକତା ବଜାୟ ରଖିବା ପାଇଁ ଆମ୍ଭେମାନେ ବଜ୍ର ଶପଥ ନେଲେ ତାହା ହିଁ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା ପିନ୍- ୭୫୨୦୩୫