ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମଡ୍ୟୁଲ୍ କାଶ୍ମୀରର ଡାକ୍ତରଖାନାଗୁଡ଼ିକୁ ଅସ୍ତ୍ରଶସ୍ତ୍ର ହବ୍‌ରେ ପରିଣତ କରିବାକୁ ଚେଷ୍ଟା କରୁଥିଲା

ଦିଲ୍ଲୀ ବିସ୍ଫୋରଣ ମାମଲାରେ ସହ-ଅଭିଯୁକ୍ତ ଏବଂ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ଶାହିନ ସୟିଦ ୫ ଜଣ ଆତଙ୍କବାଦୀ ଡାକ୍ତରଙ୍କ ଏକ ଦଳ ଗଠନ କରିବାର କାର୍ଯ୍ୟ କରୁଥିଲା ବୋଲି ତଦନ୍ତକାରୀମାନେ କହିଛନ୍ତି। ଏଥିପାଇଁ ସେ ଦଳର ମୁଖ୍ୟଙ୍କୁ ମଧ୍ୟ ଚୟନ କରିଥିଲା। ଆତଙ୍କବାଦୀ ଡାକ୍ତର ଦଳର ମୁଖ୍ୟ କେବଳ ଅନ୍ୟ ଡାକ୍ତରଙ୍କ ସହ କଥା ହେଉଥିଲା। ଏହାଦ୍ୱାରା ଦଳର ଗୋପନୀୟତା ବଜାୟ ରହିବ। ଯଦି କେହି ଜଣେ ସଦସ୍ୟ ଧାରା ପଡେ ତେବେ ଅନ୍ୟମାନଙ୍କ ବିଷୟରେ କୌଣସି କଥା ଯେପରି ପ୍ରଘଟ ନ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତଦନ୍ତକାରୀ ଅଧିକାରୀମାନେ ସେହି ୫ ଜଣିଆ ଡାକ୍ତର ଦଳକୁ ଧରିବା ପାଇଁ ଶାହିନ ସୟିଦକୁ ପଚରାଉଚରା ଜାରି ରଖିଛନ୍ତି। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଏ-ମହମ୍ମଦ (ଜେଇଏମ୍) ପାଇଁ ଭାରତରେ ଏକ ମହିଳା ଆତଙ୍କବାଦୀ ଦଳ ଗଠନ ପାଇଁ ମଧ୍ୟ ସେ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲା। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଅନୁସନ୍ଧାନକାରୀ ଦଳ ଆଜି ଏକ ବଡ଼ ପ୍ରମାଣ ହସ୍ତଗତ କରିଛି। ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମଡ୍ୟୁଲ୍ କାଶ୍ମୀରର ଡାକ୍ତରଖାନାଗୁଡ଼ିକୁ ଅସ୍ତ୍ରଶସ୍ତ୍ର ହବ୍‌ରେ ପରିଣତ କରିବାକୁ ଚେଷ୍ଟା କରୁଥିଲା, ଗାଜାରେ ଯେପରି ହମାସ ଆତଙ୍କବାଦୀମାନେ କରୁଥିଲେ। ହମାସ ବେସାମରିକ ଅଞ୍ଚଳ ଓ ଡାକ୍ତରଖାନାସବୁକୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଭାବେ ବ୍ୟବହାର କରିବା ସହ ସେହିଠାରୁ ନୂଆ ଆତଙ୍କବାଦୀ ସଂଗ୍ରହ କରୁଥିଲା। ଏହି ମାମଲାରେ ୪ ସଂଦିଗ୍ଧଙ୍କୁ ଆଜି ଏନ୍ଆଇଏ ଶ୍ରୀନଗରରୁ ଦିଲ୍ଲୀ ଆଣିଛି। ଏହି ସୂଚନା ମିଳିବା ପରେ ଗତ ବୁଧବାରଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ୧୯୯୦ ପରେ କାଶ୍ମୀରରେ ଏଭଳି ଆତଙ୍କୀ କାର୍ଯ୍ୟକଳାପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

Leave a Reply