ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା-୧୯ ଆତଙ୍କୀଙ୍କୁ ନେଇ ହାଇଆଲର୍ଟ-ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଲଗାଇଲା ପୋଲିସ

ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ୧୫ ଅଗଷ୍ଟକୁ ନଜରରେ ରଖି ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଥିବା ବେଳେ ୧୯ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର ସାର୍ବଜନୀନ କରାଯାଇଛି । ପ୍ରମୁଖ ସାର୍ବଜନୀନ ସ୍ଥାନ, ବଜାର ଓ ଭିଡ଼ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଉଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟରେ ସାଧାରଣ ଲୋକଙ୍କ ସହଯୋଗ ନେବା ହେଉଛି ପୋଲିସର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁଥିପାଇଁ ସାର୍ବଜନୀନ ସ୍ଥାନରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଛି ।

ପୋଲିସର ପକ୍ଷରୁ ଲଗାଯାଇଥିବା ପୋଷ୍ଟରେ ଇଣ୍ଡିଆନ୍ ମୁଜାହିଦ୍ଦିନ, ଅଲ୍-କାଏଦା ଏବଂ ବିଭିନ୍ନ ଖାଲିସ୍ତାନୀ ଆତଙ୍କୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିଙ୍କ ନାମ ରହିଛି । ଏଥିରେ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ଜଡ଼ିତ ରିୟାଜ ଭଟକଲ ଏବଂ ଶବାନ୍ଦରୀ ମହମ୍ମଦ ଇକବାଲ ଓରଫ ଇକବାଲ ଭଟକଲଙ୍କ ନାମ ରହିଛି । ସେହିପରି ଅଲ୍-କାଏଦା ସହ ଜଡ଼ିତ ମହମ୍ମଦ ଶର୍ଜିଲ ଅଖତର, ଅବୁ ସୁଫିଆନ ଏବଂ ସୟଦ ମହମ୍ମଦ ଅର୍ଶିଆନଙ୍କ ନାମ ମଧ୍ୟ ତାଲିକାରେ ଅଛି ।

ଅନ୍ୟପକ୍ଷରେ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ସହ ଜଡ଼ିତ ରଞ୍ଜିତ ସିଂହ ଓରଫ ନୀତା ଏବଂ ପରମଜିତ ସିଂହ ପମ୍ମାଙ୍କ ନାମ ରହିଛି । ଖାଲିସ୍ତାନ ଟାଇଗର ଫୋର୍ସର ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲାଙ୍କ ସହ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡ଼ିତ ହରବିନ୍ଦର ସିଂହ ସନ୍ଧୁ ଓରଫ ରିଣ୍ଡା, ବଧାୱା ସିଂହ ବବ୍ବର ଏବଂ ଗୁରମୀତ ସିଂହ ବଗ୍ଗାଙ୍କ ନାମ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି ।

Leave a Reply

Your email address will not be published. Required fields are marked *