ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଓ ବଳିଦାନ ଦିବସ ପାଳିତ
ଶିକ୍ଷା ଓ ସମାଜ ସଂସ୍କାରରେ ସ୍ୱାମୀଜୀଙ୍କ ଅବଦାନ ଅତୁଳନୀୟ
ପୁଲବାଣୀ: କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପୁଲବାଣୀ ବିଟିଏମ୍ ପଡ଼ିଆରେ ବେଦାନ୍ତ କେଶରୀ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଓ ବଳିଦାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସମାଜ ସଂସ୍କାର କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନ ଅତୁଲନୀୟ ବୋଲି ମତବ୍ୟକ୍ତ କରିଥିଲେ। କନ୍ଧମାଳ ଭଳି ଦୁର୍ଗମ ଜିଲ୍ଲାରେ ସ୍ୱାମୀଜୀ ଗାଁ ଗାଁ ବୁଲି ଦୁର୍ଗତ ଲୋକମାନଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବାଳିକା ଶିକ୍ଷାର ଉନ୍ନତି ପାଇଁ ସେ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରି ନାରୀଶିକ୍ଷାକୁ ଆଗକୁ ନେଇଥିଲେ। ବର୍ତ୍ତମାନ ମେଡିକାଲ କଲେଜକୁ ସ୍ୱାମୀଜୀଙ୍କ ନାମରେ କରାଯିବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି।
ମୁଖ୍ୟବକ୍ତା ଭାବେ ପୂଜ୍ୟ ସ୍ୱାମୀ ସତ୍ୟାନନ୍ଦ ଗିରି ଯୋଗ ଦେଇ ସ୍ୱାମୀଜୀଙ୍କୁ ସନାତନୀ ସମାଜର ଶ୍ରେଷ୍ଠ ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ, ବାବା ମହେନ୍ଦ୍ର ଗିରି, ପବିତ୍ର କହଁର, ପଣ୍ଡିତ ମହେଶ ସାହୁ, ପୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଓ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ କନ୍ଧମାଳ ଜିଲ୍ଲା ପ୍ରତି ସ୍ୱାମୀଜୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ବିଭିନ୍ନ ବ୍ଲକରୁ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା, ଶ୍ରଦ୍ଧାଳୁ, ସାଧୁସନ୍ଥ, କୀର୍ତ୍ତନମଣ୍ଡଳୀ ସହର ପରିକ୍ରମା କରିଥିଲେ।