Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ମହେଶ୍ୱର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ମହେଶ୍ୱର

… ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ଆଜି ଆଷାଢ଼ ମାସ ପୂର୍ଣ୍ଣିମା ତିଥି । ଏହି ତିଥିକୁ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି, କାରଣ ଗୁରୁ ହିଁ ଭଗବାନଙ୍କର ସାକାର ମୂର୍ତ୍ତି ଓ ସେ ଅଖଣ୍ଡ । ଗୁରୁ ହିଁ ଶିଷ୍ୟଙ୍କୁ ନବଜୀବନ ପ୍ରଦାନ କରିଥାନ୍ତି । ସେମାନଙ୍କୁ ଅଜ୍ଞାନ ଓ ଅନ୍ଧକାରରୁ ମୁକ୍ତ କରାଇ ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁ ଶବ୍ଦଟି ହିଁ ଗୁରୁଙ୍କ ମହିମା ବର୍ଣ୍ଣନା କରିଥାଏ । “ଗୁ’ର ଅର୍ଥ ଅନ୍ଧକାର ଏବଂ “ରୁ’ର ଅର୍ଥ ପ୍ରକାଶ ହୋଇଥାଏ । ଏଥିପାଇଁ ଗୁରୁର ଅର୍ଥ ଅନ୍ଧକାରରୁ ପ୍ରକାଶକୁ ନେଇଯିବା । ତେଣୁ ଗୁରୁ ହିଁ ଶିଷ୍ୟଙ୍କ ଜୀବନରେ ସଫଳତାର ଉଚିତ ମାର୍ଗଦର୍ଶନ କରାଇଥାନ୍ତି । ପୁରାଣ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କ ଅବତାର ଗୁରୁ ବେଦବ୍ୟାସଜୀଙ୍କ ଜନ୍ମ ହୋଇଥିଲା । ସେ ମହାଭାରତ ଆଦି ଅନେକ ମହାନ ଗ୍ରନ୍ଥ ରଚନା କରିଥିଲେ । କୌରବ, ପାଣ୍ଡବ ଆଦି ସମସ୍ତେ ବେଦବ୍ୟାସଙ୍କୁ ହିଁ ଗୁରୁ ବୋଲି ମାନନ୍ତି । ଏଥିପାଇଁ ଆଷାଢ଼ ମାସ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା କୁହାଯାଏ । ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦିନ ଯେଉଁ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ତାର ଜୀବନ ସଫଳ ହୋଇଯାଇଥାଏ । ଏହି ଦିନ ଗୁରୁଙ୍କୁ ପୂଜା କରି ତାଙ୍କୁ ସମ୍ମାନ କରିବା ପରମ୍ପରା ପ୍ରଚଳିତ ରହିଛି । ଗୁରୁ ହିଁ ଶିଷ୍ୟମାନଙ୍କ ଭବିଷ୍ୟତ ଗଢ଼ିଥାନ୍ତି ଏବଂ ସେମାନଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ବାଟ ମଧ୍ୟ ଦେଖାଇଥାନ୍ତି । ମହର୍ଷି ବେଦବ୍ୟାସ ପୁରାଣରେ ଗୁରୁ ପୂର୍ଣ୍ଣିମା ବିଷୟରେ ଲେଖିଛନ୍ତି – “ମମ ଜନ୍ମଦିନେ ସମ୍ୟକ୍ ପୂଜନୀୟଃ ପ୍ରୟତ୍ନତଃ, ଆଷାଢ଼ ଶୁକ୍ଳ ପକ୍ଷେଷୁ ପୂର୍ଣ୍ଣିମାଂ ଗୁରୌ ତଥା, ପୂଜନୀୟୋ ବିଶେଷଣ ବସ୍ତ୍ରାଭରଣବେନୁଭିଃ, କୃତେ ତ୍ୱୟା ବିପ୍ର ମତ୍ସ୍ୱରୂପସ୍ୟ ଦର୍ଶନମ୍’ ଅର୍ଥାତ୍ – ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ମୋର ଜନ୍ମ ଦିବସ ଅଟେ । ଏହାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଏହି ଦିନ ପୁରା ଶ୍ରଦ୍ଧାର