ନିରାକାରପୁର : ନିରାକାରପୁର ଥାନା ପୁଲିସ ୨୭ ତାରିଖରେ ରାମେଶ୍ୱର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରୁ ମଇଁଷି ବୋଝେଇ ଏକ ଗାଡ଼ିକୁ ଜବତ କରି ୨୧ଟି ମଇଁଷିକୁ ଉଦ୍ଧାର କରିଛି। ଘଟଣାରେ ଆନ୍ଧ୍ରପ୍ରଦେଶର ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଉଦ୍ଧାର ମଇଁଷିଙ୍କୁ ନାବୁଣୀସ୍ଥିତ ଗୋଶାଳାରେ ଛାଡ଼ି ଦିଆଯାଇଥିବା ବେଳେ ମଇଁଷିଗୁଡ଼ିକୁ କେଉଁ ଉଦ୍ଦେଶ୍ୟରେ ଚାଲାଣ କରାଯାଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଗିରଫ ହୋଇଥିବା ୨ଜଣ ହେଲେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଅର୍ଚଣ୍ଡା ଥାନା ଅଞ୍ଚଳର ଶାନ୍ତୁଳା ଭେଙ୍କଟେଶ୍ବର ରାଓ (୨୯) ଏବଂ ମୁନାମାରୁ ଥାନା ଅଞ୍ଚଳର ଆଡ଼ାଗାଲା ଭୀରୁ ବାବୁ (୩୪). ଏନେଇ ନିରାକାରପୁର ଥାନାରେ ଏକ ମାମଲା (ନଂ.୩୧୯/୨୭) ରୁଜୁ ହୋଇଛି.
ପୁଲିସ ସୂଚନା ମୁତାବକ, ମଇଁଷି ବୋଝେଇ ଗାଡ଼ିଟି ଜଗତସିଂହପୁରରୁ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ର ଅଭିମୁଖେ ଯାଉଥିଲା. ନିରାକାରପୁର ପୁଲିସ ଶନିବାର ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ବର ଛକଠାରେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା.ସେଥିରୁ ୨୧ଟି ମଇଁଷି ଉଦ୍ଧାର କରାଯାଇଥିଲା. ପରେ ଉଦ୍ଧାର ମଇଁଷିକୁ ନାତୁଣୀସ୍ଥିତ ଗୋଶାଳାରେ ଛଡ଼ାଯାଇଛି ଏବଂ ଜବତ ଗାଡ଼ିକୁ ନିରାକାରପୁର ଥାନା ପରିସରରେ ରଖାଯାଇଛି. ମଇଁଷିକୁ କେଉଁ ପରିସ୍ଥିତିରେ ଏବଂ କେଉଁ ଉଦ୍ଦେଶ୍ୟରେ ଚାଲାଣ କରାଯାଉଥିଲା, ସେନେଇ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ତୁଷାରକାନ୍ତି ପରିଡ଼ା ଏବଂ ଥାନା ଅଧିକାରୀ ରିନାରାଣୀ ସାହୁ ସୂଚନା ଦେଇଛନ୍ତି.