ସୃଷ୍ଟିର କଲ୍ୟାଣ ପାଇଁ ଶ୍ରୀମଦ୍ଭାଗବଦ୍ ଗୀତା ତଥା ସନାତନ ଆଦର୍ଶ ଅପରିହାର୍ଯ୍ୟ

ସୃଷ୍ଟିର କଲ୍ୟାଣ ପାଇଁ ଶ୍ରୀମଦ୍ଭାଗବଦ୍ ଗୀତା ତଥା ସନାତନ ଆଦର୍ଶ ଅପରିହାର୍ଯ୍ୟ:
ବେଲେଶ୍ୱର ବସତି ହିନ୍ଦୁ ସମ୍ମିଳନୀ ଓ ସମୁହଗୀତା ପଠନ ଓ ଯଜ୍ଞ ଅନୁଷ୍ଠିତ
ନୁଆ ବଜାର କଟକ, :ସୃଷ୍ଟିର ଆରମ୍ଭରୁ ହିନ୍ଦୁ ସମାଜ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଏବଂ ମାନବ ସମାଜର କଲ୍ୟାଣ ଚିନ୍ତା କରିଆସିଛନ୍ତି। ଏହି ମହାନ ପରମ୍ପରାକୁ ଆଗକୁ ନେବା ପାଇଁ ସ୍ଥାନୀୟ ବେଲେଶ୍ୱର ବସତି (ନୁଆ ବଜାର )ଠାରେ ହିନ୍ଦୁ ସମ୍ମିଳନୀ ଓ ଗୀତା ସଙ୍ଗମ ଯଜ୍ଞ ସଂଯୁକ୍ତ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମଞ୍ଚାସୀନ ଅତିଥି ଓ ବକ୍ତାମାନେ ସନାତନ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ସାମାଜିକ ସମରସତା, ସୁଦୃଢ଼ ହିନ୍ଦୁ କୁଟୁମ୍ବ ବ୍ୟବସ୍ଥା, ପର୍ଯ୍ୟାବରଣର ସୁରକ୍ଷା ଏବଂ ନାଗରିକର କର୍ତ୍ତବ୍ୟ ସମ୍ପର୍କରେ ବକ୍ତାମାନେ ନିଜର ବହୁମୂଲ୍ୟ ମତ ରଖିଥିଲେ। ଏଥିସହ ନିଜର ସ୍ଵ-ସଂସ୍କୃତି, ସ୍ଵ-ଭାଷା ଏବଂ ସ୍ଵ-ଭୂଷା ର ମହାନତାକୁ ବଜାୟ ରଖିବା ପାଇଁ ସମବେତ କାର୍ଯ୍ୟକର୍ତ୍ତା ମାନଙ୍କ ସମାବେଶରେ ସାରା ସମାଜକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ସତ୍ୟଚୈତନ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିନୟ କୁମାର ଭୂୟାଁ , ବକ୍ତା ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମଦ୍ ବାୟା ବାବା, ପୁଜ୍ୟ ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ, ବାବା ଦୀନଦୟାଲ ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ହିନ୍ଦୁ ଏକତା ଓ ହିନ୍ଦୁ ଜୀବନ ପଦ୍ଧତି ଆଚରଣରେ ବିଶ୍ବ ସୁରକ୍ଷିତ ବୋଲି ମତ ବ୍ୟକ୍ତ କରିଥିଲେ। ସ୍ଥାନୀୟ ସମାଜସେବୀ ଶ୍ରୀ ପ୍ରଭୁ ପ୍ରସନ୍ନ ବେହେରା ସମ୍ମୀଳନୀର ନେତୃତ୍ୱ ଦାୟିତ୍ବ ବହନ କରିଥିଲେ ତଥା ମଙ୍ଗରାଜ ପଣ୍ଡା, ସୁଶାନ୍ତ ବସ୍ତିଆ, ମାଧବାନନ୍ଦ ଦାସ, ଅରୁଣ ପଣ୍ଡା, ଚନ୍ଦନ ବେହେରା, ଶ୍ରୀଧର ପଣ୍ଡା ସତ୍ୟରଞ୍ଜନ ପଶାୟତ ଆଦି ସମାଜସେବୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।
ବିଶ୍ଵଜିତ ନାୟକ, ପଙ୍କଜ କୁମାର ନାୟକ,ସଙ୍କର୍ଷଣ ରାଉତ, ପ୍ରଜ୍ଞାପରମିତା ଲେଙ୍କା, ସୌମ୍ୟରଞ୍ଜନ ମହାନ୍ତି, ସତ୍ୟପ୍ରିୟ ନାଏକ, ସାଗର ନାୟକ, ପ୍ରଭାକର ପ୍ରଧାନ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ପଣ୍ଡିତ ସୁଧୀର ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ଯଜ୍ଞ ପରେ ସହସ୍ରାଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ। ହିନ୍ଦୁ ଜୀବନ ଶୈଳୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *