ଆମର ଏକତା ଏବଂ ଏକାତ୍ମତା ବିଶ୍ୱ ବନ୍ଧୁତାର ସଂରକ୍ଷଣ ଓ ସମ୍ବର୍ଦ୍ଧନର ଆଧାର – ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ

କାଶୀ, ୨୮ ଅଗଷ୍ଟ, ୨୦୨୬।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟକାଶୀ ର ତିଲକ ନଗରରେ ଆୟୋଜିତ ରକ୍ଷାବନ୍ଧନ ଉତ୍ସବରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ କହିଛନ୍ତି ଯେ, ଆମର ଏକତା ଏବଂ ଏକାତ୍ମତା ବିଶ୍ୱ ବନ୍ଧୁତାର ସଂରକ୍ଷଣ ଓ ସମ୍ବର୍ଦ୍ଧନର ଆଧାର। ନ୍ୟାୟୋଚିତ ମାର୍ଗରେ ଚାଲି ବନ୍ଧୁତାକୁ ଆଧାର କରି ସ୍ୱାଧୀନତା ଏବଂ ସମାନତାର ରକ୍ଷା କରିବା ପାଇଁ ଭାରତ ସାମାଜିକ ସମରସତାକୁ ଆପଣେଇଛି।

ସିଗ୍ରାସ୍ଥିତ ଡଃ ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉପସ୍ଥିତ ସ୍ୱୟଂସେବକ ଏବଂ ମାତୃଶକ୍ତିଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଯୋଗ ବାଶିଷ୍ଠର ଏକ ଶ୍ଲୋକ ଅନୁସାରେ ଯେଉଁମାନେ ଆମର ବନ୍ଧୁ ନୁହଁନ୍ତି, ସେମାନଙ୍କ ସହ ପ୍ରତିଦିନ ମିଶିବା ଦ୍ୱାରା ନିକଟତରତା ବଢ଼ିଥାଏ ଏବଂ ସେମାନେ ଆମର ବନ୍ଧୁ ବନିଯାଆନ୍ତି। ଅନ୍ୟପଟେ ନିକଟତରତାର ଅଭ୍ୟାସ ଛାଡ଼ିଦେଲେ ବନ୍ଧୁତାର ସ୍ନେହ ବନ୍ଧନ ତୁଟିଯାଏ। ସଂଘରେ ମଧ୍ୟ ଅପରିଚିତଙ୍କୁ ପରିଚିତ ଏବଂ ପରିଚିତଙ୍କୁ ମିତ୍ର କରିବାର ପରମ୍ପରା ରହିଆସିଛି। ସ୍ୱାଧୀନତା, ସମାନତା ଏବଂ ବନ୍ଧୁତା – ଏହି ତିନୋଟି ଅବଧାରଣାକୁ ବିଶ୍ୱର ଅନେକ ଦେଶ ଭିନ୍ନ ଭିନ୍ନ ରୂପରେ ସ୍ୱୀକାର କରିଛନ୍ତି। ଯେଉଁ ସବୁ ରାଷ୍ଟ୍ରରେ କେବଳ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଗଲା, ସେଠାରେ ସ୍ୱେଚ୍ଛାଚାରିତା ବ୍ୟାପିଗଲା। ଅନ୍ୟପଟେ ସୋଭିଏତ୍ ରୁଷ୍ ଭଳି ଦେଶ ସମାନତାକୁ ପ୍ରାଥମିକତା ଦେଇଥିଲା, କିନ୍ତୁ ଏହି ବିଚାର ମଧ୍ୟ ତିଷ୍ଠି ରହିପାରିଲା ନାହିଁ। ଭାରତୀୟ ସଂସ୍କୃତିରେ ବନ୍ଧୁତାକୁ ସ୍ୱାଧୀନତା ଏବଂ ସମାନତା ସହିତ ଯୋଡ଼ାଯାଇଛି। ଏହି ତିନୋଟି ତତ୍ତ୍ୱର ମୂଳାଧାର ହେଉଛି ସାମାଜିକ ସମରସତା।

ସରକାର୍ଯ୍ୟବାହ ଜୀ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତିରେ ସମ୍ପୂର୍ଣ୍ଣ ବିଶ୍ୱକୁ ଏକ କୁଟୁମ୍ବ (ପରିବାର) ଭାବେ ସ୍ୱୀକାର କରାଯାଇଛି। ମୁଁ ଏବଂ ସମସ୍ତ ଜୀବ ଏକା ପରମାତ୍ମାଙ୍କର ଅଂଶ, ଉଦାର ଚରିତ୍ର ସହ ଏହି ଭାବନାକୁ ସ୍ୱୀକାର କରିବା ଉଚିତ୍। ସମ୍ପର୍କ ମଧ୍ୟରେ ଅବିଶ୍ୱାସ, ରକ୍ଷାବନ୍ଧନର ସ୍ନେହସୂତ୍ରକୁ ଦୁର୍ବଳ କରିଥାଏ। ଆପସରେ ବିଭାଜିତ ହେଲେ ବିରୋଧୀ ପକ୍ଷ ତାହାର ଫାଇଦା ଉଠାନ୍ତି। ଯେତେବେଳେ ଆମେ ସମସ୍ତେ ବିଶ୍ୱ ବନ୍ଧୁତ୍ୱ କଥା ଚର୍ଚ୍ଛା କରୁ, ସେତେବେଳେ ତାହାର ମୂଳାଧାର ହେଉଛି ଭବିଷ୍ୟ ପୁରାଣର ଏହି ଶ୍ଲୋକ –

”ଯେନ ବଦ୍ଧୋ ବଲୀ ରାଜା ଦାନବେନ୍ଦ୍ରୋ ମହାବଲଃ। ତେନ ତ୍ୱାମଭିବଧ୍ନାମି ରକ୍ଷେ ମା ଚଲ ମା ଚଲ॥”

ଯାହାର ଅର୍ଥ ହେଉଛି, ଯେଉଁପରି ଭାବେ ରାଜା ବଳିଙ୍କୁ ସ୍ନେହ ବନ୍ଧନରେ ବନ୍ଧାଯାଇଥିଲା, ସେହିପରି ମୁଁ ମଧ୍ୟ ଆପଣଙ୍କୁ ସ୍ନେହ ବନ୍ଧନରେ ବାନ୍ଧୁଛି। ଏହି ବନ୍ଧନ ସ୍ଥିର ରହୁ। ବର୍ତ୍ତମାନ ପରିବାର ଏବଂ ସମାଜରେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି, ତାହାର କାରଣ ହେଉଛି ସ୍ୱାର୍ଥ। ମଣିଷ ଭିତରେ ସ୍ୱାର୍ଥ ବିକାର ରୂପରେ ଆସିବା ଉଚିତ୍ ନୁହେଁ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ, କାଶୀ ମଧ୍ୟର ସଂଘଚାଲକ ଡଃ ହେମନ୍ତ ଗୁପ୍ତା ଜୀ, ତିଲକ ନଗରର ନଗର ସଂଘଚାଲକ ପ୍ରଦୀପ ଜୀ ଭଗବା ପତାକାରେ ରକ୍ଷା ସୂତା ବାନ୍ଧିଥିଲେ।

ନେପାଳ ପ୍ରାକୃତିକ ବିପତ୍ତି ପୀଡ଼ିତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଦୁଇ ଦିନ ପୂର୍ବରୁ ନେପାଳର ବନ୍ୟା ବିପତ୍ତିରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ ସମଗ୍ର ସଂଘ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବନ୍ଧୁମାନେ ଏହି ବିପତ୍ତିରେ ସଙ୍କଟଗ୍ରସ୍ତ ହୋଇଛନ୍ତି, ସଂଘ ପରିବାର ସେମାନଙ୍କ ପ୍ରତି ମଧ୍ୟ ନିଜର ଗଭୀର ସମବେଦନା ପ୍ରକାଶ କରୁଛି।

Leave a Reply

Your email address will not be published. Required fields are marked *