ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ

ମାଲକାନଗିରି : ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀରାମଙ୍କ ଭକ୍ତମାନେ ଶହ ଶହ ସଂଖ୍ୟାରେ ସକାଳ ୧୦ ଘଟିକା ସମୟରେ ଭୈରବ ମନ୍ଦିର ଠାରୁ ନିଜ ନିଜ ଗାଡିରେ ଲାଲ ପତାକା ଲଗାଇ ଶ୍ରୀରାମଙ୍କ ଏକ ବିଶାଳ ଫଟୋ ଚିତ୍ର ସୁସଜ୍ଜିତ ରଥରେ ଲଗାଇ ଜୟ ଶ୍ରୀରାମ ଧ୍ୱନି ସହ ଡିଏନକେ ରାମ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରାସ୍ତା ଶୋଭା ଯାତ୍ରା କରି ଆସିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ପରେ ଅପରାହ୍ଣରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ଶୋଭା ଯାତ୍ରାରେ ଭକ୍ତମାନେ ପଦଯାତ୍ରା କରି ଜୟ ଶ୍ରୀରାମଙ୍କ ଧ୍ୱନି ଦେଇ ରାମ ମନ୍ଦିର ପରିସରକୁ ଯାଇ ସେଠାରେ ଏକତ୍ରିତ ହୋଇଥିଲେ । ପଣ୍ଡିତ ମାନେ ଭକ୍ତମାନଙ୍କୁ ରାମ ଚରିତ ମାନସ, ରାମଙ୍କର ପୌରାଣିକ ତଥ୍ୟ ଇତ୍ୟାଦି ସମ୍ବନ୍ଧରେ ପ୍ରବଚନ ଦେଇଥିଲେ । ମୁଖ୍ୟ ରାସ୍ତାରେ ମାରୱାଡି ସମ୍ପ୍ରଦାୟ ତରଫରୁ ପାନୀୟ ଜଳ, ଚଲା, ପ୍ରସାଦ, ବିତରଣ କରା ଯାଇଥିଲା । ସନ୍ଧ୍ୟାରେ ରାମ ମନ୍ଦିର ପରିସରରେ ସଂକୀର୍ତ୍ତନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୀଳଗିରି : ପବିତ୍ର ରାମ ନବମୀ ପାଳନ ଅବଅବସରରେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି ନୀଳଗିରି ସହର । ଶ୍ରୀରାମ ନବମୀ ପାଇଁ ଗାଁ ରୁ ସହର ସବୁଠି ଉତ୍ସବ ମୁଖର ହୋଇ ପଡ଼ିଥିଲା । ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହ ବ୍ରତୀମାନେ ସଂକଳ୍ପ କରିଥିଲେ । ନୀଳଗିରି ମେଡିକାଲ ନିକଟରେ ଥିବା ହନୁମାନ ମନ୍ଦିର ପରିସରରେ ଶ୍ରୀରାମନବମୀ ଧୁମଧାମରେ ପାଳନ କରାଯାଇଛି । ଶ୍ରୀରାମଭକ୍ତମାନେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ଗେରୁଆ ପତାକାରେ ଗେରୁଆମୟ କରିଦେଇଥିଲେ । ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ବିଭିନ୍ନ ପାରମ୍ପରିକ ବାଜା ସହ ଏକ ବିରାଟ ବାଇକ ରାଲି କରାଯାଇଥିଲା । ଶ୍ରୀରାମ ନବମୀ ପାଳନ ନେଇ ନୀଳଗିରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ରାମନବମୀ ପାଳନ ଅବସରରେ ଜୟ ଶ୍ରୀରାମ ଧ୍ୱନି ଦେବା ସହ ଗଦା ବୁଲାଇଥିଲେ । ଅନୁରୂପ ଭାବେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ପ୍ରସାଦ ସେବନ କରିବା ସହ ଶ୍ରୀରାମ ଧ୍ୱନି ପକାଇ ଶ୍ରୀରାମ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ ।

Leave a Reply