ସହ ଗୁରୁଙ୍କୁ ସୁନ୍ଦର ବସ୍ତ୍ର, ଆଭୁଷଣ, ଫଳ ପୁଷ୍ପ, ରତ୍ନ ଓ ସ୍ୱର୍ଣ୍ଣ ମୁଦ୍ରା ଆଦି ସମର୍ପିତ କରି ତାଙ୍କର ପୂଜା କରିବା ଉୁଚିତ । ଏମିତି କରିବା ଦ୍ୱାରା ଗୁରୁଦେବଙ୍କ ମଧ୍ୟରେ ମୋର ହିଁ ସ୍ୱରୂପ ଦର୍ଶନ ହେବ । ଏହି ପ୍ରସଙ୍ଗରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଗୁରୁ ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି “ବିପାକ ପଥରେ ହାତ ଧରି ଯିଏ ଚାଲିବା କୌଶଳ ଶିଖାଇ ଦିଅନ୍ତି, ତାଙ୍କୁ ହିଁ ଜାଣିବ ଗୁରୁବୋଲି ଅଭୟ ପଥରେ ସେ ହିଁ ନିଅନ୍ତି ।’ ଗୁରୁଙ୍କ ପାଖରେ ସୃଷ୍ଟିସ୍ଥିତି ଓ ପ୍ରଳୟର ସମସ୍ତ କୌଶଳ ଓ ଜ୍ୟୋତି ସନ୍ନିବେଶ ହୋଇ ରହିଛି । ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି “ଯୁଗପୁରୁଷ ଆର୍ବିଭାବେ ଦେବଶକ୍ତି ସିଦ୍ଧଶକ୍ତି, ଅତି ଦୈହିକସମାହାରେ ତାଙ୍କଠି ପୂରଣ ଅଭିବ୍ୟକ୍ତି, ଯେତେକ ତନ୍ତ୍ର ବ୍ରାହ୍ମୀ ମନ୍ତ୍ର, ସାର୍ଥକତାର ଲଭେ ଯନ୍ତ୍ର, ଯବକାଚରେ ସୂର୍ଯ୍ୟ ରଶ୍ମୀ ଯେଭଳି ସ୍ୱଭାବ ସଂହତି ।’ ପୁରାଣରେ ପୁଣି ବର୍ଣ୍ଣିତ ଅଛି “ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବୋ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରୁବେ ନମଃ ।’ ଅର୍ଥାତ୍ – ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଏବଂ ଗୁରୁ ହିଁ ଭଗବାନ ଶଙ୍କର ଅଟନ୍ତି । ଗୁରୁ ହିଁ ସାକ୍ଷାତ ପରବ୍ରହ୍ମ ଅଟନ୍ତି । ଏହି ଗୁରୁଙ୍କ ମୁଁ ସହସ୍ରବାର ପ୍ରଣାମ କରୁଛି । ଗୁରୁ ପୂର୍ଣ୍ଣିମା ଅର୍ଥାତ୍ ଗୁରୁଙ୍କ ପୂଜା ଏବଂ ଆଦର କରିବାର ଦିନ । ଏହା କୌଣସି ବ୍ୟକ୍ତିଙ୍କ ପୂଜା ନୁହେଁ । ଗୁରୁଙ୍କ ଦେହ ଭିତରେ ଯେଉଁ ପରମାତ୍ମା ରହିଛନ୍ତି ତାଙ୍କୁ ପୂଜା ସମ୍ଭାଷଣ ଓ ପ୍ରଣାମ କରିବା ହିଁ ଗୁରୁଙ୍କୁ ପୂଜା କରିବା । ଗୁରୁଙ୍କ ନିକଟରେ ଶିଷ୍ୟର ସମସ୍ତ କଷ୍ଟ ଦୂର କରିବାର କ୍ଷମତା ରହିଛି । ଏପରିକି ଜଣେ ଗୁରୁ ଚାହିଁଲେ ଶିଷ୍ୟକୁ ନିଜ ଠାରୁ ଶ୍ରେଷ୍ଠ ବ୍ୟକ୍ତିରେ ମଧ୍ୟ ପରିଣତ କରିଦେଇପାରିବେ । ବୈଦିକ ମାନ୍ୟତା ଅନୁଯାୟୀ ଗୁରୁଶକ୍ତି ସର୍ବୋଚ୍ଚ ତଥା ସମ୍ମାନନୀୟ । ଗୁରୁଙ୍କ ଅସ୍ତିତ୍ୱ କେବଳ ଭୌତିକ ଶରୀର ଭିତରେ ସୀମିତ ନଥାଏ, ବରଂ ଦିବ୍ୟ ଚେତନା ପର୍ଯ୍ୟନ୍ତ ଏହି ଶକ୍ତି ବ୍ୟାପ୍ତ ଥାଏ । ସେଥିପାଇଁ ଗୁରୁଙ୍କୁ ପରମାତ୍ମାଙ୍କ ଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି । କୁହାଯାଇଛି – “ଧ୍ୟାନଂମୂଳଂ ଗୁରୁମୂର୍ତ୍ତିଂ, ପୂଜାମୂଳଂ ଗୁରୁପାଦଂ, ମୋକ୍ଷଂମୂଳ ଗୁରୁକୃପା’ । ପ୍ରଥମଗୁରୁ ତଥା ଆଦି ଗୁରୁ ହେଉଛନ୍ତି ସ୍ୱୟଂ ଭଗବାନ ଶିବ । ସେ ଶକ୍ତି ଆକାରରେ ସମସ୍ତ ବିଦ୍ୟମାନ ସ୍ୱରୂପର ବିଘଟନ ଏବଂ ପରିବର୍ତ୍ତନ ପାଇଁ ଉତ୍ତରଦାୟୀ । ଜଣେ ସାଧକ ପାଇଁ ଗୁରୁ ଭଗବାନଙ୍କ ସ୍ୱରୂପ । ଗୁରୁଙ୍କ ଶକ୍ତିର କୌଣସି ସୀମା ନାହିଁ । ଏହି ଶକ୍ତି ଅନନ୍ତ ତଥା ଅଖଣ୍ଡ । ଗୁରୁ କହିଥିବା ବାଣୀକୁ ଶିଷ୍ୟ ବୁଝିବା ଉଚିତ । ଶ୍ରୀମଦ୍ ଭଗବତଗୀତା, ଭଗବତପୁରାଣ, ସମସ୍ତ ପୁରାଣ ତଥା ଉପପୁରାଣ ଆଦି ସକଳ ଶାସ୍ତ୍ରର ରଚୟିତା ହୋଇ ଯିଏକି ମାନବ ଜାତିର ଜ୍ଞାନର ଭଣ୍ଡାର ସୃଷ୍ଟି କରିଯାଇଛନ୍ତି ତାଙ୍କର ଜନ୍ମତିଥିକୁ ଆମେ ଗୁରୁପୂର୍ଣ୍ଣିମା ଭାବେ ପାଳନ କରିଆସୁଛୁ । ସମସ୍ତ ପୂର୍ଣ୍ଣିମା ମଧ୍ୟରେ ଏହାକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି କାରଣ ପରମାତ୍ମଜ୍ଞାନ, ପରମାତ୍ମ ଧ୍ୟାନ ଓ ପରମାତ୍ମ ଜ୍ଞାନ ପ୍ରାପ୍ତି ଅସମ୍ଭବ, ଏକମାତ୍ର ସତ୍ଜ୍ଞାନ ହିଁ ପରମାର୍ଥିକ ଜୀବନରେ ଏକାନ୍ତ କାମ୍ୟ । ଗୁରୁପଦ ବନ୍ଦନା, ସ୍ମରଣ ତଥା ଧ୍ୟାନ ବଳରେ ଜ୍ଞାନନେତ୍ର ଉନ୍ମୀଳିତ ହୁଏ, ସଂସାରରୂପୀ ରାତ୍ରିର ସର୍ବକଳୁଷ ଅପନୋଦନ ହୋଇଯାଏ । ଆଦିଗୁରୁ ବ୍ୟାସଦେବ ଅଗାଧ ଜ୍ଞାନର ଭଣ୍ଡାର ଥିଲେ । ଏହା ନିଃସନେ୍ଦହ ଯେ ମହର୍ଷି ବେଦବ୍ୟାସକୃତ ଶାସ୍ତ୍ର ପଠନ ଶ୍ରବଣ ବିନା ଭାରତରେ ଅବା ବିଶ୍ୱରେ କୌଣସି ଆଧ୍ୟାତ୍ମିକ ଉପଦେଶ ବର୍ଣ୍ଣି ପାରିନାହାଁନ୍ତି । ଅତଃ ଯେଉଁ ମହାତ୍ମା କଠୋର ସାଧନ କରି ଆମ ପାଇଁ ଏତେସବୁ ସାଧ୍ୟବସ୍ତୁ ରଖିଯାଇଛନ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି, କୃତଜ୍ଞତା ଜ୍ଞାପନ, ଋଷି ଋଣ ପରିଶୋଧ ସର୍ବୋପରି ଋଷିଙ୍କର ପ୍ରେରଣା ଓ ଆଶୀର୍ବାଦ ପ୍ରାପ୍ତି ନିମିତତ ଏହି ବ୍ୟାସପୂର୍ଣ୍ଣିମା ପାଳନୀୟ । ପ୍ରାଚୀନ କାଳରେ ମୁନିଋଷିମାନେ କହିଯାଇଛନ୍ତି, ଗୁରୁଙ୍କ ଛବି ହେବଛି ସେହି ମୂଳତତ୍ତ୍ୱ ଯେଉଁଥିରୁ ଧ୍ୟାନ ଆସିଥାଏ । ସାଧକ ଦ୍ୱାରା କରାଯାଇଥିବା ପୂଜା ଅଥବା କୌଣସି ପ୍ରକାର ତପ ଗୁରୁଙ୍କ ଚରଣ କମଳରୁ ଆସିଥାଏ । ମନ୍ତ୍ରର ମୂଳ ଗୁରୁଙ୍କ ବଚନରୁ ଉଦ୍ଧୃତ ହୋଇଥାଏ ଏବଂ ଗୁରୁଙ୍କ କୃପାରୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଗୁରୁଙ୍କ ଶକ୍ତିକୁ ଅନୁଭବ କରିବାକୁ ହେଲେ ନିଜ ସୀମିତ ଇନ୍ଦ୍ରିୟଗୁଡ଼ିକର ଅହଙ୍କାରୀ ଅନୁଭବ ଠାରୁ ଉଦ୍ଧ୍ୱର୍କୁ ଉଠିବାକୁ ହେବ । ସୀମିତ ମସ୍ତିଷ୍କରେ ଗୁରୁଙ୍କ ଅସୀମ ଶକ୍ତିକୁ ବୁଝିବା ଅସମ୍ଭବ । କଟକ ମୋ : ୯୪୩୭୦୫୧୯୫୭

Leave a Reply