ଭିଏଚ୍ପି ଓ ବଜରଙ୍ଗ ଦଳର ଅଖଣ୍ଡ ଭାରତ ସଂକଳ୍ପ
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ଓ ବଜରଙ୍ଗ ଦଳ ପକ୍ଷରୁ ରାଧାରମଣ ମଠ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ପରିସରରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି।
ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ଭିଏଚ୍ପି ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭିଏଚ୍ପି ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ସେ ଅଖଣ୍ଡ ଭାରତର ସ୍ୱପ୍ନ ସାକାର କରିବା ସହ ସଂଗଠନକୁ ଅଧିକ ଶୃଙ୍ଖଳିତ, ସଶକ୍ତ ଓ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।
ଭାରତକୁ ଅଖଣ୍ଡ ହିନ୍ଦୁରାଷ୍ଟ୍ର ଓ ବିଶ୍ୱଗୁରୁର ମାନ୍ୟତା ପ୍ରଦାନ କରିବା ଲକ୍ଷ୍ୟରେ ତୃଣମୂଳ ସ୍ତରରେ ହିନ୍ଦୁ ସମାଜ ନିକଟରେ ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଭିଏଚ୍ପି କେନ୍ଦ୍ରାପଡ଼ା ଜିଲ୍ଲା ସେବା ପ୍ରମୁଖ ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଚାରୀ ଲୋକନାଥ ଦାସ ଏବଂ ଜିଲ୍ଲା ଉପସଭାପତି ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଭାରୀ ପ୍ରଦୀପ କିଶୋର ନାୟକ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ଶେଷରେ ପ୍ରଖଣ୍ଡ ଉପସଭାପତି ଅମ୍ବୁଜ ଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।