ପୁରୀ: ସୃଜନ କଥାବସ୍ତୁକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ‘ଓଡ଼ିଶା ସାହିତ୍ୟ ମହୋତ୍ସବ’ ଉଦ୍ଯାପିତ ହୋଇଯାଇଛି। ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମିରମିଳିତ ସହଯୋଗରେ ଆୟୋଜିତ ସାରସ୍ଵତ ସଭାର ତୃତୀୟ ବୈଷୟିକ ଅଧିବେଶନରେ ‘ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତର ଅନୁବାଦ ବୈଶିଷ୍ଟ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ଡ. ପ୍ରମୋଦିନୀ ଜେନାଙ୍କ ଅଧ୍ୟକ୍ଷତାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ. ଅଭୟ କୁମାର ନାୟକ, ବାବାଜୀ ସନତ ସୁଜାତାନନ୍ଦ ଦାସ, ଭାଷାବିତ ଡ. କାଳୀକିଙ୍କର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଲେ, ଅତିବଡ଼ୀଙ୍କ ଓଡ଼ିଆ ଭାଗବତ ସଂସ୍କୃତ ଭାଗବତର ଅନୁବାଦ ହୋଇଥିଲେ ହେଁ ଏଥିରେ ଓଡ଼ିଆ ଭାଷା ଓ ପରମ୍ପରାର ପ୍ରତିଫଳନ ହୋଇଛି। ଅତିବଡ଼ୀ ନବାକ୍ଷରୀ ଛାନ୍ଦରେ ଏହାକୁ ରଚନା କରି ଓଡ଼ିଆ ଭାଷାକୁ ଅଭିଜାତ୍ୟ ରୂପ ଦେଇଛନ୍ତି। ସଂସ୍କୃତ ଜାଣି ନଥିବା ଅଗଣିତ ଓଡ଼ିଆଙ୍କ ପାଇଁ ମାତୃଭାଷାରେ ଭାଗବତ ରଚନା କରିଥିବାରୁ ଓଡ଼ିଆ ଭାଷା ସାହିତ୍ୟର ଜଣେ ଯଥାର୍ଥ ସେବକ ଭାବରେ ଚିରବନ୍ଦନୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି, ଅଧ୍ୟାପକ ପ୍ରମୋଦ କୁମାର ଦଳାଇ, ସସ୍ମିତା ନାୟକ, ଦୟାନିଧି ପଣ୍ଡା, ସଞ୍ଚିତା ନାୟକ, ଡ. ଅବିନାଶ ରଣାଙ୍କ ସମେତ ୧୭ ଜଣ ଆଲୋଚ୍ୟ ବିଷୟକୁ ନେଇ ଭିଭି ପ୍ରବନ୍ଧ ପାଠ କରିଥିଲେ। ଏହି ଅବସରରେ ପ୍ରାବନ୍ଧିକମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି ଅଧିବେଶନକୁ ଡ. କଲ୍ୟାଣୀ ନନ୍ଦୀ ସଂଚାଳନ କରିଥିଲେ |